ଭୁବନେଶ୍ବର: ୨୦୨୩ ପାଇଁ ଘୋଷଣା ହୋଇଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ୭୧ତମ ଜାତୀୟ ପୁରସ୍କାର ଗତ ଶୁକ୍ରବାର ଦିନ ଘୋଷଣା ହୋଇଥିବା ବେଳେ ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମିଳିବ ଜାତୀୟ ପୁରସ୍କାର । ଯାହା ଓଡିଆ ସିନେ ଜଗତ ପାଇଁ ଏକ ଖୁସିର ଖବର ହୋଇଥିବା ବେଳେ ଇତିମଧ୍ଯରେ ଆଉ ଏକ ସୁସମ୍ବାଦ ସିନେପ୍ରେମୀଙ୍କ ମୁହଁରେ ଫୁଟାଇଛି ହସ । ସିନେ ଜଗତର ସ୍ବର୍ଣ୍ଣିମ ଅଧ୍ୟାୟରେ ଯୋଡ଼ିଛି ନୂଆ ଏକ ସୁନେଲୀ ଫର୍ଦ୍ଦ । ଆଉ ସେହି ପୃଷ୍ଠା ଯୋଡ଼ି ଦେଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ନିଜ ସହ ନିଜ ରାଜ୍ୟ ପାଇଁ ପ୍ରକୃତି ଆଣିଛନ୍ତି ଗୌରବ, ସାଉଁଣ୍ଟିଛନ୍ତି ପ୍ରଶଂସା ।

Advertisment

ନିଜ ଅଭିନୟର ଯାଦୁ ଦେଖାଇ ପୂର୍ବରୁ ପ୍ରକୃତି ଜାତୀୟ ସ୍ତରରେ ପୁରସ୍କାର ପାଇଥିବା ବେଳେ ଏବେ ଜାତୀୟସ୍ତରରେ ଜୁରି ଭାବେ ଏକ ଦାୟିତ୍ବପୂର୍ଣ୍ଣ ଭାର ସମ୍ଭାଳି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବା ସହ ଜାତୀୟ ସ୍ତରରେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି । ହଁ ଆଜ୍ଞା ! ଅଭିନେତ୍ରୀ ପ୍ରକୃତି ମିଶ୍ର ଦେଶର ସର୍ବକନିଷ୍ଠ ଜୁରି ସଦସ୍ୟ ଭାବେ ଦାୟିତ୍ବ ତୁଲାଇଛନ୍ତି । ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ ଫିଚର ଫିଲ୍ମ ବର୍ଗ ପାଇଁ କେନ୍ଦ୍ରୀୟ ପ୍ୟାନେଲରେ ସେ ଜୁରି ସଦସ୍ୟ ରହିଛନ୍ତି । କେନ୍ଦ୍ରୀୟ ଜୁରି ପ୍ୟାନେଲରେ ଥିବା ୧୧ ଜଣ ସଦସ୍ୟଙ୍କ ମଧ୍ୟରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଥିବା ବେଳେ କମ୍ ବୟସରୁ ଏତେ ବଡ଼ ସଫଳତା ପାଇ ସେ ଓଡିଶାର ନାଁକୁ ଜାତୀୟ ସ୍ତରରେ ଉଚ୍ଚା କରିଛନ୍ତି ।

GxQ4z7maIAQJhL0

ଖାଲି ସେତିକି ନୁହେଁ ପ୍ରଥମ କରି ଜଣେ ଓଡିଆ ମହିଳା ଅଭିନେତ୍ରୀ ଭାବେ ପ୍ରକୃତି ୧୧ ଜଣିଆ ଚୟନ କିମିଟିରେ ସ୍ଥାନ ପାଇଥିବାରୁ ଏହା ଓଡିଶା ପାଇଁ ଗର୍ବର ବିଷୟ । ୨୦୨୩ ପାଇଁ ଯେଉଁ ଓଡିଆ ଚଳଚ୍ଚିତ୍ର ଜାତୀୟ ପୁରସ୍କାର ପାଇବା ନିମନ୍ତେ ମନୋନୀତ ହୋଇଛି ସେହି ପୁରସ୍କାର ମନୋନୟନରେ ଜୁରି ଭାବେ ରହିଥିଲେ ଓଡିଶାର ଅଭିନେତ୍ରୀ ପ୍ରକୃତି ମିଶ୍ର । ତେବେ କେମିତି ଥିଲା ତାଙ୍କର ଏହି ସର୍ବକନିଷ୍ଠ ଜୁରି ଭାବେ ଯାତ୍ରା… ଓଡିଶା ଫେରିବା ପରେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ରାମକୃଷ୍ଣ ବାରିକ ।

WhatsApp Image 2025-08-04 at 16.48.12

ଅଳ୍ପ ଆଳାପ: ପ୍ରକୃତିଙ୍କୁ ପାଞ୍ଚ ପ୍ରଶ୍ନ...

ପ୍ରଶ୍ନ- ଜାତୀୟ ଚଳଚ୍ଚିତ୍ର ପୁରସ୍କାର କମିଟିରେ ଦେଶର ସର୍ବକନିଷ୍ଠ ଜୁରି ହେବା ପରେ ପ୍ରଥମ ପ୍ରତିକ୍ରିୟା କଣ ?
ଉତ୍ତର- ସମସ୍ତଙ୍କୁ ଧନ୍ୟବାଦ ! ଏହା କେବଳ ସମ୍ଭବ ହୋଇ ପାରିଛି ଓଡିଶାବାସୀଙ୍କ ଭଲପାଇବା ଏବଂ ଆଶୀର୍ବାଦ ପାଇଁ । ଯେତେବେଳେ ମୋ ନାଁ ଆସିଲା ସେତେବେଳେ ମୁଁ ବହୁତ ଖୁସି ହୋଇଥିଲି । ନିଜ ଭିତରର ଆତ୍ମବିଶ୍ବାସ ଆହୁରି ବଢିଗଲା । ୪ ବର୍ଷ ବୟସରୁ ମୁଁ ଅଭିନୟ ଦୁନିଆରେ କାମ କରୁଛି । ଓଡ଼ିଆ ସିନେମାକୁ ମୁଁ ଠିକ୍ ଢଙ୍ଗରେ ଉପସ୍ଥାପନ କରି, ଓଡ଼ିଶା ପାଇଁ କିଛି କରିଥିବାରୁ ମୁଁ ବହୁତ ଖୁସି । ଆଉ ଏହା ମୋ ପାଇଁ ଏକ ଗର୍ବ ଓ ଗୌରବର ମୁହୂର୍ତ୍ତ ।

ପ୍ରଶ୍ନ- ଚୟନ ପ୍ରକ୍ରିୟାରେ ଆପଣଙ୍କର ଭୂମିକା କଣ ଥିଲା ?
ଉତ୍ତର- ଚୟନ ପ୍ରକ୍ରିୟାର ସବିଶେଷ ତଥ୍ୟ ତ କହିହେବନି କିନ୍ତୁ ୧୧ ଜଣିଆ କେନ୍ଦ୍ରୀୟ କମିଟି ଥାନ୍ତି, ସେଠି ସିନେମାକୁ ନେଇ ତର୍କବିତର୍କ ହୁଏ । ଏଥର ଯୁବ ସୃଜନଶୀଳ ପ୍ରତିଭାକୁ ଗୁରୁତ୍ବ ଦିଆଯାଇଥିଲା । ଯେଉଁଠି ମୁଁ ହିଁ ଥିଲି ଦେଶର ସର୍ବକନିଷ୍ଠ ।

