ଭାରତୀୟ କ୍ରିକେଟ୍ର ଅଗ୍ରଗତି, ଅଭିବୃଦ୍ଧି ଓ ସଫଳତା ପଛରେ ରହିଛି ‘ରଣଜୀ ଟ୍ରଫି’ର ବିଶେଷ ଅବଦାନ। ଘରୋଇ କ୍ରିକେଟ୍ର ଏହି ପ୍ରଥମ ତଥା ପ୍ରମୁଖ ପ୍ରତିଯୋଗିତାର ଢାଞ୍ଚା ଓ ତା’ର ନିରନ୍ତର ଗତି ହିଁ ବିଶ୍ବ କ୍ରିକେଟ୍ରେ ସର୍ବଦା ଉଚ୍ଚ ପ୍ରଶଂସିତ ହୋଇଛି। ଏପରିକି ଭାରତୀୟ ଖେଳାଳିମାନେ ଫର୍ମକୁ ନେଇ କେବେ କେବେ ସଂଘର୍ଷ କଲେ କ୍ରିକେଟ୍ ପଣ୍ଡିତମାନେ ତୁରନ୍ତ ସେମାନଙ୍କୁ ରଣଜୀ ଟ୍ରଫି ଖେଳିବାକୁ ପରାମର୍ଶ ଦିଅନ୍ତି। ଏହି ପରାମର୍ଶରୁ ପ୍ରତିଫଳିତ ହୁଏ ପ୍ରତିଯୋଗିତାର ଗୁରୁତ୍ବ, ଗଭୀରତା ଓ ଆବଶ୍ୟକତା। ସେହି କାରଣରୁ ରଣଜୀ ଟ୍ରଫିର ମହତ୍ତ୍ବ ଓ ମର୍ଯ୍ୟାଦା ଚିରକାଳ ରହି ଆସିଛି ଏବଂ ଆଗକୁ ରହିବ ମଧ୍ୟ। ଚଳିତ ବର୍ଷ ୯୦ ବର୍ଷ ପୂରଣ କରିଛି ରଣଜୀ ଟ୍ରଫି। ଏହାର ଗୋଟିଏ ଦିଗ କିନ୍ତୁ ନୂଆ ପିଢ଼ିର ପ୍ରଶଂସକ ଓ ଖେଳାଳିଙ୍କୁ ଖୁବ୍ କମ୍ ଜଣା। ଆସନ୍ତୁ, ସେ ଦିଗ ଉପରେ ଆଲୋକପାତ କରିବା।
ସୁରେଶ ସ୍ବାଇଁ
ଭାରତୀୟ କ୍ରିକେଟ୍ର ସର୍ବପୁରାତନ ଟୁର୍ଣ୍ଣାମେଣ୍ଟ୍ ରଣଜୀ ଟ୍ରଫିର ନାମକରଣ ପଛରେ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ ରହିଛି। ଅନେକଙ୍କୁ ହୁଏତ ଜଣା ନଥିବ ଏହି ପ୍ରତିଯୋଗିତା କାହା ନାମରେ ଏବଂ କାହିଁକି ନାମିତ କରାଯାଇଛିି। ସବୁଠାରୁ ବଡ଼ କଥା ହେଲା, ଭାରତ ପାଇଁ କେବେ ଖେଳି ନଥିଲେ ବି ରଣଜିତ ସିଂହଙ୍କ ନାମରେ ଏହା ଦୀର୍ଘ ୯ ଦଶନ୍ଧି ଧରି ଖେଳାଯାଇ ଆସୁଛି। ଇଂଲଣ୍ଡ ପାଇଁ ଖେଳିଥିବା ଏହି ଜାମନଗର ଯୁବରାଜ ୩ ଥର ନାଇଟ୍ ଉପାଧି ବି ପାଇଛନ୍ତି। ଅବଶ୍ୟ ଭାରତର ସ୍ବାଧୀନତା ପୂର୍ବରୁ ସେ ୧୯୨୦ ମସିହାର ପ୍ରଥମ ବିଶ୍ବଯୁଦ୍ଧ ପରେ ଲିଗ୍ ଅଫ୍ ନେସନ୍ସରେ ଭାରତର ପ୍ରତିନିଧିତ୍ବ କରିଥିଲେ। କିନ୍ତୁ, ଏହାର ଢେର୍ ପୂର୍ବରୁ ୧୮୯୬ରେ ସେ ଇଂଲଣ୍ଡ ପାଇଁ ଖେଳିବାରେ ପ୍ରଥମ ଅଣଶ୍ବେତାଙ୍ଗ ଖେଳାଳି ହୋଇଥିଲେ। କିଛି ଦିନ ତଳେ ନୱାନଗର (ଜାମନଗର)ରେ କୁମାର ସାର୍ ରଣଜିତ ସିଂହଜୀ ବିଭାଜୀ-୨ଙ୍କ ଜୟନ୍ତୀ ପାଳନ ଅବସରରେ ତାଙ୍କ ପ୍ରତି ଏବେ ବି ପ୍ରଶଂସକଙ୍କ ଭଲପାଇବା ଓ ଶ୍ରଦ୍ଧା ରହିଥିବା ପ୍ରମାଣିତ ହୋଇଥିଲା। ସମସ୍ତଙ୍କ ନିକଟରେ ‘ରଣଜୀ’ ନାମରେ ଲୋକପ୍ରିୟ ଥିବା ଏହି ମହାନ୍ କ୍ରିକେଟର୍ ରାଜ ପରିବାରର ହୋଇ ଥିବାରୁ ବେଶ୍ ଆଦର ବି ପାଉଥିଲେ।
