ନୂଆଦିଲ୍ଲୀ: ୨୦୧୯ କଥା ତ ଆପଣ ସମସ୍ତଙ୍କର ମନେଥିବ... ଆଉ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ତ ଆପଣ ସମସ୍ତେ ଜାଣିଥିବେ । କାରଣ ୨୦୧୯ ମସିହାରେ ଅଭିନନ୍ଦନ ବର୍ଦ୍ଧମାନଙ୍କ ନାଁ ଘରେ ଘରେ ଶୁଣାଯାଉଥିଲା । ଯେତେବେଳେ ସେ ପାକିସ୍ତାନରେ ଅଟକ ଥିଲେ ଆଉ ତାଙ୍କୁ ପାକିସ୍ତାନ ଯେବେ ଛାଡିଥିଲା ସେବେ ଅଭିନନ୍ଦନ ବର୍ଦ୍ଧମାନଙ୍କ ଖବର ସାରା ବିଶ୍ବ ଜାଣିଥିଲା । ବାୟୁବୀରଙ୍କ ବୀରତ୍ବ ଭାରତରେ ଗୁଞ୍ଜିରିତ ହେଉଥିଲା ଆଉ ତାଙ୍କ ନିଶକୁ ନେଇ ଚର୍ଚ୍ଚା ହେଉଥିଲା । ଆପଣ ଭାବୁଥିବେ ୫ ବର୍ଷ ପରେ ହଠାତ୍ ଆମେ କଣ ପାଇଁ ଅଭିନନ୍ଦନ ବର୍ଦ୍ଧମାନଙ୍କ କଥା କହିଲୁ, ତାଙ୍କ ବୀରତ୍ବର କଥାକୁ କାହିଁକି ମନେପକାଇଲୁ... ଅଛି ଆଜ୍ଞା ମନେପକାଇବାର କାରଣ ବି ଅଛି । ଯେବେଯେବେ ବୀର ଯବାନଙ୍କୁ ନେଇ ପାକିସ୍ତାନ କଥା ଉଠିବ ଆଉ ପାକିସ୍ତାନ ଅଟକ ରଖିଥିବା ଆମ ବୀରଙ୍କୁ ସ୍ବହସ୍ତରେ ହସ୍ତାନ୍ତର କରିବ ସେବେସେବେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ କଥା ମନେପଡିବ, ତାଙ୍କ ବୀରତ୍ବର କଥା ପୁଣି ଲେଖାଯିବ । କାରଣ ଶତ୍ରୁ ମାଟିରେ ଶତ୍ରୁଙ୍କୁ ସାହସର ସହ ସାମ୍ନା କରି ନିଶ ମୋଡି ଶତ୍ରୁ ଦେଶୁ ସ୍ବଦେଶ ଫେରିଥିବା ବୀର ହେଉଛନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ । ଆଉ ଆଜି ଯେତେବେଳେ ବିଏସଏଫ ଯବାନ ପୂର୍ଣ୍ଣମ୍ କୁମାର ସ’ଙ୍କୁ ପାକିସ୍ତାନ ମୁକ୍ତ କରିଛି ସେତେବେଳେ ଅଭିନନ୍ଦନ ବର୍ଦ୍ଧମାନଙ୍କ କଥା ମନେପଡିଛି ।

Advertisment

୨୦୧୯ ଫେବୃୟାରୀ ୧୪ ତାରିଖ ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫ୍ ଗାଡି ଉପରକୁ ଆତଙ୍କବାଦୀ ଆକ୍ରମଣ କରିଥିଲେ ଯେଉଁଥିରେ ୪୦ ଜଣ ଯବାନ ସହିଦ୍ ହୋଇଯାଇଥିଲେ । ଏହି ଆକ୍ରମଣର ୧୩ ଦିନ ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ପଶି ଆତଙ୍କୀ କ୍ୟାମ୍ପକୁ ଟାର୍ଗେଟ୍ କରିଥିଲେ । ଏହାର ପରଦିନ ପାକିସ୍ତାନ ବାୟୁସେନା ଭାରତୀୟ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ମିଗ୍-୨୧ ବାଇସନ୍ ରେ ପାକ୍ ର ଏଫ୍-୧୬ ଲଢୁଆ ବିମାନକୁ ମାରି ଗଡାଇଥିଲେ । 

