ବିଶ୍ବବିଖ୍ୟାତ ଭାରତୀୟ ଗୁପ୍ତଚରମାନଙ୍କ କଥା ଆଲୋଚନା ବେଳେ ରାମେଶ୍ବରନାଥ କାଓ ଆଦ୍ୟ ସ୍ମରଣୀୟ। ଭାରତୀୟ ଗୁଇନ୍ଦା ସଂସ୍ଥା ‘ର’ (ରିସର୍ଚ ଆଣ୍ଡ୍‌ ଆନାଲିସିସ୍‌ ୱିଙ୍ଗ୍‌)ର ପ୍ରଥମ ମୁଖ୍ୟ ତଥା ସୁପର୍‌ସ୍ପାଏ ରାମେଶ୍ବରନାଥଙ୍କୁ କୁହାଯାଏ ଭାରତର ଜେମ୍‌ସ୍‌ ବଣ୍ଡ୍‌। ଆଉ ଘଟଣାଚକ୍ରରେ ବେଶ୍‌ କିଛି ବର୍ଷ ସେ ଓଡ଼ିଶାରେ ଅତିବାହିତ କରିଥିଲେ।

Advertisment

୧୯୭୫ ଜୁନ୍‌ ମାସରେ ଜଣେ ଧନାଢ଼୍ୟ ଗୁଆ ବ୍ୟବସାୟୀ ବାଂଲାଦେଶର ରାଜଧାନୀ ଢାକାରେ ପହଞ୍ଚି ତତ୍କାଳୀନ ରାଷ୍ଟ୍ରପତି ଶେଖ୍‌ ମୁଜିବୁର୍‌ ରହମନ୍‌ଙ୍କ ସହିତ ସାକ୍ଷାତ୍‌ କରନ୍ତି। ଦୀର୍ଘ ଏକ ଘଣ୍ଟାର ନିଭୃତ ଆଲୋଚନା ଭିତରେ ତାଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ବି‌ଦ୍ରୋହ ଚାଲିଛି ଏବଂ କେଉଁମାନେ ଷଡ୍‌ଯନ୍ତ୍ର କରୁଛନ୍ତି ତାହା ତାଙ୍କୁ ବ୍ୟବସାୟୀ ଜଣକ ସୂଚିତ କରନ୍ତି। କିନ୍ତୁ, ରାଷ୍ଟ୍ରପତି ବିଶ୍ବାସ କରନ୍ତି ନାହିଁ। ଏହାର କିଛିଦିନ ପରେ ରହମନ୍‌ ଓ ତାଙ୍କ ପରିବାରର ୪୦ଜଣ ସଦସ୍ୟଙ୍କୁ ବିଦ୍ରୋହୀ ସେନା ଅଧିକାରୀମାନେ ହତ୍ୟା କରନ୍ତି। ଆଉ ସେ ଗୁଆ ବ୍ୟବସାୟୀ ଜଣକ ଥିଲେ ଛଦ୍ମବେଶୀ ଭାରତୀୟ ଗୁଇନ୍ଦା ତଥା ‘ର’ ପ୍ରଥମ ମୁଖ୍ୟ ରାମେଶ୍ବରନାଥ କାଓ। ଇଏ କେବଳ ଭାତ ହାଣ୍ଡିରୁ ଗୋଟିଏ। ଏଭଳି ଅନେକ ଦୁଃସାହସିକ ମିସନ୍‌ରେ ଯାଇ ସମସ୍ତଙ୍କୁ ଚମତ୍କୃତ କରିଛନ୍ତି କାଓ। ୧୯୧୮ ମେ ୧୦ରେ ବନାରସର ଏକ ବିତ୍ତଶାଳୀ କଶ୍ମୀରୀ ପଣ୍ଡିତ ପରିବାରରେ ଜନ୍ମିଥିଲେ ରାମେଶ୍ବରନାଥ କାଓ ଓରଫ୍ ଆର୍‌. ଏନ୍‌. କାଓ। ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଓ ଆଇନରେ ସ୍ନାତକ ହୋଇ ୧୯୪୦ରେ ସେ ଇଣ୍ଡିଆନ୍‌ ଇମ୍ପେରିଆଲ୍‌ ପୁଲିସ୍‌ରେ ଯୋଗ ଦେଇ ଉତ୍ତରପ୍ରଦେଶର କାନପୁରରେ ସହକାରୀ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଭାବେ କର୍ମଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଭାରତର ‘ଇଣ୍ଟେଲିଜେନ୍‌ସ୍‌ ବ୍ୟୁରୋ’ ବା ଗୁଇନ୍ଦା ବ୍ୟୁରୋରେ ନିଯୁକ୍ତି ପାଇ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ଏବଂ ଭାରତ ଗସ୍ତରେ ଆସୁଥିବା ବିଦେଶୀ ନେତା ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସୁରକ୍ଷା ଦାୟିତ୍ବ ପରିଚାଳନା କଲେ। 

