ମୋଡ଼ ବଦଳାଇଦେଲା ଶ୍ରୀଅରବିନ୍ଦ ଦର୍ଶନ

ଜନ୍ମମାଟିରେ ଥାଇ ମନୋଜଙ୍କ ମଧ୍ୟରେ ଜୀବନର ଲକ୍ଷ୍ୟ, ଜନ୍ମ-ମୃତ୍ୟୁ ରହସ୍ୟ ସମ୍ପର୍କରେ ଅନ୍ବେଷାର ବିକାଶ ଘଟିଥିଲା। ମଣିଷର ଅପୂର୍ଣ୍ଣତାର ପ୍ରହେଳିକା ସମ୍ପର୍କରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା। ସେଇ ପ୍ରଶ୍ନର ଉତ୍ତର ଖୋଜିବାକୁ ଏକଦା ସେ ସାବ୍ୟବାଦୀ ଦର୍ଶନକୁ ଆଦରି ନେଇଥିଲେ। ଭାବୁଥିଲେ, ସାମ୍ୟବାଦୀ ଦର୍ଶନ ପୃଥିବୀରେ ମଣିଷର ଦୁଃଖ ଦୂର କରିବା ଦିଗରେ ଏକମାତ୍ର ପନ୍ଥା। ଯେବେ ଚେତନା ଆହୁରି ବିକଶିତ ହେଲା, ସେ ବୁଝିଲେ ଯେ ମଣିଷର ସୁଖଦୁଃଖ ବସ୍ତୁ ଜଗତର କାରଣ ଉପରେ ଅନେକଟା ନିର୍ଭରଶୀଳ। ଅନେକ ସମୟରେ ସବୁ ଥାଇ ମଧ୍ୟ ମଣିଷ ଦୁଃଖୀ ହୋଇପାରେ। ତେଣୁ ଦୁଃଖର ରହସ୍ୟ ଅନ୍ୟ କେଉଁଠି ନିହିତ ରହିଛି ବୋଲି ଧାରଣା ଜନ୍ମିବାରୁ ସେଇ ରହସ୍ୟ ସନ୍ଧାନରେ ସେ ଅନେକ ଦର୍ଶନ ଓ ଧର୍ମଶାସ୍ତ୍ର ଅଧ୍ୟୟନ କଲେ। ହେଲେ ସବୁକିଛି ଅପୂର୍ଣ୍ଣ ଲାଗିଥିଲା। ମାତ୍ର ଯେତେବେଳେ ଶ୍ରୀଅରବିନ୍ଦ ଦର୍ଶନ ପଢ଼ିଲେ ତାଙ୍କର ହୃଦବୋଧ ହେଲା, ମଣିଷର ଯେଉଁ ବିକାଶ ହୋଇଛି ତାହା ବିବର୍ତନର ଶେଷ କଥା ନୁହେଁ। ମଣିଷର ଆହୁରି ଭବିଷ୍ୟତ ରହିଛି। ଏହିଆଶାଜନକ ଦିବ୍ୟଦୃଷ୍ଟି ତାଙ୍କୁ ଖୁବ୍ ଅନୁପ୍ରାଣିତ କଲା। ସେତେବେଳ ଆଶ୍ରମରେ ଶ୍ରୀମା ଉପସ୍ଥିତ ଥିଲେ। ତାଙ୍କ ଦର୍ଶନ ସେଠାରେ ରହିବା ପାଇଁ ପ୍ରରୋଚିତ କଲା।

