ପାଦରୁ ପାଉଁଜି ମୋର ଖୋଲିଗଲା ଲୋ....., ପାଗଳ କରିଛି ପାଉଁଜି ତୋର..., ମେଘକୁ ମାଗିଛି ପାଉଁଜି..., ଝୁମୁରୁ ଝୁମୁରୁ ପାଉଁଜି ଲୋ..... ଭଳି ବିଭିନ୍ନ ପ୍ରକାର ସୁପରହିଟ୍‌ ଗୀତ ଦେଖିବାକୁ ମିଳେ ଓଡ଼ିଆ ସିନେମାରେ। ନାୟିକାର ପାଉଁଜି ସ୍ବର କେତେ ‌ଯେ ମଧୁର ହୋଇପାରେ ତାହାକୁ ଗୀତ ମାଧ୍ୟମରେ ଗାୟକମାନେ ବର୍ଣ୍ଣନା କରିଥାଅାନ୍ତି। ଖାଲି ଓଡ଼ିଆ ସିନେମାରେ ନୁହେଁ ପାଉଁଜି ଆମ ଓଡ଼ିଆ ଘରର ଝିଅ ଓ ବୋହୂଙ୍କର ଶୃଙ୍ଗାର ମଧ୍ୟରେ ଅନ୍ୟତମ। ଝୁଣୁ ଝୁଣୁ ଶବ୍ଦରେ ଛୋଟ ପିଲାଟିଏ ଯେତେବେଳେ ଚାଲିଯାଏ କିମ୍ବା ନବବଧୂର ପାଉଁଜି ସ୍ବର ସମସ୍ତଙ୍କୁ ଆକର୍ଷଣ କରିଥାଏ।

Advertisment

ପାଉଁଜି ନାରୀର ଶୃଙ୍ଗାର‌ର ରୁଣୁଝୁଣୁ ଶବ୍ଦ ଯୋଡ଼ିଥାଏ। ଆଉ ଏହି ପାଉଁଜିର କେବଳ ଧାର୍ମିକ ନୁହେଁ ବରଂ ବୈଜ୍ଞାନିକ ମହତ୍ତ୍ୱ ବି ଅଛି। ପାଉଁଜିର ଇତିହାସ ବହୁ ପୁରାତନ। ପ୍ରାୟ ୮୦୦୦ ବର୍ଷ ପୂର୍ବେ ସିନ୍ଧୁ ସଭ୍ୟତା ସମୟରେ ଝିଅ ଓ ମହିଳାମାନେ ପାଉଁଜି ପିନ୍ଧୁଥିବା ଜଣାଯାଏ। ପ୍ରିଡାଇନାଷ୍ଟିକ ଯୁଗରେ ଇଜିପ୍ଟର ସବୁ ବର୍ଗର ମହିଳାମାନେ ପାଉଁଜି ପିନ୍ଧୁଥିବା ଜଣାପଡ଼ିଛି। ହାମ୍ପିର ମୂର୍ତ୍ତିଗୁଡ଼ିକରେ ବି ପାଉଁଜି ଦେଖିବାକୁ ମିଳେ। ହିନ୍ଦୁଧର୍ମରେ ପାଉଁଜିକୁ ଶୁଭଙ୍କର ବୋଲି ବିଶ୍ୱାସ କରାଯାଏ। ପାଉଁଜି ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମରେ ପରିଚିତ। ଯେମିତି କି ପାୟଲ, ପଟ୍ଟିଲୁ, ଗୋଲୁସୁ, ନୂପୁର, ପାଜେବ, ପାଟିଲ ଆଦି। ପୂର୍ବେ ଓଜନିଆ ବଡ଼ ବଡ଼ ରୁପାର ପାଉଁଜି ପିନ୍ଧାଯାଉଥିଲା, ଯାହାକି କଡ଼ା ପରି ଲାଗୁଥିଲା। ଜ୍ୟୋତିଷ ଶାସ୍ତ୍ର କହେ, ରୁପା ପାଉଁଜିର ସମ୍ବନ୍ଧ ଚନ୍ଦ୍ର ସହ ଅଛି। ବାସ୍ତୁଶାସ୍ତ୍ରରେ ପାଉଁଜିକୁ ସକାରାତ୍ମକତା ସହ ଯୋଡ଼ା ଯାଇଛି। ଏହା ଅନୁଯାୟୀ ପାଉଁଜିର ଘୁଙ୍ଗୁରରୁ ନିଃସୃତ ଧ୍ୱନି ସକାରାତ୍ମକ ଊର୍ଜା ସଞ୍ଚାର କରିଥାଏ।

ରୁପା ପାଉଁଜିର ଯେ କେବଳ ଆଧ୍ୟାତ୍ମିକ ମହତ୍ତ୍ୱ ଅଛି ତାହା ନୁହେଁ ବିଜ୍ଞାନ ବି କହେ ରୁପା ପାଉଁଜି ପିନ୍ଧିବାର ଅନେକ ଉପକାରିତା ଅଛି। ଯେମିତି କି ଏହାକୁ ପିନ୍ଧିଲେ ରକ୍ତ ସଞ୍ଚାର ଭଲଭାବେ ହୁଏ। ତା’ସହ ପାଦର କଷ୍ଟ କମେ। ହାଡ଼ ମଜଭୁତ ହୁଏ। ଏହା ବି କୁହାଯାଏ ରୁପା ପାଉଁଜି ପିନ୍ଧିଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼େ। ଏହାପଛର ବୈଜ୍ଞାନିକ କାରଣ ହେଉଛି ପାଦ ଦେଇ ବାହାରୁଥିବା ଶରୀରର ବିଦ୍ୟୁତ୍‌ ଶକ୍ତିକୁ ପାଉଁଜି ବାହାରକୁ ବାହାରିବାକୁ ଦେଇ ନ ଥାଏ। ଫଳରେ ଆମ ଶରୀର ସବୁବେଳେ ସକାରାତ୍ମକ ଶକ୍ତି ଦ୍ୱାରା ଚାର୍ଜ ହୋଇ ରହେ; ଯାହା କି ଆମର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାର କାମ କରେ। ମହିଳାଙ୍କ ଶରୀରରେ ପ୍ରାୟତଃ ହରମୋନ୍‌ର ସ୍ତର ବିଗୁଡ଼ୁଥିବା ଦେଖାଯାଏ। ଯାହାଫଳରେ ଇନ୍‌ଫର୍ଟିଲିଟି ଓ ଋତୁସ୍ରାବ ଅନିୟମିତ ହେବା ଭଳି ସମସ୍ୟା ଆସିଥାଏ। ଏମିତିରେ ରୁପା ପାଉଁଜି ପିନ୍ଧିଲେ ଶରୀରର ହରମୋନ ନିୟନ୍ତ୍ରିତ ହୋଇ ରହିବାରେ ସହାୟକ ହୁଏ।

ମହିଳାଙ୍କ ଜୀବନ ସାଧାରଣତଃ ଧାଁ ଦଉଡ଼ଭରା ହୋଇଥାଏ। ପାଦରେ ପାଉଁଜି ପିନ୍ଧିଲେ ଏହାଦ୍ୱାରା ଗୋଡ଼ର ଆକ୍ୟୁପ୍ରେସର ପଏଣ୍ଟ ପ୍ରେସ୍‌ ହୋଇଥାଏ। ଫଳରେ ଗୋଡ଼ର ଯନ୍ତ୍ରଣା ଅନେକାଂଶରେ କମେ। ଆଉ ଆରାମ ମିଳେ। ବିଜ୍ଞାନ ଏହା ବି କହେ ଅଣ୍ଟାରୁ ତଳଭାଗରେ ରୁପା ପିନ୍ଧା ଯାଇଥିଲେ ଶରୀରର ତାପମାତ୍ରା ସାମାନ୍ୟ ରହେ। କାରଣ ଅନ୍ୟ ଧାତୁ ଅପେକ୍ଷା ଏହା ଅଧିକ କ୍ରିୟାଶୀଳ। ଏହା ପୃଥିବୀର ଊର୍ଜା ସହ ସହଜରେ ରିଆକ୍ଟ କରିଥାଏ। ସେଥିପାଇଁ ମହିଳାଙ୍କୁ ପାଦରେ ପାଉଁଜି ପିନ୍ଧିବାକୁ କୁହାଯାଏ। ଏହାବାଦ ଶରୀର ରୁପା ସଂସ୍ପର୍ଶରେ ରହିଲେ ରକ୍ତଚାପ ନିୟନ୍ତ୍ରିତ ରହେ। ସେଇଥିପାଇଁ ବୋଧେ ପାଉଁଜିକୁ ଷୋଳ ଶୃଙ୍ଗାରର ଏକ ପ୍ରମୁଖ ଅଂଶ କରାଯାଇଛି।