କ୍ରୀଡ଼ା ସଂସାର: ଦେଶର ପ୍ରଥମ ଗ୍ରାଣ୍ଡ୍‌ମାଷ୍ଟର୍‌ ଭାଇଭଉଣୀ

ପ୍ରଜ୍ଞାନନ୍ଦା ଓ ବୈଶାଳୀ

ଭାରତୀୟ ଚେସ୍‌ରେ ଏବେ ଆଉ ଏକ ବିପ୍ଳବ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଖୁବ୍ ଶୀଘ୍ର ଦେଶର ଗ୍ରାଣ୍ଡ୍‌ମାଷ୍ଟର୍‌ ସଂଖ୍ୟା ୧୦୦ ଛୁଇଁବ ବୋଲି ମଧ୍ୟ ସର୍ବଭାରତୀୟ ଚେସ୍‌ ସଂଘ ଘୋଷଣା କରିଛି। ଚେସ୍‌ର ସର୍ବୋଚ୍ଚ ଉପାଧି ଭାବେ ସଫଳ ଖେଳାଳିଙ୍କୁ ପ୍ରଦାନ କରାଯାଉଥିବା ‘ଗ୍ରାଣ୍ଡ୍‌ମାଷ୍ଟର୍‌’ ଟାଇଟଲ୍‌ ସଂଖ୍ୟା ଭାରତରେ ସମ୍ପ୍ରତି ୮୫ରେ ପହଞ୍ଚିସାରିଛି। ୧୯୮୭ ମସିହାରେ ବିଶ୍ବନାଥନ୍ ଆନନ୍ଦ ପ୍ରଥମ ଗ୍ରାଣ୍ଡ୍‌ମାଷ୍ଟର୍‌ ବିବେଚିତ ହୋଇଥିବା ବେଳେ ବିଗତ ଦୁଇ ଦଶନ୍ଧିରେ ଏହି ସଂଖ୍ୟା କ୍ଷୀପ୍ର ବେଗରେ ଆଗକୁ ବଢ଼ିଛି। ଭାରତୀୟ ଗ୍ରାଣ୍ଡ୍‌ମାଷ୍ଟର୍‌ଙ୍କ ମଧ୍ୟରେ ପ୍ରଥମ ତଥା ଏକମାତ୍ର ଭାଇଭଉଣୀ ଯୋଡ଼ି ହେଉଛନ୍ତି ଆର୍‌ ପ୍ରଜ୍ଞାନନ୍ଦା ଓ ଆର୍‌ ବୈଶାଳୀ। ଏମାନଙ୍କ ସାଧାରଣ ଜୀବନ ଓ ଅସାଧାରଣ ସଫଳତା ଚର୍ଚ୍ଚାରେ ରହିଛି।

