ଯୁଗେ ଯୁଗେ ଶ୍ରୀଗୁଣ୍ଡିଚା ଯାତ୍ରା

ଓଡ଼ିଆ ଅସ୍ମିତାର ଅନ୍ୟତମ ଶ୍ରେଷ୍ଠ ନିଦର୍ଶନ ହେଉଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା। ଶତାବ୍ଦୀ ଶତାବ୍ଦୀ ଧରି ଏହା ସମଗ୍ର ଭାରତ ତଥା ବିଦେଶର ଅସଂଖ୍ୟ ବ୍ୟକ୍ତି ଚେତନାକୁ ବିଭିନ୍ନ ଭାବରେ ଆଚ୍ଛନ୍ନ କରି ଆସିଛି।

ନୀଳାଚଳରେ ବିରାଜିତ ଦାରୁବ୍ରହ୍ମରୂପୀ ଚତୁର୍ଦ୍ଧା ବିଗ୍ରହଙ୍କ ପ୍ରସିଦ୍ଧ ଦ୍ୱାଦଶ ଯାତ୍ରା ମଧ୍ୟରୁ ‘ଶ୍ରୀଗୁଣ୍ଡିଚା ଯାତ୍ରା’ ବା ‘ରଥ ମହୋତ୍ସବ’ ହିଁ ସର୍ବଶ୍ରେଷ୍ଠ ବୋଲି ‘ସ୍କନ୍ଦପୁରାଣ’ରେ ଉଲ୍ଲେଖ ଅଛି। ପୁରାଣ‌‌ ବର୍ଣ୍ଣନାନୁଯାୟୀ, ସଂପୂର୍ଣ୍ଣ ରଥୋତ୍ସବକୁ ତିନି ଭାଗରେ ବିଭକ୍ତ କରାଯାଏ। ଉତ୍ତରାଭିମୁଖୀ ଯାତ୍ରା, ଆଡ଼ପ ମଣ୍ଡପରେ ଅବସ୍ଥାନ ଏବଂ ଦକ୍ଷିଣାଭିମୁଖୀ ଯାତ୍ରା। ସାଧାରଣ ଭକ୍ତ ବା ଜନତା ଶ୍ରୀଗୁଣ୍ଡିଚା ଯାତ୍ରାକୁ ରଥ ଓ ବାହୁଡ଼ା ଯାତ୍ରାରେ ସୀମିତ ବୋଲି ଭାବିଥା’ନ୍ତି। କିନ୍ତୁ ଏହି ରଥ ମହୋତ୍ସବ ବାରଗୋଟି ଚରଣଯୁକ୍ତ ବା ପର୍ଯ୍ୟାୟ। ତାହା ହେଉଛି, ୧. ଶ୍ରୀପଞ୍ଚମୀ (ମାଘ ଶୁକ୍ଳ ପଞ୍ଚମୀ) ରଥକାଠ ଅନୁକୂଳ ଓ ପୂଜା, ୨. ଚୈତ୍ର ଶୁକ୍ଳ ଅଷ୍ଟମୀଯୁକ୍ତ ନବମୀ- ରଥକାଠ ଚିରା ଅନୁକୂଳ, ୩. ଅକ୍ଷୟ ତୃତୀୟା- ରଥ ନିର୍ମାଣ ଶୁଭାରମ୍ଭର ଅନୁକୂଳ ପୂଜା, ୪. ଜ୍ୟେଷ୍ଠପୂର୍ଣ୍ଣିମା-ରଥ ନିର୍ମାଣର ଚାରି ନାହାକା ସ୍ଥାପନ, ସ୍ନାନଯାତ୍ରା, ୫. ଆଷାଢ଼ କୃଷ୍ଣ ପ୍ରତିପଦାଠାରୁ ଆଷାଢ଼ ଅମାବାସ୍ୟା- ଅନବସର କାଳ, ୬. ଆଷାଢ଼ ଶୁକ୍ଳ ପ୍ରତିପଦା- ନେତ୍ରୋତ୍ସବ, ୭. ଆଷାଢ଼ ଶୁକ୍ଳ ଦ୍ୱିତୀୟା- ଶ୍ରୀଗୁଣ୍ଡିଚା ରଥଯାତ୍ରା, ୮. ଆଷାଢ଼ ଶୁକ୍ଳ ଷଷ୍ଠୀ- ହେରାପଞ୍ଚମୀ, ୯. ଆଷାଢ଼ ଶୁକ୍ଳ ସପ୍ତମୀ, ଅଷ୍ଟମୀ ଓ ନବମୀ- ରଥର ଦକ୍ଷିଣମୋଡ଼, ନବମୀ ସନ୍ଧ୍ୟା ଦର୍ଶନ, ୧୦. ଆଷାଢ଼ ଶୁକ୍ଳ ଦଶମୀ- ବାହୁଡ଼ା ଯାତ୍ରା, ୧୧. ଆଷାଢ଼ ଶୁକ୍ଳ ଏକାଦଶୀ- ବଡ଼ ତଢ଼ାଉ ବେଶ (ସୁନାବେଶ) ଓ ୧୨. ଆଷାଢ଼ ଶୁକ୍ଳ ତ୍ରୟୋଦଶୀ- ନୀଳାଦ୍ରିବିଜେ।

‘ସ୍କନ୍ଦ ପୁରାଣ’ରେ ସ୍ୱୟଂ ପ୍ରଭୁ ଶ୍ରୀଜଗନ୍ନାଥ, ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଛନ୍ତି, ହେ କ୍ଷିତୀଶ୍ୱର! ମୋର ଗୁଣ୍ଡିଚା ନାମକ ମହାନ୍‍ ଯାତ୍ରାକୁ ପାଳନ କରିବ, ଯେଉଁ ଯାତ୍ରାର ନାମୋଚ୍ଚାରଣ ହେତୁ ମାନବ ଅବଶ୍ୟ ପାପରୁ ମୁକ୍ତ ହୋଇଥାଏ। (ସ୍କନ୍ଦ, ୨୯ ଅ./୩୦ ଶ୍ଳୋକ)

ପୁନଶ୍ଚ ‘ସ୍କନ୍ଦ ପୁରାଣ’ରେ କୁହାଯାଇଛି, ଆଷାଢ଼ ଶୁକ୍ଳ ଦ୍ୱିତୀୟା ଯଦି ପୁଷ୍ୟା ନକ୍ଷତ୍ରଯୁକ୍ତ ହୋଇଥାଏ, ତେବେ ତାହା ଏହି ଯାତ୍ରାପାଇଁ ପ୍ରଶସ୍ତତମ। ଉକ୍ତ ଦିବସରେ ସୁଭଦ୍ରାଙ୍କ ସହ ମୋତେ ଓ ଶ୍ରୀବଳରାମଙ୍କୁ ରଥାରୂଢ଼ କରାଇ, ପୂର୍ବେ ଯେଉଁ ସ୍ଥାନରେ ମୁଁ ଆବିର୍ଭୂତ ହୋଇଥିଲି ଏବଂ ଯେଉଁ ସ୍ଥାନରେ ତୁମ୍ଭର ସହସ୍ର ଅଶ୍ୱମେଧ ଯଜ୍ଞର ମହାବେଦି, ସେହି ଗୁଣ୍ଡିଚା ମଣ୍ଡପକୁ ନେଇଯିବ। ଭୂମଣ୍ଡଳରେ ସେହି ସ୍ଥାନ ଅପେକ୍ଷା ପବିତ୍ରତମ ସ୍ଥାନ ଆଉ ନାହିଁ। ଏହି ସ୍ଥାନଟି ମୋର ଜନ୍ମସ୍ଥାନ ହେତୁ ଅଖଣ୍ଡ ପ୍ରୀତିଜନକ। ହେ ମହାରାଜ! ସେହି ଗୁଣ୍ଡିଚା ମଣ୍ଡପକୁ ମୁଁ ନବଦିନ ପାଇଁ ଗମନ କରିବି ଏବଂ ସେଠାରୁ ପୁନରାୟ ନୀଳଗିରିକୁ ଫେରିବି। ଗୁଣ୍ଡିଚା ମଣ୍ଡପଠାରେ ଅବସ୍ଥିତି କାଳରେ ଯେଉଁ ସମସ୍ତ ମାନବ ମୋତେ ଦର୍ଶନ କରିବେ, ସେମାନେ ମୋର ବୈକୁଣ୍ଠ ଧାମକୁ ଗମନ କରିବେ। (ସ୍କନ୍ଦ, ୨୯/୪୦)

