ନୂଆଦିଲ୍ଲୀ: କୁହାଯାଏ ସାଙ୍ଗ ବିନା ଜୀବନ ଅଧୁରା । ଜୀବନରେ ଯଦି ଭଲ ସାଙ୍ଗ ଅଛନ୍ତି ତାହାଲେ ଆପଣଙ୍କ ଦୁଃଖ ବୋଲି କିଛି ନାହିଁ । କାରଣ ସାଙ୍ଗ ଭଲରେ, ମନ୍ଦରେ, ସୁଖରେ, ଦୁଃଖରେ ସବୁବେଳେ ପାଖେପାଖେ ଥାଏ । ସାଙ୍ଗ କଥା ଉଠିଲେ ଲୋକେ କୃଷ୍ଣ ସୁଦାମାର ଉଦାହରଣ ଦେଉଥିବା ବେଳେ ଜଣେ ସାଙ୍ଗ ପାଇଁ ଜଣେ ଜଣେ ଜୀବନ ଦେବାକୁ ପଛାଉ ନଥିବା ଦେଖିବାକୁ ଅନେକ ସମୟରେ ମିଳେ ।
କଥାରେ ଅଛି ‘ବନ୍ଧ ତଳେ ଚାଷ, ବନ୍ଧୁ ତଳେ ବାସ’, ବିପଦ ସମୟରେ ଯେଉଁ ବନ୍ଧୁ ସାହାଯ୍ୟର ହାତ ବଢ଼ାଏ ତାକୁ ହିଁ ପ୍ରକୃତ ବନ୍ଧୁ ବୋଲି ଦୁନିଆ କହେ। ସାଙ୍ଗ ଠାରୁ ବେଳ ଅବେଳରେ ଟଙ୍କା ମାଗି ଚଳିବା ପ୍ରାୟ ଅନେକ ଲୋକଙ୍କ ଜୀବନରେ ହେଇଥିବ । କେବେ ସାଲାରୀ ସରିଗଲେ କିମ୍ବା କୌଣସି ମେଡିକାଲ କାମରେ ଯଦି ଜରୁରୀ ପଡେ ତେବେ କାହାକୁ ଟଙ୍କା ମାଗିବା ନମାଗିବା କଥା ଯେତେବେଳେ ପଡେ ସେତେବେଳେ ପ୍ରଥମେ ଆଖି ସାମ୍ନାକୁ ଆସେ ପ୍ରିୟ ସାଙ୍ଗର ଚେହେରା । ଯଦି ସାଙ୍ଗ ସ୍ବଚ୍ଛଳ ତେବେ ତାକୁ ମାଗିବାରେ ସମସ୍ୟା ହୁଏନି । ମାତ୍ର ଏମିତି ବି କିଛି ସାଙ୍ଗ ଅଛନ୍ତି ଯେଉଁମାନେ ଅଭାବରେ ଥାଇ ବି ସାଙ୍ଗମାନଙ୍କୁ ସାହାଯ୍ୟ କରିବାକୁ ସଦା ପ୍ରସ୍ତୁତ । ହେଲେ ମନେରଖନ୍ତୁ ସବୁ ସାଙ୍ଗ ସେମିତି ନୁହଁନ୍ତି ।
ଆଜିକାଲିର ଏ ସ୍ବାର୍ଥର ଦୁନିଆରେ ଆଉ ସାଙ୍ଗ, ସାଙ୍ଗ ହୋଇ ନାହାନ୍ତି । ବନ୍ଧୁ ବଇରୀ ସାଜିଲେଣି । ସାଙ୍ଗର ସଂଜ୍ଞା ବଦଳିଲାଣି । ଏବେ ବିନା ସ୍ବାର୍ଥରେ ସାଙ୍ଗ ଆଉ କେହି ହେଉ ନାହାନ୍ତି । ଏତିକି ବେଳେ ଏହି ସାଙ୍ଗମାନଙ୍କୁ ନେଇ, ସାଙ୍ଗମାନଙ୍କ ଆଚରଣ- ଉଚାରଣ ନେଇ ଆସିଛି ସାଙ୍ଘାତିକ ତଥ୍ୟ । ସାଙ୍ଗମାନେ କେମିତି ବେଇମାନ ପାଲଟି ଯାଆନ୍ତି ତାର ଏକ ରିପୋର୍ଟ ଆସିଛି । ବନ୍ଧୁତା ଦିବସରେ ବନ୍ଧୁମାନଙ୍କୁ ନେଇ ଏ ରିପୋର୍ଟ ଶୁଣିବା ପରେ ଆପଣ ବି ଚକିତ ହୋଇଯିବେ ।
