ଓଡ଼ିଶା କ୍ରିକେଟ୍ର ସ୍ବର୍ଣ୍ଣିମ ଅତୀତର ଅନ୍ୟତମ ମହାନ ଖେଳାଳି ହେଲେ ଅସଜିତ୍ ଜୟପ୍ରକାଶମ୍। ଘରୋଇ କ୍ରିକେଟ୍ର ସର୍ବୋଚ୍ଚ ପ୍ରତିଯୋଗିତା ‘ରଣଜୀ ଟ୍ରଫି’ରେ ଓଡ଼ିଶା ଏବେ କ୍ରମାଗତ ବିଫଳତାର ସ୍ବାଦ ଚାଖୁଥିବା ବେଳେ ଅଶୀ ଦଶକରେ ଏକାଧିକ ବାର ନକ୍ ଆଉଟ୍ (ପ୍ରିକ୍ବାର୍ଟର/କ୍ବାର୍ଟର୍ଫାଇନାଲ୍) ଖେଳିଥିଲା। ଏହି ସଫଳତାର ଅନ୍ୟତମ କର୍ଣ୍ଣଧାର ଥିଲେ ଅସଜିତ୍ ଜୟପ୍ରକାଶମ୍। ଜଣେ ଉପଯୋଗୀ ମଧ୍ୟକ୍ରମ ବ୍ୟାଟର୍ ଓ ସାମୟିକ ଅଫ୍ସ୍ପିନର୍ ଭାବେ ନିଜକୁ ପ୍ରତିଷ୍ଠା କରିଥିଲେ ଅସଜିତ୍। କ୍ରିକେଟ୍ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଏହି ଖେଳାଳି ଦିଲ୍ଲୀର ମୂଳ ଅଧିବାସୀ ହୋଇଥିଲେ ମଧ୍ୟ ଓଡ଼ିଶା ପାଇଁ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ଖେଳିଥିଲେ। ବାରବାଟୀ ଷ୍ଟାଡିୟମ୍ରେ ଓଡ଼ିଶା-ମହାରାଷ୍ଟ୍ର ରଣଜୀ ମ୍ୟାଚ୍କୁ ବେଶ୍ ଉତ୍ସୁକତାର ସହ ଦେଖୁଥିବା ବେଳେ ‘ରବିବାର ସମ୍ବାଦ’ ଭେଟିଥିଲା ଏହି ବରିଷ୍ଠ କ୍ରିକେଟର୍ଙ୍କୁ।
ଅସଜିତ୍ ଜୟପ୍ରକାଶମ୍ ୧୯୮୦ରୁ ୧୯୯୨-୯୩ ଋତୁଯାଏ ଓଡ଼ିଶା ପାଇଁ ରଣଜୀ ଟ୍ରଫି, ପୂର୍ବାଞ୍ଚଳ ପାଇଁ ଦଲିପ ଟ୍ରଫି, ଦେଓଧର ଟ୍ରଫି, ୱିଲ୍ସ ଟ୍ରଫି ଖେଳି ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ ମାଧ୍ୟମରେ ନିଜକୁ ପ୍ରତିଷ୍ଠିତ କରିଥିଲେ। ଓଡ଼ିଶା ଦଳରୁ ଖେଳିବା, ଅଧିନାୟକତ୍ବ କରିବା ସହ ପ୍ରଶିକ୍ଷକ ଭାବେ କାମ କରିବାର ବିରଳ କ୍ଲବ୍ର ପ୍ରତିଷ୍ଠାତା ହେଉଛନ୍ତି ଏହି ୬୬ ବର୍ଷୀୟ ଖେଳାଳି। ଖେଳ ଜୀବନ ପରେ ବି କ୍ରିକେଟ୍ ନିଶା ତାଙ୍କୁ ଛାଡ଼ି ପାରିନାହିଁ। ୪ ଦଶନ୍ଧି ଧରି କ୍ରିକେଟ୍ ପ୍ରଶିକ୍ଷଣ ସହ ଜଡ଼ିତ ଅଛନ୍ତି ଅବିବାହିତ ଅସଜିତ୍। ସମ୍ପ୍ରତି ଓଡ଼ିଶା ୧୬ ବର୍ଷରୁ କମ୍ ଦଳର ପ୍ରଶିକ୍ଷକ ଦାୟିତ୍ବ ସମ୍ଭାଳିଛନ୍ତି।
ବେଙ୍ଗଲ୍ ଓ ବାରବାଟୀ ସ୍ମୃତି