‘ବାମଦେବସଂହିତା’ର ୧୬ ଅଧ୍ୟାୟ ୨୮-୨୯ ଶ୍ଳୋକରେ କୁହାଯାଇଛି- ଉତ୍ତରାଭିମୁଖୀ ଯାତ୍ରାରେ ରଥ ଗୁଣ୍ଡିଚା ମନ୍ଦିର ଆଡ଼କୁ ଗମନ କରୁଥିବା ବେଳେ, ରଥରେ ବିରାଜମାନ କରିଥିବା ଶଙ୍କର୍ଷଣରୂପୀ ଶ୍ରୀବଳଭଦ୍ର, ବାମନରୂପୀ ଶ୍ରୀଜଗନ୍ନାଥ ଓ ଭଦ୍ର ପ୍ରଦାୟିନୀ ଦେବୀ ସୁଭଦ୍ରାଙ୍କୁ ଯେଉଁମାନେ ବନ୍ଧୁବର୍ଗଙ୍କ ସହ ଦର୍ଶନ କରନ୍ତି, ସେମାନେ ନିଶ୍ଚିତ ଭାବରେ ବୈକୁଣ୍ଠପ୍ରାପ୍ତ ହୁଅନ୍ତି- ଯେଉଁଠାରୁ ପ୍ରତ୍ୟାବର୍ତ୍ତନ କରି ମନୁଷ୍ୟ ଏହି ଲୋକରେ ପୁଣି ଜନ୍ମଲାଭ କରି ନଥାନ୍ତି। ବର୍ଣ୍ଣନା ଅଛି ଯେ ଗୁଣ୍ଡିଚା ମଣ୍ଡପରେ ଏକ ସପ୍ତାହବ୍ୟାପୀ ଅବସ୍ଥାନ କରିବା ସମୟରେ ଯେଉଁମାନେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରନ୍ତି, ସେମାନେ ପୂର୍ବ ସପ୍ତପୁରୁଷଙ୍କ ସହ ନିଜେ ବୈକୁଣ୍ଠଲୋକରେ ଚିରକାଳ ନିବାସ କରିଥାନ୍ତି।

ବୈଦିକ ମହୋତ୍ସବମାନଙ୍କରେ ରଥର ପ୍ରଚଳନ ଥିଲେ ହେଁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାରମ୍ପରିକ ପ୍ରବାହ, ସାଂସ୍କୃତିକ ସୌରଭ, ଗଣପର୍ବର ଗୌରବ ଓ ବିଶ୍ୱାତ୍ମବୋଧର ବୈଶିଷ୍ଟ୍ୟରେ ବୈଦିକ ସଂସ୍କୃତିକୁ ବିଶ୍ୱ ସଂସ୍କୃତିରେ ରୂପାନ୍ତରିତ କରିପାରିଛି।

ଶ୍ରୀଗୁଣ୍ଡିଚା ଯାତ୍ରାର ଉଦ୍ଭବ ସଂପର୍କରେ ବିଭିନ୍ନ ଗବେଷକ, ପ୍ରାବନ୍ଧିକ ଓ ଐତିହାସିକ ଭିନ୍ନ ଭିନ୍ନ ମତପୋଷଣ କରି ଆସିଛନ୍ତି। ପ୍ରାବନ୍ଧିକ ଜଗବନ୍ଧୁ ପାଢ଼ୀଙ୍କ ଭାଷାରେ, ବୈଦିକ ପରମ୍ପରା ଅନୁସାରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ନିର୍ମଳ ହୃଦୟାକାଶର ପ୍ରତୀକଭୂତ ନୀଳାଚଳରେ ବିହାର କରୁଥିବା ଓ ଭକ୍ତମାନଙ୍କର କାମନା ଅନୁସାରେ ପୁରୁଷାର୍ଥ ପ୍ରଦାନ କରୁଥିବା ପରମ ପୁରୁଷ ଶ୍ରୀଜଗନ୍ନାଥ ଯେ ଏହି ବେଦ ପ୍ରତିପାଦିତ ଅନ୍ତର୍ଯ୍ୟାମୀନାଥ ବ୍ରହ୍ମଣସ୍ପତିଙ୍କର ପ୍ରଚଳିତ ନାମାନ୍ତର- ଏଥିରେ ସନ୍ଦେହର ଅବକାଶ ନାହିଁ। ଏପରିକି ‘ଋଗ୍‍ବେଦ ସଂହିତା’ର ଚାରିଗୋଟି ମନ୍ତ୍ରରେ ରଥର ସ୍ତୁତି ରହିଛି। ସେଥିରୁ ଗୋଟିଏ ମନ୍ତ୍ରରେ ରଥକୁ ‘ବନସ୍ପତି’ ବୋଲି ସମ୍ୱୋଧନ କରାଯାଇଛି। କାରଣ ବନସ୍ପତି ବା ବୃକ୍ଷର କାଷ୍ଠରୁ ରଥ ନିର୍ମିତ ହୁଏ।

ଶ୍ରୀକ୍ଷେତ୍ରରେ ରଥଯାତ୍ରାର ଉତ୍ପତ୍ତି ସମ୍ୱନ୍ଧରେ ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍‍ ଡକ୍ଟର ରାଜେନ୍ଦ୍ର ଲାଲ ମିତ୍ର ମତ ଦେଇ କହିଛନ୍ତି, ବୁଦ୍ଧଦେବଙ୍କ ଜନ୍ମଉତ୍ସବ ଉପଲକ୍ଷେ ସର୍ବପ୍ରଥମେ ରଥଯାତ୍ରାର ପ୍ରଚଳନ କରାଯାଇଥିଲା। ଏହାପରେ ଭାରତରେ ରଥଯାତ୍ରାର ଉତ୍ପତ୍ତି ହୋଇଥିଲା। ତାଙ୍କର ଯୁକ୍ତି ଫାହିୟାନ୍‍ଙ୍କ ବର୍ଣ୍ଣିତ ରଥଯାତ୍ରା ଉପରେ ଆଧାରିତ। ଫାହିୟାନ୍‌ ଖୋତନ୍‍ ରାଜ୍ୟରେ ଦେଖିଥିବା ରଥଯାତ୍ରାର ବିଶଦ୍‍ ବର୍ଣ୍ଣନା କରିଛନ୍ତି।

କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥୋତ୍ସବ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟାରେ ଅନୁଷ୍ଠିତ ହୋଇଥାଏ। ନୀତି, ରୀତି, ପରମ୍ପରା ଦୃଷ୍ଟିରୁ ଏହା ବୌଦ୍ଧ ରଥଯାତ୍ରାଠାରୁ ଭିନ୍ନ। ଏହି ଯାତ୍ରା ସଂପୂର୍ଣ୍ଣ ଭାବରେ ଉତ୍କଳର ପରମ୍ପରାଗତ ତଥା ଅତୀବ ବୈଚିତ୍ର୍ୟପୂର୍ଣ୍ଣ। କେବେଠାରୁ ଏହି ଯାତ୍ରାର ଉତ୍ପତ୍ତି ସେ ସଂପର୍କରେ ନିର୍ଦ୍ଦିଷ୍ଟ କୌଣସି ଐତିହାସିକ ପ୍ରମାଣ ମିଳେ ନାହିଁ। ତେବେ ଅଷ୍ଟମ/ନବମ ଶତାବ୍ଦୀ ବେଳକୁ ଶଙ୍କରାଚାର୍ଯ୍ୟ ପୁରୁଷୋତ୍ତମ କ୍ଷେତ୍ରକୁ ଆସି ଶ୍ରୀଜଗନ୍ନାଥଙ୍କ ମହିମା ପ୍ରଖ୍ୟାପନ ଅବସରରେ ସ୍ୱରଚିତ ଜଗନ୍ନାଥାଷ୍ଟକରେ ରଥଯାତ୍ରା ସଂପର୍କରେ ଆଭାସ ଦେଇଛନ୍ତି। ତାଙ୍କ ରଚିତ ଏହି ଅଷ୍ଟକରେ ‘ରଥାରୂଢ଼ଗଚ୍ଛନ୍‍ ପଥି ମିଳିତ ଭୂଦେବ ପଟ୍ଟଳୈଃ, ସ୍ତୁତି ପ୍ରାଦୁର୍ଭାବ ପ୍ରତିପଦ ମୁପାକଣ୍ଣୈ ସଦୟ’ରୁ ଶ୍ରୀକ୍ଷେତ୍ରରେ ସେତେବେଳେ ରଥଯାତ୍ରା ଅନୁଷ୍ଠିତ ହେଉଥିବାର ସୂଚନା ମିଳେ।

ଇତିହାସର ତଥ୍ୟ କହେ, ଦ୍ୱିତୀୟ ଯଯାତି କେଶରୀ ପାତାଳି ହୋଇଥିବା ଶ୍ରୀବିଗ୍ରହମାନଙ୍କର ଜୀର୍ଣ୍ଣ କଳେବରକୁ ସୋନପୁରରୁ ଉଦ୍ଧାର କରି ନୂତନ ମୂର୍ତ୍ତି ଗଢ଼ାଇଥିଲେ ଏବଂ ତହିଁରେ ବ୍ରହ୍ମ ସଂସ୍ଥାପନ କରି ନୀଳାଚଳ କ୍ଷେତ୍ରରେ ଅଠତିରିଶ ହାତ ମନ୍ଦିରରେ ଦେବବିଗ୍ରହମାନଙ୍କୁ ଅଧିଷ୍ଠିତ କରାଇଥିଲେ। ସମ୍ଭବତଃ ସେହି ସମୟରୁ ରଥଯାତ୍ରା ପ୍ରଚଳିତ ହୋଇ ଆସିଥିବ। ଖ୍ରୀଷ୍ଟୀୟ ଅଷ୍ଟମ ବା ନବମ ଶତାବ୍ଦୀରେ ସୋମବଂଶୀ ରାଜା ଯଯାତି କେଶରୀଙ୍କ ସମୟରେ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବିଷୟ ୰ଭିକାରି ପଟ୍ଟନାୟକଙ୍କ ୧୮୫୯ ସାଲରେ ରଚିତ ‘ରଥ ଚକଡ଼ା’ ପୋଥିରୁ ଉଦ୍ଧାର କରି ଗବେଷକ ପଦ୍ମଶ୍ରୀ ସଦାଶିବ ରଥଶର୍ମା ପ୍ରକାଶ କରିଛନ୍ତି। ଏହି ‘ରଥ ଚକଡ଼ା’ ପୋଥିଟି ପୁରୀ ବାସେଳି ସାହିର ତତ୍କାଳୀନ ରଥ ଅମିନ ତଥା ରଥକାର ଫକୀର ମହାପାତ୍ରଙ୍କଠାରୁ ପ୍ରାପ୍ତ। ପୁରୀର