ଇଣ୍ଡୋନେସିଆରେ ସେଇ ଭୟଙ୍କର ରାତି
ଇଣ୍ଡୋନେସିଆରେ ଆଫ୍ରୋ-ଏସିଆନ ଛାତ୍ର ସମ୍ମିଳନୀରେ ଯୋଗ ଦେଇଥିଲେ। ‘ଭାରତୀୟ ବୈଦେଶିକ ନୀତି କ’ଣ ହେବା ଉଚିତ’ ଶୀର୍ଷକ ଏକ ସମ୍ମିଳନୀରେ ଯୋଗ ଦେବାକୁ ମନୋଜ ଦାସ ଓ ଅନ୍ୟମାନେ ଯାଇଥାଆନ୍ତି। ସେତେବେଳେ ସେ କମ୍ୟୁନିଷ୍ଟି ପାର୍ଟିର କାର୍ଡ ହୋଲ୍ଡର। ସେ ଷ୍ଟାଲିନଙ୍କ ସମର୍ଥନ କରୁଥିଲେ। ମାତ୍ର ଷ୍ଟାଲିନଙ୍କ ମୃତ୍ୟୁ ପରେ କମ୍ୟୁନିଷ୍ଟ ପାର୍ଟିର ବିଂଶତମ ଅଧିବେଶନରେ ଯେତେକବେଳେ କ୍ରୁଶ୍ଚେଭ ଷ୍ଟାଲିନଙ୍କ କଠୋର ସମାଲୋଚନା ସହ ତାଙ୍କ ସମର୍ଥନକାରୀଙ୍କୁ ନିନ୍ଦା କଲେ ସେତେବେଳେ ତାଙ୍କ ଅବସ୍ଥା ବିପଦାପନ୍ନ ହୋଇପଡ଼ିଲା। ଜାକର୍ତାର ବାଙ୍କୁରରେ ଏକ ହୋଟେଲରେ ସେ ଅନ୍ୟ ୨ ଜଣଙ୍କ ସହ ରହୁଥାନ୍ତି। ହୋଟେଲ୍ ପାଖରେ ବୋମା ବିସ୍ଫୋରଣ ହେବାର ଶବ୍ଦ ଶୁଣିବା ପରେ ଶ୍ରୀ ଦାସ ସେମାନେ ରହୁଥିବା ବଙ୍ଗଳାର ଲାଇନ୍ ଲିଭେଇ ଦେଲେ। ଅନ୍ଧାରରେ ବାହାରକୁ ଚାହିଁ ଦେଖିଲେ, ହୋଟେଲ୍ର ମୁଖ୍ୟ ବାରନ୍ଦାରେ ବନ୍ଧୁକ ଧରି କେତେକ ଲୋକ ଟହଲ ମାରୁଛନ୍ତି। ସେମାନେ କିଛି ରାଉଣ୍ଡ ଫାୟାରିଙ୍ଗ କରି ଚାଲିଗଲେ। ସକାଳୁ ଖବରକାଗଜରେ ଜାଣିବାକୁ ମିଳିଲା ସେମାନେ ହୋଟେଲରେ ରହୁଥିବ ୩ ଜଣ କମ୍ୟୁନିଷ୍ଟ ନେତାଙ୍କୁ ଖୋଜୁଥିଲେ। ସେ ରାତିର ଅଭୁଲା ସ୍ମୃତି କେବେ ଭୁଲି ହେବ ନାହିଁ ବୋଲି ଶ୍ରୀ ଦାସ କହିଥିଲେ।

ଆଉ ଆଶ୍ରମ ଛାଡ଼ି ଯିବିନାହିଁ…
ଗତବର୍ଷ ମନୋଜ ଦାସ ଅସୁସ୍ଥ ହୋଇ ପଡ଼ିବାପରେ ପଣ୍ଡିଚେରୀର ଶ୍ରୀଅରବିନ୍ଦ ଆଶ୍ରମ ପରିସରରେ ଥିବା ନର୍ସିଂହୋମରେ ଚିକିତ୍ସିତ ହେଉଥିଲେ। ସେହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ତାଙ୍କୁ ଭେଟିବାକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ ତାଙ୍କ ଚିକିତ୍ସାରେ ଥିବା ଡାକ୍ତର ଅଶୋକ ଦାସଙ୍କ ସହିତ କଥା ହୋଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ଯେ ଏକ ଘରୋଇ ବିମାନ ବ୍ୟବସ୍ଥା କରି ତାଙ୍କର ଉନ୍ନତ ଚିକିତ୍ସା ପାଇଁ ଯେଉଁଠିକୁ ବି ଆବଶ୍ୟକ ହେବ ତାଙ୍କୁ ନିଆଯିବ। କିନ୍ତୁ ମନୋଜ ଦାସ କହିଥିଲେ, ‘ଦେବାଶିଷ, ମୁଖ୍ୟମନ୍ତ୍ରୀଙ୍କୁ କହିବ, ମୁଁ ଆଉ ଆଶ୍ରମ ଛାଡ଼ି ଯିବାକୁ ଚାହୁଁନାହିଁ…। ’