ପ୍ରଥମ ଭାରତୀୟ ତଥା ଏସୀୟ ଭାବେ ଇଂଲଣ୍ଡ ଦଳରୁ ଟେଷ୍ଟ୍ କ୍ରିକେଟ୍ ଖେଳିଥିଲେ ରଣଜିତ ସିଂ। ଭାରତର ପ୍ରଥମ କ୍ରିକେଟ୍ ତାରକା ହୋଇଥିବାରୁ ତାଙ୍କ ନାମରେ ‘ରଣଜୀ ଟ୍ରଫି’ର ନାମକରଣ କରାଯାଇଥିଲା। ୧୯୩୪-୩୫ରୁ ଭାରତରେ ଘରୋଇ କ୍ରିକେଟ୍ ପ୍ରତିଯୋଗିତା ଆରମ୍ଭ ହୋଇଥିଲେ ମଧ୍ୟ ଠିକ୍ ପର ବର୍ଷଠାରୁ ଏହା ‘ରଣଜୀ ଟ୍ରଫି’ ନାମରେ ନାମିତ ହୋଇଥିଲା। ରଣଜିତଙ୍କ ଖ୍ୟାତି ଓ ସ୍ମୃତି ଉଦ୍ଦେଶ୍ୟରେ ପାତିଆଲା ମହାରାଜା ‘ରଣଜୀ ଟ୍ରଫି’ ପ୍ରଦାନ କରିଥିଲେ। ଏବେ ପ୍ରତିଟି ଭାରତୀୟ ଖେଳାଳି, ପ୍ରଶଂସକ ଓ କୋଟି କୋଟି ଜନତାଙ୍କ ହୃଦୟରେ ରଣଜୀ ଟ୍ରଫି ଏକ ସ୍ବତନ୍ତ୍ର ସ୍ଥାନରେ ରହିଛି। ଅନେକଙ୍କ ପାଇଁ ଏହା ପ୍ରେରଣା, ଜୀବନଜୀବିକା ଓ ଜୀବନଶୈଳୀର ମୁଖ୍ୟ ମାଧ୍ୟମ ବି ପାଲଟିଛି। କାରଣ ଏହି ପ୍ରତିଯୋଗିତାରେ ଗୋଟିଏ ମ୍ୟାଚ୍ ଖେଳିଥିଲେ ବି ଅନେେକ ଜୀବନତମାମ ନିଜକୁ ଧନ୍ୟ ଓ ଗୌରବାନ୍ବିତ ମଣିଥାନ୍ତି। ରଣଜିତ ସିିଂହଜୀଙ୍କ ସେହି ନିର୍ଣ୍ଣାୟକ ବ୍ରିଟେନ୍ ଯାତ୍ରା ଭାରତୀୟ କ୍ରିକେଟ୍ର ମୂଳଦୁଆ ପକାଇଥିଲା। ଭାରତୀୟ ଘରୋଇ କ୍ରିକେଟର୍ଙ୍କ ପାଇଁ ଅନ୍ତର୍ଜାତୀୟ ମଇଦାନରେ ପହଞ୍ଚିବା ଲାଗି ଏହା ପ୍ରବେଶ ଦ୍ବାର ଭାବେ ବର୍ଷ ବର୍ଷ ଧରି ବିବେଚିତ ହୋଇ ଆସିଛି। ୧୮୯୬ରେ ରଣଜିତଜୀ ଓଲ୍ଡ୍ ଟ୍ରାଫୋର୍ଡରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍ରେ ପଦାର୍ପଣ କରି ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲେ। କ୍ରିକେଟ୍ର ଭୀଷ୍ମ ଭାବେ ପରିଚିତ ଡବ୍ଲ୍ୟୁଜି ଗ୍ରେସ୍ଙ୍କ ୱିକେଟ୍ ପତନ ପରେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସି ରଣଜିତ ସିଂହଜୀ ପ୍ରଥମ ପାଳିରେ ୬୨ ରନ୍ ଏବଂ ଦ୍ବିତୀୟ ପାଳିରେ ୧୫୪ ରନ୍ କରିଥିଲେ। ଇଂଲଣ୍ଡ୍ ହାରିଯାଇଥିଲେ ମଧ୍ୟ ରଣଜିତ ସିଂହଜୀ ଏତେ ପ୍ରଭାବ ଛାଡ଼ିଥିଲେ ଯେ ତାଙ୍କୁ ୧୮୯୭ ମସିହାରେ ୱିଜ୍ଡେନ୍ କ୍ରିକେଟର୍ସ ଅଫ୍ ଦି ଇୟର୍ରେ ସ୍ଥାନ ମିଳିଥିଲା। ୧୯୦୬ରେ ଜାମନଗରର ଜାମ ସାହେବ (ରାଜା) ହେବା ପରେ ସେ ପ୍ରଥମ ଥର ପାଇଁ ତାଙ୍କ ଅଞ୍ଚଳରେ କ୍ରିକେଟ୍ ପଡ଼ିଆର ଶୁଭାରମ୍ଭ କରିଥିଲେ।
ବାସ୍ତବରେ ୧୮୮୯ ମସିହାରେ ମାତ୍ର ୧୬ ବର୍ଷ ବୟସରେ କେମ୍ବ୍ରିଜ୍ର ଟ୍ରିନିଟି କଲେଜ୍ରେ ପଢ଼ିବାକୁ ଯିବା ରଣଜିତ ସିଂହଙ୍କ କ୍ରିକେଟ୍ ଜୀବନକୁ ବାଟ ଫିଟାଇଥିଲା। ଶେଷରେ ଏକ ଛୋଟ ରାଜ୍ୟର ଯୁବରାଜ ଏହି ମହାନ୍ ଖେଳର ରାଜା ପାଲଟିଯାଇଥିଲେ। ଲେଗ୍ ଗ୍ଲାନ୍ସ ଥିଲା ରଣଜିତ ସିଂହଜୀଙ୍କ ସିଗ୍ନେଚର୍ ସଟ୍। ସ୍ବାଧୀନ ଭାରତ ପାଇଁ ସେ ଖେଳି ପାରି ନଥିଲେ ମଧ୍ୟ ଜେନେଭାରେ ୧୯୨୦ରେ ଅନୁଷ୍ଠିତ ଲିଗ୍ ଅଫ୍ ନେସନ୍ସ ଆସେମ୍ବ୍ଲିରେ ଭାରତୀୟ ରାଜ୍ୟର ପ୍ରତିନିଧିତ୍ବ କରିଥିଲେ। ୩୦୭ ପ୍ରଥମ ଶ୍ରେଣୀ ମ୍ୟାଚ୍ ସହ ଇଂଲଣ୍ଡ ପାଇଁ ୧୫ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ୧୯୩୨ ମସିହାରେ ସେ ଇଣ୍ଡିଆନ୍ ଚାମ୍ବର୍ ଅଫ୍ ପ୍ରିନ୍ସେସ୍ର ଚାନ୍ସେଲର୍ ପଦରେ ଅବସ୍ଥାପିତ ହୋଇଥିଲେ। ରଣଜିତ ସିଂହଜୀଙ୍କ ବିବିଧ ଅବଦାନ ପ୍ରତି ସ୍ବୀକୃତି ସ୍ବରୂପ ତାଙ୍କୁ ୧୯୧୭, ୧୯୧୯ ଓ ୧୯୨୩ ମସିହାରେ ୩ ଥର ମର୍ଯ୍ୟାଦାଜନକ ନାଇଟ୍ ଉପାଧି ମିଳିଥିଲା।
ରଣଜିତଜୀଙ୍କ ପ୍ରଭାବ ସମ୍ପର୍କରେ ବିଶିଷ୍ଟ ଲେଖକ ଆଣ୍ଡି କାର୍ଟର୍ ତାଙ୍କ ପୁସ୍ତକ ‘ବିୟଣ୍ଡ୍ ଦ ପେଲ୍: ଏର୍ଲି ବ୍ଲାକ୍ ଆଣ୍ଡ୍ ଏସିଆନ୍ କ୍ରିକେଟର୍ସ ଇନ୍ ବ୍ରିଟେନ୍ ୧୮୬୮-୧୯୪୫’ ରେ ଉଲ୍ଲେଖ କରିଛନ୍ତି। ଭାରତୀୟ ରାଜାରାଜୁଡ଼ାଙ୍କୁ କିଭଳି ବ୍ରିଟିସ୍ମାନେ ବ୍ୟବହାର କରୁଥିଲେ, ତାହା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। କ୍ରିକେଟ୍ରେ ଭାରତୀୟ ରାଜାରାଜୁଡ଼ାଙ୍କୁ ଅନ୍ତର୍ଭୁକ୍ତ କରି ସେମାନେ ‘ବିଭାଜନ ଓ ଶାସନ’ କୌଶଳର ପ୍ରୟୋଗ କରିଥିଲେ। ଶେଷରେ ଭାରତରେ ବ୍ରିଟିସ୍ ରାଜ୍ର ଭଲ ଭାବମୂର୍ତ୍ତି ପ୍ରତିଷ୍ଠା ଲାଗି କ୍ରିକେଟ୍କୁ ବ୍ୟବହାର କରାଯାଇଥିଲା।