ସୁରେଶ ସ୍ବାଇଁ

Advertisment

ଏବେ ବି ଆଥ୍‌ଲେଟିକ୍ସ ଟ୍ରାକ୍‌ରେ ଅହରହଃ ଦୌଡୁଛନ୍ତି ଶ୍ରାବଣୀ। ଓଡ଼ିଶାର ଅନ୍ତର୍ଜାତୀୟ ତାରକା ଶ୍ରାବଣୀ ନନ୍ଦ। ପୂର୍ବଭଳି ପଦକ ଜିତୁଛନ୍ତି, ପ୍ରଥମ ସ୍ଥାନରେ ବି ରହୁଛନ୍ତି। କେବଳ ଓଡ଼ିଶା ପାଇଁ ଜାତୀୟ ସ୍ତରରେ ନୁହେଁ, ଭାରତ ପାଇଁ ଅନ୍ତର୍ଜାତୀୟ ସ୍ତରରେ ବି ଚମକ ଛାଡୁଛନ୍ତି। ପ୍ରାୟ ଅଢ଼େଇ ଦଶନ୍ଧି ‌ହେବ‌ ବିଭିନ୍ନ ଟ୍ରାକ୍‌ରେ ଦୌଡୁଥିବା ଶ୍ରାବଣୀ ଜାତୀୟ ସ୍ତରରେ ଏକାଧିକ ବାର ଶ୍ରେଷ୍ଠ ଧାବିକା ସମ୍ମାନ ଅର୍ଜନ କରି ପୁଣି ଥରେ ଏସୀୟ‌ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ବି ସ୍ଥାନ ପାଇଛନ୍ତି। ଅବଶ୍ୟ ନିଜ ପ୍ରିୟ ୧୦୦, ୨୦୦ ମିଟର ବିଭାଗ ନୁହେଁ, ରିଲେ‌ ଦୌଡ଼ ପାଇଁ ସେ ପାଇଛନ୍ତି ଏହି ସୁଯୋଗ। ଏହା କିନ୍ତୁ ଶ୍ରାବଣୀଙ୍କ ନିନ୍ଦୁକ ତଥା ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଛି। କେବଳ ଝିଅପିଲାଟି ବୋଲି ‌ସେ ଏତେ ବୟସଯାଏ ଖେଳିପାରିବେ ନାହିଁ ଏବଂ ଭଲ ପ୍ରଦର୍ଶନ କରିପାରିବ ନାହିଁ ବୋଲି ଯେଉଁମାନେ ପ୍ରଶ୍ନ ଉଠାନ୍ତି, ସେମାନଙ୍କୁ ଶ୍ରାବଣୀ ବାରମ୍ବାର ଭୁଲ୍‌ ପ୍ରମାଣିତ କରିଛନ୍ତି। ନିଜର ଆଉ କିଛି ଅଧୁରା ସ୍ବପ୍ନ ପୂର୍ଣ୍ଣ କରିବା ପରେ ହିଁ ଟ୍ରାକ୍‌ ଛାଡ଼ିବା କଥା ଚିନ୍ତା କରିବାକୁ ସଙ୍କଳ୍ପ‌ ନେଇଛନ୍ତି ସେ। କେବଳ ଯେ ସ୍ବପ୍ନ ଦେଖିଛନ୍ତି କି ସଙ୍କଳ୍ପ ନେଇଛନ୍ତି ତାହା ନୁହେଁ, ଏଥିପାଇଁ ଆବଶ୍ୟକ ପରିଶ୍ରମ, ତ୍ୟାଗ ଓ ନିଷ୍ଠା ମଧ୍ୟ ବଜାୟ ରଖିଛନ୍ତି। ସେଥିପାଇଁ ଭାରତୀୟ ଦୌଡ଼କୁଦ ଦୁନିଆରେ ସେ ନିଜ ସମସାମୟିକ ବହୁ ଧାବିକାଙ୍କୁ ପଛରେ ପକାଇଦେଇଛନ୍ତି।