୨୦୨୩ ମସିହାର ଶେଷ ଭାଗରେ ଯେତେବେଳେ ରମେଶବାବୁ ବୈଶାଳୀ ଚତୁର୍ଥ ଏଲୋବ୍ରାବଟ୍‌ ଓପନ୍‌ ପ୍ରତିଯୋଗିତାରେ ୨୫୦୦ ରେଟିଂ ସ୍ପର୍ଶ କରିଗଲେ, ସେତେବେଳେ ଭାରତୀୟ ଚେସ୍‌ର ଚର୍ଚ୍ଚା ସାରା ବିଶ୍ବରେ ପ୍ରଖର ହୋଇଯାଇଥିଲା। ତାମିଲ ଝିଅ ବୈଶାଳୀ କେବଳ ଭାରତର ୮୪ତମ ଗ୍ରାଣ୍ଡମାଷ୍ଟର୍‌ ହୋଇ ନ ଥିଲେ, ଏଥିସହ କୋନେରୁ ହମ୍ପି ଓ ଦ୍ରୋଣାବଳୀ ହାରିକାଙ୍କ ପରେ ଏହି ମର୍ଯ୍ୟାଦାଜନକ ମୁକୁଟ ହା‌ତେଇବାରେ ତୃତୀୟ ଭାରତୀୟ ମହିଳା ହୋଇଥିଲେ। ଏହି ସଫଳତାର ସବୁଠାରୁ ଆକର୍ଷଣର ଦିଗଟି ହେଲା ଏହା ସହ ଭାରତକୁ ମିଳିଥିଲା ସର୍ବପ୍ରଥମ ଭାଇଭଉଣୀ ଗ୍ରାଣ୍ଡ୍‌ମାଷ୍ଟର୍‌ । ବୈଶାଳୀଙ୍କ ପୂର୍ବରୁ ତାଙ୍କ ସାନଭାଇ ଆର୍‌ ପ୍ରଜ୍ଞାନନ୍ଦା ଗ୍ରାଣ୍ଡ୍‌ମାଷ୍ଟର୍ ହୋଇସାରିଥିଲେ। ପ୍ରଜ୍ଞାନନ୍ଦା ୨୦୧୮ରେ ମାତ୍ର ୧୩ ବର୍ଷ ବୟସରେଏହି ଶୀର୍ଷ ସଫଳତା ‌ପାଇଥିଲେ। ବଡ଼ଭଉଣୀ ବୈଶାଳୀ ଗ୍ରାଣ୍ଡ୍‌ମାଷ୍ଟର୍ ହେବା ବେଳକୁ ତାଙ୍କୁ ୨୨ ବର୍ଷ ହୋଇଥିଲା । ଅବଶ୍ୟ ବୈଶାଳୀ ୧୫ ବ‌ର୍ଷ ବୟସରେ ଡବ୍‌ଲ୍ୟୁଜିଏମ୍ ଓ ୨୦ ବର୍ଷରେ ଆଇଏମ୍ ଟାଇଟଲ୍ ଜିତି ଚର୍ଚ୍ଚାରେ ଥିଲେ। ପ୍ରଜ୍ଞାନନ୍ଦଙ୍କ ଦ୍ରୁତ ଅଗ୍ରଗତି ତାଙ୍କୁ ଆଗୁଆ ଗ୍ରାଣ୍ଡ୍‌ମାଷ୍ଟର୍‌ ମୁକୁଟ ପିନ୍ଧାଇ ଦେଇଥିଲା। ଏଥି ସହିତ ୧୨ ବର୍ଷ ପରେ ଜଣେ ଭାରତୀୟ ମହିଳା ଖେଳାଳି ଗ୍ରାଣ୍ଡ୍‌ମାଷ୍ଟର୍‌ ହୋଇପାରିଥିଲେ ଏବଂ ଦେଶକୁ ବିରଳ ଭାଇଭଉଣୀ ଯୋଡ଼ି ମିଳିଯାଇଥିଲା।

ତାମିଲ ଝିଅ ବୈଶାଳୀ କେବଳ ଭାରତର ୮୪ତମ ଗ୍ରାଣ୍ଡମାଷ୍ଟର୍‌ ହୋଇ ନ ଥିଲେ, ଏଥିସହ କୋନେରୁ ହମ୍ପି ଓ ଦ୍ରୋଣାବଳୀ ହାରିକାଙ୍କ ପରେ ଏହି ମର୍ଯ୍ୟାଦାଜନକ ମୁକୁଟ ହା‌ତେଇବାରେ ତୃତୀୟ ଭାରତୀୟ ମହିଳା ହୋଇଥିଲେ।

