ସୁରେଶ ସ୍ବାଇଁ
ଓଡ଼ିଶାରେ ବଡି ବିଲ୍ଡିଂର ପୁରୁଣା ଇତିହାସ ରହିଛି। କିନ୍ତୁ ଏହି ପାରମ୍ପରିକ ଖେଳ ଏବେ କଷ୍ଟକର ସମୟ ଦେଇ ଗତି କରୁଛି। ଯୁବବର୍ଗ ମଧ୍ୟରେ ବିଶେଷ ଆକର୍ଷଣ ରଖୁଥିବା ଏହି ଖେଳ ଓ ଖେଳାଳିଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡ଼ିଛି। ବଡି ବିଲ୍ଡିଂରୁ ନା ମିଳୁଛି ସମ୍ମାନ, ସ୍ବୀକୃତି, ନିଯୁକ୍ତି ନା ସରକାରୀବେସରକାରୀ ପ୍ରୋତ୍ସାହନ। ଜାତୀୟ ଓ ରାଜ୍ୟସ୍ତରରେ ପରିଚାଳନାଗତ ଅବ୍ୟବସ୍ଥା ସଙ୍ଗକୁ କ୍ଷମତା ଲଢ଼େଇ କାରଣରୁ ଏହି ଖେଳ କ୍ରମେ ରସାତଳକୁ ଯିବାକୁ ବସିଛି। ସୁନ୍ଦର ସ୍ବାସ୍ଥ୍ୟକୁ କ୍ୟାରିୟର୍ କରିବାକୁ ଆସିଥିବା ହଜାର ହଜାର ଯୁବକଯୁବତୀଙ୍କ ସୁନ୍ଦର ଭବିଷ୍ୟତ ବି ଦୋ’ଛକିରେ ଛିଡ଼ାହୋଇଛି।
ଓଡ଼ିଶା କ୍ରୀଡ଼ା ଦୁନିଆରେ ଅନେକ ଗୌରବମୟ ଅଧ୍ୟାୟ ଯୋଡ଼ିଥିବା ବଡି ବିଲ୍ଡିଂକୁ ନେଇ ଦେଖା ଦେଇଛି ସଂଶୟ। ବିଶେଷକରି ଯେଉଁମାନେ ଏହି ଖେଳକୁ କ୍ୟାରିୟର୍ କରିବାରେ ଲାଗିଛନ୍ତି ସେମାନେ ଏବେ ଘୋର ଚିନ୍ତାରେ। ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବାକୁ ସ୍ବପ୍ନ ଦେଖିଥିବା ଯୁବପିଢ଼ିର ଖେଳାଳିମାନେ ଏକ ସୁନିଶ୍ଚିତ ଭବିଷ୍ୟତ ନେଇ ନିଶ୍ଚିତ ହୋଇପାରୁନାହାନ୍ତି। ବର୍ଷ ବର୍ଷ ଧରି ପରିଶ୍ରମ କରିଥିବା ଖେଳାଳିମାନେ ଏବେ ପ୍ରଶାସନିକ ଅଚଳାବସ୍ଥା ନେଇ ନା ଆଗକୁ ବଢ଼ି ପାରୁଛନ୍ତି ନା ପଛକୁ ଫେରି ପାରୁଛନ୍ତି।
ବଡି ବିଲ୍ଡିଂର ଜାତୀୟ ସଂଘ ନିକଟରୁ କେନ୍ଦ୍ର ସରକାର ବିଗତ ୩ ବର୍ଷ ହେବ ସ୍ବୀକୃତି ପ୍ରତ୍ୟାହାର କରି ନେଇଥିବାରୁ ସମସ୍ୟା ଦେଖାଦେଇଛି। ଏକଦା ଦେଶରେ ୪ଟି ଜାତୀୟ ବଡି ବିଲ୍ଡିଂ ସଂଘ ଥିଲା। ଏବେ କିନ୍ତୁ ଆଇବିବିଏଫ୍ (ଇଣ୍ଡିଆନ୍ ବଡି ବିଲ୍ଡର୍ସ ଫେଡେରେସନ୍) ଓ ଆଇବିବିଏଫ୍ଏଫ୍ (ଇଣ୍ଡିଆନ୍ ବଡ଼ି ବିଲ୍ଡିଂ ଆଣ୍ଡ୍ ଫିଟସେନ୍ ଫେଡେରେସନ୍) ପ୍ରାଧାନ୍ୟ ବିସ୍ତାର କରୁଛନ୍ତି। ସମାନ୍ତରାଳ ସଂଘ ଗଠନ ଏବଂ ଗୋଟିଏ ଖେଳକୁ ଉପରୋକ୍ତ ଦୁଇ ସଂଘର ପରିଚାଳନାକୁ ନଜରରେ ରଖି ୨୦୨୨ରୁ ବଡି