ବନ୍ଧୁତାରେ ଟଙ୍କା ଋଣ ଦେବା ଅତି ସାଧାରଣ କଥା । 'ଆରେ ସାଙ୍ଗ ଟିକେ ଦରକାର ଅଛି ହଜାରେ ଦେଲୁ, ଦିହଜାର ଦେଲୁ, ଦଶ ହଜାର ଦେଲୁ…' ଏମିତି କହି ଅନେକ ସାଙ୍ଗ ଟଙ୍କା ନିଅନ୍ତି । ନେଲାବେଳେ ତାରିଖ, ମାସ ଏବଂ ଠିକ୍ ସମୟରେ ଫେରାଇ ଦେବାକୁ ପ୍ରତିଶ୍ରୁତି ବି ଦିଅନ୍ତି । ହେଲେ ଫେରାଇଲା ବେଳକୁ ବଦଳିଯାଏ ପରିସ୍ଥିତି । ଦେଖା ଦର୍ଶନ ଦିଅନ୍ତିନି ସାଙ୍ଗ । ଟଙ୍କା ଫେରସ୍ତ କଥା କହିଲେ ବାଟ କାଟି କିଏ ପଳାନ୍ତି ପୁଣି… ‘ରହ ମ କାଲି ନେବୁ’ ‘ରହ ! ଟିକେ ସାଲାରୀଟା ଆସୁ ନେବୁ.. ଏତିକି ଟଙ୍କା ନେଇ ତୁ କଣ ଅମ୍ବାନୀ ହେଇଯିବୁନା’... ଭଳି କଥା ବି ଶୁଣିବାକୁ ମିଳେ । କେବଳ ଭାଗ୍ୟବାନମାନେ ହିଁ ଉଧାର ଟଙ୍କା ଫେରି ପାଆନ୍ତି ।
ଏକ ସର୍ଭେ ରିପୋର୍ଟରେ ଏହି କଡା ସତ୍ୟକୁ ପ୍ରକାଶ ପାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ପୁବିଟି ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଦେଖିବାକୁ ମିଳିଛି କି ୧୦୦ରୁ ୭୦ ଜଣ ସାଙ୍ଗ ଟଙ୍କା ନେଇ ଫେରାନ୍ତି ନାହିଁ । ୭୩% ଲୋକ କହିଛନ୍ତି ଯେ ସେମାନେ ସେମାନଙ୍କ ବନ୍ଧୁମାନଙ୍କୁ ଋଣ ଦେଇଥିବା ଟଙ୍କା ଫେରସ୍ତ ପାଇନାହାଁନ୍ତି। ଟଙ୍କା ମାଗିଲେ ଝଗଡ଼ା ହୁଏ, ଆଉ ଏହି ଋଣ ଟଙ୍କା ପାଇଁ ଝଗଡ଼ା ଅନେକ ବନ୍ଧୁତାକୁ ଶେଷ କରିଦିଏ । ତେଣୁ ସାବଧାନ ! ସାଙ୍ଗ ଠାରୁ ଟଙ୍କା ନେଉଥିଲେ ସମୟ ଅନୁସାରେ ଫେରାନ୍ତୁ, ଆଉ ଯେଉଁମାନେ ଟଙ୍କା ଦେଉଛନ୍ତି ଦେଖିଚାହିଁ ଦିଅନ୍ତୁ । ବିଶ୍ବାସୀ ବନ୍ଧୁ ଦେଖି ଦେବାକୁ ପରାମର୍ଶ ଦିଆଯାଇଛି ।