ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରରେ ତାଙ୍କ ପ୍ରବର୍ତ୍ତିତ ଲୋକପ୍ରିୟ ଯୋଜନା ସଂପର୍କରେ ସଂକ୍ଷିପ୍ତ ଉପସ୍ଥାପନା ଏଠାରେ ଉପସ୍ଥାପନା କରାଗଲା।

Advertisment

ଜନ୍ମରୁ ମୃତ୍ୟୁ ଯାଏ ଯୋଜନା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ବହୁ ଅଭିନବ ଯୋଜନା ପ୍ରଣୟନ କରାଯାଇଛି। ପରବର୍ତ୍ତୀ ସମୟରେ ଏହି ଯୋଜନାକୁ ଅନ୍ୟ ରାଜ୍ୟ ବି ଅନୁକରଣ କରିଛନ୍ତି। ଜନ୍ମରୁ ମୃତ୍ୟୁ ଯାଏ ଯୋଜନା ଖଞ୍ଜିଦିଆଯାଇଛି। ପିଲାଟିଏ ମା’ ଗର୍ଭରେ ଥିଲା ବେଳେ ‘ମମତା’ ଯୋଜନାରେ ମା’ ଉପକୃତ ହେଉଛି। ସେମିତି ମଶାଣି ଭୂଇଁରେ ‘ହରିଶ୍ଚନ୍ଦ୍ର’ ଯୋଜନା ବି କାର୍ଯ୍ୟକାରୀ କରାଯାଉଛି।

ତୀର୍ଥ‌ ‌କ୍ଷେତ୍ରର ବିକାଶ: ଓଡ଼ିଶାର ପରିଚୟ ହେଉଛି କାରୁକାର୍ଯ୍ୟସମ୍ପନ୍ନ ମନ୍ଦିର। ରାଜ୍ୟବାସୀଙ୍କ ଭାବାବେଗ ସହ ଏହି ମନ୍ଦିର ଓ ତୀର୍ଥକ୍ଷେତ୍ର ଜଡ଼ିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପଞ୍ଚମ ପାଳିରେ ମନ୍ଦିରଗୁଡ଼ିକର ପାରିପାର୍ଶ୍ବିକ ବିକାଶ ଉପରେ ଗୁରୁତ୍ବ ଦେଉଛନ୍ତି। ପୁରୀ ଶ୍ରୀମନ୍ଦିର ଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଏବେ ଜାରି ରହିଛି। ତାରାତାରିଣୀ ମନ୍ଦିରର ପାରିପାର୍ଶ୍ବିକ ବିକାଶ କାର୍ଯ୍ୟ ଶେଷ ହୋଇଛି। ସେହିପରି ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର, କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ଦିର, ଭଦ୍ରକର ବାବା ଆଖଣ୍ଡଳମଣି ମନ୍ଦିର, କଟକର ଚଣ୍ଡୀ ମନ୍ଦିର, ସମ୍ବଲପୁରର ମା’ ସମଲେଶ୍ବରୀ ମନ୍ଦିରର ବିକାଶ ପାଇଁ ବଡ଼ ଯୋଜନା ହୋଇଛି। ନବୀନଙ୍କ ଏହି ଐତିହାସିକ ପଦ‌କ୍ଷେପଗୁଡ଼ିକୁ ସାଧାରଣରେ ବେଶ୍‌ ସମର୍ଥନ ବି ମିଳିଛି।

publive-image

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳତା: ୨୦୨‌୧ରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ। ୯୦ ଲକ୍ଷରୁ ଅଧିକ ପରିବାର ଏହି ଯୋଜନାରେ ସାମିଲ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଲାଗୁ କରୁ ନଥିବାରୁ ରାଜ୍ୟ ସରକାର ସମାଲୋଚନାର ଶିକାର ହେଉଛନ୍ତି ସତ। କିନ୍ତୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣରେ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଥିବାରୁ ଗରିବ ଲୋକମାନେ ଉପକୃତ ହେଉଛନ୍ତି।

କ୍ରୀଡ଼ାର ବିକାଶ: ଗତ କିଛି ବର୍ଷ ହେଲା ରାଜ୍ୟର କ୍ରୀଡ଼ା‌ର ବିକାଶ ବେଶ୍‌ ଆଖିଦୃଶିଆ ହୋଇଛି। ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତା ଆୟୋଜନ କରି ଓଡ଼ିଶା ଜାତୀୟ ଦରବାରରେ ନିଜର ସ୍ଥିତି ଜାହିର କରିଛି। ଜାତୀୟ ହକି ଦଳର ପ୍ରାୟୋଜକ ହେବା ପାଇଁ ହାତ ବଢ଼ାଇ ନବୀନ ଏକ ଐତିହାସିକ ପଦ‌କ୍ଷେପ ନେଇଥିଲେ। ଏହା ସହ କ୍ରୀଡ଼ା ପାଇଁ ବିଶ୍ବସ୍ତରୀୟ ଭିତ୍ତିଭୂମି ବିକାଶ କରି ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଦୃଷ୍ଟି ଆକର୍ଷଣ କରିବାକୁ ଓଡ଼ିଶା ସକ୍ଷମ ହୋଇଛି।

publive-image

ବିପର୍ଯ୍ୟୟ ପରିଚାଳନାରେ ରୋଲ୍‌ ମଡେଲ୍: ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର ସାଜିଛି। ନିୟମିତ ବ୍ୟବଧାନରେ ପ୍ରକୃତି ଦାଉ ସାଧୁଛି। ୧୯୯୯ ମହାବାତ୍ୟା ଜନଜୀବନକୁ ଧ୍ବସ୍ତବିଧ୍ବସ୍ତ କରିଦେଇଥିଲା। ଏହା ପରେ ୨୦୦୦ ମସିହାରେ ରାଜ୍ୟର ଶାସନ ଡୋରି ଧରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ୨୨ ବର୍ଷ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାକୁ ରୋଲ୍‌ ମଡେଲ୍‌ରେ ପରିଣତ କରାଇବାରେ ନବୀନ ସଫଳ ହୋଇଛନ୍ତି। ବିପର୍ଯ୍ୟୟରେ ‘ଜିରୋ କାଜୁଆଲ୍‌ଟି’କୁ ଫୋକସ୍‌ରେ ରଖି ସରକାର ବିପର୍ଯ୍ୟୟ ପରିଚାଳନାରେ ସଫଳ ହୋଇଛନ୍ତି।

publive-image

କୃଷି ବଜେଟ୍‌ରୁ କାଳିଆ ଯୋଜନା ଯାଏ: ଓଡ଼ିଶାର ଲୋକସଂଖ୍ୟାର ସିଂହ ଭାଗ ନିଜ ଜୀବିକା ପାଇଁ କୃଷି ଉପରେ ନିର୍ଭର କରନ୍ତି। ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ କୃଷି ପାଇଁ ସ୍ବତନ୍ତ୍ର ବଜେଟ୍‌ ପ୍ରସ୍ତୁତ କରୁଛନ୍ତି। କୃଷି କ୍ୟାବିନେଟ୍‌ ବି ଗଠନ କରାଯାଇଛି। ପୁଣି କାଳିଆ ‌ଯୋଜନାରେ ଚାଷୀଙ୍କ ଆକାଉଣ୍ଟ୍‌କୁ ସିଧାସଳଖ ଟଙ୍କା ଦିଆଯାଇ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି।