ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ଅଞ୍ଜନଗ୍ରାମର ସୁର୍ଜି ଅଞ୍ଚଳସ୍ଥ ଚିଞ୍ଚୋଲି ରହିମାପୁରରେ ହୋଇଥିବା ଜଣେ ବୃଦ୍ଧ ବାପାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଠାରେ ମଇ ୮ ତାରିଖରେ ଜଣେ ୮୦ବର୍ଷର ବୃଦ୍ଧଙ୍କ ବିବାହ ୬୫ବର୍ଷର ଜଣେ ବୃଦ୍ଧାଙ୍କ ସହିତ ଧୁମଧାମରେ ସମ୍ପର୍ଣ୍ଣ ହୋଇଥିଲା।
ସୂଚନାଯୋଗ୍ୟ, ଚିଞ୍ଚୋଲି ରହିମାପୁରରେ ରହୁଥିବା ୮୦ବର୍ଷର ବୃଦ୍ଧ ବିଟ୍ଟଲ ଖଣ୍ଡୋରେଙ୍କ ସ୍ତ୍ରୀଙ୍କ ତିନିବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିଲା। ବିଟ୍ଟଲଙ୍କ ଚାରିଜଣ ପୁଅ ଓ ଝିଅ ରହିଛନ୍ତି। ସ୍ତ୍ରୀ ଚାଲିଯିବା ପରେ ବିଟ୍ଟଲ ସମ୍ପୂର୍ଣ୍ଣ ଭାବେ ଏକା ହୋଇଯାଇଥିଲେ। ତେଣୁ ସେ ନିଜ ପୁଅମାନଙ୍କୁ ତାଙ୍କ ବିବାହ କରାଇ ଦେବା ପାଇଁ କହିଥିଲେ।
ବାପାଙ୍କ ଇଚ୍ଛା ଅନୁଯାୟୀ ସେମାନେ କନ୍ୟା ଖୋଜିବା ଆରମ୍ଭ କରିଥିଲେ। ଅନେକ ଦିନ ଖୋଜାଖୋଜି କରିବା ପରେ ପୁଅମାନେ ବାପାଙ୍କ ବିବାହ କରିବା ପାଇଁ ଉପଯୁକ୍ତ କନ୍ୟା ପାତ୍ରଜଣଙ୍କୁ ପାଇଥିଲେ।
ଏହାପରେ ପୁଅ, ବୋହୂ, ଝିଅ ଓ ଜ୍ବାଇଁ ବିବାହ ତାରିଖ ସ୍ଥିର କରି ଗ୍ରାମବାସୀଙ୍କୁ ନିମନ୍ତ୍ରଣ କରିଥିଲେ। ବିବାହ ଦିନ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ବିଟ୍ଟଲ ଖଣ୍ଡୋରେ ବିବାହରେ ପୁଅ, ବୋହୂ, ଝିଅ, ଜ୍ବାଇଁ, ନାତି ଓ ନାତୁଣୀ ସମସ୍ତେ ମିଶି ଖୁବ ମଜା କରି ଭୋଜିର ଆନନ୍ଦ ନେଇଥିଲେ।
ବିଟ୍ଟଲ ଖଣ୍ଡୋରେ ବି ଏ ବିବାହରେ ଖୁବ ଖୁସିଥିବା ସହିତ କହିଥିଲେ,‘୮୦ବର୍ଷ ବୟସରେ ପ୍ରଦାର୍ପଣ କରିଲିଣି। ସ୍ତ୍ରୀ ମୋତେ ଛାଡ଼ି ପରପାରିକୁ ଚାଲିଗଲା। ପୁଅ, ଝିଅ ନିଜନିଜ ସଂସାରରେ ବ୍ୟସ୍ତ। ତେଣୁ ବାକି ଥିବା ଜୀବନ ମୁଁ ଏହି ନୂଆସାଥୀଙ୍କ ସହିତ ହସଜଖୁସିରେ କାଟି ଦେବି।’