ଭାରତୀୟ ବାୟୁସେନାର ୧୧୪ ହେଲିକପ୍ଟର୍ ୟୁନିଟ୍କୁ କିଂବଦନ୍ତି ବୋଲି ଅଭିହିତ କରାଯାଏ। ବିଗତ ଛଅ ଦଶନ୍ଧି ଧରି ଯୁଦ୍ଧ କ୍ଷେତ୍ରରେ ଜରୁରୀ ସେବା ଯୋଗାଇଥିବା ଏହି ୟୁନିଟ୍କୁ ନେଇ ବହୁ ବୀରତ୍ୱ ଓ ସାହସିକ ସେବାର କାହାଣୀ ରହିଛି, ଯାହା ବିଶ୍ୱର ଯେକୌଣସି ସେନାବାହିନୀ ପାଇଁ ଈର୍ଷାର କାରଣ ହୋଇଥାଏ।
ଭାରତୀୟ ସେନାର ୧୧୪ ହେଲିକପ୍ଟର୍ ୟୁନିଟ୍ ଏବେ ୬୦ ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ଓ ସଂଘର୍ଷରେ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ଉଲ୍ଲେଖ ଦାବିକରେ। ପୂର୍ବରୁ ‘ସିଆଚେନ୍ ପାୟୋନିୟର୍ସ’ ନାମରେ ଖ୍ୟାତଥିବା ଏହି ହେଲିକପ୍ଟର ୟୁନିଟ୍ ମୁଖ୍ୟତଃ ଯୁଦ୍ଧ ସମୟରେ ସେନାର ଗମନାଗମନ ଓ ଜରୁରୀ ସାମଗ୍ରୀ ଯୋଗାଣ ଦାୟିତ୍ବ ସମ୍ଭାଳିଥାଏ। ଗତ ୬୦ ବର୍ଷ ମଧ୍ୟରେ ବିସ୍ମୃତ ହୋଇଯାଇଥିବା ଏ ୟୁନିଟ୍ର ସାହସିକ କୀର୍ତ୍ତି ଓ ସେବାକୁ ଏହା ସହ ଜଡ଼ିତ ଅଧିକାରୀ ସ୍ମରଣ କରନ୍ତି। ଅବସରପ୍ରାପ୍ତ ଏୟାର୍ ଭାଇସ୍ ମାର୍ଶାଲ ମନମୋହନ ବାହାଦୁର କହନ୍ତି, “୧୯୬୪ ଏପ୍ରିଲ୍ ୧ ଦିନ ଏମ୍ଆଇ-୪ ସ୍ଥାନରେ ଏହି ୟୁନିଟ୍ରେ ଟର୍ବାଇନ ଇଂଜିନଯୁକ୍ତ ଚେତକ ହେଲିକପ୍ଟର୍ ମୁତୟନ କରାଗଲା। ଜଣେ ୨୩ ବର୍ଷୀୟ ଯୁବକ ହିସାବରେ ମୁଁ ଲଦାଖର ପାର୍ବତ୍ୟାଞ୍ଚଳରେ ଚେତକ ଉଡ଼ାଇ ମୋର ପ୍ରାଥମିକ ତାଲିମ ଗ୍ରହଣ କରିଥିଲି। ୧୯୬୫ରେ ଭାରତ-ପାକ୍ ଯୁଦ୍ଧ ଥିଲା ୧୧୪ ହେଲିକପ୍ଟର୍ ୟୁନିଟ୍ ପାଇଁ ଅଗ୍ନିପରୀକ୍ଷା। ଏହି ୟୁନିଟ୍ ଜମ୍ମୁ ଓ କଶ୍ମୀରରେ ନିରନ୍ତର ଉଡ଼ାଣ ଭରି ଆହତ ସୈନିକମାନଙ୍କୁ ଯୁଦ୍ଧକ୍ଷେତ୍ରରୁ ଫେରାଇ ଆଣିବା ଏବଂ କମାଣ୍ଡ୍ରମାନଙ୍କୁ ସୀମାନ୍ତବର୍ତ୍ତୀ ଅଂଚଳକୁ ନେବା କାର୍ଯ୍ୟ କରୁଥିଲା। ଯୁଦ୍ଧ ବନ୍ଦ ହେବା ପରେ ପ୍ରଧାନମନ୍ତ୍ରୀ ଲାଲ୍ବାହାଦୁର ଶାସ୍ତ୍ରୀଙ୍କୁ ସୀମାନ୍ତବର୍ତ୍ତୀ ଅଂଚଳରେ ପହଞ୍ଚାଇଥିଲା ୧୧୪ ହେଲିକପ୍ଟର୍ ୟୁନିଟ୍। ଏହି ୟୁନିଟ୍ ଚଳାଇବାରେ ଏହାର ପ୍ରଥମ କମାଣ୍ଡିଂ ଅଫିସର୍ ସ୍କ୍ବାଡ୍ରନ୍ ଲିଡର୍ ଅରବିନ୍ଦ ଡାଲାୟାଙ୍କ ଅବଦାନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହାଜିପୀର୍ ଗିରିପଥକୁ ପୁନର୍ଦଖଲ କରାଯିବା ପରେ ସ୍ଥଳସେନା ଅଫିସର୍ଙ୍କ ସହ ୧୧୪ ହେଲିକପ୍ଟର୍ ୟୁନିଟ୍ ଉଠାଇଥିବା ସେହି ଗୌରବମୟ ମୁହୂର୍ତ୍ତର ଫଟୋ ବି ବେଶ୍ ପ୍ରସିଦ୍ଧ। ପାକ୍ସେନାର ଷଡ୍ଯନ୍ତ୍ର ସତ୍ତ୍ବେ ଏହି ୟୁନିଟ୍ର ପାଇଲଟ୍ମାନେ ସାହସିକତାର ସହ କମାଣ୍ଡରମାନଙ୍କୁ ଯୁଦ୍ଧଭୂମିରେ ପହଞ୍ଚାଉଥିଲେ।’’
ନିଜ ପାର୍ଶ୍ବରେ ଥିବା ସିଆଚେନ୍ ହିମବାହ ଅଞ୍ଚଳରେ ପାକିସ୍ତାନ ଅନେକ ପର୍ବତାରୋହଣ ଅଭିଯାନ ପ୍ରାୟୋଜିତ କଲା। ତେଣୁ, ଆନ୍ତର୍ଜାତିକ ମାନଚିତ୍ର ସବୁ ସିଆଚେନକୁ ପାକିସ୍ତାନର ଅଂଶବିଶେଷ ବୋଲି ଦର୍ଶାଇଲେ। ଏହାର ପ୍ରତିକ୍ରିୟାସ୍ୱରୂପ ଭାରତୀୟ ସ୍ଥଳସେନା ୧୯୭୮ ମସିହାରେ କର୍ଣ୍ଣେଲ୍ ନରେନ୍ଦ୍ର ବୁଲ୍ କୁମାରଙ୍କ ନେତୃତ୍ୱରେ ଅଭିଯାନ ଚଳାଇଲା। ଫଳରେ ଆନ୍ତର୍ଜାତିକ ମାନଚିତ୍ରରେ ପାକିସ୍ତାନର ଉପସ୍ଥିତି ଜାହିର ଉଦ୍ୟମକୁ ପ୍ରତିହତ କରାଯାଇପାରିଲା। ସୌଭାଗ୍ୟର ବିଷୟ ଏହି ଅଭିଯାନ ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ୧୧୪ ହେଲିକପ୍ଟର୍ ୟୁନିଟ୍କୁ ସାମିଲ କରାଯାଇଥିଲା। ଯୁଦ୍ଧ ସମୟର କାର୍ଯ୍ୟଧାରା ମନେପକାଇ ମନମୋହନ ବାହାଦୁର