ଶରୀରକୁ ସୁସ୍ଥ ରଖିବା ପାଇଁ ଭଲ ଖାଦ୍ୟ ସହ ବିଶୁଦ୍ଧ ପାଣି ଆବଶ୍ୟକ। କିନ୍ତୁ ସ୍ବାଭାବିକ ରକ୍ତ ସଞ୍ଚାଳନ ଓ ରକ୍ତ ଶୁଦ୍ଧତା ପାଇଁ ଡିଟକ୍ସ ୱାଟର୍ ବା ଶରୀରରୁ ବିଷ ଅପସାରଣ କରୁଥିବା ଜଳ ବି ଜରୁରି। ପ୍ରତ୍ୟେକ ଦିନ ଖାଲି ପେଟରେ କିମ୍ୱା ଖାଇବା ପରେ ଡିଟକ୍ସ ୱାଟର୍ ପିଇବା ଦ୍ବାରା ଅନ୍ତଃନଳୀ ପରିଷ୍କାର ହେବା ସହ ଓଜନ ହ୍ରାସରେ ମଧ୍ୟ ସହାୟକ ହୋଇଥାଏ। ତେବେ ଡିଟକ୍ସ ୱାଟର୍ ପାଇଁ ଆମକୁ ବଜାରକୁ ଯିବାର ଆବଶ୍ୟକତା ନାହିଁ, ରୋଷେଇ ଘରେ ହିଁ ତାହା ପାଇପାରିବା।
ହଳଦୀ ପାଣି
ପ୍ରତ୍ୟେକ ଦିନ ଉଷୁମ ପାଣିରେ ହଳଦୀ ମିଶାଇ ପିଇବା ବେଶ୍ ଲାଭଦାୟକ। କାରଣ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ ଓ ଆଣ୍ଟି-ଇନ୍ଫ୍ଲାମେଟୋରି ଉପାଦାନ ଆମ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ନିଷ୍କାସନ କରିଥାଏ।
ଡାଲଚିନି ପାଣି
ଡାଲଚିନି ପାଣି ଅନେକ ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରେ। ଏହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ହୃଦ୍ରୋଗର ଆଶଙ୍କା ହ୍ରାସକରେ। ଠିକ୍ ଉପାୟରେ ଡାଲଚିନି ପାଣିର ସେବନ ପେଟର ଚର୍ବି କମାଇଥାଏ। ତେଣୁ ଏହାକୁ ଚା’ଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟ ଓ ପାନୀୟରେ ପକାଯାଏ। ଗୋଟିଏ କପ୍ ପାଣି, ଗୋଟିଏ ଚାମଚ ମହୁ, ଗୋଟିଏ ଚାମଚ ଲେମ୍ବୁରସ ଓ ଏକ ଛୋଟ ଡାଲଚିନି ଖଣ୍ଡକୁ ଗୋଟିଏ ପାତ୍ରରେ ପକାଇ ଫୁଟାନ୍ତୁ। ତା’ପରେ ଏହାକୁ ଏକ କପ୍ରେ ଛାଣି ପିଅନ୍ତୁ।
ଜିରା ପାଣି
ଆଣ୍ଟିଅକ୍ସିଡାଣ୍ଟ୍ରେ ଭରପୂର ଜିରା ହଜମଶକ୍ତି ବୃଦ୍ଧି ସହ ପାଚନ କ୍ରିୟାରେ ସହାୟକ ହୋଇଥାଏ ଏବଂ ପେଟ ଫୁଲିବା କମ୍ କରିଥାଏ। ନିଦରୁ ଉଠିବା ପରେ ଜିରା ପାଣି ଏକ ଉପଯୁକ୍ତ ପାନୀୟ। ଜିରାକୁ ରାତି ସାରା ପାଣିରେ ଭିଜାଇ ରଖନ୍ତୁ। ସକାଳେ ଏହି ପାଣିକୁ ଛାଣି ପିଅନ୍ତୁ। ଏଥିରେ ଲେମ୍ବୁରସ, ମହୁ, ଅଦାରସ ଆଦି ମିଶାଇ ପାରିବେ। ସକାଳୁ ଖାଲି ପେଟରେ ଜିରା ପାଣି ପିଇବାଦ୍ବାରା ଓଜନ ହ୍ରାସ ହୋଇଥାଏ। ଭୋକ ନିୟନ୍ତ୍ରଣ ପାଇଁ ଭୋଜନ ପୂର୍ବରୁ ଜିରା ପାଣି ଉପାଦେୟ।
ମେଥି ପାଣି
ହଜମ ପ୍ରକ୍ରିୟାକୁ ସକ୍ରିୟ କରେ ମେଥି ପାଣି। ଏହି ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ, ଅମ୍ଳଦୋଷ ଓ ପେଟ ଫୁଲିବା ସମସ୍ୟାରୁ ମୁକ୍ତି ମିଳିଥାଏ। ଯଦି ଆପଣ ନିୟମିତ ଭାବେ ମେଥି ଓ ପାନମଧୁରୀ ପାଣି ପିଅନ୍ତି, ତେବେ ଏହା ମେଦବହୁଳତା ହ୍ରାସ କରିବ। ଦେଢ଼ଚାମଚ ମେଥି ଦାନାକୁ ଏକ ଗ୍ଲାସ୍ ବିଶୁଦ୍ଧ ପାଣିରେ ରାତିସାରା ଭିଜାନ୍ତୁ। ସକାଳେ ଉଠି ଏହି ପାଣିକୁ ଭଲ ଭାବରେ ଛାଣିଦିଅନ୍ତୁ ଏବଂ ଖାଲି ପେଟରେ ପିଅନ୍ତୁ।
ଅଦା ପାଣି
ଆଣ୍ଟି-ଇନ୍ଫ୍ଲାମେଟୋରି ଓ ଆଣ୍ଟିଅକ୍ସିଡାଣ୍ଟ୍ ଥିବା ଅଦାର ନିୟମିତ ବ୍ୟବହାର ପ୍ରଦାହ ହ୍ରାସ କରିଥାଏ। ପୁଣି ଅଦା ହଜମ ପ୍ରକ୍ରିୟାକୁ ସୁଗମ କରିଥାଏ। ସକାଳୁ ଗୋଟେ ଗ୍ଲାସ୍ ଅଦା ପାଣି ଦିନ ତମାମ କାମ କରିଥାଏ।
କାକୁଡ଼ି ଓ ଲେମ୍ବୁ ପାଣି
ଏହି ଦୁଇ ଜଳଧାରୀ ଫଳର ପାଣି ଶରୀରରୁ ଖରାପ ପଦାର୍ଥ ବାହାର କରିଥାଏ। ଏହା ତାଜା, ସହଜ ତଥା ପ୍ରାକୃତିକ ଡିଟକ୍ସ। ଆପଣ ସବୁଦିନ କାକୁଡ଼ି ଖାଇ ପାରିବେ କିମ୍ୱା ଏହାର ଜୁସ୍ ପିଇ ପାରିବେ। ପୁଣି ଅଭ୍ୟାସ କରି ନିୟମିତ ଲେମ୍ବୁପାଣି ପିଇପାରିବେ। ଏଥିରୁ ଶରୀରକୁ ପୋଷକତତ୍ତ୍ବ ମିଳିବା ସହ ଶରୀରରୁ ବିଷାକ୍ତ ପଦାର୍ଥ ଅପସାରିତ ହେବ।