ଭାରତୀୟ ଚେସ୍‌ ଏବେ ନୂଆ ଶିଖର ଛୁଇଁଛି। ଗୋଟିଏ ସମୟରେ ଭାରତୀୟ ଖେଳାଳି ବିଶ୍ବ ବିଜେତା, ବିଶ୍ବକପ୍‌ ବିଜୟିନୀ ରହିବା ସହ ଦଳଗତ ଭାବେ ମଧ୍ୟ ପୁରୁଷ ଓ ମହିଳା ଦଳ ବିଶ୍ବ ଟ୍ରଫି ଜିତିଛନ୍ତି। ବ୍ୟକ୍ତିଗତ ବର୍ଗରେ ଡୋମାରାଜୁ ଗୁକେଶ ଗତବର୍ଷ ଫିଡେ ବିଶ୍ବ ପ୍ରତିଯୋଗିତା ଜିତିଥିଲେ। ଏବେ ଦିବ୍ୟା ଦେଶମୁଖ ଫିଡେ ମହିଳା ବିଶ୍ବକପ୍‌ ଜିତି ଭାରତକୁ ଦ୍ବିମୁକୁଟ ଅର୍ଜନ କରାଇଛନ୍ତି। ଏକକାଳୀନ ଭରତୀୟ ପୁରୁଷ-ମହିଳା ଦଳଗତ ଓ ବ୍ୟକ୍ତିଗତ ଭାବେ ବିଶ୍ବ ବିଜେତା ହୋଇ ପ୍ରମାଣ କରି ଦେଇଛନ୍ତି ଯେ ଭାରତୀୟଙ୍କ ବୌଦ୍ଧିକ ଶକ୍ତିର ସାମର୍ଥ୍ୟ ଅଲଂଘନୀୟ। ପ୍ରଥମ ଭାରତୀୟ ମହିଳା ଭାବେ ଦିବ୍ୟା ଦେଶମୁଖ ବିଶ୍ବକପ୍‌ ଜିତି କ୍ୟାଣ୍ଡିଡେଟ୍‌ସ୍‌ ଯୋଗ୍ୟତା ସହ ବଡ଼ ଲମ୍ଫ ମାରି ସିଧାସଳଖ ଗ୍ରାଣ୍ଡ୍‌ ମାଷ୍ଟର୍ ଟାଇଟଲ୍ ଅର୍ଜନ କରିବା ନିଶ୍ଚିତ ଭାବେ ଏକ ବିରଳ ସଫଳତା।

Advertisment

ସୁରେଶ ସ୍ବାଇଁ

ଦିବ୍ୟା ଦେଶମୁଖଙ୍କ ବୟସ ମାତ୍ର ୧୯ ବର୍ଷ। ଜର୍ଜିଆର ବାଟୁମିରେ ଏଇ ସପ୍ତାହରେ ଅନୁଷ୍ଠିତ ଫିଡେ ମହିଳା ଚେସ୍‌ ବିଶ୍ବକପ୍‌ ଜିତି ସେ ଇତିହାସ ରଚିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ସେ ଫାଇନାଲ୍‌ରେ ଭାରତୀୟ ମହିଳା ଚେସ୍‌ର ଚେହେରା ୩୮ ବର୍ଷୀୟା କୋନେରୁ ହମ୍ପିଙ୍କୁ ପରାଜିତ କରିଛନ୍ତି। ନିଜଠାରୁ ଦୁଇଗୁଣା ବୟସର ଏବଂ ଦୁଇ ଦଶନ୍ଧିର ଅଭିଜ୍ଞତା ଥିବା ଖେଳାଳିଙ୍କୁ ପଛରେ ପକାଇ ଦିବ୍ୟା ବିଶ୍ବକପ୍ ଜିତିବା ଏକ ବିରଳ ଉପଲବ୍‌ଧି। ଅବଶ୍ୟ କୋନେରୁ ହମ୍ପି ସହଜରେ ବାଟ ଛାଡ଼ି ନଥିଲେ। ଦୁଇ ଗେମ୍‌ବିଶିଷ୍ଟ ଫାଇନାଲ୍‌ ୧-୧ରେ ରହିବା ପରେ ପ୍ରଥମ ଟାଇବ୍ରେକ୍‌ ବି ଡ୍ର’ ରହିଥିଲା। ଦ୍ବିତୀୟ ଟାଇବ୍ରେକ୍‌ ଗେମ୍‌କୁ କିନ୍ତୁ ଜିତି ନେଇଥିଲେ ଯୁବ ପ୍ରତିଭା ଦିବ୍ୟା। ହମ୍ପିଙ୍କ ସ୍ବପ୍ନ ଅଧୁରା ରହିଯାଇଥିଲା, କିନ୍ତୁ ବିଶ୍ବ ଚେସ୍‌ରେ ଜଣେ ନୂଆ ତାରକାଙ୍କ ଆବିର୍ଭାବ ହେଲା। ବିଶ୍ବକପ୍‌ ବିଜୟ ସହ ମର୍ଯ୍ୟାଦାଜନକ କ୍ୟାଣ୍ଡିଡେଟ୍‌ସ୍ ପ୍ରତିଯୋଗିତା ଲାଗି ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି ନାଗପୁରର ଝିଅ ବିଦ୍ୟା। ପୁରସ୍କାର ବାବଦରେ ବି ଜିଣିଛନ୍ତି ୫୦,୦୦୦ ଆମେରିକୀୟ ଡଲାର୍‌।

ବାଟୁମିରୁ ମୁମ୍ବାଇ ବାଟ ହୋଇ ନାଗପୁର ପହଞ୍ଚିବା ପରେ ଦିବ୍ୟାଙ୍କୁ ମିଳିଛି ଭବ୍ୟ ସ୍ବାଗତ। ତାଙ୍କ ସ୍ବାଗତରେ ଲୋକଭିଡ଼ ଦେଖି ଦିବ୍ୟା ଭାବବିହ୍ବଳ ହୋଇ କହିଛନ୍ତି,‘‘ମୋତେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବାକୁ ଏତେ ଲୋକ ବିମାନବନ୍ଦର ଆସିବା ଦେଖି ମୁଁ ଅଭିଭୂତ। ଚେସ୍‌କୁ ସ୍ବୀକୃତି ଓ ସମ୍ମାନ ମିଳୁଥିବାରୁ ମୋତେ ଖୁସି ଲାଗୁଛି। ସଫଳତାର ସବୁ ଶ୍ରେୟ ପରିବାର ଓ ମୋ ପ୍ରଥମ ପ୍ରଶିକ୍ଷକ ରାହୁଲ ଯୋଶୀ ସାର୍‌ଙ୍କୁ ଦେବି। ସାର୍ କିନ୍ତୁ ୨୦୨୦ରେ ମାତ୍ର ୪୦ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ସେ ଚାହୁଁଥିଲେ ମୁଁ ଗ୍ରାଣ୍ଡ୍‌ମାଷ୍ଟର୍ ହୁଏ, ଏହା ତାଙ୍କ ପାଇଁ ସମର୍ପିତ।’’ ମୋ କ୍ୟାରିୟର୍ ଗଢ଼ିବାରେ ପିତାମାତାଙ୍କ ପ୍ରମୁଖ ଭୂମିକା ରହିଛି। ଭଉଣୀ ଆର୍ଯ୍ୟା,‌ ଜେଜେବାପା, ଜେଜେମା’ ବି ଉତ୍ସାହିତ କରିଆସିଥିଲେ। ଅନ୍ୟତମ ପ୍ରଶିକ୍ଷକ ଗ୍ରାଣ୍ଡ୍‌ମାଷ୍ଟର୍ ଅଭିଜିତ କୁନ୍ତେଙ୍କ ପ୍ରଭାବକୁ ବି ଦିବ୍ୟା ସ୍ବୀକାର କରିଛନ୍ତି। ସେ କହିଛନ୍ତି, ‘‘ଅଭିଜିତ ସାର୍ ମୋ ପାଇଁ ଲକି, ସେ ଯେବେ‌ ବି ମୋ ସହ ଥାଆନ୍ତି ମୁଁ ଟ୍ରଫି ଜିତିଯାଏ।’’

