ସୁରେଶ ସ୍ବାଇଁ
ଭାରତୀୟ କ୍ରିକେଟ୍ର ଉତ୍ଥାନ ହେଉ କି ପତନ; ଏହାର ପ୍ରଭାବ ଭାରତୀୟ ଅର୍ଥନୀତି ଓ ବାଣିଜ୍ୟବ୍ୟବସାୟ ଉପରେ ପଡ଼ିଛି। ଅର୍ଥନୀତିର ଅଗ୍ରଗତିରେ ଉଲ୍ଲେଖନୀୟ ଅବଦାନ ବି ରଖୁଛି କ୍ରିକେଟ୍। କାରଣ କ୍ରିକେଟ୍ କେବଳ ଏକ ଖେଳ ନୁହେଁ, ଭାରତରେ ଏକ ପ୍ରକାର ଅଘୋଷିତ ଧର୍ମ। କ୍ରିକେଟ୍ ଭାରତୀୟଙ୍କ ଜୀବନର ଅଂଶ ପାଲଟିଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ୧୯୮୩ ମସିହାରେ ଭାରତର ପ୍ରଥମ ବିଶ୍ବକପ୍ ବିଜୟ ପରବର୍ତ୍ତୀ ସମୟଠାରୁ ଦେଶରେ କ୍ରିକେଟ୍ର ଲୋକପ୍ରିୟତା ବହୁଗୁଣିତ ହୋଇଛି। ତେବେ ୨୦୦୮ରେ ଆରମ୍ଭ ହୋଇଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ଭାରତୀୟ କ୍ରିକେଟ୍କୁ କେବଳ ନୂଆ ଜୀବନ ନୁହେଁ, ନୂଆ ଦିଶା ବି ଦେଇଛି। ବିଶ୍ବରେ କ୍ରିକେଟ୍ ଖେଳୁଥିବା ଦେଶଗୁଡ଼ିକରେ ଟ୍ବେଣ୍ଟି-୨୦ ଲିଗ୍ ରହିଥିଲେ ବି ଏସବୁ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ଅନୁସରଣରେ ପରିଚାଳିତ ହେଉଛି। ଆଇପିଏଲ୍ର ଅଷ୍ଟାଦଶ ସଂସ୍କରଣ ପରେ ଆସନ୍ତୁ ନଜର ପକାଇବା ଏହା କିଭଳି ଭାବେ ଭାରତୀୟ ଅର୍ଥନୀତିକୁ ପ୍ରଭାବିତ କରୁଛି।
ପ୍ରାୟ ଦୁଇ ଦଶନ୍ଧି ତଳେ ଯେତେବେଳେ ଆଇପିଏଲ୍ ଆରମ୍ଭ ହେଲା, ଦେଶର ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ବର୍ଗର ଉଦ୍ୟୋଗ ତଥା ଶିଳ୍ପ ପାଇଁ ପ୍ରଚୁର ସମ୍ଭାବନା ସୃଷ୍ଟିହେଲା। ଛୋଟ ଛୋଟ ଦୋକାନଠାରୁ ଆରମ୍ଭ କରି ହୋଟେଲ୍ ସେବା ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସାୟରେ ବଡ଼ଧରଣର ଅଭିବୃଦ୍ଧିରେ ସହାୟକ ହେଲା। ଆଇପିଏଲ୍ର ପ୍ରତ୍ୟକ୍ଷ ଫାଇଦା ପାଇଲେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଥିବା କ୍ଷୁଦ୍ର ଉଦ୍ୟୋଗ। କାରଣ ଦଳୀୟ ଜର୍ସି, ଖେଳାଳିଙ୍କ ଜର୍ସି, କ୍ରିକେଟ୍ ସରଞ୍ଜାମ, ଖେଳାଳିଙ୍କ ସ୍ମାରକୀ, ଟୋପି, ପ୍ଲାକାର୍ଡ, କାର୍ଟୁନ୍, ଦଳୀୟ ପତାକା, ପୋଷ୍ଟର୍, ଚୌକା ଓ ଛକା ସଙ୍କେତ, ବ୍ୟାନର୍ ଓ କ୍ରୀଡ଼ା ପ୍ରଶଂସକଙ୍କ ଜର୍ସି ଆଦିର ଚାହିଦା ଆଇପିଏଲ୍ ଆୟୋଜିତ ହେଉଥିବା ସହରରେ ଆକାଶଛୁଆଁ ହେଉଛି। ଏହି କାରବାର ହଜାର ହଜାର କ୍ଷୁଦ୍ର ବ୍ୟବସାୟୀଙ୍କୁ ଭଲ ଆୟ ଦେଉଛି।