ନିଜ ସଫଳତା ଓ ଆଗାମୀ ଆହ୍ବାନ ପ୍ରସଙ୍ଗରେ ‘ରବିବାର ସମ୍ବାଦ’ ସହ କଥା ହେବା ବେଳେ ଶ୍ରାବଣୀ କହନ୍ତି, ‘‘ମୋ ବୟସକୁ ନେଇ ପ୍ରଶ୍ନ ଉଠିଲେ ବି ପ୍ରଦର୍ଶନକୁ ନେଇ କେବେ ସ‌ନ୍ଦେହ ଉଠିବାକୁ ଦେଇନାହିଁ। ମୋ ମନରେ କେବେ ଏଭଳି ବିଚାର ଆସିନାହିଁ କି ମୁଁ ଶାରୀରିକ/ମାନସିକ ଭାବେ କେବେ ଚାପ ଅନୁଭବ କରିନାହିଁ। ଯେତେଦିନ ପର୍ଯ୍ୟନ୍ତ ଫିଟ୍‌ ଅନୁଭବ କରୁଥିବି ଓ ଭଲ ପ୍ରଦର୍ଶନ କରୁଥିବି, ସେତେଦିନଯାଏ ଖେଳ ଜାରି ରଖିବି। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ଦିନ ହେବ ମୁଁ ଦୌଡୁଛି ଏବଂ ଭଲ ଦୌଡୁଛି ମଧ୍ୟ। ଏହି ଯାତ୍ରା ପଥରେ ଅର୍ଜନ କରିଥିବା ଅଭିଜ୍ଞତା ମୋତେ ଆହୁରି ଭଲ ପ୍ରଦର୍ଶନ କରିବାକୁ ପ୍ରେରଣା ଯୋଗାଇଛି।’’

ପ୍ରତିବର୍ଷ ଭଳି ଆସନ୍ତା ମଇ ୭ ତାରିଖକୁ ବିଶ୍ବ ଦୌଡ଼କୁଦ ଦିବସ ଭାବେ ବିଶ୍ବବ୍ୟାପୀ ପାଳନ କରାଯାଉଛି। ଆଉ ଏହି ବିଶେଷ ଦିନଟି ସହ ଓଡ଼ିଶାର ସମ୍ପର୍କଟିଏ ବି ଯୋଡ଼ି ହୋଇ ରହିଛି। ଭାରତୀୟ ଦୌଡ଼କୁଦ ଦୁନିଆର ପ୍ରତିଷ୍ଠିତ ଚେହେରା ଓଡ଼ିଆ ଝିଅ ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍‌ ଶ୍ରାବଣୀ ନନ୍ଦଙ୍କ ଜନ୍ମଦିନ ବି ସେହି ମଇ ୭ ତାରିଖରେ। ଏଥର ୩୪ତମ ଜନ୍ମଦିନ ପାଳନ କରିବାକୁ ଯାଉଥିଲେ ବି ଶ୍ରାବଣୀଙ୍କ ଖେଳ ଜୀବନ ରହିଛି ଢ଼େର ଚର୍ଚ୍ଚାରେ। ବୟସ ତାଙ୍କ ପାଇଁ ପ୍ରତିବନ୍ଧକ ନୁହେଁ, ବରଂ ପ୍ରତିଭାକୁ ପ୍ରମାଣିତ କରିବାକୁ ଏହା ପୁଞ୍ଜି ପାଲଟିଛି।

୨୦୧୬ ମସିହାର ରିଓ ଅଲିମ୍ପିକ୍ସକୁ ନିଜ ଖେଳ ଜୀବନର ସୁଖଦ ମୁହୂର୍ତ୍ତ ଦର୍ଶାଉଥିବା ଶ୍ରାବଣୀ ଚଳିତ ମାସରୁ ଏସୀୟ ଦୌଡ଼କୁଦ ପାଇଁ ଚଣ୍ଡୀଗଡ଼ ଓ ତ୍ରିଭେନ୍ଦ୍ରମ୍ ଶିବିରରେ ରହି ନିଜକୁ ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଆସନ୍ତା ବର୍ଷର ଏସୀୟ କ୍ରୀଡ଼ାରେ ପଦକ ଜିତି ତାଙ୍କର ଅନ୍ୟତମ ଅଧୁରା ସ୍ବପ୍ନ ପୂରଣ କରିବାକୁ ଏକାଗ୍ର ଚିତ୍ତ ଅଛନ୍ତି। ତୃତୀୟ ପ୍ରୟାସରେ ସେ ମହାଦେଶୀୟ ମର୍ଯ୍ୟାଦା ଏସୀୟ କ୍ରୀଡ଼ା ପଦକ ଜିତିବାରେ ସଫଳ ହେବାକୁ ଆଶା ରଖିଛନ୍ତି। ସବୁ ବୟସ ବର୍ଗକୁ ମିଶାଇଲେ ଶ୍ରାବଣୀ ଏ ପର୍ଯ୍ୟନ୍ତ ଜାତୀୟ ସ୍ତରରୁ ୨୩ ସ୍ବର୍ଣ୍ଣ ସହ ୫୬ ପଦକ ଏବଂ ଅନ୍ତର୍ଜାତୀୟ ସ୍ତରରୁ ୫ ସ୍ବର୍ଣ୍ଣ ସହ ୨୦ ପଦକ ଜିତି ସାରିଛନ୍ତି। ୧୦୦ ମିଟରରେ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ୧୧.୩୬ ସେକେଣ୍ଡ୍‌କୁ ସେ ୨୦୨୧ ମସିହାରେ ଆମେରିକାର ମୀରାମାର ଆମନ୍ତ୍ରଣୀୟ ପ୍ରତିଯୋଗିତାରେ ଏବଂ ୨୦୦ ମିଟରରେ ୨୩.୦୭ ସେକେଣ୍ଡ୍ ସମୟକୁ ସେ ରିଓ ଅଲିମ୍ପିକ୍ସ ଯୋଗ୍ୟତା ଭାବେ କାଜାକସ୍ତାନ୍‌ର ଆଲ୍‌ମାଟି ଭିକ୍ଟୋରିଆ ମେମୋରିଆଲ୍‌ ଆମନ୍ତ୍ରଣୀୟ ପ୍ରତି‌ଯୋଗିତାରେ ଅର୍ଜନ କରିଥିଲେ।

ପୁରୀର ମୂଳ ଅଧିବାସୀ ଶ୍ରାବଣୀ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ହେଲେ ତାଙ୍କ ପିଲାଦିନ ବିତିଥିଲା କନ୍ଧମାଳ ଭଳି ଏକ ଅନୁନ୍ନତ ଜିଲ୍ଲାର ଟିକାବାଲିରେ। ୨୦୦୨ରେ ଖେଳ ଜୀବନ ଆରମ୍ଭ କରିବା ପରେ ୨୦୦୩ରେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସରେ ଯୋଗଦେଇ ନିଜକୁ ଜଣେ ସଫଳ ଧାବିକା ଭାବେ ଗଢ଼ି ତୋଳିଥିଲେ ସେ। ତୁଳସୀ ଦୁଇପତ୍ରରୁ ବାସିଲା ଭଳି ରାଜ୍ୟ ଓ ପୂର୍ବାଞ୍ଚଳ ଜୁନିୟର୍ ପ୍ରତିଯୋଗିତାରେ ଶ୍ରାବଣୀଙ୍କ ସଫଳତା ତାଙ୍କ ପ୍ରତିଭାକୁ ପ୍ରତିଫଳିତ କରିଥିଲା। ଗୁରୁ ନୀଳମାଧବ ଦେଓଙ୍କ ପ୍ରଶିକ୍ଷଣରେ ନିଜକୁ ଶାଣିତ କରିଥିବା ଶ୍ରାବଣୀ ଏବେ ବି ଖେଳରୁ ଅନେକ କିଛି ଶିଖନ୍ତି ବୋଲି କହନ୍ତି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଜାମାଇକାରେ ୨ ବର୍ଷ ପାଇଁ ପ୍ରଶିକ୍ଷଣ ନେବା ସହ ଶ୍ରାବଣୀଙ୍କ ସଫଳତାର ଶୋଷ ବି ବଢ଼ାଇ ଦେଇଥିଲା। ପ୍ରାୟ ଅଢ଼େଇ ଦଶନ୍ଧି ଧରି ଟ୍ରାକ୍‌ମନସ୍କ ଶ୍ରାବଣୀ ମଧ୍ୟ ନିର୍ବିବାଦୀୟ ଏବଂ ଭଲ ଖେଳାଳି ଭାବେ ଦେଶରେ ପରିଚିତା। ଟିକାବାଲିରେ ବାଲ୍ୟ ଜୀବନ ବିତାଇଥିବା ତାଙ୍କ ଝିଅଟି ଯେ ଦିନେ ରାଜ୍ୟ ଓ ଦେଶର ଟେକ ରଖିବ, ଏକଥା ତାଙ୍କ ପିତା ବନବିହାରୀ ଓ ମା’ ସୁବାସିନୀ କଳ୍ପନା କରି ନଥିଲେ। ଶ୍ରାବଣୀଙ୍କ ଖେଳ ଜୀବନ ବି ଏତେ ଦୀର୍ଘ ହେବ ବୋଲି କେହି ବିଶ୍ବାସ କରି ନଥିଲେ। ଖେଳ ଜୀବନର ସଫଳତା ଆଧାରରେ ଶ୍ରାବଣୀ ଏବେ ଓଡ଼ିଶା ହାଇଡ୍ରୋ ପାୱାର୍‌ କର୍ପୋରେସନ୍ (ଓଏଚ୍‌ପିସି)ର ସହକାରୀ ପ୍ରବନ୍ଧକ (ଗ୍ରୁପ-ଏ) ଭାବେ ନିଯୁକ୍ତ ଅଛନ୍ତି। ସାଂସାରିକ ଜୀବନ ପାଇଁ ସେ କିନ୍ତୁ ଫୁର୍‌ସତ୍ ପାଇନାହାନ୍ତି।