ସିକ୍କିମ୍‌ର ଏକ୍‌ଶା କେରୁଙ୍ଗ ପେସାରେ ଜଣେ ପୁଲିସ ଅଧିକାରୀ, କିନ୍ତୁ ନିଜର ବହୁମୁଖୀ ପ୍ରତିଭା ଯୋଗୁଁ ସେ ଜଣେ ସେଲିବ୍ରିଟି ପାଲଟିଯାଇଛନ୍ତି। ତାଙ୍କର ଉଚ୍ଚାକାଂକ୍ଷା, ଦକ୍ଷତା ଓ ବ୍ୟକ୍ତିତ୍ବ ଭାରତୀୟ ମହିଳାଙ୍କ ପାଇଁ ଉଦାହରଣୀୟ ନିଶ୍ଚୟ। ନିକଟରେ ଡିସ୍‌କଭରି ଚ୍ୟାନେଲ୍‌ରେ ପ୍ରସାରଣ ଆରମ୍ଭ ହୋଇଥିବା ରିଆଲିଟି ସୋ ‘ରିଆଲିଟି ରାଣୀସ୍‌ ଅଫ୍ ଦି ଜଙ୍ଗଲ୍‌’ରେ ଭାଗ ନେଇ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଜଙ୍ଗଲରେ ତିଷ୍ଠି ରହିବାର ଏହି ପ୍ରତିଯୋଗିତମୂଳକ କାର୍ଯ୍ୟକ୍ରମରେ କେବଳ ମହିଳାମାନେ ଅଂଶଗ୍ରହଣ କରିଛନ୍ତି। ଏଥିରେ ଏକ୍‌ଶା ଜଣେ ଦୃଢ଼ ଦାବିଦାର ଭାବେ ଭାଗ ନେଉଛନ୍ତି। 

Advertisment

୨୪ ବର୍ଷୀୟା ଏକ୍‌ଶା ମାତ୍ର ୧୯ ବର୍ଷ ବୟସରେ ସିକ୍କିମ୍‌ ପୁଲିସ ବିଭାଗରେ ଚାକିରି ଆରମ୍ଭ କରିଥିଲେ। ୨୦୨୧ରେ ତାଙ୍କୁ ଏମ୍‌ଟିଭି ସୁପର୍‌ମଡେଲ୍‌ ଅଫ୍‌ ଦି ଇୟର୍‌ ମୁକୁଟ ମିଳିଥିଲା। ତାଙ୍କ ପ୍ରତିଭାର ଆହୁରି ଅନେକ ଦିଗ ରହିଛି। ସେ ଜଣେ ମୁଷ୍ଟିଯୋଦ୍ଧା ମଧ୍ୟ; ଜାତୀୟ ପ୍ରତିଯୋଗିତାରେ ସେ ଦୁଇଥର ନିଜ ରାଜ୍ୟର ପ୍ରତିନିଧିତ୍ବ କରିଛନ୍ତି। ଗତ ବର୍ଷ ଅନ୍ତର୍ଜାତୀୟ ପ୍ରସାଧନ କମ୍ପାନି ‘ମେବ୍‌ଲିନ୍‌’ର ନୂଆ ମୁହଁ ସାଜିବା ପରେ ଏକ୍‌ଶା ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇଥିଲେ। ଗତ ବର୍ଷ ତାଙ୍କ ଅଭିନୀତ ପ୍ରଥମ ସିନେମା ମଧ୍ୟ ମୁକ୍ତିଲାଭ କରିଥିଲା। ସେ ବାଇକ୍‌ ଓ ପାହାଡ଼ ଚଢ଼ିବାରେ ପାରଙ୍ଗମ। ଏକ୍‌ଶା ଏବେ ଉକ୍ତ ନୂଆ ରିଆଲିଟି ସୋ ମାଧ୍ୟମରେ ଅଧିକରୁ ଅଧିକ ମହିଳାଙ୍କୁ ସେମାନଙ୍କ ଅନ୍ତର୍ନିହିତ ସାହସର ପରିପ୍ରକାଶ କରିବା ଲାଗି ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରଖିଛନ୍ତି। ମହିଳାମାନେ ଚାହିଲେ ଯେ ଆଇନ ସୁରକ୍ଷା, ମଡେଲିଂ, କ୍ରୀଡ଼ା ଓ ମନୋରଂଜନ କ୍ଷେତ୍ରରେ ସଫଳତା ଅର୍ଜନ କରିପାରିବେ ଏକ୍‌ଶା ହେଉଛନ୍ତି ତାହାର ଜଣେ ଉଜ୍ଜ୍ବଳ ଉଦାହରଣ।