ଭୁବନେଶ୍ବର: ୬ ଜୁନ ୨୦୨୩… ୧୨୦୫ ଜଣ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ଦେଇ ରାଜ୍ୟରୁ ଡାକ୍ତର ଅଭାବ ଦୂର କରିବାକୁ ଏକ ବଡ଼ ଘୋଷଣା କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ହେବ ଡାକ୍ତର ବଳକା ରାଜ୍ୟ । ୨୦୨୩ ଡିସେମ୍ବର ସୁଦ୍ଧା ଓଡ଼ିଶାକୁ ଡାକ୍ତର ବଳକା ରାଜ୍ୟ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ସେ ଘୋଷଣା କରିଥିଲେ… ସେଦିନ ସବୁ ଗଣମାଧ୍ୟମରେ ହେଡଲାଇନ ପାଲଟିଥିଲା ନବୀନଙ୍କ ଏହି ଘୋଷଣା । ପରଦିନ ଖବରକାଗଜର ଶିରୋନାମା ନେଇଥିଲା ଏହି ଉକ୍ତି ।
ହେଲେ ଇତିମଧ୍ୟରେ… ଗୋଟିଏ ବର୍ଷ ବିତି ଆଉ ଏକ ବର୍ଷ ବିତିବାକୁ ବସିଲାଣି । ଓଡିଶାରେ ବି ଗୋଟେ ସରକାର ବଦଳିଗଲାଣି । କିନ୍ତୁ ନା ଓଡିଶା ହୋଇଛି ଡାକ୍ତର ବଳକା ରାଜ୍ୟ ନା ବଦଳିଛି ସ୍ବାସ୍ଥ୍ୟସେବାର ଚିତ୍ର । ବଳକା ନୁହେଁ ବରଂ ସେହି ଅଭାବର ଆଁ ଭିତରେ ଖାଁ ଖାଁ ଡାକ୍ତରଖାନା । ଡାକ୍ତର ଅଭାବର ଟ୍ୟାଗ୍ ମୁଣ୍ଡାଇ ଅପବାଦ ସାଉଁଟୁଛି ଓଡ଼ିଶା । ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ସ୍ବାସ୍ଥ୍ୟସେବାର ବିକଳ ଚିତ୍ର । ଆଜି ବି ଡାକ୍ତର ନୁହେଁ ଭଗବାନଙ୍କ ଭରସାରେ ମେଡିକାଲରେ ପଡିଛନ୍ତି ରୋଗୀ ।
ଦୁଇ ବର୍ଷ ତଳେ ନବୀନଙ୍କ ଡାକ୍ତର ବଳକା ରାଜ୍ୟର ଘୋଷଣା ଆଉ ଏବେ ଦୁଇ ବର୍ଷ ପରେ ଚଳିତ ମାସରେ ନୂଆ ଡାକ୍ତର ନିଯୁକ୍ତି ନେଇ ମୋହନଙ୍କ ଘୋଷଣା… ୟା ଭିତରେ କିଛି ବି ବଦଳିନି କହିଲେ ଭୁଲ ହେବନି… ରୋଗୀ ଯେମିତି ହନ୍ତସନ୍ତ ହେଉଥିଲେ ସେମିତି ହେଉଛନ୍ତି… ରାଜ୍ୟର ଡାକ୍ତରଖାନାରେ ଯେମିତି ଡାକ୍ତରଙ୍କ ମରୁଡି ଥିଲା ଆଜି ବି ସେମିତି ରହିଛି । ଖାଲି ଯାହା ଗୋଟେ ସରକାର ବଦଳିଯାଇଛି । କିଛି ମେଡିକାଲ କୋଠାର ରଙ୍ଗ ବଦଳୁଛି । ହେଲେ ସେସବୁରେ ରୋଗୀର କଣ ଯାଏ ? ସରକାର ବଦଳିଲେ କେତେ ନା ନବଦଳିଲେ କେତେ ? ରୋଗୀଟିଏର ଅଧିକାର ଅଛି ସରକାରୀ ଡାକ୍ତରଖାନାରେ ସୁବିଧାରେ, ସହଜରେ, ମାଗଣାରେ ଚିକିତ୍ସା ହେବ ? ସେଇଥିପାଇଁ ତ ସରକାର ବାଛିବା ଏବଂ ନିର୍ବାଚନ ପ୍ରକ୍ରିୟାରେ ତାର ବହୁମୂଲ୍ୟ ଭୋଟ ଦେଇଥିଲା । ହେଲେ ସେ ପାଇଲା କଣ ? ପାଉଛି ବି କଣ ? କେବେ ଚିକିତ୍ସା ଅଭାବରୁ ଆଖି ବୁଜୁଛି ତ ପୁଣି କେବେ ଡାକ୍ତରଖାନା ପହଞ୍ଚି ନପାରି ଆମ୍ବୁଲାନ୍ସ ଅଭାବ କାରଣରୁ ବାଟରେ ଶବ ପାଲଟିଯାଉଛି । ନହେଲେ ଡାକ୍ତରଙ୍କୁ ଅପେକ୍ଷା କରି କରି ଛୋଟିଆ ରୋଗଟା ତାର ବଡ଼ ଆକାର ଧାରଣ କରୁଛି…
ସହରର ସରକାରୀ ଡାକ୍ତରଖାନା କଥା ଛାଡନ୍ତୁ । ସହରିଆ ଲୋକ ସରକାରୀ ନହେଲେ ବେସରକାରୀ ହସ୍ପିଟାଲ ଯାଇ ଚିକିତ୍ସିତ ହେବେ । ହେଲେ ଥରେ ଭାବିଲେ ଆଦିବାସୀ ଇଲାକା, ବଣ ପାହାଡ ଘେରା ଉପାନ୍ତ ଅଞ୍ଚଳରେ କେମିତି ରୋଗୀଟି ତାର ରୋଗ ଭଲ କରିବ । ସରକାରୀ ଡାକ୍ତରଖାନା ଆସିଲେ ସେଠି ଡାକ୍ତର ନଥିବେ… ଯଦି ଥିବେ ଜଣେ ଡାକ୍ତର ଥିବେ । ଶହଶହ ରୋଗୀ ଲମ୍ବା ଲାଇନ କରି ଡାକ୍ତର ଦେଖାଇବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିବେ । ଡାକ୍ତର ଦେଖାଇ ସାରିବା ପରେ ରୋଗ ନିରୁପଣ ପାଇଁ ଅନେକ ସ୍ଥାନରେ ଉପକରଣ ଅଭାବର ଖବର ପ୍ରକାଶ ପାଏ ତାହା ବି ଏକ ସମସ୍ୟା… ଏଇ ସମୟରେ ଗରିବ ରୋଗୀଟି ସହର ଆସି କେମିତି ତାର ରୋଗ ଭଲ କରିବ କିମ୍ବା ସମ୍ପର୍କୀୟ କେମିତି କଣ କରିବେ ? ଉପାନ୍ତରେ ରହିଲେ ଯଦି ଚିକିତ୍ସା ମିଳିବନି ତେବେ କାହିଁକି ଡାକ୍ତରଖାନା ଖୋଲା ଯାଇଛି ? ଯଦି ଡାକ୍ତରର ଅଭାବ ଦେଖା ଦେବ ତାହାଲେ ରୋଗୀ କରିବେ କଣ ? ଏ ପ୍ରଶ୍ନ ସବୁବେଳେ ଉଠୁଥିଲେ ବି ସରକାର ଡାକ୍ତର ପଦବୀ ପୂରଣ ଦିଗରେ କଣ ପାଇଁ କେଜାଣି ଏତେ ଶିଥିଳତା ଦେଖାନ୍ତି ?
