ଗତ କିଛି ସପ୍ତାହ ହେଲା ବାରବାଟୀ ଷ୍ଟାଡିୟମ୍କୁ ନେଇ ଚର୍ଚ୍ଚା ଚାଲିଛି। ଅନ୍ୟୂନ ଦୁଇ ତିନି ବର୍ଷ ଅନ୍ତରରେ ଐତିହାସିକ ବାରବାଟୀ ଷ୍ଟାଡିୟମ୍କୁ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଫେରିଥିବାରୁ କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହ ଜୋର୍ ଧରିଛି। ବାରବାଟୀ ପଡ଼ିଆରେ ଏଥର ଦୁଇ ପୁରୁଣା ପ୍ରତିଦ୍ବନ୍ଦ୍ବୀ ଭାରତ ଓ ଇଂଲଣ୍ଡ ପୁରୁଷ ଦଳ ଅନ୍ତର୍ଜାତୀୟ ଦିନିକିଆ ଖେଳିବେ। କ୍ରିକେଟ୍ ପ୍ରଶଂସକ ଏହି ଖେଳ ଦେଖିବା ପାଇଁ କୌଣସି ଉପାୟରେ ଟିକେଟ୍ ଯୋଗାଡ଼ କରି ବାରବାଟୀରେ ବସିବା ପାଇଁ ବ୍ୟାକୁଳ। ଅନ୍ୟପଟେ କ୍ରିକେଟ୍ରେ ଓଡ଼ିଶା କ୍ରମାଗତ ଭାବେ ଖରାପ ପ୍ରଦର୍ଶନ କରି ଆସୁଛି। ଓଡ଼ିଶାର କୌଣସି ଖେଳାଳି ଏବେ ଅନ୍ତର୍ଜାତୀୟ ମ୍ୟାଚ୍ରେ ଖେଳିବା ତ ଦୂରର କଥା, ଆଇପିଏଲ୍ରେ ବି ସ୍ଥାନ ପାଇପାରୁନାହାନ୍ତି। ତଥାପି ପ୍ରଶଂସକମାନେ ଏହି ଖେଳ ପ୍ରତି ଅଜସ୍ର ଭଲ ପାଇବା ଅଜାଡ଼ିଦେବା ଏବଂ ସେମାନଙ୍କ ପ୍ରିୟ ଖେଳାଳିଙ୍କୁ ଷ୍ଟାଡିୟମ୍ରେ ଦେଖିବା ଲାଗି ପାଗଳ ପ୍ରାୟ। ଆଉ ସେମାନଙ୍କର ଏହି ଆକାଂକ୍ଷା ପୂରଣ କରୁଛି ବାରବାଟୀ ଷ୍ଟାଡିୟମ୍।
ସୁରେଶ ସ୍ବାଇଁ
ଓଡ଼ିଶା ଖେଳ ଦୁନିଆର ଏହି ଆଦ୍ୟ ପୀଠ, ପହିଲି କ୍ରୀଡ଼ା ଭିତ୍ତିଭୂମି, ପ୍ରଥମ ପ୍ରମୁଖ ଷ୍ଟାଡିୟମ୍ ଏବଂ ଶତ ଶତ କ୍ରୀଡ଼ା ପ୍ରତିଭାଙ୍କ ଅନ୍ତୁଡ଼ିଶାଳ ହେଉଛି ବାରବାଟୀ। ବହୁ ଖେଳାଳିଙ୍କ ଉତ୍ଥାନ ପତନର ମୂକସାକ୍ଷୀ ତଥା ପ୍ରଦର୍ଶନର ପରାକାଷ୍ଠା ଓ ବିଫଳତାର ବିଷାଦଜନିତ ସ୍ମୃତି ବି ଏହି ବାରବାଟୀ ସାଉଁଟି ରଖିଛି। ବିବାଦ ଓ ବିଦ୍ରୋହର ଛିଟା ବି ଛାଡ଼ିଛି। ପ୍ଲାଷ୍ଟିକ୍ ପାଣି ବୋତଲ ପାଇଁ ବାସନ୍ଦ ହୋଇଛି। ବିସିସିଆଇ ଦ୍ବାରା ଅବହେଳିତ ଓ ଉେପକ୍ଷିତ ହୋଇଛି। ତଥାପି ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ବୀରତ୍ବର ଗାଥା ବହନ କରୁଥିବା ବାରବାଟୀ ଦୁର୍ଗର ଅନତି ଦୂରରେ ପ୍ରତିଷ୍ଠିତ କ୍ରୀଡ଼ାର ଏହି ଦୁର୍ଗ ବହୁ ସଫଳତାର ସାକ୍ଷୀ। ପୁଣି ଏହା ବିଶ୍ବର ଅନ୍ୟତମ ପ୍ରମୁଖ କ୍ରିକେଟ୍ କେନ୍ଦ୍ର ହେବା କିଛି କମ୍ ବଡ଼ ଉପଲବ୍ଧି ନୁହେଁ।