ଦିବ୍ୟାଙ୍କ ଓଡ଼ିଶା ସଂପର୍କ
ବୟସବର୍ଗଠାରୁ ଆରମ୍ଭ କରି ବିଶ୍ବ ବିଜୟିନୀ ହୋଇଥିବା ଦିବ୍ୟା ଦେଶମୁଖଙ୍କର ଓଡ଼ିଶା ସହ କ୍ରୀଡ଼ାଗତ ସମ୍ପର୍କ ରହିଛି। ବିଭିନ୍ନ ପ୍ରତିଯୋଗିତା ଖେଳିବାକୁ ୪ ଥର ଓଡ଼ିଶା ଆସିଛନ୍ତି ଦିବ୍ୟା। ୨୦୨୨ ମସିହାରେ ଭୁବନେଶ୍ବର କିଟ୍‌ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ୪୭ତମ ଜାତୀୟ ମହିଳା ଚେସ୍‌ ପ୍ରତିଯୋଗିତାରେ ସେ ଚାମ୍ପିଅନ୍ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ତତ୍‌କାଳୀନ ଏଓସିଏ କର୍ମକର୍ତ୍ତା ଜିସି ମହାପାତ୍ର, ଦେବବ୍ରତ ଭଟ୍ଟ, ରଂଜନ ମହାନ୍ତିଙ୍କ ସହ କିଟ୍‌ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ବି ଉପସ୍ଥିତ ଥିଲେ। ନାଗପୁରରେ ବିଶ୍ବ ବିଜୟିନୀ ଦିବ୍ୟାଙ୍କୁ ତାଙ୍କ ଜୀବନର ସର୍ବଶ୍ରେଷ୍ଠ ସଫଳତା ଲାଗି ସମ୍ବର୍ଦ୍ଧନା ଦିଆଯାଉଥିବା ବେଳେ ଓଡ଼ିଆ ଆୟକର ଅଧିକାରୀ ରଂଜନ ମହାନ୍ତି ଉପସ୍ଥିତ ରହି ଅଭିବାଦନ ଜଣାଇଥିଲେ।

ସର୍ବକନିଷ୍ଠ ବିଶ୍ବବିଜୟିନୀ ଦିବ୍ୟାଙ୍କ ସମ୍ପର୍କରେ ନୂଆ ତଥ୍ୟ ଦେଇଛନ୍ତି ତାଙ୍କ ମା’ ଡାକ୍ତର ନମ୍ରତା ଦେଶମୁଖ।‌ ଚେସ୍ ଦିବ୍ୟାର ଜିନ୍‌ରେ ରହିଛି। ତାଙ୍କ ଅଣଅଜା ଡାକ୍ତର ଦୁର୍ଗାପ୍ରସାଦ ଶର୍ମା ସ୍ବାଧୀନତା ସଂଗ୍ରାମୀ ତଥା ଭୂଦାନ ଆନ୍ଦୋଳନର ଅନ୍ୟତମ ସାରଥି ବିନୋବା ଭାବେଙ୍କ ସହ ଚେସ୍‌ ଖେଳୁଥିଲେ। ମୋ ପିତା (ଦିବ୍ୟାଙ୍କ ଅଜା) ମଧ୍ୟ ଚେସ୍‌ ଖେଳୁଥିଲେ। ତା’ ବଡ଼ଭଉଣୀ ଆର୍ଯ୍ୟା ବାସ୍କେଟ୍‌ବଲ୍‌ ଓ ବ୍ୟାଡ୍‌ମିଣ୍ଟନ୍ ଖେଳୁଥିବା ବେଳେ ସେ ତାକୁ ଚେସ୍‌ ଖେଳିବାକୁ ଉତ୍ସାହିତ କରିଥିଲେ। ୨୦୧୨ରେ ଜାତୀୟ ୭ ବର୍ଷରୁ କମ୍‌ ବର୍ଗ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ଜିତିବା ପରଠାରୁ ସେ ଆଉ ପଛକୁ ଫେରି ଦେଖି ନଥିଲେ। ଏସୀୟ ୮ ବର୍ଷରୁ କମ୍‌ ବର୍ଗରେ ଅନ୍ତର୍ଜାତୀୟ ପଦାର୍ପଣରେ ବି ବିଜୟିନୀ ହୋଇଥିଲେ। ବିଶ୍ବ ଯୁବ ଚେସ୍‌ରେ ବି ଦେଶର ପ୍ରତିନିଧିତ୍ବ କରିଥିଲେ। ୨୦୧୪ରେ ସେ ଦକ୍ଷିଣ ଆଫ୍ରିକାର ଡର୍ବାନ୍‌ରେ ସର୍ବକନିଷ୍ଠ ବିଶ୍ବ ବିଜୟିନୀ (୧୦ ବର୍ଷରୁ କମ୍‌) ହୋଇଥିଲେ। ବିଦ୍ୟାଙ୍କ ଅସାଧାରଣ ଅଗ୍ରଗତି ତାଙ୍କୁ ଶୀର୍ଷ ଛୁଆଁଇଛି। ବିଶ୍ବ ଚେସ୍‌ ଅଲିମ୍ପିଆଡ୍‌ରୁ ୨ଟି ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ସେ ଜିତି ସାରିଛନ୍ତି। ଏବେ ବିଶ୍ବକପ୍ ବିଜୟିନୀ ହୋଇ ସେ ୨୦୨୬ କ୍ୟାଣ୍ଡିଡେଟ୍‌ସ୍‌ ଚେସ୍‌ ପାଇଁ ପ୍ରସ୍ତୁତ। ଜାତୀୟ, ଏସୀୟ, ବିଶ୍ବ ବୟସ ବର୍ଗ ଓ ବିଶ୍ବ ଯୁବ ବର୍ଗରେ ବିଜୟିନୀ ହୋଇ କ୍ରମାଗତ ଭାବେ ସଫଳତାର ସିଡ଼ି ଚଢ଼ିଛନ୍ତି ଦିବ୍ୟା। ୨୦୨୪ରେ ବିଶ୍ବ ୨୦ ବର୍ଷରୁ କମ୍‌ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତି ସେ କୋନେରୁ ହମ୍ପି (୨୦୦୧), ହାରିକା ଦ୍ରୋଣାବଳୀ (୨୦୦୮), ସୌମ୍ୟା ସ୍ବାମୀନାଥନ୍ (୨୦୦୯)ଙ୍କ ପରେ ଚତୁର୍ଥ ଭାରତୀୟ ହୋଇଥିଲେ। ୪୫ତମ ଚେସ୍‌ ଅଲିମ୍ପିଆଡ୍‌ରେ ଭାରତକୁ ଦଳଗତ ସ୍ବର୍ଣ୍ଣ ସହ ବ୍ୟକ୍ତିଗତ ବୋର୍ଡ ସ୍ବର୍ଣ୍ଣ ଜିତି ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଆଉ ୨୦୨୫ରେ ବିଶ୍ବକପ୍‌ ବିଜୟିନୀ ହେବା ପଥରେ ସେ ଏକାଧିକ ଉଚ୍ଚମାନ୍ୟତାପ୍ରାପ୍ତ ଖେଳାଳିଙ୍କ ରାଣୀକୁ କଏଦ କରି ନିଜେ ଅପ୍ରତିଦ୍ବନ୍ଦ୍ବୀ ଯୁବରାଣୀ ପାଲଟିଯାଇଛନ୍ତି।