୧୯୨୦ ଦଶକର ଘଟଣା। ଭାରତରେ ବ୍ରିଟିସ୍ ଶାସନ ବିରୋଧରେ ଆନ୍ଦୋଳନ ତୀବ୍ର ହେଉଥାଏ। ଚିନ୍ତିତ ବ୍ରିଟିସ୍‌ ସରକାର ସ୍ବାଧୀନତା ସଂଗ୍ରାମକୁ ଥମାଇବା ଲାଗି ସ୍ଥାନୀୟ ଯୁବବର୍ଗଙ୍କୁ ଗୁପ୍ତଚର ଭାବେ ନିଯୁକ୍ତି ଦେଉଥିଲେ। ପଞ୍ଜାବ ବାସିନ୍ଦା ନନ୍ଦଲାଲ୍‌ କପୁର ଗୁପ୍ତଚର ଭାବେ ମନୋନୀତ ହୋଇଥିଲେ। ଜନ୍ମମାଟି ପଞ୍ଜାବର ଫିରୋଜପୁର ଜିଲ୍ଲାରେ ଅବସ୍ଥାପିତ ହେଲେ ସେ। ପୁଣି ବେତନ ମାସକୁ ୩୦ ଟଙ୍କା। ଘରର ବଡ଼ପୁଅ ଭାବେ ନନ୍ଦୁ ଚାକିରି କରି ଘର ଚଳାଇବାକୁ ଚାହୁଥିଲେ। ତେଣୁ, ବ୍ରିଟିସ୍‌ ସୂଚନାଦାତା ହିସାବରେ ମିଳିଥିବା ସୁଯୋଗ ସେ ହାତଛଡ଼ା କଲେନାହିଁ। ଜଣେ ଦକ୍ଷ ଗୁପ୍ତଚର ହେବା ନିମନ୍ତେ ବ୍ରିଟିସ୍‌ କର୍ତ୍ତୃପକ୍ଷଙ୍କ ଦ୍ବାରା ତାଲିମ ପାଇଲେ ସେ। ଗୁପ୍ତଚରଗିରି କରି ସ୍ବାଧୀନତା ଆନ୍ଦୋଳନ ସଂକ୍ରାନ୍ତରେ ସୂଚନା ହାସଲ ଲାଗି ନନ୍ଦଲାଲ୍‌ କପୁରଙ୍କୁ ବ୍ରିଟିସ୍‌ ସରକାର ଦାୟିତ୍ବ ଦେଇଥିଲେ।
 
ଚାକିରି ନା ଦେଶପ୍ରୀତି
ବ୍ରିଟିସ୍‌ ଅଧୀନରେ ଚାକିରି କଲେ ବି ତାଙ୍କ ମନ ଥିଲା ସ୍ବାଧୀନତା ସଂଗ୍ରାମରେ। ଦୋଘାଇରେ ପଡ଼ିଗଲେ ନନ୍ଦଲାଲ୍‌। ଚାକିରି ପ୍ରତି ବିଶ୍ବସ୍ତ ରହିବେ ନା ଦେଶପ୍ରୀତି ପ୍ରଦର୍ଶନ କରିବେ? ପରିଶେଷରେ ସେ ଠିକ୍‌ କଲେ ଡବଲ୍‌ ଏଜେଣ୍ଟ୍‌ ହୋଇ ଉଭୟଙ୍କ ପାଇଁ କାମ କରିବେ। ଶତ୍ରୁଙ୍କ ମେଳରେ ଥାଇ ଶତ୍ରୁଙ୍କୁ ଭିତିରିଆ ଆକ୍ରମଣ କରିବା ପାଇଁ ସେ ଯଥାସାଧ୍ୟ ଚେଷ୍ଟା କରିବେ ବୋଲି ମନସ୍ଥ କଲେ।
କିନ୍ତୁ ଏହି ନିଷ୍ପତ୍ତି ଥିଲା ଅତ୍ୟନ୍ତ ବିପଜ୍ଜନକ। ତାଙ୍କୁ ପ୍ରଥମେ ଜଣେ ଖବରକାଗଜ କ୍ଲର୍କ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା, ସେ ଅନାୟାସରେ ଯୁବ ବିପ୍ଳବୀଙ୍କ ସହ ମିଶି ତଥ୍ୟାବଳି ହାସଲ କରିପାରିବେ। ବିପ୍ଳବୀମାନଙ୍କ ସହିତ ମିତ୍ରତା କରି ନନ୍ଦଲାଲ୍‌ କେବଳ ସ୍ବାଧୀନତା ସଂଗ୍ରାମୀଙ୍କ ବିଶ୍ବାସଭାଜନ ହେଲେନାହିଁ, ବିମଳା ନାମ୍ନୀ ଜଣେ ମହିଳାଙ୍କ ପ୍ରେମରେ ମଧ୍ୟ ପଡ଼ିଗଲେ।

