କମଲ ହାସନଙ୍କ କଣ୍ଠ ଥିଲେ ବାଲ୍‌ସୁବ୍ରମଣ୍ୟମ୍‌; ୧୨ ଘଣ୍ଟାରେ କରିଥିଲେ ୨୧ଟି ଗୀତର ‌ରେକର୍ଡିଂ

ଚେନ୍ନାଇ:   ଦକ୍ଷିଣର ସଙ୍ଗୀତ ସମ୍ରାଟ ବାଲ୍‌ ସୁବ୍ରମଣ୍ୟମ୍‌ ଦକ୍ଷିଣର ସମସ୍ତ ସୁପରଷ୍ଟାରଙ୍କ ପାଇଁ କଣ୍ଠଦାନ କରିସାରିଛନ୍ତି। ସୁପରଷ୍ଟାର ଚିରଞ୍ଜୀବୀ ଓ ରଜନୀକାନ୍ତଙ୍କ ଅଧିକାଂଶ ଚଳଚ୍ଚିତ୍ରର ପ୍ରବେଶ ସଙ୍ଗୀତ ବାଲ୍‌ସୁବ୍ରମଣ୍ୟମ୍‌ ହିଁ ଗାଉଥିଲେ। କିନ୍ତୁ ଦର୍ଶକ ଓ ନିଦ୍ଦେର୍ଶକଙ୍କ କହିବା ଅନୁଯାୟୀ, ସୁବ୍ରମଣ୍ୟମ୍‌ଙ୍କ କଣ୍ଠ କମଲ ହାସନ୍‌ଙ୍କୁ ସବୁଠାରୁ ଅଧିକ ଅନୁକୂଳ ହୁଏ। ଅର୍ଥାତ୍‌ ବାଲ୍‌ସୁବ୍ରମଣ୍ୟମ୍‌ଙ୍କ ସ୍ବର କମଲ୍‌ ହାସନ୍‌ଙ୍କ ସ୍ବର ସହ ଖାପଖାଇଯାଏ। ଏଣୁ କମଲ ଓ ସୁବ୍ରମଣ୍ୟମ୍‌ଙ୍କ କଥା ଓ ସଙ୍ଗୀତ ଭିତରେ କାହାର ସ୍ବର କେଉଁଟି ତାହା ଚିହ୍ନଟ କରିବା ଅଧିକାଂଶ ସମୟରେ କଷ୍ଟକର ହୁଏ।

ସଙ୍ଗୀତ ପ୍ରତିଯୋଗିତାରୁ ଚଳଚ୍ଚିତ୍ର ଅଫର୍‌
୧୯୬୪ ମସିହାରେ ଚେନ୍ନାଇର ଏକ ତେଲୁଗୁ ସାଂସ୍କୃତିକ ଅନୁଷ୍ଠାନ ଏକ ସଙ୍ଗୀତ ପ୍ରତିଯୋଗିତାର ଆୟୋ‌ଜନ କରିଥିଲା। ବାଲ୍‌ସୁବ୍ରମଣ୍ୟମ୍‌ ସେଥିରେ ଅଂଶଗ୍ରହଣ କରିବା ସହ ପ୍ରଥମ ପୁରସ୍କାର ବି ହାତେଇଥିଲେ। ଏହା ତାଙ୍କ ଜୀବନର ମାଇଲଖୁଣ୍ଟ ପ୍ରମାଣିତ ହେଲା। ସଙ୍ଗୀତ ନିର୍ଦ୍ଦେଶକ ଏସ୍‌ ପି କୋଡନ୍ଦାପାଣି ତାଙ୍କ ସଙ୍ଗୀତରେ ଅଭିଭୂତ ହେବା ସହ ବାଲ୍‌ସୁବ୍ରମଣ୍ୟମ୍‌ଙ୍କୁ ନିଜ ୱିଙ୍ଗ୍‌ରେ ସାମିଲ୍‌ କରିଥିଲେ। ଏହାପରେ ପରେ ତାଙ୍କୁ ଏକାସଙ୍ଗେ ତେଲୁଗୁ, ତାମିଲ, କନ୍ନଡ ଓ ମାଲାୟଲମ୍‌ ଚଳଚ୍ଚିତ୍ରରେ କଣ୍ଠଦାନର ସୁଯୋଗ ମିଳିଥିଲା। ଜଣେ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର କଣ୍ଠଶିଳ୍ପୀ ହେବା ପୂର୍ବରୁ ସେ ଏକ ମ୍ୟୁଜିକ୍‌ ବ୍ୟାଣ୍ଡ୍‌ ‘ଲାଇଟ୍‌ ମ୍ୟୁଜିକ୍‌ ଟ୍ରୁଫ୍‌’ ପରିଚାଳନା କରୁଥିଲେ।

୧୨ ଘଣ୍ଟାରେ ୨୧ କନ୍ନଡ଼ ସଙ୍ଗୀତ
ବାଲ୍‌ସୁବ୍ରମଣ୍ୟମ୍‌ ନିଜ ସ୍ବତନ୍ତ୍ର ସଙ୍ଗୀତ ଶୈଳୀ ସହ କାମ ପ୍ରତି ନିଜ ନିଷ୍ଠା ପାଇଁ ସବୁ‌ବେଳେ ‌ମନେ ରହିବେ। ୧୯୮୧ ମସିହାରେ ବେଙ୍ଗାଲୁରୁରେ ଗୀତିକାର ଉପେନ୍ଦ୍ର କୁମାରଙ୍କ ପାଇଁ ୧୨ ଘଣ୍ଟାରେ ୨୧ଟି କନ୍ନଡ଼ ସଙ୍ଗୀତ ‌ରେକର୍ଡିଂ କରିଥିଲେ। ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ନିରନ୍ତର ଭାବେ ସେ ରେକର୍ଡିଂ ଷ୍ଟୁଡିଓରେ ଗୀତ ଗାଇ ଚାଲିଥିଲେ। ଏଥିସହ ସେ ଗୋଟିଏ ଦିନରେ ୧୯ଟି ତାମିଲ ସଙ୍ଗୀତ ଗାଇଥିବା ବେଳେ ଗୋଟିଏ ଦିନରେ ୧୬ଟି ହିନ୍ଦୀ ଗୀତ ମଧ୍ୟ ରେକର୍ଡିଂ କରିଛନ୍ତି। ସେ ବିଭିନ୍ନ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ କେତେକ ତେଲୁଗୁ ସୋ’ର ଉପସ୍ଥାପକ ଦାୟିତ୍ବ ମଧ୍ୟ ତୁଲାଇଛନ୍ତି।

ସମ୍ବନ୍ଧିତ ଖବର