'ପ୍ରତ୍ୟେକ ଜୀବନ ମୂଲ୍ୟବାନ'ର ମନ୍ତ୍ର ନେଇ ପୂର୍ବ ସରକାର ରାଜ୍ୟର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନୂଆ ମେଡିକାଲ କଲେଜ ଖୋଲିବା ଠାରୁ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାୟାକଳ୍ପ ବଦଳାଇ ଦେଇଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଉପର ଚକାଚକ ଥାଇ ବି ଭିତର ଫମ୍ପା । ଅର୍ଥାତ ଡାକ୍ତରଖାନା ବଡ଼ ବଡ଼ ହେଲେ ଡାକ୍ତର ଅଭାବ । ୨୦୦୦ ମସିହାରେ ବର୍ଷକୁ ୩୨୧ ଜଣ ଡାକ୍ତର ଓ ୨୫୪ ସ୍ପେଶାଲିଷ୍ଟ ବାହାରୁଥିବା ବେଳେ ଆଜିର ବର୍ଷ ମାନଙ୍କରେ ୨୨୦୦ ଡାକ୍ତର ଓ ୮୨୬ ସ୍ପେଶାଲିଷ୍ଟ ବାହାରୁଛନ୍ତି । ତଥାପି ରାଜ୍ୟରେ ଡାକ୍ତର ଅଭାବ ରହୁଛି । ଯେଉଁଥିପାଇଁ ସାଧାରଣ ରୋଗୀଟେ ହନ୍ତସନ୍ତ ହେଉଛି ।
କ୍ୟାପିଟାଲରେ ବି ଡାକ୍ତର ମରୁଡ଼ି...
ରାଜ୍ୟର ଅନ୍ୟ ଜିଲ୍ଲାର କଥା ଛାଡନ୍ତୁ ଖୋଦ ରାଜଧାନୀରେ ବି ଡାକ୍ତର ମରୁଡି । ଲୋକସେବା ଭବନ ଠାରୁ କେଇ ମାତ୍ର ଦୂରରେ ଥିବା କ୍ୟାପିଟାଲ ହସ୍ପିଟାଲରେ ୫୦ ଜଣ ଡାକ୍ତରଙ୍କ ଅଭାବ । ୧୮୦ ପଦବୀରୁ ୧୩୦ ଡାକ୍ତର ଥିବା ବେଳେ ୫୦ ପଦବି ଖାଲି ପଡିଛି । ପ୍ରତ୍ୟେକ ଦିନ ୫୦୦୦ ରୁ ଅଧିକ ରୋଗୀ କ୍ୟାପିଟାଲ ହସ୍ପିଟାଲକୁ ଆସୁଛନ୍ତି । ଏହା ସହ ପ୍ରତ୍ୟେକ ଦିନ ୪୦୦ ରୁ ଅଧିକ ରୋଗୀ ଆଡମିଟ୍ ହେଉଛନ୍ତି । ଯେତିକି ଡାକ୍ତର ଅଛନ୍ତି ତାଙ୍କୁ ନେଇ ମ୍ୟାନେଜ କରାଯାଉଛି । ପ୍ରାୟ ୫୦ ଟି ଡାକ୍ତର ପଦବୀ ଖାଲିପଡ଼ିଛି । ପ୍ରତ୍ୟେକ ମାସ ଲିଖିତ ଆକାରରେ ସରକାରଙ୍କୁ ଏ ବାବଦରେ ସୂଚନା ଦିଆଯାଉଛି । ଭାତ ହାଣ୍ଡିରୁ ଗୋଟିଏପରି କ୍ୟାପିଟାଲ ହସ୍ପିଟାଲର ଅବସ୍ଥା ଯଦି ଏମିତି ତାହାଲେ ରାଜ୍ୟର ଅନ୍ୟ ଡାକ୍ତରଖାନାର ଅବସ୍ଥା କେମିତି ଥିବ ସ୍ପଷ୍ଟ ଅନୁମାନ କରିହେଉଛି ।
‘ଡାକ୍ତର’ ଅପେକ୍ଷାର ଅନ୍ତ କେବେ ?