କ୍ରିକେଟ୍କୁ ଭାରତର ଅଘୋଷିତ ଧର୍ମ କୁହାଯାଉଥିବା ବେଳେ ଓଡ଼ିଶାରେ ବି ଏହା ଏକ ସର୍ବଜନାଦୃତ ଲୋକପ୍ରିୟ ଖେଳର ମାନ୍ୟତା ପାଇଛି। କେବଳ ବାରବାଟୀ କ୍ରିକେଟ୍ର ହୃଦ୍ସ୍ପନ୍ଦନ ନୁହେଁ, ଅନ୍ୟ ବହୁ ଖେଳର ଆରମ୍ଭ, ଅଭ୍ୟାସ ଓ ପ୍ରସାର ବି ଘଟିଛି ଏହି ମଇଦାନରେ। ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ସ୍ତରର ଷ୍ଟାଡିୟମ୍ ଭାବେ ଓଡ଼ିଶାର ଘରେ ଘରେ ବି ଏହାର ପରିଚିତି ରହିଛି। ଓଡ଼ିଶାର ପ୍ରମୁଖ ଅନ୍ତର୍ଜାତୀୟ ଖେଳାଳିଙ୍କଠାରୁ ବି ଅଧିକ ଲୋକପ୍ରିୟ ବାରବାଟୀ ଷ୍ଟାଡିୟମ୍। ଏହି ଖେଳପୀଠ କେବଳ ମନୋରଂଜନର ମାଧ୍ୟମ ନୁହେଁ, ଓଡ଼ିଶା କ୍ରୀଡ଼ା ଇତିହାସରେ ଏହା ଅନେକ ଗୌରବମୟ ଅଧ୍ୟାୟ ମଧ୍ୟ ଯୋଡ଼ିଛି। ଖେଳାଳି ତିଆରି କାରଖାନା ବାରବାଟୀର ଯାତ୍ରା ବି ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚକର। ଦେଶ ସ୍ବାଧୀନତାର ପୂର୍ବରୁ କଟକରେ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ୍ ଗଠନ ହୁଏ ଏବଂ ପରବର୍ତ୍ତୀ ସମୟରେ କ୍ରୀଡ଼ା ସଂଗଠକ ଭୈରବ ମହାନ୍ତିଙ୍କ ଦୂରଦୃଷ୍ଟି ଓ କର୍ମପ୍ରବଣତା ହେତୁ ଓଡ଼ିଶାରେ ଖେଳ ପରିବେଶର ମୂଳଦୁଆ ପଡ଼ିଥିଲା। ଓଡ଼ିଶାରେ କ୍ରୀଡ଼ା ଆନ୍ଦୋଳନକୁ ପ୍ରୋତ୍ସାହିତ କରିବାରେ ସ୍ବାଧୀନତା ପୂର୍ବରୁ ଓଡ଼ିଶାର ପ୍ରଧାନମନ୍ତ୍ରୀ ଥିବା ହରେକୃଷ୍ଣ ମହତାବଙ୍କ ଅବଦାନ ବି ସ୍ମରଣୀୟ। ଭୈରବ ମହାନ୍ତିଙ୍କ ପ୍ରବଳ ଇଚ୍ଛାଶକ୍ତି ଓ କର୍ମଶକ୍ତି ଏବଂ ହରେକୃଷ୍ଣ ମହତାବଙ୍କ ସକ୍ରିୟ ପ୍ରୋତ୍ସାହନ ଓ ପୃଷ୍ଠପୋଷକତା ଏବଂ ବହୁ କ୍ରୀଡ଼ାପ୍ରେମୀଙ୍କ ନିଃସ୍ବାର୍ଥ ପ୍ରଚେଷ୍ଟା ବାରବାଟୀ ଷ୍ଟାଡିୟମ୍କୁ ଜନ୍ମ ଦେଇଥିଲା। ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ୍ ଏହାର ପରିଚାଳନା ଦାୟିତ୍ବରେ ରହିଛି।
