ନୂଆଦିଲ୍ଳୀ: ଆପଣ ଅଧିକାଂଶ ସମୟରେ ସୋସିଆଲ୍ ମିଡିଆରେ ବାପାମାଆ ସେମାନଙ୍କ ପିଲାମାନଙ୍କୁ ଉପହାର ଦେଉଥିବାର ଦୃଶ୍ୟ ଦେଖିଥିବେ। ହେଲେ ନିକଟରେ ଜଣେ ପୁଅ ନିଜ ବାପାଙ୍କୁ ଦେଇଥିବା ଏକ ଉପହାର ଚର୍ଚ୍ଚା ପାଲଟିଛି। ଭିଡିଓଟିରେ ଆପଣ ଦେଖି ପାରୁଥିବେ ଯେ ଜଣେ ଛୋଟ ପୁଅଟି ନିଜ ବାପାଙ୍କ ପାଇଁ ନିଜ ହାତରେ ସାର୍ଟ ତିଆରି କରି ଉପହାର ଦେଇଥିବା ବେଳେ ବାପା ମଧ୍ୟ ସାର୍ଟଟିକୁ ପିନ୍ଧିବା ପରେ ବେଶ୍ ଖୁସି ଅଛନ୍ତି।
ପିତା ଆରୋନ ଗୋଭିଆ ଏହି ଭିଡିଓକୁ ତାଙ୍କ ବ୍ୟକ୍ତିଗତ ଇନଷ୍ଟାଗ୍ରାମ ପୃଷ୍ଠାରେ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ ଲେଖିଛନ୍ତି, “ସାମ ସିଲେଇ କ୍ଲାସରେ ମୋ ପାଇଁ ଏକ ସାର୍ଟ ତିଆରି କରିଛନ୍ତି! ମୁଁ ବହୁତ ଖୁସି !!’’
ଭିଡିଓରେ ପୁଅଟି ବାପାଙ୍କୁ ସାର୍ଟ ଦେବା ସହ ନିଜ ଶ୍ରେଣୀରେ ସାର୍ଟଟିକୁ କିପରି ତିଆରି କରିଥିଲେ ତାହା ବ୍ୟାଖ୍ୟା କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ପିଲାଟି ସାର୍ଟଟିକୁ ନେଇ ବିଭିନ୍ନ ତଥ୍ୟ ପ୍ରଦାନ କରୁଥିବା ଆପଣ ଦେଖି ପାରୁଥିବେ।
View this post on Instagram
ଏହା ପରେ ଭିଡିଓରେ ବାପା ସାର୍ଟ ପିନ୍ଧିବା ସହ ତାଙ୍କ ଛୋଟ ପୁଅକୁ ଏପରି ଏକ ଚମତ୍କାର ଉପହାର ପାଇଁ ଧନ୍ୟବାଦ ଦେଉଥିବାର ଦେଖାଯାଇଛି। କ୍ଲିପ୍ ଶେଷରେ ବାପା କହିଥିବାର ଶୁଣିବାକୁ ମିଳିଛି ଯେ ସେ ରାତ୍ରିଭୋଜନ କରିବାକୁ ଯିବାବେଳେ ଏହି ସାର୍ଟଟିକୁ ପିନ୍ଧିବେ।
ଏହି ଭିଡିଓଟିକୁ ଦୁଇ ଦିନ ପୂର୍ବରୁ ପୋଷ୍ଟ କରାଯାଇଛି। ସେୟାର ହେବା ପରଠାରୁ, ଏହି କ୍ଲିପ୍ଟିକୁ ୨୦,୦୦୦ ରୁ ଅଧିକ ଲାଇକ୍ ମିଳି ସାରିଲାଣି। ଭିଡିଓ ଉପରେ ଇନ୍ଷ୍ଟାଗ୍ରାମ୍ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାରର ମତ ରଖିଛନ୍ତି।
ଅନେକ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଏହି ଭିିଡିଓଟିକୁ ଦେଖିବା ପରେ ଏତେ କମ୍ ବୟସରୁ ବାଳକଙ୍କର ଏପରି ପ୍ରତିଭାକୁ ବେଶ୍ ପ୍ରଶଂସା କରିଛନ୍ତି।