ବଡ଼ ଓଡ଼ିଆ ମଠରେ ତାହା ସୁରକ୍ଷିତ ଥିଲା ବୋଲି ପଣ୍ଡିତ ରଥଶର୍ମା ଉଲ୍ଲେଖ କରିଛନ୍ତି। ଏହି ଚକଡ଼ା ପୋଥିରେ ହୋଇଥିବା ବାର୍ତ୍ତାନୁଯାୟୀ, ସତ୍ୟଯୁଗରେ ତଥା ତ୍ରେତା ଓ ଦ୍ୱାପର ଯୁଗରେ ରଥଯାତ୍ରା କିପରି ହେଉଥିଲା ଜାଣିବା ଦୁରୂହ। ମାତ୍ର କଳିଯୁଗରେ ରଥଯାତ୍ରା ବିଷୟ ଯାହା ପୂର୍ବପୁରୁଷ କରଣକୁଳ ସାମନ୍ତମାନେ ଲିପିବଦ୍ଧ କରିଛନ୍ତି, ତାହା ଏହି ଚକଡ଼ାର ବିଷୟବସ୍ତୁ। ସେଥିରେ ଉଲ୍ଲେଖ ଅଛି, ‘…ଯଯାତିଙ୍କ ବେଳେ ଜଗନ୍ନାଥଙ୍କ ମନ୍ଦିରର ଉଚ୍ଚତା ମାତ୍ର ୩୮ ହାତ ଥିଲା। ଠାକୁରେ ୨ହାତ ୧୦ ଆଙ୍ଗୁଳର ଥିଲେ ଓ ରଥମାନ ୧୮ ହାତ ଉଚ୍ଚ ଥିଲା। ତିନି ରଥ ବୋଧହୁଏ ସମାନ ଥିଲା। ରଥ ଛଅଗୋଟି ହେଉଥିଲା। ବଳଗଣ୍ଡି ପର୍ଯ୍ୟନ୍ତ ତିନିରଥ ଯାଉଥିଲା। ଇନ୍ଦ୍ରଦ୍ୟୁମ୍ନ ପାଟଣାରେ ତିନିରଥ ନିର୍ମାଣ କରାଯାଉଥିଲା। ଏହା ଚାରିଚକିଆ ଶଗଡ଼ି ସଦୃଶ ହେଉଥିଲା। ଏହି ତିନିଗୋଟି ରଥ ମାଳିନୀ ବା ବଡ଼ ନଈର ଉତ୍ତର ଭୂମିରେ ଆଡ଼ପ ମଣ୍ଡପ ବା ଗୁଣ୍ତିଚା ଘରକୁ ଯାଉଥିଲା। ସିଂହଦ୍ୱାରଠାରୁ ବଳଗଣ୍ଡି ପର୍ଯ୍ୟନ୍ତ ଯାଉଥିବା ରଥ ଷୋହଳ ଚକିଆ, ଚଉଦ ଚକିଆ ଓ ବାରଚକିଆ ଥିଲା। ରଥ ଉପରେ ସୁନାର ତିନି ବେଣ୍ଟିଆ ଧ୍ୱଜ କଳସ ଲାଗୁଥିଲା। କନକ ମୁଠାଇରେ ରତ୍ନଚାନ୍ଦୁଆ ଟଣା ହେଉଥିଲା। ଅନ୍ୟ ଗୋଟିଏ ଛୋଟ ରଥରେ ବଜନ୍ତରି, ରଥ ଘଣ୍ଟୁଆ, ବାଦ୍ୟକାରମାନେ ଆଗେ ଆଗେ ଯାଉଥିଲେ। ତାହାକୁ ଘୋଡ଼ା ଟାଣୁଥିଲେ। ପଛରେ ତିନି ରଥକୁ ଭଗତେ ଟାଣୁଥିଲେ। ବଳଗଣ୍ଡିଠାରେ ରଥ ପହଞ୍ଚିଲେ, ଦୋଳ ଚାପରେ ନଈ ପାରି ହୋଇ ଆରପଟକୁ ଠାକୁରମାନେ ବିଜେ କରି ଚାରିଚକିଆ ଶଗଡ଼ି ରଥରେ ବସି ଗୁଣ୍ଡିଚା ମନ୍ଦିର ବେଢ଼ାକୁ ଯା’ନ୍ତି। ସାତଦିନ ପରେ ନବଦିନ ଯାତ୍ରା ସମାପ୍ତ କରି ବାହୁଡ଼ା ଯାତ୍ରା ହେଉଥିଲା।

