ଲୋକପ୍ରିୟତା, ଚାହିଦା ସହିତ ଯେଉଁଠି ପ୍ରଚୁର ଅର୍ଥର ସଂଯୋଗ ରହିଛି ସେଠି ଅନର୍ଥ, ଅନୀତି, ଅନ୍ୟାୟ ବି ସ୍ବତଃ ସମ୍ପୃକ୍ତ ହୋଇଯାଇଛି। ଏସବୁର କିଛି କମ୍ ଉଦାହରଣ ନାହିଁ। ସେହି କ୍ରମରେ ଭାରତରେ ସବୁଠୁ ଲୋକପ୍ରିୟ ଖେଳ ‘କ୍ରିକେଟ୍’ ଏବେ ଏକ ଅଜଣା ଆଶଙ୍କା ଭିତରକୁ ଠେଲି ହୋଇଯାଉଛି। କ୍ରିକେଟ୍ ଖେଳର ଆକର୍ଷଣ ଭାରତରେ ନିଶ୍ଚିତ ସ୍ବତନ୍ତ୍ର। ଅନେେକ ଏଠି ଖେଳାଳିମାନଙ୍କୁ ଭଗବାନ ସଦୃଶ ଏବଂ ଖେଳକୁ ଧର୍ମ ଭଳି ବିବେଚନା କରିଥାନ୍ତି। ଦେଶକୁ ବି ଏକତା ସୂତ୍ରରେ ବାନ୍ଧିବା ପାଇଁ ‘କ୍ରିକେଟ୍’ ଅନ୍ୟତମ ବଡ଼ ମାଧ୍ୟମ। ଯେଉଁ ଆଶଙ୍କା କଥାଟି ଏବେ ଉଙ୍କିମାରୁଛି, ତାହା ହେଉଛି କ୍ରିକେଟ୍କୁ ନେଇ ଅଗଣିତ ଗେମିଂ ଆପ୍ ପ୍ଲାଟ୍ଫର୍ମର ପ୍ରସାର ଏବଂ କ୍ରିକେଟ୍ ଫାଣ୍ଟାସିର ପ୍ରଚାର। ଖେଳର ଅସଲ ମଜା ଓ ମନୋରଂଜନ କ୍ରମେ ହଜିଯିବାର ବିପଦକୁ ଏସବୁ ନିମନ୍ତ୍ରଣ କରୁଛି।
ସୁରେଶ ସ୍ବାଇଁ
କ୍ରିକେଟ୍ ଓ ଏହାର କୋଟି କୋଟି ପ୍ରଶଂସକଙ୍କ ଭିତରେ ଥିବା ମଧୁର ସମ୍ପର୍କ ଏହି ଖେଳର ରୋମାଞ୍ଚ ଓ ଉତ୍କଣ୍ଠାପୂର୍ଣ୍ଣ କ୍ଷଣ ସବୁକୁ ନେଇ ଗଢ଼ିଉଠିଥାଏ। ଏ ଦିଗରେ କିନ୍ତୁ ବଡ଼ ବ୍ୟତିକ୍ରମ ଆଣିଛି କ୍ରିକେଟ୍ ଫାଣ୍ଟାସି ଏବଂ ଏହାକୁ ନେଇ ଦ୍ରୁତ ବେଗରେ ପ୍ରସାରିତ ହେଉଥିବା ସ୍ପୋର୍ଟସ୍ ଗେମିଂ ଆପ୍। ଆଉ ଚଳିତ ଆଇପିଏଲ୍ ଋତୁ କ୍ରିକେଟ୍ ପ୍ରଶଂସକଙ୍କୁ ନିଶାଗ୍ରସ୍ତ କରିପକାଇଛି। କ୍ରିକେଟ୍ ଆଉ ଏକ ଖେଳ ହୋଇ ରହିନାହିଁ, ବ୍ୟବସାୟରେ ପରିଣତ ହୋଇଛି ବୋଲି କିଛିଦିନ ତଳେ ଜଣେ ବରିଷ୍ଠ ସାମ୍ବାଦିକ ଦେଇଥିବା ମତ ବି ଏଥିରେ ଅଧିକ ମାତ୍ରାରେ ପ୍ରତିଫଳିତ ହେଉଛି। ପ୍ରଶଂସକମାନେ ଖେଳର ମଜା ନେବା ପରିବର୍ତ୍ତେ ଏଥିରୁ ରୋଜଗାର କରିବା ପାଇଁ ବେଟିଂରେ ଲିପ୍ତ ରହୁଛନ୍ତି। ଫଳରେ ଖେଳକୁ ନେଇ ଯୁଗ ଯୁଗ ଧରି ରହିଥିବା ଗର୍ବ, ଗୌରବ ପ୍ରଦର୍ଶନ ଏବଂ ଉତ୍କଣ୍ଠା ଓ ରୋମାଞ୍ଚକର ମୁହୂର୍ତ୍ତ ସବୁ ଫିକା ପଡ଼ିଯାଉଛି। କେବଳ ଅର୍ଥ ଉପାର୍ଜନ ହିଁ ସମସ୍ତଙ୍କର ଏକମାତ୍ର ଆଭିମୁଖ୍ୟ ହୋଇଯାଇଛି। ରୋଜଗାର ପ୍ରବୃତ୍ତି ନିଶ୍ଚିତ ଭଲ କଥା, କିନ୍ତୁ ପରୋକ୍ଷରେ କୋଟି କୋଟିଙ୍କୁ ଲୁଟି ସୀମିତ ବ୍ୟକ୍ତିଙ୍କ ଭିତରେ ବାଣ୍ଟି ନିଆଯିବା ପାଇଁ ଏହା ବଡ଼ କ୍ଷେତ୍ର ହୋଇସାରିଛି। ସ୍ପୋର୍ଟସ୍ ଗେମିଂ ଆପ୍ ପ୍ଲାଟ୍ଫର୍ମ ଆଇନଦୃଷ୍ଟିରୁ ବୈଧ ହୋଇଥିଲେ ବି ଏହାର ବ୍ୟବସ୍ଥିତ ପରିଚାଳନା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚିଟ୍ ଫଣ୍ଡ୍ ଭଳି କ୍ରିକେଟ୍ ପ୍ରଶଂସକମାନେ ଯେ ନିକଟ ଭବିଷ୍ୟତରେ କୋଟି କୋଟି ଟଙ୍କା ହରାଇ ପୁଣି ଦେବାଳିଆ ନ ହେବେ ଏହାର ଗ୍ୟାରେଣ୍ଟି କେହି ଦେଇପାରିବେ ନାହିଁ।
ଭାରତରେ ଗତ କିଛିବର୍ଷ ହେବ ସ୍ପୋର୍ଟସ୍ ଗେମିଂ ଆପ୍ ଜରିଆରେ ପ୍ରଶଂସକଙ୍କୁ ଯୋଡ଼ାଯାଉଛି। ସେମାନଙ୍କୁ ଖେଳର ମଜା ନେବା ସହିତ ଏଥିରେ ସ୍ବଳ୍ପ ପୁଞ୍ଜି ଖଟାଇ କୋଟିପତି ହେବାର ସ୍ବପ୍ନ ବି ଦେଖାଇଦିଆଯାଉଛି। କେବଳ ସ୍ବପ୍ନ ନୁହେଁ, ଏହାକୁ ବାସ୍ତବ ରୂପ ବି ଦିଆଯାଉଛି। ଡ୍ରିମ୍ ଇଲେଭେନ୍, ମାଇଁ ଇଲେଭେନ୍ ସର୍କଲ୍, ଏମ୍ପିଏଲ୍ (ମୋବାଇଲ୍ ପ୍ରିମିୟର୍ ଲିଗ୍), ହାଓଜ୍ୟାଟ୍, ରିୟଲ୍ କ୍ରିକେଟ୍ ୨୪, କ୍ରିକେଟ୍ ଲିଗ୍, ଏ୨୩ ଫାଣ୍ଟାସି