Advertisment

ପଞ୍ଜ‌ାବରୁ କଲିକତା
ବ୍ରିଟିସ୍‌ କର୍ତ୍ତୃପକ୍ଷଙ୍କୁ ସୂଚନା ଯୋଗାଇ ଦେବା ସହିତ ଭିତିରିଆ ବିଦ୍ରୋହୀମାନଙ୍କୁ ବି ସହାୟତା କରୁଥିଲେ ନନ୍ଦଲାଲ୍‌। ଥରେ ବ୍ରିଟିସ୍‌ ଅଧିକାରୀ ଯୋଗ ଦେଇଥିବା ଏକ ପାର୍ଟିରେ ଆକ୍ରମଣ କରିବାଲାଗି ସେ ସଂଗ୍ରାମୀମାନଙ୍କୁ ସହାୟତା କରିଥିଲେ। ଆକ୍ରମଣ ବିଫଳ ହେବାରୁ ନନ୍ଦଲାଲ୍‌ ସେଠାରୁ ଖସି ଦିଲ୍ଲୀ ପଳାଇଗଲେ। ସେ ସମୟରେ ବ୍ରିଟିସ୍‌ ସରକାରଙ୍କ ଅଧୀନରେ ଚାକିରି କରି ସ୍ବାଧୀନତା ସଂଗ୍ରାମରେ ବ୍ୟାପୃତ ରହୁଥିବା ଯୁବକଯୁବତୀଙ୍କୁ ସେମାନଙ୍କ ଜନ୍ମସ୍ଥାନରୁ ଦୂରକୁ ବଦଳି କରାଯାଉଥିଲା। ଅଗତ୍ୟା ନନ୍ଦଲାଲ୍‌ ବ୍ରିଟିସ୍‌ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ ସ୍ଥାପନ କଲେ। ସେମାନେ ତାଙ୍କୁ କଲିକତା ପଠାଇଦେଲେ।

ସାପ ମରିବନି ବାଡ଼ି ଭାଙ୍ଗିବନି
କଲିକତାରେ ସ୍ବାଧୀନତା ସଂଗ୍ରାମୀଙ୍କ କାର୍ଯ୍ୟକଳାପ ସମ୍ବନ୍ଧରେ ତଥ୍ୟ ସଂଗ୍ରହ ଦାୟିତ୍ବ ତାଙ୍କୁ ଦିଆଯାଇଥିଲା। ନନ୍ଦଲାଲ୍‌ ବ୍ରିଟିସ୍‌ କର୍ତ୍ତୃପକ୍ଷଙ୍କୁ ସୂଚନା ଯୋଗାଇ ଚାଲିଲେ କିନ୍ତୁ, ଏଭଳି ତଥ୍ୟ ଦେଲେ ଯାହା ଦେଶବାସୀଙ୍କର କୌଣସି କ୍ଷତି କରିବନାହିଁ। ଉପନିବେଶୀୟ ଅମଳରେ ନନ୍ଦଲାଲ୍‌ଙ୍କ ପରି ଗୁପ୍ତଚରଙ୍କୁ ବିଭିନ୍ନ ଆଡ଼େ ବୁଲି ତଥ୍ୟ ସଂଗ୍ରହ କରିବାକୁ ପଡୁଥିଲା। କିନ୍ତୁ, ସେ ସବୁର ବାସ୍ତବ ଉଦ୍ଦେଶ୍ୟ ଗୁପ୍ତ ରଖି ନନ୍ଦଲାଲ୍‌ଙ୍କୁ ରିପୋର୍ଟ ପ୍ରସ୍ତୁତ କରିବାକୁ ପଡୁଥିଲା। କିନ୍ତୁ, ଏହା ଥିଲା ଖୁବ୍‌ ମାରାତ୍ମକ। ଜଣେ ବ୍ରିଟିସ୍‌ ଗୁପ୍ତଚର ଭାବେ କାର୍ଯ୍ୟ କରିବା ପୁଣି ଗୁପ୍ତରେ ଭାରତୀୟ ସ୍ବାଧୀନତା ସଂଗ୍ରାମକୁ ସାହାଯ୍ୟ କରିବା କମ୍‌ ବଡ଼ କଥା ନୁହେଁ।

