ଭୁବନେଶ୍ବର: କିଛିବର୍ଷ ତଳେ କେତେକ ମୃଦୁ ପାନୀୟରେ ଅନୁମୋଦିତ ମାତ୍ରା ଠାରୁ ଅଧିକ କୀଟନାଶକ ରହିଥିବା ପରୀକ୍ଷାରୁ ଜଣାପଡ଼ିଥିଲା ଓ ସେତେବେଳେ ତାହା ବିଭିନ୍ନ ଗଣମାଧ୍ୟମର ଶିରୋନାମ ପାଲଟିଥିଲା। ତେବେ କେବଳ ମୃଦୁ ପାନୀୟ ନୁହେଁ ଗାଈକ୍ଷୀର ଓ ମାଆକ୍ଷୀରରେ ମଧ୍ୟ କୀଟନାଶକର ମାତ୍ରା ଥିବା ଜଣାପଡ଼ିଛି।
ଭାରତର ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟ (ସିଏସଇ) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଥିଲା ଯେ କୋକାକୋଲା ଓ ପେପ୍ସି ଭଳି ପ୍ରମୁଖ ବ୍ରାଣ୍ଡ୍ର ମୃଦୁ ପାନୀୟରେ କୀଟନାଶକର ମାତ୍ରା ୟୁରୋପୀୟ ସୁରକ୍ଷା ମାନକଠାରୁ ବହୁତ ଅଧିକ ରହିଛି। ଏଥିରେ ଅର୍ଗାନୋକ୍ଲୋରିନ୍ ଓ ଅର୍ଗାନୋଫସ୍ଫରସ୍ କୀଟନାଶକ ଯଥା ଡିଡିଟି, ଲିଣ୍ଡେନ୍, ମାଲାଥିଅନ ଓ କ୍ଲୋରପାଇରିଫୋସ୍ ଅନ୍ତର୍ଭୁକ୍ତ, ଯାହା କର୍କଟ ରୋଗ, ପ୍ରଜନନ ସମସ୍ୟା ଓ ସ୍ନାୟବିକ କ୍ଷତି କରିବା ସହ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିପାରେ। ଭୂତଳ ଜଳରେ କୀଟନାଶକ ଥିବାରୁ ଏବଂ ସେମାନେ ଏହି ଜଳ ବ୍ୟବହାର କରୁଥିବାରୁ ଏଥିରେ କୀଟନାଶକ ଥିବା ଗବେଷକମାନେ କହିଛନ୍ତି।
ଏକାଧିକ ଅଧ୍ୟୟନରୁ ଗାଈ କ୍ଷୀରରେ କୀଟନାଶକର ମାତ୍ରା ଦେଖିବାକୁ ମିଳିଛି, ବିଶେଷକରି ଅଧିକ କୃଷି କାର୍ଯ୍ୟକଳାପ ଥିବା ଅଞ୍ଚଳରେ। ଚିହ୍ନଟ ହୋଇଥିବା ସାଧାରଣ କୀଟନାଶକଗୁଡ଼ିକ ମଧ୍ୟରେ ରହିଛି- କ୍ଳୋରପାଇରିଫସ୍, ସାଇପରମେଥ୍ରିନ, ଡିଡିଟି ଓ ଏହାର ମେଟାବୋଲାଇଟ୍ସ, ଇମାଜାଲିଲ୍ ଓ ଏସିଟାମିପ୍ରିଡ୍। ଗାଈମାନେ ଖାଉଥିବା ଦୂଷିତ ଖାଦ୍ୟ ଓ ପିଉଥିବା ଦୂଷିତ ପାଣିରୁ ଏହା ସମ୍ଭବ ହୋଇଛି।