ବିଲ୍ଡିଂକୁ ସ୍ବୀକୃତିପ୍ରାପ୍ତ ଖେଳ ତାଲିକାରୁ କାଟି ଦେଇଛି କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରଣାଳୟ। ଏହା ପରଠାରୁ ହଜାର ହଜାର ସୁନ୍ଦର ସ୍ବାସ୍ଥ୍ୟ ଖେଳାଳି, ପ୍ରଶାସକ, ପ୍ରଶଂସକ ଆଶା ଓ ଆଶଙ୍କାରେ ଝୁଲି ରହିଛନ୍ତି। ଦୁଇ ସଂଘ ମଧ୍ୟରେ ସହମତି ହୋଇପାରୁ ନାହିଁ କି କେନ୍ଦ୍ର ସରକାରଙ୍କ ସ୍ବୀକୃତି ମିଳିପାରୁନାହିଁ।
ଏଭଳି ଭାବେ ଅନ୍ୟ କିଛି ଖେଳ ବି ସଂଘର୍ଷ କରୁଛନ୍ତି। ପ୍ରଶାସକଙ୍କ ଏହି କ୍ଷମତା ଲଢ଼େଇରେ କିନ୍ତୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ବଡି ବିଲ୍ଡର୍। ଏହି ସଙ୍କଟଜନକ ସ୍ଥିତିକୁ ନେଇ ଅଧିକ ବ୍ୟସ୍ତ ହୋଇଛନ୍ତି ଓଡ଼ିଶାର ଜଣେ ଆଗଧାଡ଼ିର ବଡି ବିଲ୍ଡର୍ ବିଶ୍ବଜିତ୍ ପ୍ରତିହାରୀ। ସେ କହନ୍ତି,‘‘ବଡି ବିଲ୍ଡିଂରେ ସର୍ବାଧିକ ଲାଇଫ୍ ରିକ୍ସ ଅଛି, ଏଥିରେ ସଫଳତା ପାଇବାକୁ ହେଲେ ଅଧିକ ପୁଞ୍ଜି ଖଟାଇବାକୁ ପଡ଼ିଥାଏ। ଏହା ସବୁଠାରୁ ବ୍ୟୟବହୁଳ ଖେଳ କହିଲେ ଅତ୍ୟୁକ୍ତି ହେବନାହିଁ। ଅଲିମ୍ପିକ୍ ଖେଳ ହୋଇ ନଥିବାରୁ ଏହା ସାଧାରଣ ଲୋକଙ୍କ ନିକଟରେ ପ୍ରଶଂସନୀୟତା ହରାଉଛି। ଚେସ୍ ଭଳି ଅନେକ ଖେଳ ଏହି ଶ୍ରେଣୀଭୁକ୍ତ ହୋଇଥିଲେ ବି ବଡି ବିଲ୍ଡର୍ଙ୍କୁ ଏକ ଭିନ୍ନ ନଜରରେ ଦେଖୁଛନ୍ତି ସଭିଏଁ। ଅନ୍ୟପଟେ ସଂଘ ସଂଘ ମଧ୍ୟରେ କ୍ଷମତା ଲଢ଼େଇ ଏବଂ ସରକାରଙ୍କ କଠୋର ହସ୍ତକ୍ଷେପ ଅଭାବରୁ ସମାନ୍ତରାଳ ସଂଘ ବିବାଦର ଅନ୍ତ ଘଟୁନାହିଁ। ଏ ଭିତରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଖେଳାଳି ତଥା ଉଦୟମାନ ବଡି ବିଲ୍ଡର୍।’’
ବିଶ୍ବ ପଦକ ଆଶାରେ ବିଶ୍ବଜିତ୍
ପୁରୀର ଏକ ସେବାୟତ ପରିବାରରେ ବିଶ୍ବଜିତ୍ଙ୍କ ଜନ୍ମ। ଭାଗୀରଥି ଓ ସୂର୍ଯ୍ୟମଣିଙ୍କ ସୁପୁତ୍ର ବିଶ୍ବଜିତ୍ ଖେଳ କୋଟାରେ ଡାକ ବିଭାଗରେ ନିଯୁକ୍ତି ପାଇଛନ୍ତି। ଶ୍ରୀମନ୍ଦିରର ଅନ୍ୟତମ ସେବାୟତ ବି ଅଛନ୍ତି। ୨୦୦୦ ମସିହାରୁ ଭାରୋତ୍ତୋଳନରେ ଖେଳ ଜୀବନ ଆରମ୍ଭ କରିଥିଲେ। କିନ୍ତୁ କଚଟି ସମସ୍ୟା ପାଇଁ ସେ ୨୦୧୯ରୁ ବଡି