ତୁ ଖୁସ୍ବୁକୁ କାହିଁକି ହତ୍ୟାକଲୁ? ପୁଲିସ ଠାରୁ ଏ ପ୍ରଶ୍ନ ଶୁଣି ୮ ବର୍ଷୀୟ ଅମର୍ଜୀତ୍ ଖାଲି ମୁରୁକି ମୁରୁକି ହସିଲା। ପୁଲିସ ଆଗରେ କୌଣସି କାରଣ ନ କହିଲେ ବି ଅମର୍ଜୀତ୍ ୮ମାସର ଝିଅ ଖୁସ୍ବୁକୁ ପଥରରେ ଛେଚି ମାରି ତା’ ଶବକୁ କ୍ଷେତରେ ପୋତି ଦେଇଥିଲା। ଘଟଣାଟି ଘଟିଥିଲା ବିହାରର ଭଗବାନପୁର ଥାନା ଅଧୀନ ମୁସହରୀ ଗାଁ’ରେ।
ଆଶ୍ଚର୍ଯ୍ୟ ମନେହେଉଥିଲେ ବି ଘଟଣାଟି ସତ। ଏ ଘଟଣା ଘଟିବା ବେଳକୁ ଅମର୍ଜୀତ୍ ହୋଇଯାଇଥିଲା ସିରିଏଲ୍ କିଲର୍! ଏହା ପୂର୍ବରୁ ସେ ତା’ ଭଉଣୀ ଓ ମାଉସୀପୁଅ ଭାଇକୁ ବି ହତ୍ୟା କରିଥିଲା। ତିନି ତିନିଟା ଜଘନ୍ୟ ହତ୍ୟାକାଣ୍ଡ ଭିଆଇଥିବା ବାଳକ ଅମର୍ଜୀତ୍ ୨୦୦୭ରେ ଦୁନିଆର କନିଷ୍ଠତମ ସିରିଏଲ୍ କିଲର୍ ହେବାର ଅପକୀର୍ତ୍ତି ଅର୍ଜିଥିଲା। ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିବା ତା’ର ପୈଶାଚିକ କାଣ୍ଡ ସମ୍ପର୍କରେ ଦେଶ ଓ ବିଦେଶର ବହୁ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଥିଲା।
ବଦ୍ରାଗୀ ଅମର୍ଜୀତ୍
ପୁଅଟିଏ (ଅମର୍ଜୀତ୍) ଜନ୍ମ ହେବାରୁ ଦୁଃଖୀ ପିତାମାତା ଖୁବ୍ ଖୁସି ହୋଇଥିଲେ। ସେମାନେ ଭାବିଥିଲେ ପୁଅ ଅମର୍ଜୀତ୍ ଭଲ ମଣିଷ ହେବ, ଭଲ କାମ କରିବ। ଥରେ ମାଆ ପାରୁଲ୍ଙ୍କୁ ଅମରଜୀତ୍ କହିଲା, ‘‘ମୋର ନୂଆ କଣ୍ଢେଇଟିଏ ଲୋଡ଼ା।’’ ତାକୁ କୋେଳଇନେଇ ମାଆ କହିଲେ, ‘‘ପୁଅରେ, ଆମେ ଗରିବ। ନୂଆ କଣ୍ଢେଇ ପାଇଁ ଟଙ୍କା ପାଇବା କୁଆଡୁ?’’ ମାଆକୁ ଠେଲିଦେଇ ଅମର୍ଜୀତ୍ ରୁଷିଲା। ଆଉଥରେ ଅମର୍ଜୀତ୍ ତାଙ୍କ କୁଡ଼ିଆ ପାହାଚରେ ବସିଥାଏ। ରାଜୁ ଓ ଶଙ୍କର ବୋଲି ଦୁଇଜଣ ପିଲା ଆସି ତାକୁ ଖେଳିବା ପାଇଁ ଡାକିଲେ। ସେ ଏମିତି ଖିଙ୍କାରିହୋଇ ‘ନା’ ବୋଲି କହିଲା ଯେ ଦୁହେଁ ଛାନିଆହୋଇ ସେଠାରୁ ଚାଲିଗଲେ। ସେ କ୍ଷଣକୋପୀ ବୋଲି ପିଲାବେଳୁ ଏମିତି କେତେକ ଛୋଟମୋଟ ଘଟଣାରୁ ବାରି ହୋଇପଡୁଥିଲା। କିନ୍ତୁ, ଏକଇରବଳା ହୋଇଥିବାରୁ ମାଆ ତା’ଉପରେ ସବୁତକ ସ୍ନେହଶ୍ରଦ୍ଧା ଅଜାଡ଼ି ଦେଉଥିଲେ। ନିତିଦିନ ତା’ କପାଳ ପାର୍ଶ୍ବେର ବଡ଼ କଳାଟୋପାଟିଏ ଲଗାଇ କହୁଥିଲେ, ‘‘ତୋ ଉପରେ କା’ର ନଜର ନ ପଡୁ!’’ ଦୁଷ୍ଟଶକ୍ତିମାନଙ୍କ କବଳରୁ ସୁରକ୍ଷା ଦେବାକୁ ହନୁମାନ ମନ୍ଦିରରୁ ତାବିଜଟିଏ ଆଣି ତା’ ବାହୁରେ ବାନ୍ଧିଦେଇଥିଲେ। ସେ ତାବିଜ ଦେଖି ଅମର୍ଜୀତ୍ ମୁରୁକି ହସିଥିଲା। ସେତେବେଳେ ମାଆ ଜାଣି ନ ଥିଲେ ଯେ ଓଲଟି ଅମର୍ଜୀତ୍ କବଳରୁ ସୁରକ୍ଷିତ ରହିବାକୁ ଲୋକମାନଙ୍କର ତାବିଜ ଲୋଡ଼ା ପଡ଼ିବ!
