ଆଇପିଏଲ୍ ଆରମ୍ଭ ହୋଇଯାଇଛି। ପ୍ରଥମ ସପ୍ତାହରେ ଏକମାତ୍ର ଉଦାହରଣ ଭାବେ ୨୦୦+ ସ୍କୋର୍ର ସଫଳ ପଶ୍ଚାତ୍ଧାବନ ବି ନଜରକୁ ଆସିଛି। ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ୍ର ୨୦୯ ରନ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୩ ବଲ୍ ପୂର୍ବରୁ ହାସଲ କରିନେଇ ଆଇପିଏଲ୍ ୨୦୨୫ ସଂସ୍କରଣକୁ ପ୍ରଥମରୁ ରକେଟ୍ ଗତି ଦେଇଛି। ଏଥର ଯେ ଅଧିକ ବଡ଼ ସ୍କୋର୍ ମିଳିବ ଏ ପ୍ରତିଶ୍ରୁତି ପ୍ରଶଂସକଙ୍କୁ ମିଳିଛି। ଏହାର ସବୁଠାରୁ ବଡ଼ କାରଣ ହେଲା ଇମ୍ପାକ୍ଟ୍ ଖେଳାଳି ନିୟମ। ଇମ୍ପାକ୍ଟ୍ ଖେଳାଳି ନିୟମର ପ୍ରଥମ ନାୟକ ସାଜିଛନ୍ତି ଆଶୁତୋଷ ଶର୍ମା।
ସୁରେଶ ସ୍ବାଇଁ
ଆଇପିଏଲ୍ ଟ୍ରଫି ଜିତି ନପାରିବାର ଅଧୁରା ସ୍ବପ୍ନ ଭିତରେ ସଂଘର୍ଷ କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସ୍କୁ ନୂଆ ଜୀବନରେଖା ମିଳିଯାଇଛି। ଏହି ଦଳର ନୂଆ ଭରସା ହୋଇଛନ୍ତି ଯୁବ ବ୍ୟାଟର୍ ଆଶୁତୋଷ ଶର୍ମା। ଗତ ସୋମବାର ରାତିରେ ୩୧ ବଲ୍ରୁ ୬୬ ରନ୍ର ସାହସିକ ତଥା ବିସ୍ଫୋରକ ପାଳି ଖେଳି ଆଶୁତୋଷ ଦିଲ୍ଲୀ କ୍ୟାପିଟାଲ୍ସ୍କୁ ୨୧୦ ରନ୍ର ସଫଳ ପଶ୍ଚାତ୍ଧାବନ ବିଜୟ ଦେଇଛନ୍ତି। ପୂରା ମ୍ୟାଚ୍କୁ ନିୟନ୍ତ୍ରଣରେ ରଖିଥିବା ଲକ୍ଷ୍ନୌ ହାତରୁ ବିଜୟ ଛଡ଼ାଇ ଆଣିଥିଲେ ଦିଲ୍ଲୀର ‘ଇମ୍ପାକ୍ଟ୍ ପ୍ଲେୟାର୍’ ଆଶୁତୋଷ। ଏହି ଗୋଟିଏ କାରଣ ପାଇଁ ଏବେ ଚାରିଆଡ଼େ ଆଶୁତୋଷଙ୍କ ଚର୍ଚ୍ଚା। ୨୬ ବର୍ଷୀୟ ଆଶୁତୋଷଙ୍କ ମାନସିକ ଦୃଢ଼ତା ଓ ବଡ଼ ସଟ୍ ଖେଳିବା ଦକ୍ଷତା ଉଚ୍ଚସ୍ତରର ବୋଲି ପ୍ରମାଣ ବି ପାଇଛନ୍ତି ପ୍ରଶଂସକ। ୨୧୦ ରନ୍କୁ ପିଛା କରି ଦିଲ୍ଲୀ ଯେତେବେଳେ ୬୫/୫ରେ ସଂଘର୍ଷ କରୁଥିଲା କେହି ବିଶ୍ବାସ କରି ନଥିଲେ ଅକ୍ଷର ପଟେଲଙ୍କ ଦଳ ବିଜୟୀ ହେବ ବୋଲି! ଅନ୍ୟପଟେ ୱିକେଟ୍ ପଡ଼ିବା ସତ୍ତ୍ବେ ୩ ବଲ୍ ପୂର୍ବରୁ ଆଶୁତୋଷ ଦିଲ୍ଲୀ କ୍ୟାପିଟାଲ୍ସ୍କୁ ରୋମାଞ୍ଚକ ଭାବେ ୧ ୱିକେଟ୍ରେ ବିଜୟୀ କରାଇଥିଲେ। ଶାହାବାଜ୍ ଅହମ୍ମଦ୍ଙ୍କୁ ଛକା ମାରି ମ୍ୟାଚ୍ ମଧ୍ୟ ଶେଷ କରି କୋଟି କୋଟି କ୍ରିକେଟ୍ପ୍ରେମୀଙ୍କ ହୃଦୟ ଜିତି ନେଇଥିଲେ।
ଆଶୁତୋଷଙ୍କୁ କିନ୍ତୁ ବହୁ ପ୍ରତିବନ୍ଧକ ଭିତରେ ଆଗକୁ ବଢ଼ିବା ଦେଖିଛନ୍ତି ତାଙ୍କ ପ୍ରଶିକ୍ଷକ ନିଖିଲ ଦୋରୁ। ଏପରିକି ଆଶୁତୋଷଙ୍କ ଏଭଳି ପ୍ରଦର୍ଶନ ନୂଆ ନୁହେଁ ବୋଲି ଜଣାପଡ଼ିଛି। ପ୍ରଶଂସକମାନେ ଭୁଲିଯାଇଥିଲେ ବି ତାଙ୍କ ରେଳବାଇ ପ୍ରଶିକ୍ଷକ ନିଖିଲ ବର୍ଷକ ତଳର ସ୍ମରଣୀୟ ପ୍ରଦର୍ଶନକୁ ମନେପକାଇ ଦେଇଛନ୍ତି, ‘‘ଚୟନକର୍ତ୍ତାମାନେ ତାଙ୍କୁ ରେଳବାଇ ରଣଜୀ ଟ୍ରଫି ଦଳରେ ସାମିଲ କରିବାକୁ ସମ୍ପୂର୍ଣ୍ଣ ଅନିଚ୍ଛା ପ୍ରକଟ କରିଥିଲେ। ସେମାନେ କହୁଥିଲେ, ଆଶୁତୋଷଙ୍କୁ ବ୍ୟାଟିଂ ଜଣା ନାହିଁ। ସେ କେବଳ ବଡ଼ ସଟ୍ ଖେଳିପାରନ୍ତି। କିନ୍ତୁ ତାଙ୍କୁ ଜଣେ ଗେମ୍ ଚେଞ୍ଜର୍ ଭାବେ ମୁଁ ଉପସ୍ଥାପିତ କରିଥିଲି। ପ୍ରଥମ ୩/୪ ମ୍ୟାଚ୍ ପାଇଁ ତାଙ୍କୁ ଚୟନ କରାଯାଇ ନଥିଲା। ଶେଷରେ ଗୁଜରାଟ ବିପକ୍ଷ ମ୍ୟାଚ୍ରେ ତାଙ୍କୁ ସୁଯୋଗ ଦିଆଯିବା ପରେ ସେ ନିଜକୁ ପ୍ରମାଣିତ କରିଥିଲେ। ବିଫଳ ହେଲେ ଦଳରୁ ବାଦ୍ ପଡ଼ିବେ ବୋଲି ଭଲଭାବେ ଜାଣିଥିଲେ ମଧ୍ୟ ନିଜ ଉପରକୁ ଚାପ ନେଇ ନଥିଲେ। ଭାଲସାଡ଼ରେ ଖେଳାଯାଇଥିବା ଏହି ମ୍ୟାଚ୍ ଆରମ୍ଭ ପୂର୍ବରୁ ବିବାଦ ସୃଷ୍ଟି ହୋଇଥିଲା। ଟସ୍ ବେଳେ ଦୁଇଟି ରେଳବାଇ ଦଳ ତାଲିକା ଦିଆଯାଇଥିଲା। ଗୋଟିକରେ ଆଶୁତୋଷଙ୍କ ନାମ ନଥିଲା, ଅନ୍ୟଟିରେ ଥିଲା। ଏପରିକି ଆମେ ୧୩୫/୫ରେ ସଂଘର୍ଷ କରୁଥିଲେ ମଧ୍ୟ ଆଶୁତୋଷଙ୍କୁ ବ୍ୟାଟିଂକୁ ପଠାଇ ପାରି ନଥିଲି। ତାଙ୍କ ଆଗରୁ କର୍ଣ୍ଣ ଶର୍ମାଙ୍କୁ ପଠାଇଥିଲି। ବିସିସିଆଇଠାରୁ ମୋତେ ୧୫/୨୦ ମିନିଟ୍ ଭିତରେ ଦ୍ବନ୍ଦ୍ବ ଦୂର କରିବାକୁ ପଡ଼ିଥିଲା। କର୍ଣ୍ଣ ଆଉଟ୍ ହେବା ପରେ ଆଶୁତୋଷ ବ୍ୟାଟିଂ କରିବାକୁ ଆସିଥିଲେ। ସେତେବେଳକୁ ଦଳର ସ୍କୋର୍ ଥିଲା ୧୪୫/୬। ଆଶୁତୋଷ ବ୍ୟାଟିଂ କରିବାକୁ ଯିବାବେଳେ ଗୁଜରାଟ ସ୍ପିନର୍ ରବି ବିଷ୍ଣୋଇଙ୍କୁ ମୁଁ କହିଲି ଆମ ବ୍ୟାଟିଂ ଏହିଠାରୁ ଆରମ୍ଭ ହେଲା। ସେ କେବଳ ହସିଥିଲେ। ଆଶୁତୋଷ କିନ୍ତୁ ମାତ୍ର ୮୪ ବଲ୍ରୁ ୧୨୩ ରନ୍ର ପାଳି ଖେଳି ଦଳକୁ ୩୧୩ ରନ୍ରେ ପହଞ୍ଚାଇ ଦେଇଥିଲେ। ଶେଷରେ ଆମେ ଏହି ମ୍ୟାଚ୍କୁ ୧୮୪ ରନ୍ରେ ଜିତିଥିଲୁ।’’
ଦୁଇ ବର୍ଷ ହେବ ଆଶୁତୋଷଙ୍କ ନାମରେ ମଧ୍ୟ ଦେଶର ଦ୍ରୁତତମ ଟ୍ବେଣ୍ଟି-୨୦ ଅର୍ଦ୍ଧଶତକ ରେକର୍ଡ ରହିଛି। ୨୦୨୩ ଅକ୍ଟୋବର୍ରେ ଅରୁଣାଚଳ ପ୍ରଦେଶ ବିପକ୍ଷ ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ମ୍ୟାଚ୍ରେ ସେ ରେଳବାଇ ପାଇଁ ମାତ୍ର ୧୧ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ପୂର୍ବରୁ ଏହି ରେକର୍ଡ ଯୁବରାଜ ସିଂହଙ୍କ ନାମରେ ଅନ୍ତର୍ଜାତୀୟ ମ୍ୟାଚ୍ରେ ଥିଲା। ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଷ୍ଟୁଆର୍ଟ ବ୍ରଡ୍ଙ୍କୁ ୬ ଛକା ମାରିବା ପାଳିରେ ଯୁବରାଜ ଇଂଲଣ୍ଡ ବିପକ୍ଷରେ ୧୨ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ୱିକେଟ୍ ପତନ ବେଳେ ବ୍ୟାଟର୍ ସାଧାରଣତଃ ମନ୍ଥର ଖେଳି ପାଳି ଗଢ଼ନ୍ତି। ଆଶୁତୋଷ କିନ୍ତୁ ନିଜ ଉପରେ ଥିବା ବିଶ୍ବାସକୁ ଏତେ ମାତ୍ରାରେ ରଖିଛନ୍ତି ଯେ ଛକା ମାରିବାର ମଜା ନିଅନ୍ତି। ଲକ୍ଷ୍ନୌ ବିପକ୍ଷ ଅବିଶ୍ବସନୀୟ ବିଜୟ ପରେ ଆଶୁତୋଷ ନିଖିଲ୍ଙ୍କୁ କହିଥିଲେ, ‘‘ମୁଁ ମୋ ସଟ୍ ଖେଳି ଚାଲିଥିଲି, କାରଣ ଜାଣିଥିଲି ଆପଣ ମୋତେ ଗାଳି ଦେବେ ନାହିଁ।’’ ସୂଚନାଯୋଗ୍ୟ, ୨୦୨୪ ଆଇପିଏଲ୍ରେ ପଞ୍ଜାବ କିଙ୍ଗ୍ସ ପାଇଁ ଆଶୁତୋଷ ୪ ଥର ଇମ୍ପାକ୍ଟ୍ ଖେଳାଳି ଭାବେ ଆସି ୧୭ ବଲ୍ରୁ ୩୧ ରନ୍, ୧୫ରୁ ୩୩* ରନ୍, ୧୬ରୁ ୩୧ ରନ୍, ୨୮ ବଲ୍ରୁ ୬୧ ରନ୍ ସଂଗ୍ରହ କରିଥିଲେ। ୨୦ ଲକ୍ଷ ଟଙ୍କାରେ ଆଶୁତୋଷଙ୍କୁ କିଣିଥିବା ପଞ୍ଜାବ କିଙ୍ଗ୍ସ କିନ୍ତୁ ଗତ ନିଲାମ ପୂର୍ବରୁ ତାଙ୍କୁ ଛାଡ଼ି ଦେଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ୍ ତାଙ୍କୁ ୩.୮ କୋଟିରେ ନେବା ପରେ ଏହାର ବିଲିଂ ମୂଲ୍ୟ ପାଇଛି। ଗତ ଋତୁରେ ସେ ମାରିଥିବା ଏକମାତ୍ର ଅର୍ଦ୍ଧଶତକ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ହାସଲ କରିଥିଲେ।
କେବଳ ଆଶୁତୋଷ ନୁହନ୍ତି, ଚଳିତ ଆଇପିଏଲ୍ ଋତୁର ପ୍ରଥମ ୭ ମ୍ୟାଚ୍ ସୁଦ୍ଧା ଇମ୍ପାକ୍ଟ୍ ଖେଳାଳିମାନେ ବି ଭଲ ଇମ୍ପାକ୍ଟ୍ ଦେଇ ଚାଲିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଇମ୍ପାକ୍ଟ୍ ଖେଳାଳି ବଦଳରେ ଖେଳିଥିବା ଯୁବ ସ୍ପିନର୍ ବିଘ୍ନେଶ ପୁଥୁର (୪-୦-୩୨-୩), ଗୁଜରାଟ ଟାଇଟନ୍ସ୍ର ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଦଳରେ ବ୍ୟାଟିଂ କରିଥିବା ସେର୍ଫାନ୍ ରଦର୍ଫୋର୍ଡ (୨୮ ବଲ୍ରୁ ୪୬ ରନ୍) ବି ଇମ୍ପାକ୍ଟ୍ ପକାଇ ସାରିଛନ୍ତି। ବିସିସିଆଇର ଏହି ଇମ୍ପାକ୍ଟ୍ ଖେଳାଳି ନିୟମ ବିତର୍କରେ ଥିଲେ ବି ଲମ୍ବା ପ୍ରତିଯୋଗିତା ପାଇଁ ଏହା ଫାଇଦା ଦେଉଛି ବୋଲି ବିଶ୍ବାସ କରାଯାଉଛି। କିନ୍ତୁ ପରୋକ୍ଷରେ ଭାରତୀୟ କ୍ରିକେଟ୍ ଅଧିକ ଅଲ୍ରାଉଣ୍ଡର୍ ସୃଷ୍ଟି କରିବା ଦିଗରେ ଏହା ପ୍ରତିବନ୍ଧକ ହେବ ବୋଲି କିଛି ପୂର୍ବତନ ଖେଳାଳି ଚେତାବନୀ ବି ଦେଇଛନ୍ତି।