କଶ୍ମୀର ପ୍ରିନ୍‌ସେସ୍‌ ବିସ୍ଫୋରଣର ପର୍ଦ୍ଦାଫାସ
୧୯୫୫ ‌ବେଳକୁ କାଓ ଭାରତ ସରକାରଙ୍କ କ୍ୟାବିନେଟ୍‌ ସେକ୍ରେଟାରିଏଟ୍‌ର ଗବେଷଣା ବିଭାଗରେ ସଚିବ ହୋଇଥାଆନ୍ତି। ସେ ବର୍ଷ ଏପ୍ରିଲ୍‌ ୧୧ରେ ‘କଶ୍ମୀର ପ୍ରିନ୍‌ସେସ୍‌’ ବା ‘ଏୟାର୍‌ ଇଣ୍ଡିଆ ଫ୍ଲାଇଟ୍‌ ୩୦୦’ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଇଣ୍ଡୋନେସିଆ ନିକଟରେ ସମୁଦ୍ରରେ ଖସି ପଡ଼ିଲା। ହଂକଂରୁ ଜାକର୍ତ୍ତା ଯିବା ବେଳେ ବିସ୍ଫୋରଣରେ ଖଣ୍ଡ ଖଣ୍ଡ ହୋଇଯାଇଥିବା ଏହି ବିମାନରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୬ଜଣ ଚୀନ୍‌ ଅଧିବାସୀଙ୍କର ମୃତ୍ୟୁ ଘଟିଥିଲା ଓ ୩ଜଣ ବଞ୍ଚିଯାଇଥିଲେ। ଆମେରିକାରେ ନିର୍ମିତ ଏହି ବିମାନଟି କିନ୍ତୁ ଭାରତ ମାଲିକାନାରେ ଥିଲା ଏବଂ ବମ୍ବେରୁ ଚଳାଚଳ କରୁଥିଲା। ବିସ୍ଫୋରଣ ପଛରେ ରାଜନୈତିକ ଷଡ୍‌ଯନ୍ତ୍ର ଥିବା ସନ୍ଦେହ ହେବାରୁ ଇଣ୍ଡୋନେସିଆ, ଆମେରିକା, ଭାରତ ଓ ଚୀନ୍‌ ଆଦି ୫ଟି ଦେଶରେ ତଦନ୍ତ ଆବଶ୍ୟକ ପଡ଼ିଲା।

ତଦନ୍ତକାରୀ ଦଳର ନେତୃତ୍ବ ନେବାପାଇଁ କାଓଙ୍କୁ ପେକିଂ (ସମ୍ପ୍ରତି ବେଜିଙ୍ଗ୍‌) ପଠାଗଲା। ‘କଶ୍ମୀର ପ୍ରିନ୍‌ସେସ୍‌’ ବିମାନ ଦୁର୍ଘଟଣା ରହସ୍ୟ ଉନ୍ମୋଚନ କରିବା ଲାଗି କାଓ ଅନେକ ମାସ ଧରି ଚୀନ୍‌, ହଂକଂ ଓ ବ୍ରିଟିସ୍‌ ପୁଲିସଙ୍କ ସହିତ କାମ କଲେ। ୧୯୫୫ ସେପ୍ଟେମ୍ବରରେ ସେ ଅପରାଧୀକୁ ଚିହ୍ନଟ କଲେ। ହଂକଂ ଏୟାର୍‌କ୍ରାଫ୍ଟ୍‌ ଇଞ୍ଜିନିୟରିଂ କମ୍ପାନିରେ ଗ୍ରାଉଣ୍ଡ୍‌ ମେଣ୍ଟେନାନ୍‌ସ୍‌ କ୍ରୁ ଭାବେ କାର୍ଯ୍ୟରତ ଚୌ ଚୁ ହିଁ ‘କଶ୍ମୀର୍‌ ପ୍ରିନ୍‌ସେସ୍‌’ରେ ବୋମା ରଖିଥିଲେ। ଷଡ୍‌ଯନ୍ତ୍ରର ମାଷ୍ଟର୍‌ମାଇଣ୍ଡ୍‌ ଥିଲେ ବହିଷ୍କୃତ ଚୀନ୍‌ ନେତା ଚିଆଙ୍ଗ୍‌ କାଇସେକ୍‌। ବନ୍‌ଡଙ୍ଗ୍‌ ସମ୍ମିଳନୀରେ ଯୋଗ ଦେବାକୁ ତତ୍କାଳୀନ ଚୀନ୍‌ର ପ୍ରଧାନମନ୍ତ୍ରୀ ଏନ୍‌ଲାଇ ଉକ୍ତ ବିମାନରେ ଯାତ୍ରା କରୁଛନ୍ତି ବୋଲି ସୂଚନା ପାଇ ତାଙ୍କୁ ହତ୍ୟା କରିବା ପାଇଁ ସେଥିରେ ସେ ବୋମା ରଖାଇଥିଲେ। ଯୋଗକୁ ଏନ୍‌ଲାଇ ସେ ବିମାନରେ ଯାତ୍ରା କରି ନ ଥିଲେ।

ଘାନାରୁ ଓଡ଼ିଶା: ଚାରବାଟିଆରେ କାଓ
ବ୍ରିଟିସ୍‌ ଶାସନରୁ ମୁକ୍ତ ହେବା ପରେ ଆଫ୍ରିକୀୟ ଦେଶ ଘାନା ଅଭ୍ୟନ୍ତରୀଣ ହିଂସା ଓ ବୈଦେଶିକ ଷଡ୍‌ଯନ୍ତ୍ରର ସମ୍ମୁଖୀନ ହେଲା। କିନ୍ତୁ, କୌଣସି ଗୁଇନ୍ଦା ସଂସ୍ଥା ନ ଥିବାରୁ ଘାନା ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଥିଲେ। ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କୁ ଘାନାର ପ୍ରଧାନମନ୍ତ୍ରୀ କ୍ବାମେ ଇନ୍‌କ୍ରୁମା ସହାୟତା ପାଇଁ ଚିଠି ଲେଖିଲେ। ନେହେରୁ ଗୁପ୍ତଚର ଓ ଗୁଇନ୍ଦା ସଂଗଠନ ସ୍ଥାପନ ଲାଗି କାଓଙ୍କୁ ଘାନା ପଠାଇଲେ। 
୧୯୫୯ ଫେବ୍ରୁଆରିରେ କାଓ ଘାନାର ରାଜଧାନୀ ଆକ୍ରାକୁ ଗଲେ। ସେଠାରେ ସମସ୍ତ ଭିତ୍ତିଭୂମି ତାଙ୍କୁ ହିଁ ପ୍ରସ୍ତୁତ କରିବାକୁ ପଡ଼ିଲା। ଗୋଟିଏ ବର୍ଷ ନିଷ୍ଠା ସହକାରେ କାର୍ଯ୍ୟକରି କାୱ ଘାନାର ବୈଦେଶିକ ଓ ଅଭ୍ୟନ୍ତରୀଣ ଗୁଇନ୍ଦା ଏଜେନ୍‌ସି ‘ଫରେନ୍‌ ସର୍ଭିସ୍‌ ରିସର୍ଚ ବ୍ୟୁରୋ’ (ଏଫ୍‌ଏସ୍‌ଆର୍‌ବି) ସ୍ଥାପନ କଲେ। ଜଣେ ଭାରତୀୟ ଗୁଇନ୍ଦା ଅଧିକାରୀଙ୍କର ଏଭଳି କାର୍ଯ୍ୟଦକ୍ଷତା ବିଶ୍ବସ୍ତରରେ ପ୍ରଶଂସିତ ‌ହେଲା। ଘାନାରୁ ପ୍ରତ୍ୟାବର୍ତ୍ତନ ପରେ ଓଡ଼ିଶାର ଚାରବାଟିଆରେ ନବଗଠିତ ‘ଆଭିଏସନ୍‌ ରିସର୍ଚ ସେଣ୍ଟର୍‌’ର ପ୍ରଥମ ନିର୍ଦ୍ଦେଶକ ଭା‌େବ କାଓଙ୍କୁ ନିଯୁକ୍ତି ମିଳିଲା।