‘‘ମୁଁ ଦିଲ୍ଲୀ ପାଇଁ କନିଷ୍ଠ କ୍ରିକେଟ୍ ଓ ବିଶ୍ବବିଦ୍ୟାଳୟ କ୍ରିକେଟ୍ ଖେଳିବା ପରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ରେ ନିଯୁକ୍ତି ପାଇଥିଲି। ସେଠାରୁ ଓଡ଼ିଶାର ଅନ୍ତଃଜିଲ୍ଲା କ୍ରିକେଟ୍ରେ ଭଲ ପ୍ରଦର୍ଶନ କରି ସୌଭାଗ୍ୟବଶତଃ ରଣଜୀ ଟ୍ରଫି ଦଳରେ ସୁଯୋଗ ପାଇଥିଲି। ପ୍ରାୟ ଗୋଟିଏ ଦଶନ୍ଧିର ରଣଜୀ ଟ୍ରଫି କ୍ରିକେଟ୍ ଜୀବନରେ ବେଙ୍ଗଲ୍କୁ ବେଙ୍ଗଲ୍ରେ ହରାଇ ନକ୍ ଆଉଟ୍ ଯୋଗ୍ୟତା ଅର୍ଜନ କରିବା ମୋ ପାଇଁ ଏବେ ବି ସ୍ମରଣୀୟ ହୋଇ ରହିଛି। ଏହି ବଡ଼ ମୁହୂର୍ତ୍ତ ଏବେ ବି ମନରେ ସତେଜ ରହିଛି। ଓଡ଼ିଶାର ଏହି ସ୍ମରଣୀୟ ସଫଳତା ଥିଲା ମୋର ଦ୍ବିତୀୟ ଋତୁ (୧୯୮୨)। ଆସାନ୍ସୋଲ୍ରେ ଖେଳାଯାଇଥିବା ଏହି ଲୋ ସ୍କୋରିଂ ମ୍ୟାଚ୍ରେ ମୁଁ ୩୫ ରନ୍ ସଂଗ୍ରହ କରିଥିଲେ ମଧ୍ୟ ୩ଟି ମୂଲ୍ୟବାନ୍ ୱିକେଟ୍ ନେଇଥିଲି।’’ ପୁରୁଣା ଦିନର ସ୍ମୃତିଚାରଣ କରି ଏସବୁ ପ୍ରକାଶ କରିଛନ୍ତି ଜୟପ୍ରକାଶମ୍।
ଏହି ମ୍ୟାଚ୍ରେ ପ୍ରଥମ ପାଳିରେ ସେ ବେଙ୍ଗଲ୍ର ୩ ୱିକେଟ୍ ନେଇ ଓଡ଼ିଶାକୁ ନିର୍ଣ୍ଣାୟକ ୪୦ ରନ୍ ଅଗ୍ରଣୀ ଦେଇଥିଲେ। ଶେଷରେ ଏହା ଓଡ଼ିଶାକୁ ନକ୍ ଆଉଟ୍ ଯିବାରେ ସହାୟକ ହୋଇଥିଲା। ସେ ସମୟରେ ବେଙ୍ଗଲ୍ ବିପକ୍ଷରେ ସଫଳତା ପାଇବା ଓଡ଼ିଶା ପାଇଁ ଅତ୍ୟନ୍ତ କଷ୍ଟକର ବ୍ୟାପାର ଥିଲା। ଏହି ବିଜୟ ଆଧାରରେ ଆମେ ପ୍ରଥମ ଥର ମୁମ୍ବାଇର ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ମୁମ୍ବାଇ ବିପକ୍ଷରେ କ୍ବାର୍ଟର୍ଫାଇନାଲ୍ ଖେଳିବାର ସୁଯୋଗ ପାଇଥିଲୁ ବୋଲି କହିଛନ୍ତି ଜୟପ୍ରକାଶମ୍। ନିଜ ସଫଳତାର ଗାଥା ବର୍ଣ୍ଣନା କରି ସେ କହିଛନ୍ତି, ‘‘ବ୍ୟକ୍ତିଗତ ଭାବେ ମୁଁ ପୂର୍ବ ଋତୁରେ ବି ଦଲିପ ଟ୍ରଫି ଦଳରେ ସ୍ଥାନ ପାଇ ବାରବାଟୀରେ ଦକ୍ଷିଣାଞ୍ଚଳ ବିପକ୍ଷରେ ସେମିଫାଇନାଲ୍ ଖେଳିଥିଲି। ପୂର୍ବାଞ୍ଚଳ ଅଧିନାୟକ ଦିଲୀପ ଦୋଷୀ ମୋ ଭଳି ସାମୟିକ ବୋଲର୍ ଉପରେ ଭରସା କରିବା ପରେ ମୁଁ ନିରାଶ କରି ନଥିଲି। ମୋଟ୍ ୭ ୱିକେଟ୍ ନେବା କଥା ପ୍ରତିଥର ବାରବାଟୀ ଆସିଲେ ମନେପଡ଼ିଯାଏ। ୧୯୮୪ ମସିହାରେ ରାଉରକେଲାର ଇସ୍ପାତ ଷ୍ଟାଡିୟମ୍ରେ ରାଜସ୍ଥାନ ବିପକ୍ଷ ରଣଜୀ କ୍ବାର୍ଟର୍ଫାଇନାଲ୍ ମୋ ଖେଳ ଜୀବନର ଶ୍ରେଷ୍ଠ ପାଳି। ମୁଁ ଦ୍ବିଶତକ (୨୦୮*) ହାସଲ କରିଥିଲି। ମୋ ପୂର୍ବରୁ ରଂଜିତ ସିକ୍ଦାର ପ୍ରଥମ ଦ୍ବିଶତକ ମାରିଥିବାରୁ ମୁଁ ଦ୍ବିତୀୟ ଖେଳାଳି ହୋଇଥିଲି।’’