ଜାପାନରେ ବାହାଘର
କେବଳ ଦିଲ୍ଲୀ, ଅମୃତସର, କଲିକତା ନୁହେଁ,  ମିଆଁମାରର ରେଙ୍ଗୁନ୍‌, ଜାପାନ୍‌ର କୋବେ, ଚୀନ୍‌ର ସଙ୍ଘାଇ କ୍ଲବ୍‌ ଓ ଅନ୍ୟାନ୍ୟ ସହରକୁ ମଧ୍ୟ ଯାଇ ସେ କାମ କରିଥିଲେ। ସବୁ ସ୍ଥାନରେ ନନ୍ଦଲାଲ୍‌ ଦୁଇଟି ଜୀବନ ଜିଉଥିଲେ- ବ୍ରିଟିସ୍‌ ଗୁପ୍ତଚର ଓ ଭାରତୀୟ ସ୍ବାଧୀନତା ସଂଗ୍ରାମର ଗୁପ୍ତ ଉତ୍ସାହଦାତା। ଜଣେ ରେଶମ ବ୍ୟବସାୟୀ ଭାବେ ସେ ବିଦେଶ ଭ୍ରମଣ କରୁଥିଲେ। ବିଦେଶରେ ମଧ୍ୟ ସେ ବହୁଥର ବିପଦରେ ପଡ଼ି ଅଳ୍ପକେ ବର୍ତ୍ତିଯାଇଥିଲେ। ନନ୍ଦଲାଲ୍‌ ଜାପାନରେ ଥିବା ବେଳେ ବ୍ରିଟିସ୍‌ ସରକାର ତାଙ୍କ ସେବା ନେବାକୁ ମନା କରିଦେଲେ। ଅଗତ୍ୟା ସେଠାରେ ରହିଗଲେ ସେ ଏବଂ ଜଣେ ଜାପାନୀ ମହିଳାଙ୍କୁ ବିବାହ କଲେ। ସ୍ବାଧୀନତ‌ା ପରେ ଭାରତ ଫେରିଲେ। ଜଣେ ବ୍ରିଟିସ୍‌ ଗୁପ୍ତଚର ବୋଲି ସାରା ଜୀବନ ନନ୍ଦଲାଲ୍‌ ଅପନିନ୍ଦା ପାଇଛନ୍ତି। କିନ୍ତୁ, ଦେଶର ସ୍ବାଧୀନତା ପ୍ରତି ତାଙ୍କର ଥିବା ଗୁପ୍ତ ଅବଦାନ ବିଷୟରେ ବିଶେଷ କେହି ଜାଣନ୍ତିନାହିଁ। ୨୦ ବର୍ଷ ଧରି ସେ ଜଣେ ବ୍ରିଟିସ୍‌ ଗୁପ୍ତଚର ଓ ପ୍ରତିବଦ୍ଧ ଦେଶପ୍ରେମୀ ଭା‌େବ ସନ୍ତୁଳନ ବଜାୟ ରଖିବା ସତରେ ପ୍ରଶଂସନୀୟ।