ନାସିକ: କଥାରେ ଅଛି ଇଛା ଥିଲେ ଉପାୟ ଆପେ ଆପେ ଆସେ। ଆମେ ଏହି କଥା ପୂର୍ବରୁ ଅନେକ ବାର ଶୁଣିଛେ। ଏବେ ସେ କଥା ସତ ବୋଲି ପ୍ରମାଣ ବି ହୋଇସାରିଛି। ଏକ ଦିବ୍ୟାଙ୍ଗ ଦମ୍ପତି ସେମାନଙ୍କ ଇଚ୍ଛାଶକ୍ତି ବଳରେ କିପରି ଅତ୍ୟନ୍ତ ଆନନ୍ଦ ସହକାରେ ନିଜ ଜୀବନର ରଥ ଆଗକୁ ନେଇ ଚାଲିଛନ୍ତି ତାହା ଆପଣ ଭିଡିଓଟିକୁ ଦେଖିବା ପରେ ଜାଣିପାରିବେ।
ନିକଟରେ ଇଣ୍ଟର୍ନେଟ୍ରେ ଭାଇରାଲ୍ ହୋଇଥିବା ଭିଡିଓ ଖାଲି ଆପଣଙ୍କୁ ଚକିତ କରିବନି ବରଂ ଅନୁପ୍ରେରିତ ବି କରିବ। ଭିଡିଓଟିକୁ ଇଣ୍ଟର୍ନେଟ୍ରେ ଅନେକ ଲୋକ ପସନ୍ଦ କରୁଛନ୍ତି। ସେଥିରେ ଏବେ ସୁଦ୍ଧା ମିଲିୟନ୍ରୁ ଅଧିକ ଭିୟୁ ହୋଇ ସାରିଲାଣି।
View this post on Instagram
ଭିଡିଓରେ ଦେଖିବାକୁ ମିଳିଛି ଯେ ଉଭୟ ସ୍ବାମୀସ୍ତ୍ରୀ ମିଶି ଏକ ଗୁପ୍ଚୁପ୍ ଷ୍ଟଲ୍ ପକାଇ ଗୁପ୍ଚୁପ୍ ବିକ୍ରି କରୁଛନ୍ତି। ନିଆରା କଥା ହେଉଛି, ସେ ଦୁଇ ଜଣକ ଯାକ ଦିବ୍ୟାଙ୍ଗ। ହେଲେ ସେମାନେ ନିଜର ଦୁର୍ବଳତା ହେତୁ ଅନ୍ୟ ଉପରେ ବୋଝ ହେବାକୁ ଦେଇନାହାନ୍ତି। ପେଟ ପୋଷିବାରେ ନିଜେ ହିଁ ବାଛିଛନ୍ତି ନିଜ ରାସ୍ତା।
ଏହି ମୁକ-ବଧିର ଦମ୍ପତି ହେଉଛନ୍ତି ମହାରାଷ୍ଟ୍ରର ନାସିକର। ଯଦିଓ ସେମାନେ ଦୁହେଁ କିଛି କହିପାରନ୍ତିନି କି ଶୁଣିପାରନ୍ତିନି ମାତ୍ର ସେମାନେ ସୋମାନଙ୍କ ଗ୍ରାହକଙ୍କ ସହ ଯୋଗାଯୋଗ କରିବାରେ ଆଦୌ ବିଫଳ ହୁଅନ୍ତି ନାହିଁ। ସେମାନେ ନିଜ ହାତର ଭଙ୍ଗୀ ଓ ମୁହଁର ଇଶାରାରେ ଗ୍ରାହକମାନଙ୍କୁ ଗୁପ୍ଚୁପ୍ ରାଗ କି ମିଠା କି ଅନ୍ୟ କେଉଁ ସ୍ବାଦ ଦରକାର ତାହା ପଚାରି ବୁଝିନିଅନ୍ତି। ସେହି ଅନୁସାରେ ସେମାନଙ୍କ ପସନ୍ଦର ସ୍ବାଦ ସହ ପରଶି ଦିଅନ୍ତି, ଯାହାକି ଆପଣ ଭିଡିଓରେ ଦେଖିପାରୁଥିବେ।