ଆଇପିଏଲ୍ର ନକାରାତ୍ମକ ଦିଗ
ଆଇପିଏଲ୍ର ନକାରାତ୍ମକ ଦିଗ ବି ରହିଛି। ପ୍ରତିଟି ଆଇପିଏଲ୍ ମ୍ୟାଚ୍ରୁ ୧୦ରୁ ୧୪ ହଜାର ଟନ୍ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ନିର୍ଗତ ହେଉଥିବାରୁ ଗୋଟିଏ ଋତୁରେ ଏହା ୭୫ରୁ ୯୦ ଲକ୍ଷ ଟନ୍ରେ ପହଞ୍ଚିଯାଉଛି, ଯାହାକି ପ୍ରାୟ ୨୦ ଲକ୍ଷ ବାସଗୃହରୁ ନିର୍ଗତ ଅଙ୍ଗାରକାମ୍ଳ ସହ ସମାନ। ଅର୍ଥାତ୍ ଏହା ଭବିଷ୍ୟତ ପାଇଁ ବିପଦ ମଧ୍ୟ ରଖୁଛି। ପ୍ରଚୁର ଅର୍ଥ ରୋଜଗାର ହେଉଥିବାରୁ ଏହା ଖେଳାଳିଙ୍କ ଉପରେ ଶାରୀରିକ ଓ ମାନସିକ ଚାପ ବି ବଢ଼ାଉଛି। ଖେଳସୂଚୀ ଓ ଭ୍ରମଣ କ୍ଳାନ୍ତି କାରଣରୁ ଅଧିକାଂଶ ଖେଳାଳି କେବଳ ଆଇପିଏଲ୍ ଖେଳିବାକୁ ପସନ୍ଦ କରିବାରୁ ଅସଲ କ୍ରିକେଟ୍ (ଟେଷ୍ଟ୍ ମ୍ୟାଚ୍) ବି ଅବହେଳିତ ହୋଇଚାଲିଛି। ଆଇପିଏଲ୍ ପାଇଁ ଆଇସିସି ଗବାକ୍ଷ ରଖିଥିବାରୁ ଏହି ସମୟରେ ପ୍ରାୟ ଅନ୍ତର୍ଜାତୀୟ ସୂଚୀ ରହୁନାହିଁ। ଏହାଦ୍ବାରା ବି କ୍ରିକେଟ୍ ପ୍ରଭାବିତ ହେଉଛି।
ଆତିଥେୟତା ଓ ପର୍ଯ୍ୟଟନ ଶିଳ୍ପ ବି ବେଶ୍ ଫାଇଦା ପାଉଛି। ହୋଟେଲ୍, ରେସ୍ତୋରାଁ ସହିତ ପରିବହନ ବ୍ୟବସାୟ ବି ଭଲ ମୁନାଫା କମାଉଛନ୍ତି ଆଇପିଏଲ୍ ଋତୁରେ। ଏହି ସମୟରେ ଦେଶ ଭିତରେ ଏବଂ ବିଦେଶରୁ ଆଇପିଏଲ୍ ସହରକୁ ଭ୍ରମଣ କରୁଥିବା କ୍ରିକେଟ୍ ପ୍ରଶଂସକ ଖେଳର ପ୍ରତ୍ୟକ୍ଷ ଅନୁଭୂତି ପାଇଁ ପ୍ରଚୁର ଖର୍ଚ୍ଚ କରୁଛନ୍ତି। ଫୁଟ୍ପାଥ୍ ବ୍ୟବସାୟ ବି ଜମି ଉଠୁଛି। ରେସ୍ତୋରାଁ ଓ ପବ୍ଗୁଡ଼ିକ ବି ଆଇପିଏଲ୍ ମ୍ୟାଚ୍କୁ ବଡ଼ ପରଦାରେ ସିଧା ପ୍ରସାରଣ କରି ଲୋକଙ୍କୁ ଆକର୍ଷିତ କରୁଛନ୍ତି ଏବଂ ଖାଦ୍ୟ, ପାନୀୟ ବିକ୍ରିକରି ଭଲ ଲାଭ ପାଉଛନ୍ତି। ଖାଦ୍ୟ ଯୋଗାଣକାରୀ, କ୍ଲାଉଡ୍ କିଚେନ୍, ଷ୍ଟ୍ରିଟ୍ ଫୁଡ୍ ଭେଣ୍ଡର୍ସ ବି ଏହାର ସୁଯୋଗ ନେଉଛନ୍ତି। ପ୍ରଶଂସକମାନେ ଘରେ ଏକା ମ୍ୟାଚ୍ ନ ଦେଖି ଗୋଷ୍ଠୀହୋଇ କ୍ଲବ୍ ଓ ରେସ୍ତୋରାଁରେ ଦେଖିବାକୁ ପସନ୍ଦ କରୁଥିବାରୁ ଖାଦ୍ୟ ଓ ପାନୀୟ ଅର୍ଡର୍ ବଢୁଛି। ଛୋଟ ରେସ୍ତୋରାଁଗୁଡ଼ିକ ନିୟମିତ କମ୍ବୋ ଅଫର୍, ଡିସ୍କାଉଣ୍ଟ୍ ଓ ପ୍ରମୋସନ୍ ଯୋଗାଉଥିବାରୁ ପରୋକ୍ଷରେ ଏହା ରାଜସ୍ବ ବୃଦ୍ଧି କରାଉଛି। ପରିବହନ ଶିଳ୍ପ ପାଇଁ ମଧ୍ୟ ବଡ଼ ସୁଯୋଗ ଆଣି ଦେଉଛି ଆଇପିଏଲ୍। ସ୍ଥାନୀୟ କ୍ୟାବ୍, ଅଟୋରିକ୍ସା, ବାଇକ୍ ମଧ୍ୟ ଭଲ ରୋଜଗାର କରୁଛନ୍ତି। ମୋଟାମୋଟି ଭାରତୀୟ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଏହା ଏକ ନିର୍ଭରଯୋଗ୍ୟ ଆୟ ଉତ୍ସ ପାଲଟିଛି।
ଆଇପିଏଲ୍ ମଧ୍ୟ ଡିଜିଟାଲ୍ ମାର୍କେଟିଂ ଓ ବିଜ୍ଞାପନ ବ୍ୟବସାୟକୁ ଦ୍ରୁତ ଗତିରେ ପ୍ରସାରିତ କରୁଛି। ଅନ୍ଲାଇନ୍ ସେବା ଦେଉଥିବା ଛୋଟ ଛୋଟ ସଂସ୍ଥା ବି ଆଇପିଏଲ୍ ଦର୍ଶକଙ୍କ ମାଧ୍ୟମରେ ସେମାନଙ୍କ ବିଜ୍ଞାପନ ଅଭିଯାନ ବ୍ୟାପକ କରିପାରୁଛନ୍ତି। ସାମାଜିକ ଗଣମାଧ୍ୟମ ପ୍ରମୋସନ୍ ବି ବ୍ୟାପକ ହେଉଛି। ଡିଜିଟାଲ୍ ମାର୍କେଟିଂ ଫାର୍ମ ଓ କଣ୍ଟେଣ୍ଟ୍ ରାଇଟର୍ସଙ୍କ ଚାହିଦା ବଢୁଛି। ତେଣେ ଆଇପିଏଲ୍ ଋତୁ ଆରମ୍ଭ ହେବା ମାତ୍ରେ ପ୍ରାୟ ୩୦/୩୫ ହଜାର ଅସ୍ଥାୟୀ ନିଯୁକ୍ତି ହେଉଛି। ଇଭେଣ୍ଟ୍ ମ୍ୟାନେଜ୍ମେଣ୍ଟ୍ ଟିମ୍, ହୋଟେଲ୍ କେୟାର୍ଟେକର୍, ଷ୍ଟାଡିୟମ୍ ସୁରକ୍ଷାକର୍ମୀ, ଟିକେଟ୍ କାଉଣ୍ଟର୍ ମ୍ୟାନେଜର୍ ଓ ବିଭିନ୍ନ ଦଳର ସପୋର୍ଟ ଷ୍ଟାଫ୍ ନିୟୋଜିତ ହେଉଛନ୍ତି।
ତେବେ ପ୍ରଚୁର ଆୟ ସତ୍ତ୍ବେ ଆଇପିଏଲ୍ କିନ୍ତୁ ସରକାରଙ୍କ ଶୁଳ୍କ ବନ୍ଧନୀ ବାହାରେ ରହିଛି। ଆଇପିଏଲ୍ କ୍ରିକେଟ୍ର ବିକାଶ କରୁଥିବା ଦର୍ଶାଇ ଏହାକୁ ଏକ ଅଣଲାଭାଂଶ କାର୍ଯ୍ୟକ୍ରମଭୁକ୍ତ କରିପାରିଛି। ବିସିସିଆଇ ମଧ୍ୟ ଇଟାଟ୍ (ଇନ୍କମ୍ ଟ୍ୟାକ୍ସ ଆପେଲେଟ୍ ଟ୍ରିବ୍ୟୁନାଲ୍)ରେ ଆବେଦନ କରି କର୍ପୋରେଟ୍ ଟ୍ୟାକ୍ସ ଏଡ଼ାଇବାରେ ସକ୍ଷମ ହୋଇଛି। କିନ୍ତୁ ଆଇପିଏଲ୍-୨୦୨୫ର ଖେଳାଳିଙ୍କ ଦରମାରୁ ଭାରତ ସରକାର ପାଇଛନ୍ତି ୯୦ କୋଟି ଟଙ୍କା। ଭାରତୀୟ ଖେଳାଳି ପ୍ରାପ୍ୟର ୧୦ ପ୍ରତିଶତ ଏବଂ ବିଦେଶୀ ଖେଳାଳି ୨୦ ପ୍ରତିଶତ ଟିଡିଏସ୍ ଦେଉଛନ୍ତି ଆୟକର ବିଭାଗକୁ। ପର୍ଯ୍ୟଟନ ଓ ଟିଭି ପ୍ରସାରଣ ଆଦିକୁ ମିଶାଇଲେ ସରକାର ପରୋକ୍ଷ ଓ ପ୍ରତ୍ୟକ୍ଷଭାବେ ଭଲ ରାଜସ୍ବ ଆୟ କରୁଛନ୍ତି। ବିଶସ୍ତରୀୟ ପ୍ରାୟୋଜକଙ୍କୁ ଆକର୍ଷିତ କରିବାରେ ବି ଏହି ଲିଗ୍ ସଫଳ ହୋଇଛି।