ଭଟିଣ୍ଡା: ଧନୀ ପରିବାରର ହୋଇ ମଧ୍ୟ ଏକ ସାଧାରଣ ବିବାହ କରି ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଜଣେ ଯୁବକ। ବିବାହ ଦିନକୁ ଖାସ୍ କରିବା ପାଇଁ ଅନେକ ଲୋକ ଦାମୀ ଗାଡ଼ିରେ ଯିବା ପାଇଁ ସ୍ବପ୍ନ ଦେଖିଥାନ୍ତି। କିନ୍ତୁ ଦାମୀ ଗାଡ଼ିର ମାଲିକ ହୋଇ ମଧ୍ୟ ୨୫କିଲୋମିଟର ସାଇକେଲ ଚଳାଇ ବିବାହ ମଣ୍ଡପକୁ ଯିବା ଖବର ଏବେ ଆଲୋଚନାର ବିଷୟ ପାଲଟିଛି। ଘଟଣାଟି ପଞ୍ଜାବର ଭଟିଣ୍ଡାରେ ଘଟିଛି। ବିବାହ ପରେ ଯୁବକଜଣଙ୍କ ନିଜ ପତ୍ନୀଙ୍କୁ ସାଇକେଲ ଆଗରେ ବସାଇ ଘରକୁ ନେଉଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି।
ସୂଚନା ମୁତାବକ, ଭଟିଣ୍ଡା ଜିଲ୍ଲାର ମୋଡ଼ ମଣ୍ଡି ପାଖରେ ଥିବା ରାମନଗରରେ ଗୁରବଖଶୀଷ୍ ସିଂହ ନିଜ ପରିବାର ସହ ରୁହନ୍ତି। ମାତା-ପିତାଙ୍କ ଏକମାତ୍ର ପୁଅ ହେବା ସହ ସେ ୪୦ଏକର ଜମିର ମାଲିକ। ପ୍ରଦୂଷଣରୁ ପରିବେଶକୁ ରକ୍ଷା କରିବା ନେଇ ଲୋକଙ୍କୁ ବାର୍ତ୍ତା ଦେବାକୁ ଯାଇ ଯେଉଁ କାମ କରିଛନ୍ତି, ତାହା ଆଜି ତାଙ୍କୁ ଚର୍ଚ୍ଚିତ କରାଇଛି। ଗୁରବଖଶୀଷଙ୍କ ବିବାହରେ କେବଳ ୧୨ଜଣ ବରଯାତ୍ରୀ ଯାଇଥିବା ବେଳେ ସମସ୍ତେ ସାଇକେଲ ଯୋଗରେ ଗୁୁରୁଦ୍ବାରାରେ ପହଞ୍ଚିଥିଲେ। ସେଠାରେ ଥିବା ଆନନ୍ଦ କାର୍ଯ୍ୟାଳୟରେ ବିବାହ ସାରି ନିଜ ପତ୍ନୀଙ୍କୁ ସାଇକେଲରେ ବସାଇ ଘରକୁ ଫେରିଥିଲେ ଗୁରବଖଶୀଷ୍ ସିଂହ।
ଗୁରବଖଶୀଷ୍ ସିଂହଙ୍କ କହିବା ମୁତାବକ, ପିଲାବେଳୁ ସେ ଅଯଥା ଖର୍ଚ୍ଚ କରିବେ ନାହିଁ ବୋଲି ଚିନ୍ତା କରିଥିଲେ। ନା ଯୌତୁକ ନେବେ ନା ବିବାହରେ ଗୀତ ବଜାଇବେ ନାଁ ବାଣ ଫୁଟାଇବେ। ଅତି ସାଧାରଣ ବିବାହ କରିବା ବିଷୟରେ ସେ ପୂର୍ବରୁ ଭାବିଥିଲେ। ପିଲା ବେଳର ସ୍ବପ୍ନ ଆଜି ପୂରା ହେବା ସହ ଦୁଇ ପରିବାରର ଖର୍ଚ୍ଚ ଓ ଚିନ୍ତା କମ ହୋଇଥିବା କଥା କହିଛନ୍ତି ଗୁରବଖଶୀଷ୍ ସିଂହ।