ଭାରତରେ ହୋଇଥିବା ଏକାଧିକ ଅଧ୍ୟୟନ (ଉଦାହରଣ ସ୍ୱରୂପ ବିହାରର ମହାରାଜଗଞ୍ଜ ଜିଲ୍ଲା)ରୁ ମାଆକ୍ଷୀରରେ କୀଟନାଶକ ଥିବା ଜଣାପଡିଛି, ଯାହା ଶିଶୁ ମୃତ୍ୟୁ ସହିତ ଜଡିତ। ଏପରିକି ନିରାମିଷାଶୀ ମା’ମାନଙ୍କ କ୍ଷୀରରେ ମଧ୍ୟ କୀଟନାଶକ ଥିଲା, ଯଦିଓ ଆମିଷଭୋଜୀଙ୍କ କ୍ଷୀରରେ ତିନି ଗୁଣ ଅଧିକ ଥିବା ଦେଖାଯାଇଥିଲା। ମାଆମାନେ ଖାଉଥିବା ଦୂଷିତ ଖାଦ୍ୟ (ପନିପରିବା, ମାଂସ) ଓ ପିଉଥିବା ଦୂଷିତ ଜଳ ଏହାର କାରଣ।
ପଶ୍ଚିମବଙ୍ଗ ଓ ପୂର୍ବ ଭାରତର ଗବେଷଣାରୁ ଜଣାପଡିଛି ଯେ ନଳକୂପ ପାଣିରେ କୀଟନାଶକର ଅବଶିଷ୍ଟାଂଶ ରହିଛି, ଯଦିଓ ସାଧାରଣତଃ ନଦୀ କିମ୍ବା ପୋଖରୀ ଜଳ ତୁଳନାରେ କମ୍ ସାନ୍ଦ୍ରତାରେ। ଚିହ୍ନଟ ହୋଇଥିବା କୀଟନାଶକ ମଧ୍ୟରେ ବୁଟାକ୍ଲୋର ଓ କ୍ଲୋରପାଇରିଫସ୍ ଅନ୍ତର୍ଭୁକ୍ତ ଥିଲା, ଯଦିଓ ସ୍ତର ପ୍ରାୟତଃ କ୍ଷତିକାରକ ସୀମାଠାରୁ କମ୍ ଥିଲା। ତେବେ ଭାରତ-ଗାଙ୍ଗେୟ ସମତଳ ଅଞ୍ଚଳରେ ନଳକୂପ ଜଳରେ ଆର୍ସେନିକ୍ ପ୍ରଦୂଷଣ ଏକ ପ୍ରମୁଖ ଚିନ୍ତାର ବିଷୟ।
ତେବେ ଏ ବିଷ ନଳକୂଅ ପାଣି, ନଳପାଣି, ଗାଈକ୍ଷୀର ଓ ମାଆକ୍ଷୀରକୁ ଆସୁଛି କେଉଁଠୁ? ଏଥିପାଇଁ ଦାୟୀ ଆମ ସରକାର, କୀଟନାଶକ ପ୍ରସ୍ତୁତକାରୀ ବୈଜ୍ଞାନିକ ଓ କମ୍ପାନି ଏବଂ ଏହାକୁ ବ୍ୟବହାର କରୁଥିବା ଚାଷୀ। ଧାନ, ଗହମ ବା ଅନ୍ୟାନ୍ୟ ଫସଲରେ ରୋଗପୋକ ଦମନ ଓ ଅଧିକ ଅମଳ ପାଇଁ କୃଷକମାନେ ବୈଜ୍ଞାନିକମାନଙ୍କ ପରାମର୍ଶରେ କ୍ଷେତରେ କୀଟନାଶକ ଓ ରାସାୟନିକ ସାର ପ୍ରୟୋଗ କରୁଛନ୍ତି। ଏହି କୀଟନାଶକର କିଛି ମାତ୍ରା କୀଟ ଦମନରେ ତ ସାହାଯ୍ୟ କରୁଛି, ମାତ୍ର ତା’ର ସିଂହଭାଗ ବୋହିଯାଇ ନଈ, ନାଳ, ପୋଖରୀ, ସମୁଦ୍ର ପାଣିରେ ମିଶୁଛି ଏବଂ ଭୂମିତଳ ପାଣିରେ ବି ମିଶୁଛି। ସେହି ବିଷାକ୍ତ ପାଣିକୁ ପିଇ ଜିଆ ପରି ଅନେକ ଉପକାରୀ କୀଟ, ପତଙ୍ଗ, ସରୀସୃପ ଓ ଚଢ଼େଇ ମରୁଛନ୍ତି। ରାସାୟନିକ ସାର ପ୍ରୟୋଗ ଦ୍ବାରା ମାଟି ଜିଆଶୂନ୍ୟ ଓ ଜୈବିକ ସାରଶୂନ୍ୟ ହୋଇ ତା’ର ପ୍ରାକୃତିକ ଉର୍ବରତା ହରାଇବସୁଛି। ମାଟି ଲାଞ୍ଚୁଆ ହେଉଛି। ବିନା ସାରରେ ସେଥିରେ ଆଉ କିଛି ହେଉନି। ପରିବେଶ ବିଗୁଡ଼ୁଛି। ଜୈବବିବିଧତା