ଭୁବନେଶ୍ବର: ନଈ ବିନା କିଛି ନାହିଁ… ନଦୀ ବିନା ଜୀବନ ଅଧୁରା, ଜୀବିକା ବି ଅଧୁରା । ନଈ ଜୀବନଜୀବିକାର ମାଧ୍ଯମ ହୋଇଥିବା ବେଳେ ଏହାକୁ ଜୀବନ ରେଖା ବୋଲି ବି କୁହାଯାଏ । କାରଣ ନଦୀ ବିନା ସଭ୍ୟତା ଓ ଜନବସତି ଅସମ୍ଭବ । ନଦୀ ଆମ ସଂସ୍କୃତି ଓ ପ୍ରକୃତିର ଅବିଚ୍ଛିନ୍ନ ଅଂଶ । ଆଗରୁ ନଦୀ ଉପରେ ଜୀବନ ଜୀବିକା ନିର୍ଭର କରୁଥିବା ବେଳେ ନଦୀପଥ ଥିଲା ପରିବହନର ଏକମାତ୍ର ମାର୍ଗ। ନଦୀକୂଳରେ ଗଢି ଉଠିଲା ସଭ୍ୟତା । ଯଦିଓ ଆଧୁନିକତାର ସ୍ପର୍ଶରେ ବଦଳିଛି ଦୁନିଆ। ତଥାପି ଲୋକେ ଅନେକ ସ୍ଥାନରେ ନଦୀ ଉପରେ ନିର୍ଭରଶୀଳ। ଓଡ଼ିଶାରେ ମହାନଦୀ ହେଉଛି ଆମ ଜୀବନରେଖା। ମହାନଦୀ ହେଉ କି ଅନ୍ୟ ନଦୀ ଲୋକେ ଏବେବି ନିର୍ଭରଶୀଳ । ଚାଷ, କାରଖାନା, ବିଦ୍ୟୁତ ପରି ଅନେକ ବଡ଼ ବଡ଼ ପ୍ରକଳ୍ପ ନଦୀ ପାଇଁ ହିଁ ସମ୍ଭବ ହୁଏ । 

Advertisment

555746825_4250625905179693_3179578890737852028_n

ଭାରତ ହେଉଛି ନଦୀ ମାତୃକା ଦେଶ। ଏଠି ନଦୀକୁ ଦେବୀ ଭାବେ, ମାଆ ରୂପେ ପୂଜା କରାଯାଏ। ନଦୀ ପବିତ୍ରତାର ପ୍ରତୀକ, ଯାହାର ବଡ଼ ଉଦାହରଣ ଗଙ୍ଗା। ଗଙ୍ଗା ନଦୀକୁ ଭାରତର ଆତ୍ମା ବୋଲି ବି କୁହାଯାଏ। ତଥାପି ନଦୀ ଏବେ ଅବହେଳିତ, ନଦୀ ଏବେ ପ୍ରଦୂଷିତ । ବିଭିନ୍ନ କାରଣରୁ ହେଉ କି ଜାଣି ଜାଣି ହେଉ ନଦୀକୁ ବିଭିନ୍ନ ସ୍ଥାନରେ ମାରିଦିଆଯାଉଛି । ନଦୀକୁ ପୋତି ବଡ଼ ବଡ଼ କାରଖାନା, କୋଠା ସବୁ କରାଯାଉଛି । ଭାରତରେ ୪୦୦ରୁ ଅଧିକ ବଡ଼ ନଦୀ ଏବଂ ଓଡ଼ିଶାରେ ୧୨ରୁ ଅଧିକ ବଡ଼ ନଦୀ ଥିବା ବେଳେ ଏସବୁ ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ପ୍ରଦୂଷିତ ହେଉଛି । ଅନେକ ସମୟରେ ନଦୀକୁ ଜାଣିଶୁଣି ବି ପ୍ରଦୂଷିତ କରାଯାଉଛି। ଅନେକ ସ୍ଥାନରେ ନଦୀ ଗତିପଥ ବଦଳାଇ ବି ଦେଉଥିବା ନଜିର ରହିଛି । 