ସାତ ବର୍ଷ ବୟସରେ ପ୍ରଥମ ହତ୍ୟା
ଅମର୍ଜୀତ୍କୁ ସାତବର୍ଷ ହୋଇଥିବା ବେଳେ ମାଉସୀ ମୀନା ତାଙ୍କ ଘରକୁ ଆସିଥିଲେ। ଭଉଣୀ ପାରୁଲ୍କୁ ସେ ପଚାରିଲେ, ‘‘ଅପା, ମୋର ଗୋଟାଏ ଉପକାର କରିବୁ?’’ ପାରୁଲ୍ କହିେଲ, ‘‘କ’ଣ?’’ ମୀନା କହିଲେ, ‘‘ମୁଁ ଆଉ ମୋ ସ୍ବାମୀ ମାସେ ପାଇଁ ପାଟନା ଯିବୁ। ଆମ ଛଅମାସିଆ ପୁଅଟାକୁ ତୁ ଟିକେ ପାଖରେ ରଖନ୍ତୁ ନାହିଁ?’’ ଆର୍ଥିକ ପରିସ୍ଥିତି ଭଲ ନ ଥିବାରୁ ଅକ୍ଷମତା ପ୍ରକାଶ କଲେ ପାରୁଲ୍। ସେଉଠୁ ମୀନା କହିଲେ କି, ପାଟନାରେ ମୁଁ ଜଣକ ଘରେ କାମଟିଏ ପାଇଛି। ପ୍ରଥମ ଦରମା ଟଙ୍କାରୁ କିଛି ତୋ ପାଖକୁ ପଠାଇଦେବି। ଅଗତ୍ୟା ପାରୁଲ୍ ମୀନାପୁଅକୁ ରଖିବାକୁ ବାଧ୍ୟହେଲେ। ଦିନେ ପାରୁଲ୍ ଶୋଇଥିବା ମୀନାପୁଅକୁ ଅମର୍ଜୀତ୍ ଜିମାରେ ଦେଇ ବଜାରକୁ ଗଲେ। ମାଆ ଯିବାକ୍ଷଣି ଅମର୍ଜୀତ୍ ତାକୁ ଚିମୁଟିଲା। କଷ୍ଟ ହେବାରୁ ଟିକିପୁଅର ନିଦ ଭାଙ୍ଗିଗଲା ଓ ସେ କାନ୍ଦିଲା।
ଏଥର ଅମର୍ଜୀତ୍ ତା’ କାନ ମୋଡ଼ିଦେବାରୁ ସେ ରଡ଼ିଛାଡ଼ି ଆହୁରି ଜୋର୍ରେ କାନ୍ଦିଲା। କାନ୍ଦଣା ଶବ୍ଦ ବରଦାସ୍ତ କରି ନ ପାରି ଅମର୍ଜୀତ୍ ତାକୁ ଅଣନିଃଶ୍ବାସୀ କରି ହତ୍ୟାକଲା। ପାରୁଲ୍ ବଜାରରୁ ଫେରି ଟିକିପୁଅକୁ ନ ଦେଖି ଅମର୍ଜୀତ୍କୁ ପଚାରିଲେ,‘‘ପୁଅ କାହିଁ?’’ ମୁରୁକି ହସାଦେଲା ସେ। ମାଆକୁ ଘର ପାଖରେ ଥିବା ଧାନକ୍ଷେତକୁ ନେଇ ଟିକିପୁଅକୁ ପୋତି ଦେଇଥିବା ସ୍ଥାନଟି ଦେଖାଇଦେଲା। ସାତ ବର୍ଷୀୟ ପୁଅର କାଣ୍ଡ ଦେଖି ପାରୁଲ୍ ହତବାକ୍ ହୋଇଗଲେ। ବାପା ବଳରାମ କାମରୁ ଫେରନ୍ତେ ଖୁସିରେ ଅମର୍ଜୀତ୍ କହିଲା, ‘‘ମୁଁ ତାକୁ ତଣ୍ଟିଚିପି ମାରିଦେଲି।’’ ବଳରାମ ତାକୁ ଚଟକଣାଏ ପକାଇ ଭାବିଲେ- ମୁଁ ପୁଅ ନା, ଦାନବ ଜନ୍ମ କରିଛି! ମାସେ ପରେ ପାଟନାରୁ ଫେରି ମୀନା ପୁଅର ମୃତ୍ୟୁ ସମ୍ବାଦ ପାଇଲା। ଅମର୍ଜୀତ୍କୁ ବଞ୍ଚାଇବା ଲାଗି ପାରୁଲ୍ ମିଛରେ କହିଲା ଯେ ଗୋଟାଏ ଅଘଟଣରେ ଟିକିପୁଅ ମରିଗଲା। ଥାନାରେ ଅଭିଯୋଗ ନ କରିବାକୁ ମଧ୍ୟ ବଳରାମ ମୀନାକୁ ନେହୁରା ହେଲେ। ବନ୍ଧୁ କଥା ରକ୍ଷାକରି ସେମାନେ ଥାନାପୁଲିସ କଲେନାହିଁ।
ସାନ ଭଉଣୀ ହେଲା ପରବର୍ତ୍ତୀ ଶିକାର
ଏ ଘଟଣାର ବର୍ଷେ ପରେ, ପାରୁଲ୍ଙ୍କର ଝିଅଟିଏ ହେଲା। ପରିବାରରେ ସଭିଏଁ ଖୁସିହେଲେ। ଆଠ ବର୍ଷୀୟ ଅମର୍ଜୀତ୍ ବି ନବଜାତ ଭଉଣୀକି ଦେଖି ଖୁସି ହେଉଥିଲା। ଦିନେ ଖରାବେଳେ ଟିକି ଭଉଣୀକୁ ଜଗିଥିବୁ କହି ପାରୁଲ୍ ଟିକିଏ ନିଦ୍ରାଗଲେ। ଅଳ୍ପ ସମୟ ପରେ ସେ ଉଠି ଦେଖିଲେ ଅମର୍ଜୀତ୍ ମୁରୁକି ହସୁଛି। ପାଖରେ ପଡ଼ିଛି ନିଷ୍ପ୍ରାଣ ଟିକିଝିଅ। କାହିଁକି ଟିକି ଭଉଣୀକୁ ମାରିଲୁ ପଚାରି ବାପାମାଆ ଅମର୍ଜୀତ୍କୁ ବହେ ମାରିବାରୁ ସେ କହିଲା- ଏମିତି ମାରିଦେଲି ମ! ତା’ପରେ ସେ ଦାନବ ପରି ମୁରୁକି ହସିଲା। ଜଘନ୍ୟ ହତ୍ୟାକାଣ୍ଡ କରୁଥିବା ଅମର୍ଜୀତ୍ ସମ୍ପର୍କରେ ପୁଲିସକୁ ଅବଗତ କରାଇବା ପାଇଁ ପଡ଼ାପଡ଼ିଶୀମାନେ କହିଲେ ବି ବଳରାମ ଓ ପାରୁଲ୍ ଥାନାକୁ ଗଲେନାହିଁ। ଘର କଥା ଘରେ ଚାପିଦେଲେ।
ଆଠ ବର୍ଷ ବୟସରେ ତୃତୀୟ ହତ୍ୟା
ଏ ଘଟଣା ପରେ ଗାଁ ଲୋେକ ଅମର୍ଜୀତ୍କୁ ଭାରି ଡରିଲେ। ତା’ ବାପାମାଆଙ୍କ ସହିତ ବି କଥାବାର୍ତ୍ତା ବନ୍ଦ କରିଦେଲେ। କିନ୍ତୁ, ଅମର୍ଜୀତ୍ ଆଗପରି ବେପରୁଆ ଥିଲା। ଦିନେ ସେ ଗାଁ ପ୍ରାଥମିକ ବିଦ୍ୟାଳୟ ବାଟେ ଯାଉଥିବା ବେଳେ ସ୍କୁଲ୍ ଭିତରୁ ଗୋଟାଏ ଶିଶୁର କାନ୍ଦଣା ଶୁଣିଲା। ଅମର୍ଜୀତ୍ ଉଙ୍କିମାରି ଦେଖିଲା ଭିତରେ ଲୁଗାପଟା ଗୁଡ଼ାହୋଇଥିବା ପିଲାଟିଏ କାନ୍ଦୁଛି। ସେ କାନ୍ଦୁରା ପିଲାଟି ଥିଲା ଚୁନ୍ଚୁନ୍ ଦେବୀଙ୍କ ଆଠମାସିଆ ଝିଅ ଖୁସ୍ବୁ। ସ୍କୁଲ୍ ସବୁଠୁ ନିରାପଦ ଜାଗା ବିଚାରି ସେ ଖୁସ୍ବୁକୁ ସେଠାରେ ଶୁଆଇଦେଇ ବଜାରକୁ ଯାଇଥିଲେ। ବଜାରରୁ ଫେରି ଦେଖିଲା ବେଳକୁ ଝିଅ ଖୁସ୍ବୁ ଉଭାନ୍। ତାଙ୍କର ମନକୁ ଆସିଲା, ଅମର୍ଜୀତ୍ କିଛି କରିନାହିଁ ତ! କାନ୍ଦି କାନ୍ଦି ସେ ସିଧା ଯାଇ ଅମର୍ଜୀତ୍କୁ ପଚାରିଲେ, ‘‘ମୋ ଝିଅ କାହିଁ?’’ ଡରି ନ ଯାଇ ଅବିଚଳିତ ଭାବେ ଅମର୍ଜୀତ୍ କହିଲା, ‘‘ମୁଁ ତାକୁ ଇଟାରେ ଛେଚି ମାରିପକାଇଛି। ପାଖ କ୍ଷେତରେ ତା’ ଶବ ପୋତିଦେଇଛି।’’
ପରିଶେଷରେ ଗ୍ରାମବାସୀ ଘଟଣାସ୍ଥଳକୁ ଯାଇ ଖୁସ୍ବୁର ଶବ ଉଦ୍ଧାର କରି ଅମର୍ଜୀତ୍କୁ ଧରିନେଇ ପୁଲିସକୁ ଦେଲେ। ପୁଲିସ ଯେତେ ଯାହା ପଚାରିଲା, ଅମର୍ଜୀତ୍ ଖାଲି ମୁରୁକି ହସିଲା। ତା’ପରେ ମାନସିକ ରୋଗ ବିଶେଷଜ୍ଞମାନେ ପରୀକ୍ଷାନିରୀକ୍ଷା କରି ଜାଣିଲେ ଯେ ତା’ ମସ୍ତିଷ୍କରେ କେତେକ ରାସାୟନିକ ପଦାର୍ଥ ଅସନ୍ତୁଳିତ ହୋଇଥିବାରୁ ସେ ଅନ୍ୟକୁ କଷ୍ଟଦେଇ ଆନନ୍ଦିତ ହେଉଛି। ତା’ର ହିତାହିତ ଜ୍ଞାନ ବି ନାହିଁ। ପୁଲିସ ବି କହିଲା ଯେ ଟିକି ପିଲାମାନେ ଅମର୍ଜୀତ୍ଠାରୁ ଛୋଟ ହୋଇଥିବାରୁ ଓ ବାଧା ଦେଇପାରୁ ନ ଥିବାରୁ ସେ ତାଙ୍କୁ ହତ୍ୟା କରୁଛି। ଅମର୍ଜୀତ୍ ନାଁ’ରେ ନରହତ୍ୟା ମାମଲା ଚାଲିଲା। ୧୮ ବର୍ଷ ହେବା ପର୍ଯ୍ୟନ୍ତ ତାକୁ ସୁଧାର ଗୃହରେ ରଖାଗଲା। କେତେକ ଗଣମାଧ୍ୟମରୁ ସଂଗୃହୀତ ରିପୋର୍ଟ ଅନୁଯାୟୀ, ସୁଧାର ଗୃହରୁ ମୁକ୍ତ ହୋଇଥିବା ଅମର୍ଜୀତ୍କୁ ଏବେ ୨୮ ବର୍ଷ। ସେ ତା’ ନାଁ ବଦଳାଇ ସମର୍ଜୀତ୍ ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/08/gdjgdjgjdbcnbn-2025-11-08-01-37-41.jpg)