କହନ୍ତି, ‘‘୧୧୪ ହେଲିକପ୍ଟର୍ ୟୁନିଟ୍ ତରଫରୁ ଆମେମାନେ ଆଗୁଆ ଘାଟିରେ ମୁତୟନ ଥିବା ସୈନ୍ୟଙ୍କ ପାଇଁ ତଟକା ପରିବା ଓ ମାଂସ ନେଇ ଚେତକ ହେଲିକପ୍ଟର୍ରୁ ତଳକୁ ପକାଇଥାଉ। ଅନ୍ୟଥା ସେମାନେ ମୁଖ୍ୟତଃ ଟିଣରେ ସଂରକ୍ଷିତ ଥିବା ଖାଦ୍ୟ ହିଁ ଖାଇଥାଆନ୍ତି।
ଏକଦା ଯବାନମାନଙ୍କଠାରୁ ସେମାନଙ୍କର ଚିଠି ସଂଗ୍ରହ କରିବାର ବିଚାର ଆମ ମନକୁ ଆସିଲା। ଆମେମାନେ ହେଲିକପ୍ଟରର ଝରକା ଦେଇ ବ୍ୟାଗ୍ଟିଏ ତଳକୁ ଝୁଲାଇ ଦେଉ। ଯବାନମାନେ ସେହି ବ୍ୟାଗ୍ରେ ଚିଠିପତ୍ର ଭର୍ତ୍ତି କରିବା ପରେ ଆମେ ବ୍ୟାଗ୍ଟିକୁ ଉପରକୁ ଉଠାଇ ନେଉ। ସେହିପରି ଜରୁରୀକାଳୀନ ଚିକିତ୍ସା ଆବଶ୍ୟକ କରୁଥିବା ସୈନିକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରି ସେବା ଯୋଗାଇ ଦେଉଥିଲୁ। ୧୯୭୮ ଅକ୍ଟୋବର ୬ ଦିନ ସିଆଚେନ ହିମବାହ ଉପରେ ୧୧୪ ହେଲିକପ୍ଟର ୟୁନିଟ୍ ଅବତରଣ କରି ଦୁଇଜଣ ଅସୁସ୍ଥ ସୈନ୍ୟଙ୍କୁ ଉଦ୍ଧାର କରିଥିଲା । ଏହାର ୬ ବର୍ଷ ପୂର୍ବେ ହିମବାହ ଉପରେ ପ୍ରଥମ ଅବତରଣ ‘ଅପରେସନ୍ ମେଘଦୂତ’ ସଂପନ୍ନ ହୋଇଥିଲା। ଏହି ପ୍ରଥମ ଅବତରଣ ୧୧୪ ହେଲିକପ୍ଟର୍ ୟୁନିଟ୍କୁ ‘ସିଆଚେନ୍ ପାୟୋନିୟର୍ସ’ ଉପାଧି ପ୍ରଦାନ କରିଥିଲା। କାରଣ, ସେହି ସମୟରେ ଏହି ସବୁ କାର୍ଯ୍ୟ ଅତ୍ୟନ୍ତ କଷ୍ଟସାଧ୍ୟ ଓ ବିପଜ୍ଜନକ ଥିଲା।’’ ଦୀର୍ଘ ଦଶନ୍ଧି ଅତିକ୍ରାନ୍ତ ହେବା ପରେ ମଧ୍ୟ ୧୧୪ ହେଲିକପ୍ଟର୍ ୟୁନିଟ୍ ଆଜି ବି ସିଆଚେନରେ ମୂର୍ତ୍ତିମନ୍ତ ପ୍ରତୀକ ଭାବେ ରହିଛି। ଏହା ରାଷ୍ଟ୍ରପତିଙ୍କ ମାନଦଣ୍ଡ ପୁରସ୍କାର ମଧ୍ୟ ପାଇଛି। ଏହା ହେଉଛି ଭାରତୀୟ ବାୟୁସେନାର ସର୍ବାଧିକ ସମ୍ମାନ/ପଦକ ହାସଲ କରିଥିବା ୟୁନିଟ୍।