Screenshot 2025-10-13 210849

ଅନ୍ୟପଟେ ନଦୀ ସବୁକିଛି ସହୁଛି ହେଲେ କେବେ ପ୍ରତିବାଦ କରୁନି। ନଦୀକୁ ପ୍ରଦୂଷଣ କରାଯାଉଛି, ତାକୁ ହତ୍ୟା କରାଯାଉଛି, ତାର ଗତିପଛ ରୋକା ଯାଉଛି- ସବୁ ପରେ ସିଏ ପ୍ରତିବାଦ କରୁନି । ମାତ୍ର ମଣିଷର ଅତ୍ୟାଚାର ଅତିଶୟ ହେଲେ ପ୍ରକୃତି ସମୟ ଅନୁସାରେ ସବୁ ହିସାବ କରୁଛି। ନଦୀ ଫୁଲୁଛି, ବନ୍ୟା ଆସୁଛି... ପାହାଡରେ ବାଦଲଫଟା ବର୍ଷା କାରଣରୁ ନଦୀରେ ବନ୍ୟା ଆସୁଛି, ଆଉ ନଦୀ ଗତିପଥ ବନ୍ଦ ଥିବାରୁ, ନଦୀ ଭିତରେ କୋଠାବାଡ଼ି ସବୁ ଗଢି ଉଠୁଥିବାରୁ ସେ ତାର ଗତିପଥ ଜନବସତି ଆଡେ ମୁହାଁଉଛି । ଯାହା ଫଳରେ ପ୍ରଳୟ ଜନବସତି ମୁହାଁ ହେଉଛି । ଲୋକେ ଜଳବନ୍ଦୀ ହେଉଛନ୍ତି । 

jamuna

ଚଳିତ ବର୍ଷ ତ ଗଙ୍ଗା-ଯମୁନାର ଜଳ ଯାତନା କେତେ ପ୍ରଳୟଙ୍କାରୀ ଥିଲା ତାହା ସମସ୍ତେ ଦେଖିଥିବେ । ଖାଲି  କଣ ଗଙ୍ଗା-ଯମୁନା ପ୍ରତିଟି ନଦୀରେ ଜଳ ଏଥର ଉଗ୍ରରୂପ ଧାରଣ କରି ଲୋକଙ୍କୁ ଚେତାବନୀ ଦେଇଛି । ମଣିଷ ନଦୀର ରାସ୍ତା ରୋକିବ ଆଉ ନଦୀ ଯେବେ ଫୁଲିବ ନଦୀକୁ ଦୋଷ ଦେବ… ଆମେ ବି କେଡେ ନିଷ୍ଠୁର ନୁହେଁ । ତେଣୁ ଆସନ୍ତୁ ନଦୀକୁ ସୁରକ୍ଷା ଦେବା, ନଦୀକୁ ପ୍ରଦୂଷଣ କବଳରୁ ରକ୍ଷା କରିବା। ଆମେ ସମସ୍ତେ ନଦୀ ଗୁଡ଼ିକୁ ସ୍ୱଚ୍ଛ, ନିର୍ମଳ ଓ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ସଂକଳ୍ପ ନେବା। ଯଦି ଆମେ ନଈକୁ ମାଆ କହୁଛେ ତେବେ ଆସନ୍ତୁ ମାଆକୁ ନ୍ୟାୟ ଦେବା...

Screenshot 2025-10-13 210550

ଗତ କିଛି ଦିନ ତଳେ ‘ପୁନଶ୍ଚ ପୃଥିବୀ କାର୍ଯ୍ଯକ୍ରମରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ସଂଯୋଜକ ସୁଦର୍ଶନ ଦାସ ଯୋଗ ଦେଇ କହିଥିଲେ- ଓଡ଼ିଶାର ୧୧ ନଦୀ ଅବବାହିକାର ସ୍ଥିତି ଗୁରୁତର ହେବାରେ ଲାଗିଛି। ଓଡ଼ିଶାର ନଦୀରେ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଉଛି। ନଦୀ ଅବବାହିକାକୁ ଏବେ ଲୋକେ ଜବର ଦଖଲ କରିଛନ୍ତି। ମହାନଦୀର ସ୍ଥିତି ବି ଗୁରୂତର ହେବାରେ ଲାଗିଛି। ମହାନଦୀ ପ୍ରଦୂଷିତ ହେବାରେ ଲାଗିଛି। ରାଜ୍ୟରେ ଥିବା ବୈତରଣୀ ନଦୀର ସ୍ଥିତି ୧୩ କମ୍ପାନୀ ଯୋଗୁ ଗୁରୁତର ହେବାରେ ଲାଗିଛି। କିନ୍ତୁ ରାଜ୍ୟରେ ଥିବା ନଦୀର ସ୍ଥିତି ନେଇ ସରକାର ଚୁପ୍ ରହିଛନ୍ତି। ଏନେଇ ଲୋକେ ସଚେତନ ନାହାନ୍ତି। ଶିଳ୍ପ ବିକାଶ ପାଇଁ ନଦୀକୁ ଅଣଦେଖା କରାଯାଉଛି। ନଦୀକୁ ଲଗାତାର ଶୋଷଣ କରାଯାଉଛି। ନଦୀ ସମୁଦ୍ରରେ ମିଶିବା ଜରୁରୀ। ନଦୀ ସମୁଦ୍ରରେ ନ ମିଶିଲେ ଜୈବ ବିବିଧତା ନଷ୍ଟ ହୋଇଯିବ। ନଦୀରେ ଅଧିକ ବନ୍ଧବାଡ଼ ଦ୍ବାରା ନଦୀର କ୍ଷତି ହେବା ସହିତ ନଦୀ ସହିତ ସଂଯୋଗ ବନ୍ଦ ହୋଇଯାଇଥାଏ। ଯାହାକି ସମ୍ପ୍ରତି ଚୀନ୍‌ର ୟୋଲୋ ନଦୀ‌ରେ ଦେଖିବାକୁ ମିଳୁଛି। ତେଣୁ ନଦୀ ଏବଂ ସମୁଦ୍ର ବାଟରେ ପ୍ରତିବନ୍ଧକ ସାଜିବା ଉଚିତ୍ ନୁହେଁ। ଏହା ସଙ୍କଟ ସ୍ଥିତି ସୃଷ୍ଟି କରିବ ବୋଲି ସେ କହିଛନ୍ତି।

555733832_1374767734654119_8339537846780790912_n

ଗତମାସ ୨୮ ତାରିଖରେ ବିଶ୍ବ ନଦୀ ଦିବସ ଗଲା । ସମସ୍ତେ ନଦୀକୁ ନେଇ ଅନେକ ପୋଷ୍ଟ କଲେ । ଅନେକ କଥା କହିଲେ... ହେଲେ କେତେ ଜଣ କାମରେ କରୁଛନ୍ତି । ଖାଲି କଥାରେ ନଦୀ ପ୍ରତି ଭଲପାଇବା ନରହୁ, ବାସ୍ତବତାରେ ପରିଣତ ହେଉ । ନଦୀକୁ ନେଇ ମଣିଷର ଆବେଗ ଧିରେଧିରେ କମୁଛି। ମଣିଷ ଆଉ ନଈ କୂଳରେ ବସିବାକୁ, ନଈ କୂଳରେ ବସି ଭାବିବାକୁ ସମୟ ପାଉନି । ପୂର୍ବରୁ ଲୋକେ ନଦୀ କୂଳରେ ସମୟ ଅତିବାହିତ କରୁଥିଲେ । ଏଇ ନଦୀକୁ ନେଇ ଅନେକ ଗୀତ, କବିତା, ସାହିତ୍ୟ, ସଂଗୀତ ସୃଷ୍ଟି ହୋଇଥିବା ବେଳେ ଏବେ କିନ୍ତୁ ଲୋକେ ନଈ ମନସ୍କ ହେବା ଭୁଲିଯାଇଛନ୍ତି । ଆଉ ନଦୀ କୂଳରେ ପ୍ରେମିକଟିଏ ତା ପ୍ରେମିକାକୁ ଅପେକ୍ଷା କରୁନି କି ଚାଷୀଟିଏ ନଈ କୂଳରେ ତା ଗୋରୁ-ଗାଈଙ୍କୁ ଗାଧୋଇ ଦେଉନି । ନଦୀକୁ ନେଇ ଆବେଗ, ବ୍ୟବହାର ଧିରେଧିରେ କମିଲାଣି । ତେଣୁ ସମୟ ଆସିଛି ଆସନ୍ତୁ ନଦୀ ମନସ୍କ ହେବା… ନଦୀ କଥା ଭାବିବା ଏବଂ ନଦୀକୁ ସୁରକ୍ଷା ଦେବା ।