‘ରଥ ଚକଡ଼ା’ ଅନୁସାରେ-
‘‘ପାଟଣା ରଥ ଚାରି ଚକିଆ
କିଆ ପଟୁକାରେ ହୋଇଛି ଠିଆ।’’
ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଗବେଷକ ଡକ୍ଟର ଅସିତ ମହାନ୍ତି ତାଙ୍କର ଗୋଟିଏ ଲେଖାରେ ଏହି ‘କିଆପଟୁକା’ ପ୍ରକୃତରେ ‘କାୟାପାଟଣା’ ବୋଲି ଲେଖିଛନ୍ତି। କାରଣ, ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦିଠାରେ ଶୀଜଗନ୍ନାଥଙ୍କର ପ୍ରଥମ ‘କାୟା’ ବା ବିଗ୍ରହ ନିର୍ମିତ ହୋଇଥିଲା। ତେଣୁ ତାହା ‘କାୟା ପାଟଣା’ ଭାବରେ ପରିଚିତ ଥିଲା।
ପଣ୍ଡିତ ରଥଶର୍ମାଙ୍କ ବିବରଣୀର ‘ରଥଚକଡ଼ା’ ଅନୁସାରେ, ‘ପରଶୁ କେଶରୀ ନାମକ ରାଜା ମାତ୍ର ଦୁଇବର୍ଷ ରାଜତ୍ୱ କରିବା କାଳରେ ଥରେ ହେଲେ ଅଠର ହାତିଆ ରଥର ଯାତ୍ରା ହୋଇପାରି ନଥିଲା। ଅକାଳରେ ମୂଷଳ ଧାରାରେ ବୃଷ୍ଟି ହେବାରୁ ରଥଯାତ୍ରା ନହୋଇ ସିଂହଦ୍ୱାରଠାରେ ରଥ ରହି ଦକ୍ଷିଣାଭିମୁଖୀ ପୂଜା ହେଲା। ମାତ୍ର ସେବକେ ଯାଇ ଆଡ଼ପମଣ୍ଡପରେ ଧ୍ୱଜପୂଜା, ପିଠି ପୂଜା କରିଥିଲେ।

ଏହାପରେ ଚୋଡ଼ଗଙ୍ଗ ଦେଉଳ କଲେ ୧୨୫ ହାତ, ରଥ କଲେ ୩୨ ହାତ, ଦିଅଁ କଲେ ସାତ ପା’। ରଥମାନ ଛଅଟି ହସ୍ତୀ ଦ୍ୱାରା ଟଣା ଯାଉଥିଲା। ବଳଗଣ୍ଡି ଛତା ତଳେ ରଥ ରହି ପୂର୍ବ ରୀତିରେ ଚାପରେ ଦିଅଁ ଆରପଟେ ଥିବା ରଥକୁ ଏବଂ ପରେ ଆଡ଼ପ ମଣ୍ଡପକୁ ଯାଉଥିଲେ। ଚୋଡ଼ଗଙ୍ଗ ମହୀପତି ସ୍ୱୟଂ ରଥ ଦଉଡ଼ି ଧରି ଟାଣିଲେ, ଅନ୍ୟମାନେ ଓ ହାତୀ ଦ୍ୱାରା ରଥ ଟଣା ଯାଉଥିଲା। ପରେ ଅନଙ୍ଗଭୀମ ନରପତି ରଥଯାତ୍ରା ପାଇଁ ଛତିଶା ନିଯୋଗ ଖଞ୍ଜିଲେ।’