ଭାରତରେ ୧୨୮୪ ଜନସଂଖ୍ୟାରେ ଜଣେ ଡାକ୍ତର ରହିଥିବା ବେଳେ ଓଡ଼ିଶାରେ ୨୧୮୭ ଜନସଂଖ୍ୟାରେ ଜଣେ ଡାକ୍ତର ରହିଛନ୍ତି । ଯାହା ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ରକୁ ପଦାରେ ପକାଉଛି । ଓଡ଼ିଶାରେ ବର୍ତ୍ତମାନ ୧୨ଟି ସରକାରୀ ମେଡିକାଲ କଲେଜ, ୬ଟି ବେସରକାରୀ କଲେଜ ଓ ଗୋଟିଏ ଏମ୍ସ ରହିଛି । ଗୋଟିଏ ଡେଣ୍ଟାଲ କଲେଜ ଓ ଦୁଇଟି ପିଜି ଇନ୍ଷ୍ଟିଚ୍ୟୁଟ୍ କାର୍ଯ୍ୟକ୍ଷମ ଅଛି। ତେବେ ସରକାରୀ ମେଡିକାଲ କଲେଜ ଓ ବେସରକାରୀ କଲେଜକୁ ମିଶାଇଲେ ପ୍ରତିବର୍ଷ ପ୍ରାୟ ୨୨୦୦ ଡାକ୍ତର ବାହାରୁଛନ୍ତି । ଓଡ଼ିଶାରେ ସାଢ଼େ ଚାରିକୋଟି ଜନସଂଖ୍ୟାକୁ ଦେଖିଲେ ଡବ୍ଲ୍ୟୁଏଚ୍ଓର ମାନକକୁ ଛୁଇଁବା ପାଇଁ ଆହୁରି ୧୦ ବର୍ଷ ସମୟ ଲାଗିବ ।
‘ଡାକ୍ତର ଅଭାବ’ ଓଡିଶାର ଆଜିର ସମସ୍ୟା ନୁହେଁ ବରଂ ଏହା ପୁରୁଣା ରୋଗ । ଯେଉଁ ରୋଗରେ ଦୀର୍ଘ ଦିନ ଧରି ଓଡିଶା ଆକ୍ରାନ୍ତ ଥିବା ବେଳେ କେବେ ଏହି ରୋଗରୁ ମୁକ୍ତି ମିଳିବ ଏବଂ କିଏ ଏହି ‘ଅଭାବ’ର ଟ୍ୟାଗ୍ ହଟାଇ ‘ଡାକ୍ତର ବଳକା’ ରାଜ୍ୟରେ ପରିଣତ କରିବ ତାହା ବଡ଼ ପ୍ରଶ୍ନ ଚିହ୍ନ ହୋଇ ଛିଡା ହୋଇଛି । କାରଣ ନବୀନ ସରକାର ‘ଡାକ୍ତର ବଳକା’ ରାଜ୍ୟ ନେଇ ଘୋଷଣା କରିଥିବା ବେଳେ ମୋହନ ସରକାର ଏହି ଚାଲେଞ୍ଜକୁ ପୂରା କରି ପାରୁଛନ୍ତି କି ନାହିଁ ତା ଉପରେ ନଜର ରହିଥିବା ବେଳେ ସରକାରଙ୍କ ଆତ୍ମବଡ଼ିମା ଏବଂ ଭୋଟ ପାଇଁ ବଡ ଘୋଷଣା ରୋଗୀଙ୍କ ଘାଣ୍ଟି ସନ୍ତୁଳି ହେବା ପାଇଁ ନୁହେଁ ବରଂ ଉପଶମ ପାଇଁ କାମରେ ଲାଗୁ ବୋଲି ଆଶା ।ମୋହନ ସରକାର ରାଜ୍ୟରେ ଖୁବଶୀଘ୍ର ୧୮୪୦ ଡାକ୍ତର, ୫୦୦୦ରୁ ଅଧିକ ପାରାମେଡିକାଲ ଷ୍ଟାଫ ନିଯୁକ୍ତି ପାଇବା ନେଇ ଯେଉଁ ଘୋଷଣା କରିଛନ୍ତି ତାହା ସତରେ ରୋଗୀଙ୍କ ଦୁଃଖ ଦୂର କରିପାରିବ ନା ଘୋଷଣା ଏମିତି ଘୋଷଣାରେ ରହିଯିବ ? ଡାକ୍ତର ଅଭାବ ଦୂର କରି କିଏ ପୋଛିବ ରୋଗୀ ଆଖିର ଲୁହ ??ଡବଲ ଇଞ୍ଜିନ୍ ସରକାରରେ ପୂରଣ ହୋଇପାରିବ ତ ଡାକ୍ତର ଅଭାବ ? ? ?ସେକଥା କେବଳ ସମୟ କହିବ…