ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନରେ ଆଜି ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ପଦ୍ମ ପୁରସ୍କାର ବିଜେତାଙ୍କୁ ପୁରସ୍କାର ଦିଆଯାଇଥିଲା | ତେବେ ଏହି କାର୍ଯ୍ୟକ୍ରମରେ ଏମିତି ଜଣେ ବ୍ୟକ୍ତି ପୁରସ୍କାର ଗ୍ରହଣ କରିବାକୁ ଆସିଥିଲେ, ଯିଏ ପୁରସ୍କାର ଗ୍ରହଣ କରିବାବେଳେ ସାରା ଭବନ କରତାଳିରେ ପ୍ରକମ୍ପିତ ହୋଇଥିଲା | ଏହି ବ୍ୟକ୍ତି ଜଣକ ହେଉଛନ୍ତି କର୍ଣ୍ଣାଟକର କମଳା ବିକ୍ରେତା ହରେକଲା ହଜବା | ତେବେ ଖାଲି ପାଦରେ ଯାଇ ପୁରସ୍କାର ଗ୍ରହଣ କରିଥିବା ହରେକଲାଙ୍କୁ କେବଳ କମଳା ଦୋକାନୀ କହିଲେ ଖୁବ କମ ହେବ | କାରଣ ସେ କିଛି ଏଭଳି କାମ କରିଛନ୍ତି ଯାହାକି ଶିକ୍ଷାର ଦିଗକୁ ବଦଳାଇଦେଇଛି |
କର୍ଣ୍ଣାଟକ ମାଙ୍ଗାଲୋରର କମଳା ବିକ୍ରେତା ତାଙ୍କ ଗ୍ରାମରେ ଏକ ବିଦ୍ୟାଳୟ ନିର୍ମାଣ ପାଇଁ ନିଜର ସମସ୍ତ ସଞ୍ଚିତ ଅର୍ଥକୁ ଖର୍ଚ୍ଚ କରିଥିଲେ | ସେ ମାଙ୍ଗାଲୋର ସହରଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ହରେକଲା ଗ୍ରାମରେ କମଳା ବିକ୍ରି କରନ୍ତି | ସେ ତାଙ୍କ ବ୍ୟବସାୟରୁ ଟଙ୍କା ସଞ୍ଚୟ କରି ଗାଁର ପିଲାମାନଙ୍କ ପାଇଁ ଏକ ବିଦ୍ୟାଳୟ ନିର୍ମାଣ କରିଥିଲେ। ଗାଁରେ ସ୍କୁଲ ନ ଥିବାରୁ ହରେକଲାଙ୍କ ପାଠପଢା ହୋଇପାରିନଥିଲା |
ଆଉ ଗ୍ରାମର ପିଲାମାନେ ଯେଭଳି ତାଙ୍କ ଭଳି ଅଶିକ୍ଷିତ ହୋଇ ନ ରହିଯାଆନ୍ତୁ ସେଥିପାଇଁ ସେ ନିଜର ସମସ୍ତ ସଞ୍ଚିତ ଅର୍ଥରେ ବିଦ୍ୟାଳୟ ନିର୍ମାଣ କରିଥିଲେ । ୧୯୯୫ ମସିହାରେ ସେ ଏହି ପ୍ରୟାସ ଆରମ୍ଭ କରିଥିଲେ | ୨୦୦୦ ମସିହାରେ ହରେକଲା ହଜବା ତାଙ୍କର ସମସ୍ତ ସଞ୍ଚିତ ଅର୍ଥକୁ ବିନିଯୋଗ କରି ଏକ ଏକର ଜମିରେ ବିଦ୍ୟାଳୟ ନିର୍ମାଣ କରିଥିଲେ।
କାହିଁକି ମୁଣ୍ଡକୁ ଆସିଥିଲା ସ୍କୁଲ ନିର୍ମାଣ ଚିନ୍ତା
ହରେକଲାଙ୍କ କହିବା ମୁତାବକ ବହୁ ବର୍ଷ ପୂର୍ବେ, ଯେତେବେଳେ ଜଣେ ବିଦେଶୀ ପର୍ଯ୍ୟଟକ ତାଙ୍କୁ ଇଂରାଜୀରେ କମଳାର ମୂଲ୍ୟ ପଚାରିଲେ, ସେ ବୁଝିପାରିନଥିଲେ ଏବଂ ଲଜ୍ଜିତ ଅନୁଭବ କରିଥିଲେ | ତାଙ୍କ ଗାଁ'ର ପିଲାମାନେ ସେମାନଙ୍କର ଶିକ୍ଷା ଅଧିକାରରୁ ବଞ୍ଚିତ ହୋଇରହୁଥିଲେ। ତାଙ୍କ ଭଳି ଯେମିତି କେହି ଅପାଠୁଆ ହୋଇ ନ ରହନ୍ତୁ ସେଥିପାଇଁ, ସେଦିନ ଏକ ସ୍କୁଲ କରିବାକୁ ପ୍ରତିଜ୍ଞା କରିଥିଲେ | ଆଜି ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଯାଏଁ ୧୭୫ ଜଣ ଛାତ୍ର/ଛାତ୍ରୀ ପାଠ ପଢୁଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/136ebd47-b598-4295-9018-d7e9de68abbd.jpg)