ବାରବାଟୀ ଷ୍ଟାଡିୟମ୍ର ନାମକରଣ ଡକ୍ଟର ହରେକୃଷ୍ଣ ମହତାବ କରିଥିବା ଇତିହାସ କହୁଛି। ରେକର୍ଡ କହେ, ୧୯୫୦ ମସିହାରେ ବାରବାଟୀ ଷ୍ଟାଡିୟମ୍ ନିର୍ମାଣ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ୪ଟି ଦଫାରେ ଏଥି ପାଇଁ ଜମି ଲିଜ୍ ପ୍ରଦାନ କରିଥିଲେ। ମୋଟ୍ ୨୬.୧୦୫ ଏକର ଜମି ଉପରେ ଏହା ଗଢ଼ିଉଠିଛି। ଷ୍ଟାଡିୟମ୍ ଲାଗି ୧୯୪୯ ମସିହାରେ ୨୦.୮୦୩, ୧୯୫୦ରେ ୧.୯୩୯ ଏକର, ୧୯୬୯ରେ ୨.୭୦୩ ଏକର ଏବଂ ୧୯୭୭ରେ ୦.୬୬ ଏକର ଜମି ଦିଆଯାଇଥିଲା। ଏହାର ନିର୍ମାଣ ପ୍ରଥମ ଦୁଇଟି ଗ୍ୟାଲେରି ସହ ଆରମ୍ଭ ହୋଇଥିଲା ଏବଂ ପର୍ଯ୍ୟାୟକ୍ରମେ ଗୋଟିକ ପରେ ଗୋଟିଏ ଶେଷ ହୋଇଥିଲା। ୧୯୫୭ ମସିହାରେ ଶେଷ ହେବା ପରେ ପ୍ରଥମ ଇଭେଣ୍ଟ୍ ଭାବେ ଜାତୀୟ କୁସ୍ତି ପ୍ରତିଯୋଗିତା ବାରବାଟୀରେ ହୋଇଥିଲା। ୧୯୫୮ରେ ଏହା ଏକ ସ୍ବୀକୃତିପ୍ରାପ୍ତ ଷ୍ଟାଡିୟମ୍ ହୋଇଥିଲା। ୧୯୪୯ ମସିହାରେ ଓଡ଼ିଶା କ୍ରିକେଟ୍ ସଂଘ ଗଠିତ ହେବା ପରଠାରୁ ଏହାକୁ ଘରୋଇ ଗ୍ରାଉଣ୍ଡ୍ ଭାବେ ଲିଜ୍ ସୂତ୍ରରେ ବ୍ୟବହାର କରୁଛି। ୧୯୮୨ ମସିହାରୁ ଏଠାରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳାଯାଉଛି। ୧୯୮୨ରେ ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ (ଭାରତ-ଇଂଲଣ୍ଡ), ୧୯୮୭ରେ ପ୍ରଥମ ଟେଷ୍ଟ୍ (ଭାରତ-ଶ୍ରୀଲଙ୍କା), ୨୦୧୫ରେ ପ୍ରଥମ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ (ଭାରତ-ଦକ୍ଷିଣ ଆଫ୍ରିକା), ୧୯୮୫ରେ ଏକମାତ୍ର ମହିଳା ଟେଷ୍ଟ୍ (ଭାରତ-ନ୍ୟୁଜିଲାଣ୍ଡ୍), ୨୦୧୩ରେ ପ୍ରଥମ ମହିଳା ଦିନିକିଆ (ପାକିସ୍ତାନ-ଅଷ୍ଟ୍ରେଲିଆ) ଖେଳାଯାଇଛି। ୧୯୯୬ ଦିନିକିଆ ବିଶ୍ବକପ୍ର ଏକ ମ୍ୟାଚ୍ ବାରବାଟୀ ଷ୍ଟାଡିୟମ୍ରେ ଭାରତ ଓ କେନିୟା ମଧ୍ୟରେ ଖେଳାଯାଇଥିଲା। ଭାରତ ଓ ଇଂଲଣ୍ଡ ଦଳ ଷଷ୍ଠଥର ପାଇଁ ଏହି ଐତିହାସିକ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳିବାକୁ ଯାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/09/y2JYqleKb7F6LMWUaQgo.jpg)