ୟୁନିଫାଏଡ୍‌ ପେମେଣ୍ଟ୍‌ ଇଣ୍ଟର୍‌ଫେସ୍‌ ଲାଇଟ୍‌ (ୟୁପିଆଇ ଲାଇଟ୍‌) ସହ ଜଡ଼ିତ ଏକ ବଡ଼ ଖବର ଆସିଛି। ପ୍ରକୃତରେ, ଏବେ ୟୁପିଆଇ ଲାଇଟ୍‌ ବ୍ୟବହାରକାରୀମାନଙ୍କୁ ନିଜ ଆକାଉଣ୍ଟ୍‌ରେ ବାକି ଥିବା ବାଲାନ୍‌ସ ଉଠାଇବାର ସୁବିଧା ମିଳୁନାହିଁ। କିନ୍ତୁ ଏହି ସୁବିଧା ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ, ଭାରତୀୟ ଜାତୀୟ ପେମେଣ୍ଟ୍‌ ନିଗମ (ଏନ୍‌ପିସିଆଇ) ଏକ ସର୍କୁଲାର୍‌ ଜାରି କରିଥିଲା। ସର୍କୁଲାର୍‌ ଅନୁସାରେ, ଯେଉଁମାନଙ୍କ ପାଖରେ ୟୁପିଆଇ-ଲାଇଟ୍‌ ସୁବିଧା ରହିଛି ସେମାନଙ୍କୁ ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା ‘ଟ୍ରାନ୍‌ସଫର୍‌ ଆଉଟ୍‌’ ସୁବିଧା ପ୍ରଦାନ କରିବାକୁ ଏନ୍‌ପିସିଆଇ ସମସ୍ତ ଅନ୍‌ଲାଇନ୍‌ ପେମେଣ୍ଟ ଜାରି କରିଥିବା ବ୍ୟାଙ୍କ୍‌, ପେମେଣ୍ଟ ସର୍ଭିସ୍‌ ପ୍ରୋଭାଇଡର୍‌ (ପିଏସ୍‌ପି) ବ୍ୟାଙ୍କ୍‌ମାନଙ୍କୁ ନିର୍ଦ୍ଦେଶ ଦେଇଛି।

Advertisment

ସମସ୍ତ ସଦସ୍ୟ ‘ଟ୍ରାନ୍‌ସଫର୍‌ ଆଉଟ୍‌’ କାର୍ଯ୍ୟକାରୀ କରିବା ବାଧ୍ୟତାମୂଳକ। ଏହା ବ୍ୟବହାରକାରୀମାନଙ୍କୁ ୟୁପିଆଇ ଲାଇଟ୍‌ ଅକ୍ଷମ ନକରି ସେମାନଙ୍କର ୟୁପିଆଇ ଲାଇଟ୍‌ ବାଲାନ୍‌ସରୁ ମୂଳ ୟୁପିଆଇ-ସଂଯୁକ୍ତ ବ୍ୟାଙ୍କ୍‌ ଆକାଉଣ୍ଟକୁ ଟଙ୍କା ଉଠାଇ ପାରିବେ ବୋଲି ସର୍କୁଲାରରେ କୁହାଯାଇଛି। ବର୍ତ୍ତମାନ ୟୁପିଆଇ ଲାଇଟ୍‌ କେବଳ ଗୋଟିଏ ଦିଗରେ କାମ କରୁଛି। ଅର୍ଥାତ୍‌, ଉପଭୋକ୍ତାମାନେ କେବଳ ସେମାନଙ୍କର ମୂଳ ବ୍ୟାଙ୍କ୍‌ ଆକାଉଣ୍ଟରୁ ୟୁପିଆଇ ଲାଇଟ୍‌ ୱାଲେଟ୍‌ରେ ଟଙ୍କା ଲୋଡ୍‌ କରିପାରିବେ। ଏହାକୁ ବ୍ୟାଙ୍କ୍‌ ଆକାଉଣ୍ଟକୁ ଫେରାଇବା ପାଇଁ କୌଣସି ସୁବିଧା ନାହିଁ। ଏପରି ପରିସ୍ଥିତିରେ, ଯଦି ଜଣେ ଉପଭୋକ୍ତା ତାଙ୍କର ୟୁପିଆଇ ଲାଇଟ୍‌ରୁ ବ୍ୟାଙ୍କ୍‌କୁ ବାଲାନ୍‌ସ ଟ୍ରାନ୍‌ସଫର୍‌ କରିବାକୁ ଚାହାନ୍ତି, ତେବେ ତାଙ୍କୁ ନିଜ ଆକାଉଣ୍ଟକୁ ନିଷ୍କ୍ରିୟ କରିବାକୁ ପଡ଼ିବ।

ଉଲ୍ଲେଖଯୋଗ୍ୟ, ୟୁପିଆଇ ଲାଇଟ୍‌କୁ ସୁବିଧାରେ ଛୋଟମୋଟ କାରବାର କରିବା ପାଇଁ ବ୍ୟବହାର କରାଯାଉଛି। କାରବାର ପାଇଁ ଏଥିରେ ଇଣ୍ଟରନେଟ୍‌ର ଆବଶ୍ୟକତା ପଡ଼ିନଥାଏ। ଡିସେମ୍ବର ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୟୁପିଆଇ ଲାଇଟ୍‌ ସହ ଜଡ଼ିତ କାରବାରର ସୀମା ବୃଦ୍ଧି କରିଥିଲା। ଆର୍‌ବିଆଇ ଗୋଟିଏ ୟୁପିଆଇ ଲାଇଟ୍‌ କାରବାର ସୀମାକୁ ୫୦୦ ଟଙ୍କାରୁ ୧୦୦୦ ଟଙ୍କାକୁ ବୃଦ୍ଧି କରିଛି। ସେହିପରି ଵାଲେଟ୍‌ ବାଲାନ୍‌ସ ଲିମିଟ୍‌ ୨୦୦୦ ଟଙ୍କାରୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଆଗାମୀ ଆର୍ଥିକ ବର୍ଷ ଅର୍ଥାତ୍‌ ୧ ଅପ୍ରେଲ୍‌ ୨୦୨୫ରୁ ୟୁପିଆଇ ଲାଇଟ୍‌ ଉପଭୋକ୍ତାମାନେ ସେମାନଙ୍କ ୟୁପିଆଇ ଲାଇଟ୍‌ରେ ଥିବା ବଳକା ରାଶିକୁ ସିଧାସଳଖ ସେହି ବ୍ୟାଙ୍କ୍‌ ଆକାଉଣ୍ଟକୁ ସ୍ଥାନାନ୍ତର କରିପାରିବେ, ଯେଉଁଠାରୁ ସେମାନେ ୟୁପିଆଇ ଲାଇଟ୍‌ ଆକାଉଣ୍ଟକୁ ଫଣ୍ଡ୍‌ ଟ୍ରାନ୍‌ସଫର୍‌ କରିଥିଲେ।