ଛଇଆଲୁଅର ଖେଳ ଭିତରେ ଜଙ୍ଗଲରେ ରହୁଥିବା ପଶୁପକ୍ଷୀମାନଙ୍କ ଗତିବିଧି ଲକ୍ଷ୍ୟକରି ଠିକ୍ ସମୟରେ ଉଚିତ କ୍ଲିକ୍ କରିବାର କଳା ବେଶ୍ ଭଲ ଭାବରେ ଜାଣନ୍ତି ଯୁବ ୱାଇଲ୍ଡ୍ ଲାଇଫ୍ ଫଟୋଗ୍ରାଫର୍ ଜ୍ଞାନ ମହାନ୍ତି। ବଗିଚା ଭିତରେ ଫୁଲର, ବେଦୀ ଉପରେ କନ୍ୟାର ଫଟୋ ଉଠାଇବା ଯେତିକି ସହଜ; ଜଙ୍ଗଲ ଭିତରେ ପଶି ଜୀବଜନ୍ତୁଙ୍କ ଫଟୋ ଉଠାଇବା ସେତିକି କଷ୍ଟ। ୨୦୧୮ ମସିହାରୁ ଏପରି ଏକ କଷ୍ଟକର କାମର ପ୍ରେମରେ ପଡ଼ିଯିବା ପରେ ସେ ଆଉ ପଛକୁ ଫେରିନାହାନ୍ତି କେବେ। ସାପ ଓ ଅନ୍ୟାନ୍ୟ ସରୀସୃପଙ୍କ ଫଟୋ ଉଠାଇବାରେ ତାଙ୍କର ବିଶେଷ ରୁଚି ରହିଛି।
ଜଙ୍ଗଲ ଭିତରେ ଫଟୋ ଉଠାଇବା ବେଳେ ଏକାଧିକ ବାର ବିପଦପୂର୍ଣ୍ଣ ପରିସ୍ଥିତିର ବି ସେ ସାମ୍ନା କରିଛନ୍ତି। ଥରେ ସେ ଫଟୋ ଉଠାଇବା ବେଳେ ହଠାତ୍ ଏକ ଜଙ୍ଗଲୀ ହାତୀ ତାଙ୍କୁ ଆକ୍ରମଣ କରିବାକୁ ଧାଇଁ ଆସିଲା। କଳେବଳେ କୌଶଳେ ସେ ନିଜକୁ ସେଠାରୁ ମୁକୁଳାଇ ଜୀବନ ବଞ୍ଚାଇଥିଲେ।
ସେ କହନ୍ତି, ‘‘କୌଣସି ପ୍ରାଣୀଙ୍କୁ ହଇରାଣ ନକରି ସେମାନଙ୍କ ଅଗୋଚରରେ ଫଟୋ ଉଠାଇବା ହିଁ ହେଉଛି ଅସଲ କୌଶଳ। ପଶୁପକ୍ଷୀ ଯଦି ମଣିଷଙ୍କ ପରି ପୋଜ୍ ଦେବେ କ’ଣ ତାହା ଦେଖିବାକୁ ଭଲ ଲାଗିବ? ସେଥିପାଇଁ ତ ସେମାନେ ଯେମିତି ବସନ୍ତି, ଚାଲନ୍ତି, ଦୌଡ଼ନ୍ତି, ଶୁଅନ୍ତି; ସେସବୁ ମୁହୂର୍ତ୍ତକୁ ଫଟୋରେ ତୋଳି ଧରିବାର ମଜା ନିଆରା। ୱାଇଲ୍ଡ୍ ଲାଇଫ୍ ଫଟୋଗ୍ରାଫିରେ ପ୍ରତ୍ୟେକ ମୁହୂର୍ତ୍ତରେ ଥାଏ ନୂଆ ଆହ୍ବାନ ଓ ସେ ଆହ୍ବାନକୁ ଗ୍ରହଣ କରିବାକୁ ମୋତେ ଭଲ ଲାଗେ।’’
‘ଆମ କାମରେ ନିର୍ଦ୍ଦିଷ୍ଟ ସମୟ ନଥାଏ। ଆମେ ଜଙ୍ଗଲକୁ ପଶୁ ସକାଳୁ, ହେଲେ ଫେରିବୁ କେତେବେଳେ ତା’ର କିଛି ଠିକଣା ନଥାଏ। ଦିନ ଦିନ ବିତିଗଲେ ବି ପ୍ରାଣୀମାନଙ୍କର ସେପରି କିଛି କୌତୁକିଆ କାର୍ଯ୍ୟକଳାପ ନଜରକୁ ଆସେ ନାହିଁ। ଭଲ ମୁହୂର୍ତ୍ତଟିକୁ ଅପେକ୍ଷା କରି କରି ସକାଳୁ ସଞ୍ଜ ହୋଇଯାଏ। କିନ୍ତୁ ଯେତେବେଳେ ଗୋଟାଏ ବି ସନ୍ତୋଷଜନକ ଫଟୋ ମିଳିଯାଏ, ଏମିତି ଖୁସୀ ଲାଗେ, ଯେମିତି ପୂରା ଦିନର ପୀଡ଼ା ଉଭେଇଗଲା।’’
ଏହି ନିଶା ପାଇଁ ସେ ବହୁ ଭାବେ ସମ୍ମାନିତ ହୋଇଛନ୍ତି। ୨୦୧୯ରେ ବିଡବ୍ଲ୍ୟୁପିସି ଫଟୋଗ୍ରାଫର୍ ଅଫ୍ ଦ ଇୟର୍ ଆୱାର୍ଡ ପାଇବା ସହ ବିୟଣ୍ଡ୍ ଭିଜନ୍ ଫଟୋଗ୍ରାଫିରେ ଦ୍ବିତୀୟ ହୋଇଥିଲେ। ୨୦୨୦ ମସିହାରେ ସେ ହିପା ଫାଇନାଲ୍ଲିଷ୍ଟ୍ ଥିଲେ ଏବଂ ସେହି ବର୍ଷ ବାର୍ଡ ଫଟୋଗ୍ରାଫି, ନେଷ୍ଟ୍ ଫଟୋଗ୍ରାଫି କମ୍ପିଟେସନ୍ ଓ ରୋଟାରି ଇଏନ୍-ଭିଜନ୍ ଫଟୋଗ୍ରାଫିରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ୨୦୨୧ ମସିହାରେ ଲଳିତକଳା ଏକାଡେମୀ ପୁରସ୍କାର ଏବଂ ୨୦୨୩ରେ ଦୁବାଇର ହିପା ଆୱାର୍ଡ ପାଇଛନ୍ତି
ଜ୍ଞାନ ମହାନ୍ତି।