ସାଧ୍ବୀ ସାଜି ଆଧ୍ୟାତ୍ମିକ ସହାୟତା ଚାହୁଁଥିବା ମହିଳାଙ୍କୁ ସାୟାନାଇଡ୍ମିଶ୍ରିତ ପାଦୁକ ପିଆଇ ହତ୍ୟା କରୁଥିଲା ସେ। ତା’ପରେ ସେ ସେମାନଙ୍କ ଦେହରୁ ଗହଣାଗାଣ୍ଠି ଖୋଲି ନେଇ ଫେରାର୍ ହୋଇଯାଉଥିଲା। ସେ ହେଉଛି ଭାରତର ପ୍ରଥମ ଦୋଷୀସାବ୍ୟସ୍ତ ମହିଳା ସିରିଏଲ୍ କିଲର୍ ‘ସାୟାନାଇଡ୍ ମଲ୍ଲିକା’।
୨୦୦୭ ମସିହା ଦ୍ବିତୀୟାର୍ଦ୍ଧର ୩ ମାସ ମଧ୍ୟରେ ବେଙ୍ଗାଲୁରୁ ଉପକଣ୍ଠରେ ୫ଜଣ ମହିଳାଙ୍କ ଶବ ଉଦ୍ଧାର କରାଯାଇଥିଲା। ଅତ୍ୟନ୍ତ ରହସ୍ୟମୟ ପରିସ୍ଥିତିରେ ମରିଥିବା ସେ ମହିଳାମାନଙ୍କ ଦେହରେ କୌଣସି କ୍ଷତ ନ ଥିଲା; ନ ଥିଲା ଯୌନ ଅଥବା ଦୈହିକ ଆକ୍ରମଣଜନିତ ଚିହ୍ନ। କିନ୍ତୁ, ସେମାନଙ୍କ ଶରୀରରେ ସାୟାନାଇଡ୍ ଅବଶେଷ ଥିବା କଥା ବ୍ୟବଚ୍ଛେଦ ବେଳେ ଜଣାପଡ଼ିଲା। ପୁଣି ସମସ୍ତ ମୃତ୍ୟୁ କୌଣସି ନା କୌଣସି ମନ୍ଦିର ଅଥବା ଧର୍ମପୀଠରେ ଘଟିଥିଲା। କୌଣସି ପୁରୁଷ ହିଁ କେବଳ ଏଭଳି ଜଘନ୍ୟ କାଣ୍ଡ କରିପାରେ ବୋଲି ମୋଟାମୋଟି ସମସ୍ତଙ୍କର ଧାରଣା ହେଲା। କିନ୍ତୁ, ବାସ୍ତବତା ଥିଲା ସଂପୂର୍ଣ୍ଣ ଭିନ୍ନ?
ଧରାପଡ଼ିଲା ଆତତାୟୀ
ମୃତ ମହିଳାଙ୍କ ଶବ ସବୁ ଗଳିତ ଅବସ୍ଥାରେ ମିଳୁଥିବାରୁ ଏବଂ ଉପଯୁକ୍ତ ପ୍ରମାଣ ନ ଥିବାରୁ ପୁଲିସ ଆତତାୟୀକୁ ଧରିପାରୁ ନ ଥିଲା। ପ୍ରାୟ ଏକ ଦଶନ୍ଧି ପରେ ପୁଲିସ ପ୍ରକୃତ ଆତତାୟୀ କେ. ଡି. କେମ୍ପମ୍ମା ଓରଫ୍ ‘ସାୟାନାଇଡ୍ ମଲ୍ଲିକା’ ନାମ୍ନୀ ଜଣେ ମହିଳାଙ୍କୁ ଧରିଲା। ୧୯୯୯ରୁ ୨୦୦୭ ମଧ୍ୟରେ କର୍ଣ୍ଣାଟକରେ ସେ ୬ଜଣ ମହିଳାଙ୍କୁ ହତ୍ୟାକରିଥିଲା। କିନ୍ତୁ, ପ୍ରଥମ ହତ୍ୟାକାଣ୍ଡ ପରେ ସେ ପ୍ରାୟ ୭ ବର୍ଷଯାଏ ନରହତ୍ୟାରୁ ବିରତ ଥିଲା। ୧୯୭୦ରେ ଜନ୍ମିତା