ଏହି ଭାଇଭଉଣୀଙ୍କ ଚେସ୍ ଜୀବନ ଗଢ଼ିବାରେ ସେମାନଙ୍କ ଗୃହିଣୀ ମା’ ନାଗଲକ୍ଷ୍ମୀଙ୍କ ଅବଦାନ ଅନସ୍ବୀକାର୍ଯ୍ୟ। ଉଭୟ ପିଲାଦିନେ ଅଧିକ ସମୟ ଟିଭି ଦେଖିବାରେ ବିତାଉଥିବାରୁ ନାଗଲକ୍ଷ୍ମୀ ତାଙ୍କୁ ଚେସ୍ କ୍ଲାସ୍‌କୁ ନେଇଥିଲେ। ଏହା ପରେ ଯାହା ସବୁ ଘଟିଛି ତାହା ଭାରତୀୟ କ୍ରୀଡ଼ା ଦୁନିଆର ନିଆରା ଇତିହାସ। ଉଭୟ ଭାଇଭଉଣୀ ‘ଭାରତୀୟ ଚେସ୍‌ର ମାଷ୍ଟର୍ ସିଫୁ’ ଭାବେ ପରିଚିତ ପ୍ରଶିକ୍ଷକ ଆର୍‌ ବି ରମେଶଙ୍କ ତତ୍ତ୍ବାବଧାନରେ ଖେଳ ଶିଖି ଆଗକୁ ବଢ଼ିଥିଲେ। ସଂଯୋଗବଶତଃ ପ୍ରଜ୍ଞାନନ୍ଦା ଓ ବୈଶାଳୀଙ୍କ ପିତାଙ୍କ ନାମ ବି ରମେଶବାବୁ, ଯିଏକି ଜଣେ ବ୍ୟାଙ୍କ୍‌ ଅଧିକାରୀ। ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ପ୍ରଶିକ୍ଷକ ରମେଶ କହନ୍ତି, ‘‘ଉଭୟ ସମାନ ଷ୍ଟାଇଲ୍‌ର ଥିଲେ ବି ବିପରୀତ ଦିଗରେ ଗତି କରିଥିଲେ। କିନ୍ତୁ, ସେମାନେ କଠିନ ପରିଶ୍ରମୀ ଥିଲେ। ଚେସ୍‌‌ ଖେଳକୁ ଛାଡ଼ିଦେଲେ ଅନ୍ୟ କୌଣସିରେ ସେମାନଙ୍କର ଆଦୌ ରୁଚି ନ ଥିଲା। ବିଶେଷ କରି ଏ ବୟସର ପିଲାମାନେ ଏଭଳି ହୋଇ ନ ଥାନ୍ତି। ଚେସ୍ ପ୍ରତି ଉଭୟ ଅତି ସମର୍ପିତ ଓ ସଙ୍କଳ୍ପବଦ୍ଧ। ପିଲାଦିନରୁ ସ୍କୁଲ୍ ନ ଯାଇ ଏମାନେ ଚେସ୍‌ ଖେଳୁଥିଲେ। ଏକପାଖିଆ ଭାବେ କେବଳ ଚେସ୍‌ ବୋର୍ଡରେ ନିମଗ୍ନ ରହୁଥିଲେ।’’
ଆର୍‌ ପ୍ରଜ୍ଞାନନ୍ଦା ତାଙ୍କ ଖେଳ ଜୀବନରେ ଦୁଇ ଥର ବିଶ୍ବ ଯୁବ ଚେସ୍ ମୁକୁଟ (୮ ଓ ୧୦ ବ‌ର୍ଷରୁ କମ୍) ଜିତିଥିଲେ। ୨୦୧୬ରେ ଚେସ୍‌ ଇତିହାସରେ ସର୍ବକନିଷ୍ଠ (୧୦ ବର୍ଷ ୧୦ ମାସ ୧୯ ଦିନ) ଆଇଏମ୍ ଟାଇଟଲ୍ ଜିତିଥିଲେ। ୨୦୨୧ରେ ଚେସ୍‌ ବିଶ୍ବକପ୍‌ରେ ବହୁ ପ୍ରମୁଖ ଖେଳାଳିଙ୍କୁ ହରାଇଥିଲେ।

୨୦୨୨ରେ ଚେସ୍‌ ଅଲିମ୍ପିଆଡ୍ କାଂସ୍ୟ ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ। ୨୦୨୩ରେ ସର୍ବକନିଷ୍ଠ ଖେଳାଳି ଭାବେ ପ୍ରଜ୍ଞାନନ୍ଦା ଚେସ୍ ବିଶ୍ବକପ୍‌ ଫାଇନାଲ୍ ଖେଳିଥିଲେ। ବିଶ୍ବନାଥନ୍‌ ଆନନ୍ଦଙ୍କ ପରେ ସେ ଦ୍ବିତୀୟ ଭାରତୀୟ ଭାବେ ଫାଇନାଲ୍‌କୁ ଉଠିଥିଲେ। ୨୦୨୨ରେ ତାଙ୍କୁ ଅର୍ଜୁନ ପୁରସ୍କାର ମିଳିସାରିଛି। ଅନ୍ୟପକ୍ଷରେ ଆର୍ ବୈଶାଳୀ ମଧ୍ୟ ଦୁଇ ଥର ବିଶ୍ବ ଯୁବ ଚେସ୍‌ରେ ବିଜୟିନୀ ହୋଇଥିଲେ। ୨୦୧୨ରେ ୧୨ ବର୍ଷରୁ କମ୍ ଓ ୨୦୧୫ରେ ୧୪ ବର୍ଷରୁ କମ୍‌ ବର୍ଗରେ ସେ ବିଜୟିନୀ ହୋଇଥିଲେ। ୨୦୨୨ ଚେସ୍‌ ଅଲିମ୍ପିଆଡ୍‌ରେ ଦଳଗତ ଓ ବ୍ୟକ୍ତିଗତ ବୋର୍ଡ କାଂସ୍ୟ ପଦକ ଜିତିବାରେ ସକ୍ଷମ ହୋଇଥିଲେ। ସାନଭାଇକୁ ମିଳିବାର ଦୁଇ ବର୍ଷ ପରେ ବୈଶାଳୀ ମଧ୍ୟ ୨୦୨୪ରେ ଜିତିଛନ୍ତି ଅର୍ଜୁନ ପୁରସ୍କାର।

ସମ୍ବନ୍ଧିତ ଖବର