ଭଲ ଖେଳାଳିଙ୍କ ଗ୍ରୁପ୍ ଥିଲା
‘‘ମୋ ଖେଳ ଜୀବନ ଶେଷ ଭାଗରେ ଆସିଥିବା ଖେଳାଳି ଗ୍ରୁପ୍ ଆମ ସଫଳତାକୁ ଆଗକୁ ନେଇପାରିଥିଲେ। ୨୦୦୦-୦୧ ଋତୁରେ ଓଡ଼ିଶା ପ୍ରଥମ ଥର ସେମିଫାଇନାଲ୍ ଖେଳି ବରୋଦାଠାରୁ ପାଳି ପଛୁଆ ଭିତରେ ବିଦାୟ ନେଇଥିଲେ। ସେ ବ୍ୟାଚ୍ରେ ଶିବସୁନ୍ଦର ଦାସ, ରଶ୍ମିରଂଜନ ପରିଡ଼ା, ସଂଜୟ ରାଉଳ, ସଂଜୟ ଶତପଥୀ, ପି ଜୟଚନ୍ଦ୍ର, ପ୍ରଭଞ୍ଜନ ମଲ୍ଲିକ, ବିବିସିସି ମହାପାତ୍ର, ଦେବାଶିଷ ମହାନ୍ତି ପ୍ରମୁଖ ଗୋଟିଏ ୟୁନିଟ୍ ଭାବେ ଖେଳି ସଫଳତା ଆଣିଥିଲେ। ଏବେ ସେଭଳି ୟୁନିଟ୍ ମିସ୍ କରୁଛୁ। କିନ୍ତୁ ଏବେର ଦଳ ନିକଟରେ ପ୍ରତିଭା ରହିଛି। ମୋ କ୍ୟାରିୟର୍ ଶେଷ ବେଳକୁ ପ୍ରଶାନ୍ତ ମହାପାତ୍ର ଆସିଥିଲେ। ଗୋଟିଏ ମ୍ୟାଚ୍ରେ ବି ଆମେ ଶତକୀୟ ଭାଗୀଦାରି କରିଥିଲୁ ଏବଂ ମୁନା (ପ୍ରଶାନ୍ତ) ଶତକ ମାରିଥିଲେ। ରଣଜୀ ଟ୍ରଫିରେ ଆମକୁ ଅଧିକ ଉନ୍ନତି ପାଇଁ ବର୍ଷର ୧୨ ମାସ କ୍ରିକେଟ୍ ଖେଳିବାକୁ ହେବ, ଯାହା ଅନ୍ୟ ରାଜ୍ୟଗୁଡ଼ିକ କରୁଛନ୍ତି।’’
ଜୁନିୟର୍ କ୍ରିକେଟ୍ ଉପରେ ଗୁରୁତ୍ବ
ପ୍ରଶିକ୍ଷକ ଭୂମିକା ନେଇ ଜୟପ୍ରକାଶମ୍ କହନ୍ତି, ‘‘ବ୍ୟକ୍ତିଗତ ଆଗ୍ରହ କାରଣରୁ ମୁଁ ଜୁନିୟର୍ କ୍ରିକେଟ୍ ଦାୟିତ୍ବ ନେଇଛି। ଖେଳକୁ ଭଲ ପାଉଥିବାରୁ ଏବଂ ଭଲ ଖେଳାଳି ଗଢ଼ିବାର ଇଚ୍ଛାଶକ୍ତି ଯୋଗୁଁ ମୁଁ ଓଡ଼ିଶା ୧୬ ବର୍ଷରୁ କମ୍ ଦଳର ପ୍ରଶିକ୍ଷଣ ଦାୟିତ୍ବ ନେଇଛି। ଦଳର ଅଭିଯାନ ଆରମ୍ଭ ହୋଇନାହିଁ, କିନ୍ତୁ ଭଲ ପ୍ରତିଭା ରହିଛନ୍ତି। ଏହି ବର୍ଗରେ ହିଁ ଅଧିକରୁ ଅଧିକ ସମୟ ନିବେଶ ଆବଶ୍ୟକ। ଜୁନିୟର୍ କ୍ରିକେଟ୍ ଉପରେ ଫୋକସ୍ କଲେ ହିଁ ଆପେ ଆପେ ସିନିୟର୍ ଦଳ ଭଲ କରିବ। ଏଥିପାଇଁ ସମୟ ଲାଗିପାରେ, କିନ୍ତୁ ଏକ ସୁନିଶ୍ଚିତ ଭବିଷ୍ୟତ ମିଳିପାରିବ। ଏବେ ପ୍ରଶିକ୍ଷଣ ଶିବିର ଚାଲିଛି, ଓଡ଼ିଶା ଦଳକୁ ନୂଆ ଦିଶାରେ ପହଞ୍ଚାଇବାର ଆଶା ନେଇ ଓଡ଼ିଶା ଫେରିଛି।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/16/jlMuJQ6T4TXFDfBEVnwv.jpg)