ମଙ୍ଗଳବାର ରାତି ୮ଟା ୧୦ରେ ମନୋଜ ଦାସଙ୍କର ମୃତ୍ୟୁ ଘଟିବା ପରେ ତାଙ୍କର ଡାକ୍ତର ଅଶୋକ ଦାସ ତାଙ୍କୁ ସୂଚନା ଦେଇଥିଲେ ଏବଂ ସେ ମୁଖ୍ୟମନ୍ତ୍ରୀଙ୍କୁ ବି ଏ ଦୁଃଖଦ ଘଟଣା ସଂପର୍କରେ ଜଣାଇଥିଲେ ବୋଲି ‘ସମ୍ବାଦ’କୁ କହିଛନ୍ତି ପୂର୍ବତନ ବିଧାୟକ ଶ୍ରୀ ସାମନ୍ତରାୟ। ସୂଚନା ଅନୁସାରେ, ମନୋଜ ଦାସଙ୍କର ପ୍ରୋଷ୍ଟେଟ୍ କ୍ୟାନସର୍ ସମସ୍ୟା ଥିଲା। ଏମ୍‌ସରେ ଅସ୍ତ୍ରୋପଚାର ପରେ ସେ ସୁସ୍ଥ ହୋଇ ପଣ୍ଡିଚେରୀ ଅରବିନ୍ଦ ଆଶ୍ରମରେ ରହିବା ସହିତ ଶ୍ରୀ ଅରବିନ୍ଦଙ୍କ ଇଂରାଜୀ କବିତାର ଓଡ଼ିଆ ଅନୁବାଦ ଆରମ୍ଭ କରିଥିଲେ ଏବଂ ତାହାକୁ ଶେଷ ବି କରିଥିଲେ। କିନ୍ତୁ ୨୦୨୦ରେ ସେ ‘ପଦ୍ମଭୂଷଣ ସମ୍ମାନ’ ଆଣିବାକୁ କଲିକତା ଯାଇଥିବାବେଳେ ସେଠାରେ ହଠାତ୍‌ ଅସୁସ୍ଥ (କୋଲାପ୍ସ) ହୋଇଯାଇଥିଲେ। ତାଙ୍କୁ ପଣ୍ଡିଚେରୀ ଅଣାଯାଇ ଚିକିତ୍ସା କରାଯାଉଥିଲା। ‘ ଡାକ୍ତର ଅଶୋକ ଦାସ ଓ ସଲିଳା ଅପା ତାଙ୍କର ଚିକିତ୍ସା ଦାୟିତ୍ବରେ ଥିଲେ। ଉଭୟ ଓଡ଼ିଆ ଆଉ ଇଂରାଜୀ ଭାଷାରେ ତାଙ୍କର ବିଚକ୍ଷଣ ଦକ୍ଷତା ଥିଲା। ସିଙ୍ଗାପୁର ପ୍ରଶାସନର ସେ ଇଂରାଜୀ ଭାଷା ପରାମର୍ଶଦାତା ଥିଲେ। ମୁଁ ତାଙ୍କର ଛାତ୍ର ହେବାର ଗୌରବ ଅର୍ଜନ କରିଛି।’, ବୋଲି କହିଛନ୍ତି ଶ୍ରୀ ସାମନ୍ତରାୟ।

ଫକୀରମୋହନଙ୍କ କୋଠାରେ କିଛିଦିନ
ଜିଲ୍ଲାସ୍କୁଲର ଛାତ୍ର ଥିବା ବେଳେ ମନୋଜ ଦାସ ମଲିକାଶପୁରସ୍ଥିତ ବ୍ୟାସକବି ଫକୀରମୋହନଙ୍କ ବାସସ୍ଥଳୀରେ ରହୁଥିଲେ। ମନୋଜଙ୍କ ବଡ଼ଭାଇ ମନ୍ମଥନାଥ ଦାସ ସେ ସମୟରେ ଇତିହାସ ଅଧ୍ୟାପକ ଭାବେ ନବନିଯୁକ୍ତ ହୋଇଥିବାରୁ ତାଙ୍କରି ପାଖରେ ମନୋଜ ରହୁଥିଲେ। ଏହି ପରିସରରେ ମନୋଜ ଦାସଙ୍କ ସାରସ୍ବତ ଜୀବନର ଅୟମାରମ୍ଭ ହୋଇଥିଲା। ଲେଖକଙ୍କ ବଡ଼ଭାଇ ମନ୍ମଥନାଥ କହିଥିଲେ, ବାସ୍ତବ ପକ୍ଷେ ବ୍ୟାସକବିଙ୍କ ଆଶିଷ ମୋ ସାନ ଭାଇ ଉପରେ ପଡ଼ିଥିଲା। ସେ ଫକୀରମୋହନଙ୍କ କୋଠାରେ ରହି ପଢ଼ିବା ଆଶାରେ ଅନ୍ୟ ଗୋଟିଏ ହାଇସ୍କୁଲ୍ ଛାଡ଼ି ବାଲେଶ୍ବର ଜିଲ୍ଲାସ୍କୁଲ‌େର ଭର୍ତି ହେଲେ। ନବମ ଶ୍ରେଣୀରେ ପଢ଼ିବା ସମୟରୁ ମନୋଜଙ୍କ ଲେଖନୀ ଚାଳନା ଦେଖି କେହି କେହି ବିସ୍ମିତ ହେଲେ। ସୃଜନଶୀଳ କବି ଓ କଥାକାର ହେବା ପାଇଁ ମନୋଜଙ୍କ ପ୍ରତିଭା ସେହି ଫକୀରମୋହନ କୋଠାରେ ଥିବା ସମୟରୁ ଅଙ୍କୁରିତ ହୋଇଥିଲା।

ସମ୍ବନ୍ଧିତ ଖବର