କେମ୍ପମ୍ମା ଏବଂ ତା’ ପରିବାର ବେଙ୍ଗାଲୁରୁ ଉପାନ୍ତରେ ଥିବା କାଗ୍ଗଲିପୁର ଗ୍ରାମରେ ବାସକରୁଥିଲେ। ପରିବାରର ଅବସ୍ଥା ସ୍ବଚ୍ଛଳ ନ ଥିଲା। ଘର ଚଳାଇବାରେ ସାହାଯ୍ୟ କରିବାକୁ ପରଘରେ କାମ କରୁଥିଲେ ବି କେମ୍ପମ୍ମା ଥିଲା ଖୁବ୍ ଉଚ୍ଚାଭିଳାଷିଣୀ। ଚାକଚକ୍ୟ ଜୀବନଯାପନ ପ୍ରତି ତା’ର ଥିଲା ଭାରି ମୋହ। କମ୍ ବୟସରେ ଜଣେ ଦରଜୀ ସହିତ ତା’ର ବିବାହ ହେଲା। ସେ ପ୍ରଥମ ସନ୍ତାନର ମାଆ ହେଲା। ପରେ ପରେ ତା’ର ଆଉ ଦୁଇଟି ପିଲା ବି ଜନ୍ମହେଲେ।
ଅର୍ଥ ଲାଲସା ଭାଙ୍ଗିଲା ପରିବାର
ଦୟନୀୟ ଜୀବନ କେମ୍ପମ୍ମାକୁ ମୋଟେ ଭଲ ଲାଗୁ ନ ଥିଲା। ତେଣୁ, ଧନୀ ହେବା ଆଶାରେ ସେ ତା’ ଘର ପାଖରେ ଗୋଟାଏ ‘ଚିଟ୍ଫଣ୍ଡ୍’ କମ୍ପାନି ଖୋଲିଲା। କିନ୍ତୁ, ବିପୁଳ ଆର୍ଥିକ କ୍ଷତି ଯୋଗୁଁ କମ୍ପାନି ଦେବାଳିଆ ହୋଇଗଲା। ୫ ପ୍ରାଣୀ ପରିବାର ଋଣରେ ଡୁବିଗଲା। ରାଗରେ ସ୍ବାମୀ ତାକୁ ଘରୁ ନିକାଲି ଦେଲେ ଏବଂ ୧୯୯୮ରେ ତାକୁ ପରିତ୍ୟାଗ କଲେ। ପେଟପୋଷିବା ପାଇଁ କେମ୍ପମ୍ମା କିଛିଦିନ ପରଘରେ କାମକଲା। ଯାହା ଘରେ ସେ କାମ କରୁଥିଲା, ସେଠାରୁ ଚୋରିଚପାଟି ବି କରୁଥିଲା। କିଛିଦିନ ପରେ ସେ ଗୋଟାଏ ଅଳଙ୍କାର ଦୋକାନରେ କାମ ପାଇଲା। ବେତନ ତା’ ଲାଗି ସନ୍ତୋଷଜନକ ହେଲାନାହିଁ ସିନା, ସେଠାରୁ ସେ ସାୟାନାଇଡ୍ ପାଇବା ଉପାୟ ଜାଣିଗଲା। ସେଠାରେ ସାୟାନାଇଡ୍ ଦ୍ବାରା ସୁନା ଅଳଙ୍କାର ସଫା କରାଯାଉଥିଲା। ଆଗରୁ ବିଭିନ୍ନ ଚଳଚ୍ଚିତ୍ର ଦେଖି କେମ୍ପମ୍ମା ସାୟାନାଇଡ୍ର ବିଷକ୍ରିୟା ବିଷୟରେ ଜାଣିଥିଲା। ସାୟାନାଇଡ୍ ବଳରେ ଅର୍ଥ ରୋଜଗାର ଲାଗି କେମ୍ପମ୍ମା ନୂଆ ଉପାୟ ପାଞ୍ଚିଲା।
କେମ୍ପମ୍ମା କେମିତି ମଲ୍ଲିକା ହେଲା
