ଦିନେ ଅଧାରୁ କଲେଜ୍ ଛାଡ଼ିଥିବା ଏହି ଛାତ୍ର ଆଜି ଜଣେ କୋଟିପତି ସିଇଓ

ଲ‌କ୍ଷ୍ନୌ: ଅଧାରୁ କଲେଜ୍‌ ଛାଡ଼ିଥିବା କୌଣସି କୋଟିପତି ସିଇଓଙ୍କ ବିଷୟରେ କେବେ ଶୁଣିଛନ୍ତି? ଆମେ ଆଜି ଯାହାଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛେ ସେ ହେଉଛନ୍ତି ଉତ୍ତରପ୍ରଦେଶର ଜୁନୁପୁର ଜିଲ୍ଲାର ସୁଶୀଲ ସିଂହ, ଯିଏକି ଆଜି ଜଣେ ସଫଳ ଉଦ୍ୟୋଗୀ। ନିଜର ପୂର୍ବ ଦିନକୁ ମନେ ପକାଇ ସୁଶୀଲ କହନ୍ତି, ‘ଯେତେବେଳେ ମୁଁ ପ୍ରାୟ ତିନି ବର୍ଷର ହୋଇଥିଲି ମୋ ପରିବାର ଲୋକ କାମ ଖୋଜି ଖୋଜି ଜୁନୁପୁର ଜିଲ୍ଲାରୁ ମୁମ୍ବାଇ ଯାଇ ପହଞ୍ଚିଥିଲେ। ମୋ ବାପା ଏକ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଭାବେ ନିଯୁକ୍ତି ପାଇଥିବା ବେଳେ ମାଆ ଘର ଦେଖାଶୁଣା କରୁଥିଲେ। ଆମେ ମୁମ୍ବାଇର ଉପକଣ୍ଠରେ ଥିବା ଡମ୍ବିଭାଲିରେ ରହୁଥିଲୁ। ଅବଶ୍ୟ ସେତେବେଳେ ଆମ ପାଖରେ ବହୁତ କିଛି ନଥିଲା, ମାତ୍ର ମୁଣ୍ଡ ଗୁଞ୍ଜିଆକୁ ଛାତଟିଏ ଥିଲା। ଆମେ କିପରି ଏକ ଭଲ ଜୀବନଯାପନ କରିପାରିବୁ ସେଥିପାଇଁ ମୋ ମାଆବାପା ଖୁବ୍‌ ଚେଷ୍ଟା କରୁଥିଲେ।’

ଏକ ସ୍ୱଳ୍ପ ଆୟକାରୀ ପରିବାରର ପୁଅ ସୁଶୀଲ ନିଜ ବାପାଙ୍କ ସାମର୍ଥ୍ୟ ଅନୁସାରେ ଡୋମ୍ବିଭଲି ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ପରିଚାଳିତ ଏକ ହିନ୍ଦୀ-ମାଧ୍ୟମ ବିଦ୍ୟାଳୟରେ ପାଠ ପଢୁଥିଲେ। ସୁଶୀଲ କହନ୍ତି, ଦଶମ ପର୍ଯ୍ୟନ୍ତ ସେ ପାଠପଢ଼ାରେ ଖୁବ୍ ଭଲ ଥିଲେ। ତା’ପରେ ତାଙ୍କର ପଢ଼ା ପ୍ରତି ଆଗ୍ରହ କମିବାକୁ ଲାଗିଲା। ଏପରିକି ସେ ଯୁକ୍ତ ୨ରେ ଥରେ ବିଫଳ ହୋଇ ପରବର୍ତ୍ତୀ ବର୍ଷ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ। ଉଚ୍ଚ ବିଦ୍ୟାଳୟ ଶେଷ କରିବା ପରେ ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ ଡିଗ୍ରୀ ପାଇଁ ନାମ ଲେଖାଇଥିଲେ। ୨୦୦୩ ମସିହାରେ ସେ ଗଣିତରେ ଫେଲ୍‌ ହେବା ପରେ ବାଧ୍ୟ ହୋଇ କଲେଜ୍‌ ଛାଡ଼ିଥିଲେ। ସେ କହନ୍ତି କି ସେ ସମୟରେ ତାଙ୍କର ପଢ଼ା ପ୍ରତି ଆଉ ଆଗ୍ରହ ନଥିଲା। ଖାଲି ତାଙ୍କ ମାଆ ବାଧ୍ୟ କରୁଥିଲେ ବୋଲି ସେ ପରୀକ୍ଷା ଦେଇଥିଲେ।

