ଭୁବନେଶ୍ବର: ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ । ବାପୁଙ୍କ କଥାକୁ ଏବଂ ତାଙ୍କ ବିଚାର ଧାରାକୁ ନେଇ ଆଜି ସବୁଠି ଚର୍ଚ୍ଚା, ଆଲୋଚନା । ସମସ୍ତେ ଗାନ୍ଧୀଙ୍କ ନୀତି ଆଦର୍ଶ ମାନି ଚଳିବାକୁ ଆହ୍ବାନ ଦେଉଥିବା ବେଳେ ସତରେ କଣ ସମସ୍ତେ ଗାନ୍ଧୀଙ୍କ ଆଦର୍ଶରେ ଏବେ ଅନୁପ୍ରାଣିତ ହୋଇ ସମାଜରେ ବଞ୍ଚୁଛନ୍ତି କି ବୋଲି ପ୍ରଶ୍ନ ଉଠୁଛି । ସତ୍ୟ ଏବଂ ଅହିଂସାର ପଥକୁ ବାଛିଥିବା ବାପୁଙ୍କ କଥାକୁ କଣ ଆଜି ଆମେ ସତରେ ମାନୁଛେ ? ଏହା ନିଜକୁ ପଚାରିବାକୁ ପଡିବ ।
ସେପଟେ ନାରୀଟିଏ ଯେତେବେଳେ ରାତି ଅଧରେ ଏକୁଟିଆ ଘରକୁ ଫେରିପାରିବ ସେବେ ଯାଇ ସ୍ବାଧିନତାର ପ୍ରକୃତ ଅର୍ଥ ଏ ଦେଶ ଜାଣିପାରିବ ବୋଲି ଗାନ୍ଧୀଙ୍କୁ ନେଇ ଅନେକ ମଞ୍ଚରେ ଅନେକ ଆଲୋଚନାରେ ଗାନ୍ଧୀବାଦୀ ଚିନ୍ତାଧାରାର ଲୋକେ କହୁଥିବା ବେଳେ ସତରେ କଣ ଆଜି ଆମ ଦେଶରେ ନାରୀଟିଏ ଏକୁଟିଆ ରାତିରେ ବିନା ଡରରେ, ସୁରକ୍ଷିତ ଭାବେ ଘରେ ପହଞ୍ଚିପାରୁଛି କି ? ଯଦି ନା ତେବେ କଣ ଚାଲିଛି ଆମ ଭାରତରେ । ସଦ୍ୟତମ ଏନସିଆରବି ରିପୋର୍ଟ ଦେଶର ଅପରାଧର ଗୁମର ଫିଟାଇଛି । ଦେଶରେ ନାରୀଙ୍କ ପ୍ରତି ଅପରାଧ ବଢିଥିବା ବେଳେ ଆମ ଓଡିଶା ମହିଳା ବିରୋଧୀ ଅପରାଧ ମାମଲାରେ ୩ୟ ସ୍ଥାନରେ ରହିଛି । ଯାହା ଚିନ୍ତାଜନକ ।
ତେବେ ଗାନ୍ଧୀ ଯେଉଁ ଦେଶର ସ୍ବପ୍ନ ଦେଖିଥିଲେ ସତରେ କଣ ଆମେ ଏବେ ସେହି ଦେଶରେ ବଞ୍ଚୁଛେ କି… ନା ! ତାଙ୍କ ସ୍ବପ୍ନର ଭାରତ ଇଏ ନୁହେଁ, ତେଣୁ ହେ ବାପୁ ପୁଣି ଥରେ ଫେରିଆସ ଏ ମାଟିକୁ, ଭାରତକୁ ଆଉ ଥରେ ସଜାଡିବାକୁ… ବାପୁଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇ କବିତା ମାଧ୍ଯମରେ କିଛି ବାର୍ତ୍ତା…
ଦେଖ ଗାନ୍ଧୀ ଦେଖ...
ଗାନ୍ଧୀ ହେ ! ତୁମ ଦେଶରେ
କଣ ସବୁ ଘଟିଲାଣି
ଜାଣିବାକୁ ଚେଷ୍ଟା କରିଛ କି ଥରେ...?