ଶିକାର ପାଇଁ ଟାର୍ଗେଟ୍ କରୁଥିବା ମହିଳାଙ୍କ ଆଗରେ କେମ୍ପମ୍ମା ପ୍ରତି ଥର ନୂଆ ପରିଚୟ ଦେଉଥିଲା। ହତ୍ୟାକରିଥିବା ଶେଷ ମହିଳାଙ୍କ ଆଗରେ ସେ ତା’ର ନାଁ ମଲ୍ଲିକା ବୋଲି କହିଥିଲା। ସେହି ନାଁ ସହିତ ସାୟାନାଇଡ୍ ଯୋଡ଼ି ଲୋକେ ତାକୁ ‘ସାୟାନାଇଡ୍ ମଲ୍ଲିକା’ ବୋଲି କହିଲେ। ଅନିର୍ବାଣ ଭଟ୍ଟାଚାର୍ଯ୍ୟଙ୍କ ବେଷ୍ଟ୍ସେଲିଙ୍ଗ୍ ପୁସ୍ତକ ‘ଦି ଡେଡ୍ଲି ଡଜନ୍: ଇଣ୍ଡିଆଜ୍ ମୋଷ୍ଟ୍ ନେଟୋରିୟସ୍ ସିରିଏଲ୍ କିଲର୍ସ’ରେ ‘ସାୟାନାଇଡ୍ ମଲ୍ଲିକା’ ପ୍ରସଙ୍ଗ ସ୍ଥାନ ପାଇଛି। ୨୦୨୧ରେ ଫେବ୍ରୁଆରି ୨୬ ମୁକ୍ତିପ୍ରାପ୍ତ କନ୍ନଡ଼ଭାଷୀ ଚଳଚ୍ଚିତ୍ର ‘ସାୟାନାଇଡ୍ ମିଲ୍ଲିକା’ ବି କେମ୍ପମ୍ମାକୃତ ଜଘନ୍ୟ ହତ୍ୟାକାଣ୍ଡ ଉପରେ ଆଧାରିତ। ‘ଖୁନୀ: ଦି କ୍ରାଇମ୍ସ୍ ଅଫ୍ ଇଣ୍ଡିଆ’ ପଡ୍କାଷ୍ଟ୍ରେ ବି ଉପରୋକ୍ତ ମାମଲା ଆଧାରିତ ଏପିସୋଡ୍ ରହିଛି।
ସାୟାନାଇଡ୍ ସଜାଇଲା ସଇତାନ୍
ଥିଲାବାଲା ଘରର ଧର୍ମଭୀରୁ ଓ ଚଞ୍ଚଳମନା ମହିଳାଙ୍କୁ ବିଭ୍ରାନ୍ତକରି, ସେମାନଙ୍କୁ ହତ୍ୟା କରି ଅର୍ଥଲୁଟିବା ଯୋଜନା କଲା ସେ। ଏଭଳି ମହିଳାଙ୍କ ସନ୍ଧାନ ଲାଗି କେମ୍ପମ୍ମା ପ୍ରତିଦିନ ବେଙ୍ଗାଲୁରୁ ଆଖପାଖରେ ଥିବା ମନ୍ଦିରକୁ ଗଲା। ସେଠାକୁ ନିୟମିତ ଆସୁଥିବା ମହିଳାଙ୍କ ଉପରେ ସେ ନଜର ରଖିଲା। ସୁଯୋଗ ଉଣ୍ଡି ସେ ସାଧ୍ବୀବେଶ ପକାଇ ସମସ୍ୟାଗ୍ରସ୍ତ ମହିଳାଙ୍କୁ ଭେଟିଲା। ତାଙ୍କ ସମସ୍ୟା ଶୁଣି ସାନ୍ତ୍ବନା ବି ଦେଲା। କ୍ରମେ ସେମାନଙ୍କ ବିଶ୍ବାସଭାଜନ ହୋଇ ସମସ୍ତ ଦୁଃଶ୍ଚିନ୍ତା ଦୂର ଲାଗି ‘ମଣ୍ଡଳ ପୂଜା’ କରିବା ଲାଗି କେମ୍ପମ୍ମା ସେମାନଙ୍କୁ ପରାମର୍ଶ ଦେଲା। ନଗରୀଠାରୁ ଦୂର ମଫସଲରେ ଥିବା ମନ୍ଦିରରେ ଏହି ପୂଜା ସମ୍ପନ୍ନ କରିବା ପାଇଁ ସେ ସେମାନଙ୍କୁ କହିଲା। ପୂଜାରେ ବସିବା ଲାଗି ସବୁଠୁ ଭଲ ଶାଢ଼ି ଓ ଅଳଙ୍କାର ଆଦି ପିନ୍ଧି ଆସିବାକୁ ମଧ୍ୟ ସେ ସେମାନଙ୍କୁ ପରାମର୍ଶ ଦେଲା। ଯଦି କେହି ପରାମର୍ଶମତେ ନିର୍ଦ୍ଧାରିତ ମନ୍ଦିରକୁ ଯାଏ, କେମ୍ପମ୍ମା ଆପଣା ବିଧିମତେ ପୂଜାପାଠ କରେ। ପୂଜାବିଧି ଆଳରେ ସେ ଉକ୍ତ ମହିଳାଙ୍କୁ ଆଖି ବୁଜିବାକୁ କହି ଟିକେ ପାଦୁକ ପିଆଏ ଅଥବା କିଛି ପ୍ରସାଦ ଖୁଆଏ। ସାୟାନାଇଡ୍ ମିଶ୍ରିିତ ସେ ପାଦୁକ ବା ପ୍ରସାଦ ପାଇ ମହିଳାଜଣକ ପ୍ରାଣ ହରାନ୍ତି। କେମ୍ପମ୍ମା ତାଙ୍କର ସମସ୍ତ ଅଳଙ୍କାର, ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ୍ ସାମଗ୍ରୀ ନେଇ ପଳାଏ।
କେମ୍ପମ୍ମାର ଶିକାର ୬ ମହିଳା
୧୯୯୯ ଅକ୍ଟୋବର ୧୯ରେ ହୋସ୍କୋଟେରେ କେମ୍ପମ୍ମା ଖାପଚରେ ପଡ଼ି ମନ୍ଦିରରେ ପ୍ରାଣ ହରାଇଥିବା ପ୍ରଥମ ମହିଳା ଥିଲେ ୩୦ ବର୍ଷୀୟା ମମତା ରଞ୍ଜନ। ଏହାର ୭ବର୍ଷ ପରେ କେମ୍ପମ୍ମାର ଦ୍ବିତୀୟ ଶିକାର ହୋଇଥିଲେ ସନ୍ଦୁରୁର ୫୨ ବର୍ଷୀୟା ଏଲିଜାବେଥ୍। ନିରୁଦ୍ଦିଷ୍ଟ ନାତୁଣୀକୁ ପାଇବା ପାଇଁ ସେ ମନ୍ଦିରରେ ପୂଜା କରୁଥିଲେ। କେମ୍ପମ୍ମା ଛଳରେ ତାଙ୍କୁ କବଲ୍ଲମ୍ମା ମନ୍ଦିରକୁ ନେଇ ହତ୍ୟା କରିଥିଲା। ତା’ର ତୃତୀୟ ଶିକାର ଥିଲେ ୬୦ ବର୍ଷୀୟା ଯଶୋଦାମ୍ମା। ପୂଜାକଲେ ଆଜ୍ମାରୁ ମୁକ୍ତି ମଳିବ ବୋଲି କହି କେମ୍ପମ୍ମା ୨୦୦୭ ଡିସେମ୍ବରରେ ତାଙ୍କୁ କିୟାତ୍-ସାନ୍ଦ୍ରାସ୍ଥିତ ସିଦ୍ଦଗଙ୍ଗା ମଠକୁ ନେଇ ହତ୍ୟା କରିଥିଲା। ତା’ର ଚତୁର୍ଥ ଶିକାର ହୋଇଥିଲେ ୟେଲାହାଙ୍କାବାସିନୀ ମୁନିୟାମ୍ମା। ଭକ୍ତିଗୀତ ଗାୟନ କରିବାକୁ ଆତୁରା