ନଷ୍ଟ ହେଉଛି। ଗାଈ, ମଇଁଷି ପ୍ରଭୃତି ବଡ଼ ଜୀବମାନେ ଏ ସାମାନ୍ୟ ବିଷମିଶା ପାଣି ପିଇ ମରୁନାହାନ୍ତି ସିନା, କିନ୍ତୁ ସେମାନଙ୍କ ଶରୀରକୁ ବିଷ ଯାଉଛି ଓ ସେମାନଙ୍କ କ୍ଷୀରରେ ବି ବିଷର ମାତ୍ରା ରହୁଛି। ମାଆ କ୍ଷୀର ବି ଏଥିରୁ ବାଦ୍ ପଡ଼ୁ ନାହିଁ। କାରଣ ମଣିଷ ବି ଭୂଇଁତଳ ପାଣିକୁ ପିଉଛି। ମଣିଷ ଖାଉଥିବା ସମସ୍ତ ଶସ୍ୟ, ଫଳମୂଳ ଓ ପନିପରିବାରେ ପ୍ରାୟତଃ ବିଷର ମାତ୍ରା ରହୁଛି।
ଜଳକୁ କୁହାଯାଏ ଜୀବନ। କ୍ଷୀର ନ ପିଇ ଆମେ ବଞ୍ଚିପାରିବା, କିନ୍ତୁ ପାଣି ନ ପିଇ ବଞ୍ଚିପାରିବା ନାହିଁ। ସେହିପରି ପବନର ଅନ୍ୟ ନାମ ପ୍ରାଣ। ପବନ ବିଶୁଦ୍ଧ ଓ ଯଥେଷ୍ଟ ଅମ୍ଳଜାନଯୁକ୍ତ ନ ହେଲେ ଆମ ପ୍ରାଣ ବଞ୍ଚିପାରିବ ନାହିଁ। ଏ ଦୁଇଟି ପ୍ରକୃତି-ପ୍ରଦତ୍ତ ଅମୃତ। ମଣିଷ ଆଜି ଏ ଅମୃତକୁ ବିଷରେ ପରିଣତ କରିବାରେ ଲାଗିଲାଣି। ତେଣୁ ଆଜିକାଲି ପାଣି ଓ ପବନରେ ହେଉଛି ସଂକ୍ରମଣ। କଳକାରଖାନାର ବର୍ଜ୍ୟଜଳ ନଈ-ସମୁଦ୍ରକୁ ଛାଡ଼ିଦିଆଯାଉଛି। କଳକାରଖାନା ଓ ଗାଡ଼ିଘୋଡ଼ାର ବିଷାକ୍ତ ବାଷ୍ପ ବାୟୁମଣ୍ଡଳକୁ ଯାଉଛି। ଏଣେ ରାସ୍ତା ନିର୍ମାଣ ଓ କଳକାରଖାନା ସ୍ଥାପନ ପାଇଁ ଅବିଚାରିତ ଭାବେ ଗଛ କଟାଯାଉଛି, ଯାହାଦ୍ବାରା ବାୟୁମଣ୍ଡଳ ବିଶୋଧିତ ହୋଇଥାନ୍ତା। ତେଣୁ ମଣିଷ ବିଷବଳୟରେ ରହୁଛି ଓ ତା’ର ରୋଗନିରୋଧକ କ୍ଷମତା ଧୀରେ ଧୀରେ କମିବାରେ ଲାଗିଛି। କରୋନା ପରି ମାରାତ୍ମକ ଭୂତାଣୁ ତାକୁ ସହଜରେ ଶିକାର କରୁଛି। ତେଣୁ ସରକାର, ନେତା, ବୁଦ୍ଧିଜୀବୀ ଓ ବୈଜ୍ଞାନିକମାନେ ‘ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ’ ପୋଷଣ କରନ୍ତୁ। ବିକାଶ ନାମରେ ବିନାଶକୁ ଆମନ୍ତ୍ରଣ ନ କରନ୍ତୁ ଏବଂ ରାସାୟନିକ ସାର ଓ କୀଟନାଶକ ବଦଳରେ ଜୈବିକ କୃଷିର ପୁନଃପ୍ରବର୍ତ୍ତନକୁ ପ୍ରୋତ୍ସାହନ ଦିଅନ୍ତୁ।
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ- ୭୦୦୮୯୬୦୫୦୨