ପ୍ରଶ୍ନ- ଅନ୍ୟ ବରିଷ୍ଠମାନେ ଥାଇ ବି ଆପଣଙ୍କୁ କାହିଁକି ପ୍ୟାନେଲ ପାଇଁ ଚୟନ କରାଗଲା ?
ଉତ୍ତର- ସେ କଥା ସେମାନେ କହିପାରିବେ (ହସିହସି).. ଯେହେତୁ ମୁଁ ପିଲା ବେଳୁ ସିନେମା ପାଇଁ କାମ କରି ଆସୁଛି । ଖାଲି ଓଡିଆ ନୁହେଁ ହିନ୍ଦୀ ପାଇଁ ବି କାମ କରିଛି ଆଉ ‘ହେଲୋ ଆରସି’ ପାଇଁ ଯେହେତୁ ବିଜେତା ଥିଲି ତେଣୁ ବୋଧହୁଏ ସେମାନେ ମୋ ନାଁକୁ ବାଛିଥାଇ ପାରନ୍ତି । ମୁଁ ସିନେମାକୁ ନେଇ ବଞ୍ଚେ, ସିନେମା ମୋ ଦୁନିଆ, ମୁଁ କାମରେ ସବୁବେଳେ ବିଶ୍ବାସ କରେ । ଯେତେବେଳେ ଚୟନ ପ୍ରକ୍ରିୟାରେ ମତେ ସୁଯୋଗ ମିଳିଲା ମୁଁ ହଁ ଭରିଥିଲି । କାରଣ ଏହା ମୋ ପାଇଁ ଥିଲା ଗର୍ବର କଥା, ଯାହାକୁ ମୁଁ ଦାୟିତ୍ବର ସହ ତୁଲାଇଛି । ସବୁ ଜଗନ୍ନାଥଙ୍କ ଆଶୀର୍ବାଦ ।

ପ୍ରଶ୍ନ- ପ୍ରକୃତି ଅଧିକ ସଂଗୀତକୁ ଭଲପାଆନ୍ତି ନା ଅଭିନୟକୁ ?
ଉତ୍ତର- ଜଣେ କଳାକାର ପାଇଁ କଳାକୁ ନେଇ କେବେ ପାତରଅନ୍ତର ନଥାଏ । ଭଗବାନ ଦୁଇଟା କଳା ଦେଇଛନ୍ତି । ମୁଁ ଖାଲି ଗୀତ ଗାଏନି କି ଅଭିନୟ କରେନି ମୁଁ ନୃତ୍ୟ ମଧ୍ୟ କରେ । ଜୀବନରେ ସବୁକିଛି ସମାନ୍ତରାଳ ଭାବେ ଚାଲିଛି । ଯାହାକୁ ଯେତେବେଳେ ସମ୍ମାନ ମିଳିବା କଥା ମିଳୁଛି ।

ପ୍ରଶ୍ନ- ଓଡ଼ିଆ ସିନେମାର ଭବିଷ୍ୟତ କଣ ?
ଉତ୍ତର- ଓଡ଼ିଆ ସିନେମା ବହୁତ ଆଗକୁ ଆସି ସାରିଛି । ‘ପୁଷ୍କରା’କୁ ପାଇଛି ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର । ତା ପାଇଁ ବି ମତେ ଲଢ଼ିବାକୁ ସୁଯୋଗ ମିଳିଛି, ମୁଁ ଖୁସି କି ଓଡିଆ ସିନେମା ପାଇଁ କିଛି କରିପାରିଛି ।

ତେବେ ପିଲା ବେଳୁ ପ୍ରକୃତି ଶିଶୁ କଳାକାର ଭାବେ ‘ସାବତମାଆ’ ଏବଂ ’ସୁନା ପଞ୍ଜୁରୀ’ରୁ କ୍ୟାରିୟର ଆରମ୍ଭ କରିଛନ୍ତି । ତୁଳସୀ ମେଗା ଧାରାବାହିକରୁ ତାଙ୍କ ଅଭିନୟର ଯାଦୁ ଦେଖିଛନ୍ତି ଦର୍ଶକ । ଏକ ସଙ୍ଗୀତମୟ ପରିବାରରୁ ଜନ୍ମ ନେଇଥିବା ପ୍ରକୃତି ଗୀତ, ନୃତ୍ୟ ଏବଂ ଅଭିନୟରେ ପାରଙ୍ଗମ ଥିବା ବେଳେ ସବୁଠି ଛାଡି ଚାଲିଛନ୍ତି ନିଜର ସ୍ବତନ୍ତ୍ର ଛାପ । ତାଙ୍କର ଏହି ସଫଳତା ଓଡ଼ିଶା ପାଇଁ ନିଶ୍ଚିତ ଭାବେ ଗର୍ବର ମୁହୂର୍ତ୍ତ ।