ତୁମେ ଦେଖିଥିବା ସବୁ ସ୍ୱପ୍ନ ସମାଧି ନେଲାଣି
ଝିଅଟେ ରାତିର ଅନ୍ଧାର ତ ଦୂରର କଥା
ସ୍ପଷ୍ଟ ଦିବାଲୋକରେ ବି ଚାଲିବା କଷ୍ଟ ହେଲାଣି...
ଦେଖ ! ତୁମେ ତିଆରି ଥିବା
ଅହିଂସାର ପଥରେ ଆଜି
ହାଉଯାଉ ହିଂସ୍ରମଣିଷ
ତୁମେ ଗଢିଥିବା ଶାନ୍ତିର ଭାରତରେ
ଆଜି ଅଶାନ୍ତି, ଅରାଜକତାର ଅଗ୍ନି
ଅଣନିଃଶ୍ବାସୀ ଓ ଅସୁରକ୍ଷିତ ନାରୀ...
ବାପୁ ହେ !
ଯଦି ତମେ ଆଜି ଥାଆନ୍ତ
ଶହଶହ ମାଆର କାନ୍ଦ
କାନରେ ଶୁଣିପାରିନଥାନ୍ତ
ମାଆଟେ ଆଜି ତା ଝିଅ ପାଇଁ
ନିଜ ମାଆପଣିଆକୁ ଧିକାର କରୁଛି
ଝିଅକୁ ଶିକ୍ଷା ଦେବାରେ କେଉଁଠି
ଭୁଲ ରହିଗଲା ବୋଲି ଭାବୁଛି...
ତା ଝିଅ କାହିଁକି ଜଳୁଛି
କାହିଁକି ମରୁଛି ବୋଲି ସିଏ ଭାବୁଛି…
ପିଲାଦିନୁ ପର ପୁରୁଷଠୁ
ଦୂରେଇ ରହିବାକୁ ତ ଶିଖେଇଥିଲା
ଭଲ ସ୍ପର୍ଶ, ମନ୍ଦ ସ୍ପର୍ଶର ଫରକ ବି ବୁଝେଇଥିଲା
ଛାତିର ଉଚ୍ଚତା ବଢିଲେ
କେମିତି ସଂଯମ ହୋଇ ଚାଲିବାକୁ ପଡେ...?
ବାହ୍ୟଶକ୍ତି କବଳରୁ କେମିତି ଆତ୍ମରକ୍ଷା କରିହୁଏ...??
ପୋଷାକ କେମିତି ପିନ୍ଧାଯାଏ...???
କାହା ଲୋଲୁପ ନଜରରୁ କେମିତି ବର୍ତ୍ତିହୁଏ...????
ସେ ସବୁର ତ ସୂତ୍ର ଶିଖେଇଥିଲା...
ହେଲେ କାହିଁକି ଏମିତି ହେଲା...?????
ଦେହର ଭୋକ ମେଣ୍ଟାଇବାକୁ
ନାରୀର ଦେହ ଖୋଜୁଥିବା ମଣିଷ
ହିଂସାର ନିଆଁ ଲିଭାଇବାକୁ
କେମିତି ନାରୀକୁ ବାଛି ପାରିଲା ?
ନାରୀ- ନିଆଁ, ନୀର ନୁହେଁ
କଣ୍ଟାକୁ କଣ୍ଟାରେ କଢାଯାଏ
ହେଲେ ନିଆଁକୁ ନିଆଁରେ ଲିଭେଇ ହୁଏନା...
ଏକଥା ପାପୀମାନେ ମନେ ରଖିବା ଦରକାର
ସୈତାନମାନେ ଜାଣି ରଖିବା ଦରକାର...
ଗାନ୍ଧୀ ହେ !
ତମେ ଆଉ ଥରେ ଆସନ୍ତନି
ଅହିଂସାର ଅସ୍ତ୍ର ଧରି
ଦେଶକୁ ଦୁର୍ଦ୍ଦିନରୁ ରକ୍ଷା କରିବାକୁ
ଏ ସମାଜକୁ ପୁନଃଶ୍ଚ ସଜାଡ଼ିବାକୁ...🙏