ଭବାନୀ ବାବୁଙ୍କର ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ। ଏଭଳି ଲକ୍ଡାଉନ୍ ସମୟରେ ଈଶ୍ବର ତାଙ୍କୁ ନିଜ ପାଖକୁ ଡାକିନେଲେ ଯେ, ତାଙ୍କ ମରଶରୀର ଶେଷ ଦର୍ଶନ କରି ସମ୍ମାନ ଜଣାଇବା ପାଇଁ ମଧ୍ୟ ସୁଯୋଗ ମିଳିପାରୁନାହିଁ। ଆରବର୍ଷ ତାଙ୍କୁ ଶହେବର୍ଷ ପୂରିଥା’ନ୍ତା ଏବଂ ଆମେ ତାଙ୍କ ଶତବାର୍ଷିକୀ ପାଳନ କରିବା ପାଇଁ ଅତ୍ୟନ୍ତ ଉତ୍ସାହର ସହିତ ଅପେକ୍ଷା କରି ପ୍ରସ୍ତୁତ ହେଉଥିଲୁ। ଈଶ୍ବର କାହିଁକି କେଜାଣି ଆମକୁ ସେ ସୁଯୋଗ ଦେଲେନାହିଁ। ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କ ପରେ ଭବାନୀବାବୁଙ୍କ କ୍ଷେତ୍ରରେ ଶତାୟୁ ପୁରୁଷମାନଙ୍କୁ ସମ୍ମାନ ଏବଂ କୃତଜ୍ଞତା ଜଣାଇବାରୁ ବଂଚିତ ହେଲୁ। ତାଙ୍କ ଚଳଚଞ୍ଚଳ ଜୀବନକୁ ଦେଖି ସେ ଆମ ଗହଣରୁ ଏତେ ଶିଘ୍ର ଚାଲିଯିବେ ବୋଲି ଆମେ କେବେ ଭାବିନଥିଲୁ କି ସେପରି କିଛି ଲକ୍ଷଣ ମଧ୍ୟ ତାଙ୍କଠାରେ ଦେଖାନଥିଲା। ବିଭିନ୍ନ ସଭାସମିତିରେ ତାଙ୍କ ଉପସ୍ଥିତି ଓ ବକ୍ତବ୍ୟ ଆମ ସମସ୍ତଙ୍କୁ ଉତ୍ସାହିତ କରୁଥିଲା ଓ ସାହସ ଦେଉଥିଲା। ସ୍ବାଧୀନତା ସଂଗ୍ରାମଠାରୁ ଆରମ୍ଭ ହୋଇଥିବା ତାଙ୍କର ଦୀର୍ଘ ଜୀବନର ଅବସାନ ଓଡ଼ିଶା ରାଜନୀତିରେ ଗୋଟିଏ ଯୁଗର ପରିସମାପ୍ତି ଘଟାଇଲା। ଲକ୍ଷ୍ୟ କରିବାର କଥା, ସେ ବିଜୁବାବୁଙ୍କର ଜଣେ ଘନିଷ୍ଠ ସହଯୋଗୀ ଥିଲେ; ଜାନକୀବାବୁଙ୍କର ମଧ୍ୟ ଅତ୍ୟନ୍ତ ପ୍ରିୟ ଥିଲେ ଏବଂ ବର୍ତ୍ତମାନ ନବୀନ ବାବୁଙ୍କ ସମୟର ଜଣେ ସର୍ବଜନାଦୃତ ଓ ସମ୍ମାନାସ୍ପଦ ବ୍ୟକ୍ତି ହୋଇପାରିଥିଲେ। ଏଭଳି ଜଣେ ଯୁଗପୁରୁଷଙ୍କୁ ମୁଁ କୋଟିକୋଟି ପ୍ରଣାମ ଜଣାଉଛି।
ସଂପାଦକ, ‘ସମ୍ବାଦ’