ମୁନିୟାମ୍ମା ମନ୍ଦିର ଯାଉଥିଲେ। କେମ୍ପମ୍ମା ତାଙ୍କୁ ୟାଦିୟୁର୍ ସିଦ୍ଦଲିଙ୍ଗେଶ୍ବର ମନ୍ଦିରରେ ହତ୍ୟା କରିଥିଲା। ତା’ର ପଞ୍ଚମ ଶିକାର ଥିଲେ ପିଲ୍ଲାମ୍ମା। ସେ ଥିଲେ ହେବ୍ବାଲ୍ ମନ୍ଦିର ପୂଜାରିଣୀ ମନ୍ଦିର ପାଇଁ ନୂଆ ଖିଲାଣଟିଏ ଦେବ ବୋଲି ପ୍ରଲୋଭିତ କରି କେମ୍ପମ୍ମା ତାଙ୍କୁ ମଦ୍ଦୁର ବୈଦ୍ୟନାଥପୁରରେ ହତ୍ୟା କରିଥିଲା। ତା’ର ଷଷ୍ଠ ଶିକାର ଥିଲେ ୩୦ ବର୍ଷୀୟା ନିଃସନ୍ତାନ ନାଗବେଣୀ। ପୁତ୍ରବତୀ ହେବାକୁ ସେ ମନ୍ଦିର ଯାଇ ପୂଜାର୍ଚ୍ଚନା କରୁଥିଲେ। ତାଙ୍କୁ ହତ୍ୟା କରି କେମ୍ପମ୍ମା ତାଙ୍କ ଗହଣାଗାଣ୍ଠି ନେଇ ପଳାଇଯାଇଥିଲା।
ମୃତ୍ୟୁଦଣ୍ଡ ହେଲା କାରାଦଣ୍ଡ
୨୦୦୧ରେ ପୂଜାପାଠ କରିବାକୁ ଯାଇ ଜଣଙ୍କ ଘରୁ ଚୋରି କରିଥିବା ଅଭିଯୋଗରେ ପ୍ରଥମେ ପୁଲିସ ଦ୍ବାରା କେମ୍ପମ୍ମା ଗିରଫ ହୋଇ ୬ ମାସ ଜେଲ୍ ଯାଇଥିଲା। ଶେଷରେ ୨୦୦୮ ଡିସେମ୍ବର ୩୧ରେ ଚୋରି ଅଳଙ୍କାର ବିକ୍ରୟ କରୁଥିବା ବେଳେ କେମ୍ପମ୍ମା ଧରାପଡ଼ି ଗିରଫ ହେଲା। ସେ ସମସ୍ତ ଦୋଷ ସ୍ବୀକାର କଲା ଏବଂ ତଦନ୍ତ ଚାଲିଲା। ପରିଶେଷରେ ଅଦାଲତ ମୁନ୍ନିୟାମ୍ମା ଓ ନାଗବେଣୀଙ୍କୁ ହତ୍ୟା କରିଥିବା କାରଣରୁ ୨୦୧୦ ଓ ୨୦୧୨ରେ କେମ୍ପମ୍ମାକୁ ମୃତ୍ୟୁଦଣ୍ଡାଦେଶ ଦେଲେ। କିନ୍ତୁ, ନାଗବେଣୀଙ୍କ ହତ୍ୟାକାଣ୍ଡ ମାମଲାରେ କେବଳ ପରିସ୍ଥିତିଗତ ପ୍ରମାଣ ମିଳିବାରୁ କେମ୍ପମ୍ମାଙ୍କ ମୃତ୍ୟୁଦଣ୍ଡାଦେଶ ଆଜୀବନ କାରାଦଣ୍ଡକୁ ପରିବର୍ତ୍ତିତ କରାଗଲା। ମୃତ୍ୟୁଦଣ୍ଡାଦେଶ ପାଇବାରେ କେମ୍ପମ୍ମା ହେଉଛି କର୍ଣ୍ଣାଟକର ପ୍ରଥମ ମହିଳା। ସମ୍ପ୍ରତି ସେ ବେଙ୍ଗାଲୁରୁସ୍ଥିତ ପରପ୍ପନା ଅଗ୍ରହାରା ସେଣ୍ଟ୍ରାଲ୍ ଜେଲ୍ରେ ବନ୍ଦୀ ଜୀବନ ବିତାଉଛି।