ଖଣ୍ଡଗିରି : କଣ୍ଟେନର୍ରେ ପୁଅର ମୃତଦେହ। ବାହାରେ ବସିଛି ବାପା। ଆଖିରୁ ଲୁହ ସରିଗଲାଣି। ଛାତି ପଥର ହୋଇଗଲାଣି। କେବେ ଆସିବ ଡିଏନ୍ଏ ରିପୋର୍ଟ? କେବେ ମିଳିବ ପୁଅର ମୃତଦେହ? କେବେ ଘରେ ପହଞ୍ଚିବ ପୁଅର ଶବ? ସେପଟେ ସୁଦୂର ବିହାରରେ ଅପେକ୍ଷା କରିଛି ପରିବାର। ଏପଟେ ଚିନ୍ତାରେ ଛଟପଟ ହୋଇ ବିଚରା ବାପା ଭୁଲିଯାଇଛି ଭୋକ। ଭୁବନେଶ୍ବର ଏମ୍ସ ପରିସରରେ ଗତ ୪ ଦିନ ହେଲା ଏମିତି ଏକ ବିକଳ ଚିତ୍ର ସମସ୍ତଙ୍କୁ ବ୍ୟଥିତ କରୁଛି। ଶବ ହସ୍ତାନ୍ତର ନିୟମରେ ବନ୍ଧା କର୍ତ୍ତୃପକ୍ଷ ସବୁ ଜାଣୁଥିଲେ ବି ନିରୂପାୟ।
ବିହାର ପୁର୍ଣ୍ଣିଆ ଅଞ୍ଚଳର ବିଜନ୍ଦର ରିଷିଙ୍କ ପୁଅ ସୂରଜ କୁମାର ଚେନ୍ନାଇରେ କାମ କରନ୍ତି। ଘରର ଏକମାତ୍ର ରୋଜଗାରିଆ ପୁଅ ୨ ତାରିଖ ଦିନ ହାୱଡ଼ାରୁ କରମଣ୍ଡଳ ଏକ୍ସପ୍ରେସ୍ରେ ଯାଉଥିଲେ ଚେନ୍ନାଇ। କିନ୍ତୁ ସୂରଜ କୁମାରଙ୍କ ଶେଷ ଠିକଣା ପାଲଟିଗଲା ବାଲେଶ୍ବର ବାହାନଗା। ରେଳ ଦୁର୍ଘଟଣା ଖବର ପାଇ ବାପା ବିଜନ୍ଦର ବାରମ୍ବାର ସୂରଜଙ୍କ ମୋବାଇଲ୍ ଫୋନ୍କୁ କଲ୍ କଲେ। କିନ୍ତୁ କେହି ଉଠାଇଲେ ନାହିଁ। ଅଘଟଣ ଆଶଙ୍କା କରି ୩ ତାରିଖ ଦିନ ବିଜନ୍ଦର ଧାଇଁ ଆସିଲେ ବାହାନଗା। ପୁଅ ବଞ୍ଚିଥିବ ଭାବି ବିଭିନ୍ନ ହସ୍ପିଟାଲ ଖୋଜିଲେ। ତେବେ ରେଳ ବିଭାଗ ପକ୍ଷରୁ ମୃତକଙ୍କ ଫଟୋ ଜାରି ହେବା ପରେ ତାଙ୍କ ମୁଣ୍ଡରେ ଆକାଶ ଛିଡ଼ିପଡ଼ିଲା।
ପ୍ରଥମେ ବାଲେଶ୍ବର ହସ୍ପିଟାଲ ଖୋଜିବା ପରେ ସେ ପହଞ୍ଚିଲେ ଭୁବନେଶ୍ବର ଏମ୍ସରେ। ପୁଅର ମୃତଦେହ ଥିବା କଣ୍ଟେନର୍ରେ ବହେ ମୁଣ୍ଡ ପିଟି କାନ୍ଦିଲେ। ପୁଅର ଫଟୋ, ଆଧାରକାର୍ଡ ଆଦି ସବୁ ପ୍ରମାଣପତ୍ର ଶବ ହସ୍ତାନ୍ତର ଦାୟିତ୍ବରେ ଥିବା ଅଧିକାରୀମାନଙ୍କୁ ଦେଖାଇଲେ। ଅଧିକାରୀମାନଙ୍କ ପରାମର୍ଶକ୍ରମେ ଡିଏନ୍ଏ ଯାଞ୍ଚ ପାଇଁ ରକ୍ତ ନମୁନା ଦେଲେ। ୪ ତାରିଖରୁ ରକ୍ତ ନମୁନା ଦେଇ ବସିଛନ୍ତି ବିଜନ୍ଦର। କଣ୍ଟେନର୍କୁ ଚାହିଁଚାହିଁ ଆଖିରୁ ନିଦ ହଜିଯାଇଛି। ଏହା ଭିତରେ ସୂରଜ କୁମାର ମୃତ୍ୟୁକୁ ୭ ଦିନ ହୋଇଗଲାଣି। କଣ୍ଟେନର୍ ପାଖରୁ କର୍ତ୍ତୃପକ୍ଷଙ୍କ ପାଖକୁ ଧାଉଁଛନ୍ତି ବିଜନ୍ଦର। କର୍ତ୍ତୃପକ୍ଷ କହୁଛନ୍ତି ଡିଏନ୍ଏ ରିପୋର୍ଟ ମିଳୁମିଳୁ ଆହୁରି ୭ ଦିନ। ଦିନରାତି କେତେବେଳେ କେମିତି କଟୁଛି ବୁଝିପାରୁନାହାନ୍ତି ବିଜନ୍ଦର। ଗୋଟିଏ ରାତି ସାତ ରାତି ଭଳି ଲମ୍ବା ଲାଗୁଛି ତାଙ୍କୁ। ଏଣେ ପକେଟ୍ରୁ ପଇସା ସରିଗଲାଣି। ଏଭଳି ଅବସ୍ଥାରେ ତାଙ୍କୁ କେବଳ ଭଗବାନ ଭରସା ବୋଲି ସେ ମୁଣ୍ଡରେ ହାତ ଦେଇ କହିଛନ୍ତି।