ଓର୍କା ପ୍ରଜାତିର ମାଈ ଶିକାରୀ ତିମିମାନେ ସଂଘର୍ଷ ବେଳେ କେବଳ ଅଣ୍ଡିରା ସନ୍ତାନଙ୍କୁ ସୁରକ୍ଷା ଦେଇଥା’ନ୍ତି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏହି ପ୍ରଜାତିର ତିମିମାନେ ସାଲମନ୍‌ ପରି ମାଛକୁ ଖାଦ୍ୟ ରୂପେ ଗ୍ରହଣ କରିଥା’ନ୍ତି। ଶିକାର କରିବା ପାଇଁ ସଂଘର୍ଷ କରୁଥିବା ବେଳେ ଓର୍କାମାନେ ପରସ୍ପରକୁ କାମୁଡ଼ିଥାନ୍ତି। ସେତେବେଳେ ମାଆ ଓର୍କା ଅଣ୍ଡିରା ସନ୍ତାନଙ୍କୁ ବେଶୀ ସୁରକ୍ଷା ଦେଇଥା’ନ୍ତି। ପ୍ରଶାନ୍ତ ମହାସାଗରର ଉତ୍ତର ଆମେରିକା ଉପକୂଳରେ ବସବାସ କରୁଥିବା ଓର୍କାମାନଙ୍କ ଦେହରେ ଦେଖାଦେଇଥିବା ଦାନ୍ତ କାମୁଡ଼ା ଦାଗ ଉପରେ ହୋଇଥିବା ଗବେଷଣାରୁ ଏହି ନିର୍ଯାସ ମିଳିପାରିଛି। ଏହି ପ୍ରଜାତିର ତିମିମାନେ ମୁଖ୍ୟତଃ ମାତୃକୈନ୍ଦ୍ରିକ ପରିବାରରେ ରହିଥା’ନ୍ତି।

Advertisment

ମାଈ ଓର୍କାମାନେ ୯୦ ବର୍ଷ ଯାଏ ବଞ୍ଚନ୍ତି ଏବଂ ସେମାନଙ୍କ ଠାରେ ଶେଷ ୨୦ ବର୍ଷ ଋତୁସ୍ରାବ ବନ୍ଦ ହୋଇଯାଇଥାଏ। ସେହିପରି ଅଣ୍ଡିରା ତିମିମାନେ ଶେଷ ପର୍ଯ୍ୟନ୍ତ ପ୍ରଜନନ କ୍ରିୟା ପାଇଁ ଅନ୍ୟ ଗୋଷ୍ଠୀ ଆଡ଼େ ସାମୟିକ ଭାବେ ଚାଲି ଯାଉଥିବା ବେଳେ ପରିବାରର ଉଭୟ ମାଈ ଓ ଅଣ୍ଡିରା ସଦସ୍ୟ ଏକାଠି ରହିଥା’ନ୍ତି। ଅଣ୍ଡିରା ଓର୍କା ଜୀବନର ଶେଷ ପର୍ଯ୍ୟନ୍ତ ମା’ ତିମିର ଏକାନ୍ତ ଆପଣାର ହୋଇ ରହିଥାଏ। ବିଶେଷ କରି ସନ୍ତାନ ପ୍ରସବ କରି ପାରୁଥିବା ମାଆ ପାଖରେ ରହୁଥିବା ଅଣ୍ଡିରା ସନ୍ତାନଙ୍କ ଅପେକ୍ଷା ଋତୁସ୍ରାବ ବନ୍ଦ ହୋଇସାରିଥିବା ବୟସ୍କ ମାଆ ପାଖରେ ରହୁଥିବା ଅଣ୍ଡିରା ସନ୍ତାନଙ୍କ ଠାରେ କମ୍‌ କାମୁଡ଼ା ଦାଗ ଥିବା ଜଣାଯାଇଛି। ଏହାର କାରଣ ହେଲା ବୟସ୍କ ମାଈ ତିମିମାନେ ସନ୍ତାନ ପ୍ରସବରେ ଆଉ ସମୟ ନଦେଇ ନିଜ ସନ୍ତାନଙ୍କ ଯତ୍ନରେ ଲାଗିପଡ଼ିଥା’ନ୍ତି।