ବିଲ୍ଡିଂ କରୁଛନ୍ତି। ଭାରୋତ୍ତୋଳନରେ ସେ ୧୫ ବର୍ଷ ଧରି ଲଗାତାର ରାଜ୍ୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୦୫ ଓ ୨୦୦୬ରେ ସର୍ବଭାରତୀୟ ସ୍ବର୍ଣ୍ଣ ପଦକ ବି ପାଇଥିଲେ। ୨୦୧୩ରୁ ୨୦୧୮ଯାଏ ସର୍ବଭାରତୀୟ ଡାକ କ୍ରୀଡ଼ା ଓ ସର୍ବଭାରତୀୟ ବେସାମରିକ କ୍ରୀଡ଼ା ପ୍ରତିଯୋଗିତାରେ ବି ସ୍ବର୍ଣ୍ଣିମ ସଫଳତା ଅର୍ଜନ କରିଥିଲେ। କଚଟି ସମସ୍ୟା ବାଟ ଓଗାଳିବା ପରେ ବିଶ୍ବଜିତ୍ କିନ୍ତୁ ହାର୍ ମାନି ନଥିଲେ। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଅନିଲ ଗୋଛିକାରଙ୍କ ପ୍ରେରଣା ଓ ଦିଗ୍ଦର୍ଶନରେ ବଡି ବିଲ୍ଡିଂରେ ପାଦ ଥାପି ଏବେ ବି ସକ୍ରିୟ ଅଛନ୍ତି।
ଏହି ଖେଳରେ ୨୦୨୯ରୁ ୨୦୨୧ ପର୍ଯ୍ୟନ୍ତ କ୍ରମାଗତ ୩ ଥର ଡାକଶ୍ରୀ (ସର୍ବଭାରତୀୟ ଡାକ କ୍ରୀଡ଼ାରେ ସ୍ବର୍ଣ୍ଣ) ଏବଂ ସର୍ବଭାରତୀୟ ବେସାମରିକ କ୍ରୀଡ଼ାରେ ବି ସ୍ବର୍ଣ୍ଣପଦକ ଜିତି ଆସୁଛନ୍ତି। ୪ଥର ରାଜ୍ୟ ବିଜେତା ବିଶ୍ବଜିତ୍ଙ୍କ ପାଇଁ ୨୦୨୫ ମସିହା ସଫଳତମ ବର୍ଷ ହେବାକୁ ଯାଉଛି। ରାଜ୍ୟ ବିଜେତା ହେବାପରେ ସେ ମହାରାଷ୍ଟ୍ରର ଶିରିଡିରେ ମିଷ୍ଟର୍ ଇଣ୍ଡିଆ ଏବଂ ୟୁଏଇରେ ମିଷ୍ଟର୍ ଏସିଆ ମୁକୁଟ ଜିତିଛନ୍ତି। ଏବେ ଚଳିତବର୍ଷ ଦୁଇଟି ବିଶ୍ବସ୍ତରୀୟ ମୁକୁଟ ଉପରେ ନଜର ପକାଇଛନ୍ତି। ଅକ୍ଟୋବର ୧୬ରୁ ୧୮ ପର୍ଯ୍ୟନ୍ତ ସ୍ବିଜର୍ଲାଣ୍ଡ୍ରେ ମିଷ୍ଟର୍ ୟୁନିଭର୍ସ ଏବଂ ନଭେମ୍ବର ୧୩ରୁ ୧୮ ପର୍ଯ୍ୟନ୍ତ ସ୍ପେନ୍ର ବାର୍ସିଲୋନାରେ ମିଷ୍ଟର୍ ୱାର୍ଲଡ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଭାରତ ମାତା ଓ ଜନ୍ମଦାତ୍ରୀ ମା’ଙ୍କ ପାଇଁ ମୁଁ ଏହି ଦୁଇ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବି। ମା’ଙ୍କଠାରୁ ପାଇଥିବା ବିଶ୍ବାସକୁ ମୁଁ ପ୍ରମାଣିତ କରିବା ସହ ଗର୍ବିତ କରିବାକୁ ଚାହେ ବୋଲି ପ୍ରକାଶ କରିଛନ୍ତି ବିଶ୍ବଜିତ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/07/fshsfsfhxbv-2025-09-07-03-17-54.jpg)