କ୍ରିକେଟ୍, ଭିଜନ୍୧୧, ସ୍ପୋର୍ଟସ୍ବାଜି, କ୍ରିକ୍ପେ, ୱିଞ୍ଜୋ, ଫାଣ୍ଟାସି ଆଖଡ଼ା, ବ୍ୟାଟ୍ବଲ୍ ୧୧, ୧୧ ଚ୍ୟାଲେଞ୍ଜର୍ସ, ପେଟିଏମ୍ ଫାଷ୍ଟ୍ ଗେମ୍ସ ଭଳି ପ୍ରାୟ ଦୁଇ ଡଜନ ଗେମ୍ ଆପ୍ ପ୍ଲାଟ୍ଫର୍ମ ରହିଛି, ଯେଉଁଠି କ୍ରିକେଟ୍ ସହିତ ଅନ୍ୟ କିଛିରେ ଯୁବଗୋଷ୍ଠୀଙ୍କୁ ଗେମ୍ ନିଶାରେ ବାୟା କରାଯାଉଛି। କିନ୍ତୁ ଆଇପିଏଲ୍ ଋତୁରେ ବର୍ତ୍ତମାନ ଡ୍ରିମ୍ ଇଲେଭେନ୍, ମାଇଁ ଇଲେଭେନ୍ ସର୍କଲ, ଏମ୍ପିଏଲ୍, ହାଓଜ୍ୟାଟ୍ ପ୍ରମୁଖ ଅଧିକ ଚର୍ଚ୍ଚାରେ ରହିଛି। ମାତ୍ର କିଛି ଟଙ୍କାର ପ୍ରବେଶିକା ଦେୟ ସହିତ ଆପଣ ନିଜ ନିଜ ପସନ୍ଦର ଦଳ ବାଛି ସେମାନଙ୍କ ପ୍ରଦର୍ଶନ ଭିତ୍ତିରେ ପଏଣ୍ଟ୍ ଅର୍ଜନ କରିବା ପରେ ସୀମିତ ସଂଖ୍ୟକ ଶୀର୍ଷ ସ୍ଥାନ ଦଖଲକାରୀଙ୍କୁ ମାଲେମାଲ୍ କରିଦିଆଯାଉଛି। ସ୍ବଳ୍ପ ପ୍ରବେଶିକା ହରାଇ ପ୍ରଶଂସକ ନିରାଶ ହେଉନାହାନ୍ତି ସତ, କିନ୍ତୁ ଏସବୁ ସଂସ୍ଥା ବ୍ୟାବସାୟିକ ଦୃଷ୍ଟିକୋଣରୁ ବାର୍ଷିକ ୬୦୦୦/୭୦୦୦ କୋଟି ଆୟ କରିନେଉଛନ୍ତି ବିନା ପରିଶ୍ରମରେ।
ପ୍ରତ୍ୟେକ୍ଷ ଅନୁଭବ ପାଇଁ ଏହି ଲେଖକ ବି ମାଇଁ ଇଲେଭେନ୍ ସର୍କଲ୍ରେ କିଛି ମ୍ୟାଚ୍ରେ ଦଳ ଚୟନ କରି ନିଜ ଭାଗ୍ୟ ପରୀକ୍ଷା କରିସାରିଛି। ଜିତିବା ହାରିବା ବଡ଼କଥା ନୁହେଁ। ଏହା କିଭଳି କାର୍ଯ୍ୟକାରୀ ହେଉଛି ଏବଂ ଏହାର ସୁଦୂରପ୍ରସାରୀ ପ୍ରଭାବ ମାପିପାରିଛି। ଏଥିରୁ ଗୋଟିଏ ଚିନ୍ତା ମୋତେ ଘାରିଛି ଯେ କ୍ରିକେଟ୍ କ୍ରମେ ଏହାର ମୂଳ ଆଭିମୁଖ୍ୟଠାରୁ ଦୂରେଇ ଯାଉଛି। ଅସଲ ମଜା ହଜିଯାଉଛି ଏବଂ ପ୍ରଶଂସକ ଦେଖିକି ନୁହେଁ ରୋଜଗାର କରିବା ନିଶାରେ ଅବସାଦ ଭିତରକୁ ଚାଲିଯିବାର ସଂଶୟ ଜାତ ହୋଇଛି। ଆଇପିଏଲ୍ ଆରମ୍ଭ ସମୟରେ ବିଭିନ୍ନ ଦେଶର ଖେଳାଳି ବିଭିନ୍ନ ଫ୍ରାଞ୍ଚାଇଜ୍ରେ ଏକାଠି ଖେଳିବା ବେଳେ ପ୍ରଶଂସକମାନେ କାହାକୁ ସମର୍ଥନ କରିବେ ଦ୍ବନ୍ଦ୍ବରେ ପଡ଼ିଥିଲେ। କାରଣ ଏଥିରେ କୌଣସି ଜାତୀୟତାବୋଧ ରହୁ ନଥିଲା। କ୍ରମେ ଏହା ସଫଳତାରେ ପହଞ୍ଚିବା ପରେ କ୍ରିକେଟ୍କୁ ପ୍ରଶଂସକ ଉପଭୋଗ କରୁଥିଲେ। ଏବେ କିନ୍ତୁ ଅଧିକାଂଶ ପ୍ରଶଂସକ ଗେମିଂ ଆପ୍ରେ ସମୟ ବିନିଯୋଗ କରି ମଜା ନେବା ପରିବର୍ତ୍ତେ ନିଜେ ବାଛିଥିବା ଦଳର ଖେଳାଳିଙ୍କ ପ୍ରଦର୍ଶନ ଉପରେ ଦୃଷ୍ଟି ନିବଦ୍ଧ ରଖୁଛନ୍ତି। ବିଜୟ ପରାଜୟର ରୋମାଞ୍ଚ ଅନୁଭବ କରିପାରୁନାହାନ୍ତି। ନିଜ ଦଳର ଖେଳାଳି ମୁହାଁମୁହିଁ ହେବାବେଳେ ସେମାନଙ୍କ ପ୍ରଦର୍ଶନ ମୂଲ୍ୟହୀନ ହେଉଥିବାରୁ ଖେଳର ମଜା ଉଠାଇ ପାରୁନାହାନ୍ତି।
ଦ୍ବିତୀୟ ଆଶଙ୍କାଟି ହେଉଛି କିଛି ପ୍ରଶଂସକ ଏକାଧିକ ଦଳ ନେଇ ଏଭଳି ପ୍ଲାଟ୍ଫର୍ମରେ ଖେଳୁଛନ୍ତି। ଏପରିକି କିଛି ଆନୁଷଙ୍ଗିକ ସଂସ୍ଥା ବି ଗଢ଼ି ଉଠିଲାଣି ଯେଉଁମାନେ ପରାମର୍ଶ ଓ ପରିଚାଳନା କରି ଦଳ ଚୟନରେ ଅନ୍ୟ ବ୍ୟକ୍ତିବିଶେଷଙ୍କୁ ସହଯୋଗ କରୁଛନ୍ତି। ଅଧିକ ପୁଞ୍ଜି ଖଟାଇ ସବୁ ବିକଳ୍ପ ହାତେଇବା ସହ ରାତାରାତି କୋଟିପତି ହେବାରେ ସମୟ ବିନିଯୋଗ କରୁଛନ୍ତି। ଏହା ଯେ ଭାରତୀୟ ଯୁବଗୋଷ୍ଠୀ ପାଇଁ ଶୁଭଙ୍କର ନୁହେଁ ବୋଲି ଆମର ହୃଦ୍ବୋଧ ହେଉଛି।
୨୦୦୦ ମସିହାର ମ୍ୟାଚ୍ ଫିକ୍ସଂ ହେଉ କି ୨୦୧୩ ମସିହାର ଆଇପିଏଲ୍ ସ୍ପଟ୍ ଫିକ୍ସିଂ ଭଳି ଝଡ଼ ଆଉଥରେ ଭାରତୀୟ କ୍ରିକେଟ୍କୁ ଯେ କଳିଙ୍କିତ ନ କରିବ କିଏ କହିବ?