ସୁଶୀଲ କହନ୍ତି ଭାରତର ଅନ୍ୟ ଛାତ୍ରଙ୍କ ପରି ସେ ଅଧ୍ୟୟନ ଶେଷ କରି ଚାକିରି ପଛରେ ଦୌଡ଼ିବାକୁ ଚାହୁଁ ନଥିଲେ। ତାଙ୍କର ଲକ୍ଷ ଥିଲା ଭିନ୍ନ। ସେ କଲେଜ୍‌ରୁ ବାହାରିଯିବା ପରେ ପ୍ରଥମେ ଏକ ଟେଲିକମ୍‌ କମ୍ପାନିରେ ଗ୍ରାହକ ସେବା ପ୍ରତିନିଧୀ ଭାବରେ ଯୋଗ ଦେଇଥିଲେ। ଯେତେବେଳେ ସମସ୍ତେ ୮ ଘଣ୍ଟା କାମ କରୁଥିବା ବେଳେ ମୁଁ ୧୨-୧୩ ଘଣ୍ଟା ପରିଶ୍ରମ କରିଥିଲି ବୋଲି ସେ କହନ୍ତି। ଖାଲି ସେତିକି ନୁହେଁ, ସେ ସେଲ୍‌ସ କାମ ବି କରୁଥିଲେ। ସୁଶୀଲ କହନ୍ତି କି ନିଜର ଟାର୍ଗେଟ ଅନୁସାରେ ବିକ୍ରି ନସାରିବା ପର୍ଯ୍ୟନ୍ତ ସେ ଅଫିସ୍‌ରୁ ଉଠୁ ନଥିଲେ, ନିଜ ନିକଟରେ କରିଥିବା ପ୍ରତିଜ୍ଞା ପାଇଁ।

‌ସେ କହନ୍ତି କି ୨୦୧୩ ମସିହାରେ ସେ ତାଙ୍କ ପତ୍ନୀ ସରିତା ରାୱତ ସିଂହଙ୍କୁ ଭେଟିବା ପରେ ତାଙ୍କ ଜୀବନ ଏକ ନୂଆ ମୋଡ଼ ନେଇଥିଲା। ତାଙ୍କ ପତ୍ନୀ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଥିଲେ। ବିବାହର ଦୁଇ ବର୍ଷ ମଧ୍ୟରେ ସେ ଦୁହେଁ ମିଶି ଏକ ଆମେରିକା କମ୍ପାନିର ସହଭାଗିତାରେ ନୋଇଡ଼ାରେ ଗ୍ରାହକ ସେବା ବିପିଓ ଏସ୍‌ଏସ୍‌ଆର୍‌ ଟେକ୍‌ଭିଜନ୍‌ ଆରମ୍ଭ କରିଥିଲେ। ସୁଶୀଲ ତାଙ୍କ ସଫଳତାର ସମସ୍ତ ଶ୍ରେୟ ନିଜ ପତ୍ନୀଙ୍କୁ ଦିଅନ୍ତି। ଏହି କମ୍ପାନି ଧୀରେ ଧୀରେ ଭଲ ବ୍ୟବସାୟ କରି ଆଗକୁ ବଢ଼ିବାକୁ ଲାଗିଲା। ଏବେ ସୁଶୀଲ୍ ସିଂ ଏହାର ସିଇଓ ପଦବୀରେ ରହି ବ୍ୟବସାୟକୁ ଆଗକୁ ବଢ଼ାଉଛନ୍ତି। ଏବେ ସେ ନିଜର ଅଫିସ ନୋଏଡାରେ କରିବା ସହ ତାଙ୍କର ୩୦୦ କର୍ମଚାରୀ ରହିଛନ୍ତି। ପ୍ରଥମ ବ୍ୟବସାୟର ସଫଳତା ପରେ ଏବେ ତାଙ୍କ ପତ୍ନୀ ସରିତା ପ୍ରତିଷ୍ଠା କରିଛନ୍ତି ଇ-କମର୍ସ ଫାସନ୍ ପ୍ଲାଟଫର୍ମ ଡିବାକୋ।

ସମ୍ବନ୍ଧିତ ଖବର