ନୂଆଦିଲ୍ଲୀ: ମୋଗଲ ସମ୍ରାଟ ଶାହାଜାହାନ ତାଙ୍କ ପତ୍ନୀ ମମତାଜଙ୍କ ସ୍ମୃତିରେ ପ୍ରେମର ପ୍ରତୀକ ଭାବରେ ତାଜମହଲ ନିର୍ମାଣ କରିଥିଲେ। ଏବେ ଜଣେ ପୁଅ କୋଟି କୋଟି ଟଙ୍କା ଖର୍ଚ୍ଚ କରି ତାଙ୍କ ମାଆଙ୍କ ସ୍ମୃତିରେ ତାଜମହଲର ପ୍ରତିକୃତି ତିଆରି କରିଥିବା ଜଣାପଡ଼ିଛି। ତାମିଲନାଡୁର ତିରୁବରୁର ଜିଲ୍ଲାରେ ତାଜମହଲର ପ୍ରତିକୃତି ନିର୍ମାଣ କରାଯାଇଥିବା ବେଳେ ଅମ୍ରୁଦ୍ଦିନ ଶେଖ ଦାଉଦ ନାମକ ଜଣେ ବ୍ୟକ୍ତି ତାଙ୍କ ମା’ଙ୍କ ସ୍ମୃତିରେ ଏହାକୁ ନିର୍ମାଣ କରିଥିବା ଜଣାପଡ଼ିଛି।

Advertisment

ତାମିଲନାଡୁର ତିରୁବରୁର ଜିଲ୍ଲାରେ ତାଜମହଲ ପରି ନିର୍ମାଣ ହୋଇଥିବା ଏହି ପ୍ରତିକୃତିର ଭିଡିଓ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ୨୦୨୦ମସିହାରେ, ଅସୁସ୍ଥତା ହେତୁ ଅମ୍ରୁଦ୍ଦିନ ତାଙ୍କ ମା’ ଜେଲାନୀ ବିବିଙ୍କୁ ହରାଇଥିଲେ। ଜୀବନଠୁ ଅଧିକ ନିଜ ମା’ଙ୍କୁ ଭଲପାଉଥିବାରୁ ଅମ୍ରୁଦ୍ଦିନ ମା’ଙ୍କ ବିୟୋଗ ପରେ ଭାଙ୍ଗିପଡ଼ିଥିଲେ।

मां aajtak

ଅମ୍ରୁଦ୍ଦିନଙ୍କ କହିବା ମୁତାବକ, ୧୯୮୯ରେ ଏକ କାର ଦୁର୍ଘଟଣାରେ ସ୍ୱାମୀଙ୍କୁ ହରାଇବା ପରେ ପାଞ୍ଚ ସନ୍ତାନଙ୍କୁ ପାଳିବା ମୋ ମା’ଙ୍କ ପାଇଁ ସହଜ ନଥିଲା। ଯେତେବେଳେ ବାପାଙ୍କର ମୃତ୍ୟୁ ହୋଇଥିଲା, ସେତେବେଳେ ମାଙ୍କୁ ମାତ୍ର ୩୦ବର୍ଷ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ଦ୍ବିତୀୟ ବିବାହ ନକରି ସେ ଆମ ୫ଜଣଙ୍କୁ ବହୁତ କଷ୍ଟରେ ପାଳିଥିଲେ। ସେ ଉଭୟ ମା’ ଓ ବାପାଙ୍କ ଭୂମିକା ନିଭାଇଥିଲେ। ୨୦୨୦ରେ ମା’ଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ବିଶ୍ବାସ କରିବା ମୋ ପାଇଁ ସହଜ ନଥିଲା। ତାଙ୍କୁ ମୁଁ ନିଜଠାରୁ ଦୂରେଇ ଦେବାକୁ ଚାହୁନଥିଲି। ସେଥିପାଇଁ ତାଙ୍କ କବରସ୍ଥଳରେ ମୁଁ ତାଜମହଲର ପ୍ରତିକୃତି ତିଆରି କରିବାକୁ ନିଷ୍ପତ୍ତି ନେଲି।

ମିଳିଥିବା ସୂଚନା ମୁତାବକ, ଜୁନ୍ ୩,୨୦୨୧ରେ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା। ୮୦୦୦ ବର୍ଗଫୁଟ ଜମିରେ ତାଜମହଲର ପ୍ରତିକୃତି ନିର୍ମାଣ ପାଇଁ ୨୦୦ରୁ ଅଧିକ ଲୋକ ଦୁଇ ବର୍ଷ କାମ କରିଥିଲେ। ଏହାକୁ ତିଆରି କରିବା ପାଇଁ ପ୍ରାୟ ସାଢ଼େ ୫କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଜେଲାନୀ ବିବି ମୃତ୍ୟୁ ପରେ ୫-୬କୋଟି ଟଙ୍କା ଛାଡ଼ିଯାଇଥିବା ବେଳେ ଏହି ଟଙ୍କାକୁ ସେ ତାଜମହଲର ପ୍ରତିକୃତି ତିଆରି କରିବାରେ ଲଗାଇଥିବା କହିଛନ୍ତି ଅମ୍ରୁଦ୍ଦିନ।