କିନ୍ତୁ ଏହି ଆକ୍ରମଣରେ ଅଭିନନ୍ଦନଙ୍କ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା ଯେଉଁଥି ପାଇଁ ତାଙ୍କୁ ପାରାଶ୍ୟୁଟ୍ ବ୍ୟବହାର କରିବାକୁ ପଡିଥିଲା । କିନ୍ତୁ ଭାରତ ବଦଳରେ ଅଭିନନ୍ଦନ ପାକ୍ ସୀମାରେ ଭୁଲବଶତଃ ଚାଲିଯାଇଥିଲେ । ଯାହାପରେ ତାଙ୍କୁ ସ୍ଥାନୀୟ ଲୋକ ଧରି ମାରପିଟ୍ କରିବା ସହ ପାକ୍ ସେନାକୁ ହସ୍ତାନ୍ତର କରିଥିଲେ । କିନ୍ତୁ ପାକିସ୍ତାନରେ ୫୬ ଘଣ୍ଟା ରହିବା ପରେ ଅନ୍ତରାଷ୍ଟ୍ରୀୟ ଚାପ ଯୋଗୁଁ ସେ ସ୍ୱଦେଶ ବାହୁଡିଥିଲେ ।

ଆଉ ଏବେ ଭାରତର ଅପରେସନ ସିନ୍ଦୂର ଜରିଆରେ ବିରାଟ ଆକ୍ସନ ପରେ ଭୟରେ ପାକିସ୍ତାନ ବିଏସଏଫ ଯବାନଙ୍କୁ ଛାଡ଼ିଛି । ବିଏସଏଫ ଯବାନ ପୂର୍ଣ୍ଣମ୍ କୁମାର ସ’ଙ୍କୁ ଭାରତକୁ ହସ୍ତାନ୍ତର କରିଛି ପାକିସ୍ତାନ । ୱାଘା-ଅଟାରୀ ବର୍ଡର ଦେଇ ଭାରତ ଫେରିଛନ୍ତି ବିଏସଏଫ ଯବାନ ପୂର୍ଣ୍ଣମ୍ କୁମାର । ସେ ପଞ୍ଜାବ ଫିରୋଜପୁର ସେକ୍ଟରରେ ମୁତୟନ ଥିବା ବେଳେ ୨୩ ଏପ୍ରିଲରେ ଭୁଲ ବଶତଃ ପାକିସ୍ତାନ ସୀମା ଅତିକ୍ରମ କରିଥିବାରୁ ତାଙ୍କୁ ଅଟକ ରଖିଥିଲା ପାକିସ୍ତାନ । ପହଲଗାମ୍ ଆକ୍ରମଣର ଠିକ୍ ପରଦିନ ତାଙ୍କୁ ପାକିସ୍ତାନ ରେଞ୍ଜର ଅଟକ ରଖିଥିଲେ । ପହଲଗାମ୍ ପ୍ରତିଶୋଧ ନେବାକୁ ଭାରତ ପଣ କରିଥିବା ବେଳେ ଏହି ସମୟରେ ହିଁ ଯବାନଙ୍କୁ ଅଟକ ରଖି ପାକିସ୍ତାନ ଭାରତକୁ ଚାପ ପକାଇବାକୁ ଭାବୁଥିବା ବେଳେ ଭାରତ କିନ୍ତୁ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନର ଅଣ୍ଟା ଭାଙ୍ଗିଦେଲା । 

କୂଟନୈତିକ ସ୍ତରରେ ଚାପ ଏବଂ ସିଧାସଳକ ଆକ୍ରମଣ କରି ପାକିସ୍ତାନକୁ ପଙ୍ଗୁ କରିଦେଲା । ଆଉ ପରେ ବାଧ୍ୟ ହୋଇ ସ୍ଥିତି ସୁଧାରିବାକୁ ଯେବେ ପାକିସ୍ତାନ ମୁଣ୍ଡନୁଆଁଇଲା ସେବେ ଭାରତ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ କଲା । ଆଉ ଅସ୍ତ୍ରବିରତି ପରେ ପରେ ହିଁ ଯବାନଙ୍କୁ ଅଟକ ରଖିବାର ୨୧ଦିନ ପରେ ଶେଷରେ ତାଙ୍କୁ ଛାଡିଛି ପାକିସ୍ତାନ । ଅଭିନନ୍ଦନ ଏବଂ ପୂର୍ଣ୍ଣମ୍ କାହାଣୀ ଯଦିଓ ଏକାପରି ନୁହେଁ ମାତ୍ର ସେମାନଙ୍କ ପାକିସ୍ତାନରୁ ପ୍ରତ୍ୟାବର୍ତ୍ତନ ଏକାପରି... ବୀର ଭଳି... ଜୟ ଭାରତ, ଜୟ ଯବାନ...