ରହସ୍ୟମୟ ‘କାଓ-ବଏଜ୍‌’
‘ର’ ସ୍ଥାପନ ହେବା ଆଗରୁ ବୈଦେଶିକ ଗୁପ୍ତଚର ତଥ୍ୟ ସଂଗ୍ରହ କରିଆସୁଥିଲା ବ୍ରିଟିସ୍‌ ସଂସ୍ଥାପିତ ‘ଇ‌େଣ୍ଟଲିଜେନ୍‌ସ୍‌ ବ୍ୟୁରୋ’ ବା ‘ଆଇବି’। କିନ୍ତୁ, ୧୯୬୨ ଭାରତ-ଚୀନ୍‌ ଯୁଦ୍ଧ ଏବଂ ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧର ପରିଣାମ ତର୍ଜମା କରିବାରୁ ହୃଦ୍‌ବୋଧ ହେଲା ଯେ, ଏ ସମୟରେ ବୈଦେଶିକ ଗୁପ୍ତଚର ତଥ୍ୟ ସଂଗ୍ରହ କରିବାରେ ଦେଶ ବିଫଳ ହୋଇଛି। ଏଥିପାଇଁ ସ୍ବତନ୍ତ୍ର ସଂସ୍ଥାନଟିଏ ଗଢ଼ାଯିବାର ପରିକଳ୍ପନା କରାଗଲା। ୧୯୬୮ରେ ଇନ୍ଦିରା ଗାନ୍ଧୀ ସରକାର ତାହା ସାକାର କଲେ। ଏହାର ରୂପରେଖ ଦେଲେ କାଓ। ‘ଇଣ୍ଟେଲିଜେନ୍‌ସ୍ ବ୍ୟୁରୋ’ ବିଭାଜିତ ହୋଇ ଗଠନ କରାଗଲା ‘ରିସର୍ଚ ଆଣ୍ଡ୍‌ ଆନାଲିସିସ୍‌ ୱିଙ୍ଗ୍‌’ ବା ‘ର’। କାଓ ତା’ର ପ୍ରଥମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ। ‘ଆଇବି’ରୁ ବଛା ବଛା ୨୫୦ଜଣ ଗୁପ୍ତଚରଙ୍କୁ ଆଣି ସେ ଛୋଟିଆ ଟିମ୍‌ ଗଠନ କଲେ। ସେହି ଟିମ୍‌କୁ  ରହସ୍ୟମୟ ‘କାୱ-ବଏଜ୍‌’ କୁହାଗଲା। କାଳକ୍ରମେ ଦକ୍ଷତାର ସହିତ ବିଭିନ୍ନ ମିସନ୍‌ ସଫଳ କରି ‘ର’କୁ ବିଶ୍ବବିଦିତ କରାଇଲେ କାଓ।

ବାଂଲାଦେଶ ସ୍ବାଧୀନତାର ନେପଥ୍ୟ ନାୟକ
୧୯୭୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ତୃତୀୟଥର ଯୁଦ୍ଧ ଚାଲୁଥିବା ବେଳେ ପୂର୍ବ ପାକିସ୍ତାନ ବା ବାଂଲାଦେଶ ସ୍ବାଧୀନ ହୋଇଥିଲା। ଯୁଦ୍ଧ ପୂର୍ବରୁ ସେଠାରେ କାର୍ଯ୍ୟ ଚଳାଇଥିବା ଭାରତୀୟ ଗୁଇନ୍ଦା ବଳ ଯୁଦ୍ଧ ଆରମ୍ଭ ବେଳେ ଅଧିକ ସକ୍ରିୟ ହୋଇଉଠିଲା। ସେ ଗୁପ୍ତ ଅଭିଯାନ ଦାୟିତ୍ବରେ ଥିଲେ କାଓ। ଉକ୍ତ ୧୩ ଦିନିଆ ଯୁଦ୍ଧରେ ବାଂଲାଦେଶ ମୁକ୍ତିବାହିନୀକୁ ସକ୍ରିୟ ସହାୟତା କରିଥିଲା ‘ର’। ପାକିସ୍ତାନ ସହିତ ଲଢ଼ିବା ନିମନ୍ତେ ‘ର’ ପ୍ରାୟ ୧ ଲକ୍ଷ ବାଂଲାଦେଶୀଙ୍କୁ ତାଲିମ ଦେଇଥିଲା। ୧୯୭୭ରୁ ୧୯୮୧ ପର୍ଯ୍ୟନ୍ତ ବାଂଲାଦେଶର ରାଷ୍ଟ୍ରପତି ଥିବା ଜେନେରାଲ୍‌ ଜିଆ-ଉର୍‌ ରେହମାନ ଥରେ ଇନ୍ଦିରା ଗାନ୍ଧୀଙ୍କୁ କହିଥିଲେ, ଏ ବ୍ୟକ୍ତି ମୋ ଦେଶ ବିଷୟରେ ମୋ ଅପେକ୍ଷା ବେଶୀ ଜାଣନ୍ତି।
ଜଣେ ଗୁପ୍ତଚରଙ୍କର ମୂଳ ନୀତି ହେଉଛି ସର୍ବସାଧାରଣଙ୍କ ଦୃଷ୍ଟି ଆଢୁଆଳରେ ରହିବା। ଅବସର ଗ୍ରହଣ କରିବା ପରେ କାଓ ନୂଆଦିଲ୍ଲୀରେ ଅତି ସାଧାରଣ ଜୀବନ ଅତିବାହିତ କରିଥିଲେ। ୨୦୦୨ରେ ୮୪ ବର୍ଷ ବୟସରେ ସେ ପରଲୋକ ଗମନ କରିଥିଲେ। କାଓଙ୍କ ଉପରେ ଅନେକ ପୁସ୍ତକ, ଚଳଚ୍ଚିତ୍ର ଓ ଟେଲିଭିଜନ୍‌ ଧାରାବାହିକ ପ୍ରସ୍ତୁତ କରାଯାଇଛି।