ସାଧାରଣତଃ ଛୋଟ ପିଲାମାନେ ୧୦ରୁ ୧୨ ମାସରେ ପ୍ରଥମ ଶବ୍ଦ କହିବା ଆରମ୍ଭ କରିଥା’ନ୍ତି। ୧୮ ମାସରେ ପ୍ରାୟ ୧୦ରୁ ୧୫ଟି ଶବ୍ଦ କହିଥା’ନ୍ତି। ୨୪ ମାସ ବେଳକୁ ପରିବାର ସଦସ୍ୟଙ୍କ ନାମ ଜାଣିବା, ଶରୀରର ସବୁ ଅଙ୍ଗପ୍ରତ୍ୟଙ୍ଗ ଚିହ୍ନିବା ସହ ପରିବେଶୀୟ ଶବ୍ଦକୁ ଅନୁସରଣ କରିପାରନ୍ତି। ୩୦ ମାସ ବେଳକୁ ୨ଟି ଶବ୍ଦକୁ ମିଶାଇ କଥା ହୋଇପାରନ୍ତି। ସାଢ଼େ ୩ ବର୍ଷରୁ ୪ ବର୍ଷ ବୟସରେ ଆମ ଭଳି ବ୍ୟାକରଣ ବ୍ୟବହାର କରି ସମ୍ପୂର୍ଣ୍ଣ ବାକ୍ୟ କହିଥା’ନ୍ତି। ସାଧାରଣତଃ କିଛି ଶିଶୁ ଏହି ସମୟ ସୀମା ମଧ୍ୟରେ କଥା ହୋଇନଥା’ନ୍ତି। ସେମାନଙ୍କ କଥାବାର୍ତ୍ତାରେ ବିଳମ୍ବ ହୋଇଥାଏ। ଏହି ସମସ୍ୟାର ସମାଧାନ ପାଇଁ ‘ସ୍ପିଚ୍ ଥେରାପି’ ଏକ ସାଧାରଣ ଓ ଜଣାଶୁଣା ଚିକିତ୍ସାରେ ପରିଣତ ହୋଇଛି।
କଥା କହିବାରେ ବିଳମ୍ବ ସାଧାରଣତଃ ବଂଶଗତ କାରଣରୁ ବା ବ୍ୟାବହାରିକ ସମସ୍ୟା କିମ୍ବା ପାରିପାର୍ଶ୍ବିକ ପରିବେଶ ବି େହାଇପାରେ। ଆଉ କିଛି ପିଲାଙ୍କର ଶୁଣିବାରେ ଅସୁବିଧା ହେଲେ ମଧ୍ୟ କହିବାରେ ବିଳମ୍ବ ହୋଇଥାଏ। ଯଦି ପିଲାର କଥା କହିବାରେ ବିଳମ୍ବ ହେଉଛି ତେବେ ଯଥାଶୀଘ୍ର ‘ସ୍ପିଚ୍ ଆଣ୍ଡ୍ ଲାଙ୍ଗୁଏଜ୍ ପାେଥାଲୋଜିଷ୍ଟ୍’ଙ୍କ ସହ ସାକ୍ଷାତ କରି ପ୍ରତିକାର ଆରମ୍ଭ କରିଦେବା ଉଚିତ। କାରଣ ପିଲାମାନଙ୍କର ୨ ବର୍ଷରୁ ୫ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ମାନସିକ ଶକ୍ତିର ବିକାଶ ହୋଇଥାଏ। ଏହି ବୟସ ସୀମାକୁ ଡାକ୍ତରୀ ଭାଷାରେ ‘କ୍ରିଟିକାଲ୍ ଏଜ୍’ କୁହାଯାଇଥାଏ। ଏହି ବୟସ ମଧ୍ୟରେ ପ୍ରତିକାର ଆରମ୍ଭ କଲେ ନିଶ୍ଚିତ ଭାବେ ଶିଶୁ ଏହି ସମସ୍ୟାରୁ ମୁକୁଳିପାରିବ।
କେଉଁ ଶିଶୁଙ୍କଠାରେ ଏହି ସମସ୍ୟା ଉପୁଜେ?
ଯେଉଁ ପିଲାଙ୍କଠାରେ କିଛି ବ୍ୟାବହାରିକ ତ୍ରୁଟି ଥାଏ କିମ୍ବା ପିଲାଟି ଘରେ ଏକୁଟିଆ ରହୁଥାଏ, ତେବେ ପିଲାର କଥା କହିବାରେ ବିଳମ୍ବ ହୋଇଥାଏ। ଅଥବା ପିଲାଙ୍କ ସହ ବହୁତ କମ୍ କଥାବାର୍ତ୍ତା ହେଉଥିଲେ, ବିଳମ୍ବରେ କଥା କହିବା ସମସ୍ୟା ଦେଖାଯାଏ। ଅନ୍ୟପଟେ ପିଲାଟି ଅଧିକ ସମୟ ଟିଭି ବା ମୋବାଇଲ୍ ଦେଖୁଥିଲେ, କଥା କହିବାରେ ବିଳମ୍ବ ହୋଇଥାଏ। ସାଧାରଣତଃ ଅଟିଜିମ୍, ଏଡିଏଚ୍ଡି, ଡିଆଇଏଲ୍, ସିପି, ପିଏଲ୍ଆଇ, ଏସ୍ପିଡି, ଏମ୍ଆର୍ ଓ ଏମ୍ଆଇ ପିଲାମାନଙ୍କଠାରେ କଥା କହିବାରେ ସମସ୍ୟା ଉପୁଜିଥାଏ।
ସ୍ପିଚ୍ ଥେରାପି କିଏ ନେବା ଆବଶ୍ୟକ?
ଯେଉଁମାନଙ୍କର କଥା କହିବାରେ କିଛି ଅସୁବିଧା ହୋଇଥିବ, ସେମାନଙ୍କୁ ଏହି ଥେରାପି ଆବଶ୍ୟକ। ସେ ଛୋଟ ପିଲା ହୋଇପାରନ୍ତି ଅବା ବୟସ୍କ ମଧ୍ୟ ହୋଇପାରନ୍ତି। ସାଧାରଣତଃ ବୟସ୍କମାନଙ୍କର ବ୍ରେନ୍ ଷ୍ଟ୍ରୋକ୍, ରାସ୍ତା ଦୁର୍ଘଟଣା କିମ୍ବା ମୁଖକର୍କଟ ହୋଇଥିଲେ, କଥା କହିବାରେ ସମସ୍ୟା ହୋଇଥାଏ। କିଛି ଯୁବକ ଥା’ନ୍ତି, ଯେଉଁମାନଙ୍କର କଣ୍ଠ ସ୍ବର ଝିଅମାନଙ୍କ ଭଳି ହୋଇଥାଏ। ସ୍ପିଚ୍ ଥେରାପି ଦ୍ବାରା ଏହି ସମସ୍ୟାର ବି ସମାଧାନ ହୋଇଥାଏ।