ଅପରପକ୍ଷରେ ଗବେଷକ ଡକ୍ଟର ନୀଳକଣ୍ଠ ମିଶ୍ର ଉଲ୍ଲେଖ କରିଛନ୍ତି ଯେ ୧୨୭୦ ଖ୍ରୀଷ୍ଟାବ୍ଦରେ ମାଧବାଚାର୍ଯ୍ୟଙ୍କ ଶ୍ରୀକ୍ଷେତ୍ର ଆଗମନ କାଳରେ, ଗୋଟିଏ ଯାତ୍ରାରେ ଦୁଇପ୍ରକାରର ରଥର ବ୍ୟବହାର ଶାସ୍ତ୍ରବିରୋଧୀ ବୋଲି ମତ ଦେଇ ମାଳିନୀ ନଦୀ ପୋତି ବଡ଼ଦାଠରେ ମାତ୍ର ତିନିଗୋଟି ରଥରେ ରଥଯାତ୍ରା ସଂପାଦନ କରିବାକୁ ପରାମର୍ଶ ଦେଇଥିଲେ। ତେଣୁ ଗଙ୍ଗ ସମ୍ରାଟ୍‌ ପ୍ରଥମ ଭାନୁଦେବ (୧୨୬୪-୧୨୭୮) ଏ ବ୍ୟବସ୍ଥା କରିଥିଲେ। ମାଳିନୀ ବା ଶରଧା ନଦୀ ପୋତା ହେଲା। ପରେ ଏହା ବଡ଼ଦାଣ୍ଡରେ ପରିଣତ ହେଲା।

କେତେକ ଆଲୋଚକ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ସମ୍ୱନ୍ଧରେ ମତପୋଷଣ କରିଛନ୍ତି ଯେ ଖ୍ରୀଷ୍ଟୀୟ ନବମ ଶତକର କବି ମୁରାରି ମିଶ୍ର ସ୍ୱୀୟ ରଚନାରେ ରଥଯାତ୍ରା ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି। ଶ୍ରୀବିଗ୍ରହମାନଙ୍କ ରଥଯାତ୍ରା କାଳରେ ମୁରାରି ମିଶ୍ରଙ୍କ ରଚିତ ସୁପ୍ରସିଦ୍ଧ ସଂସ୍କୃତ ନାଟକ ‘ଅନର୍ଘରାଘବ’ ସମେତ ବହୁ ସଂସ୍କୃତ ନାଟକ/କାବ୍ୟ ଭକ୍ତମାନଙ୍କର ଚିତ୍ତବିନୋଦନ ପାଇଁ ଅଭିନୀତ ହେଉଥିବାର ସୂଚନା ମିଳେ। କବି ମୁରାରି ମିଶ୍ରଙ୍କ ରଚନାରେ ‘ଭାଗବତଃ ପୁରୁଷୋତ୍ତମସ୍ୟ ଯାତ୍ରାୟା-ମୁପସ୍ଥାନୀୟା ସଭାସଦଃ’ ଉଲ୍ଲେଖ ମିଳେ। ଏଠାରେ ଶ୍ରୀପୁରୁଷୋତ୍ତମ ବା ଶ୍ରୀଜଗନ୍ନାଥଙ୍କ ଯେଉଁ ଯାତ୍ରାର ନାମ ସେ ଉଲ୍ଲେଖ କରିଛନ୍ତି, ତାହା ଆଲୋଚକମାନଙ୍କ ଦ୍ୱାରା ରଥଯାତ୍ରା ରୂପେ ଗୃହୀତ ହୋଇଛି। ବିଶିଷ୍ଟ ଐତିହାସିକ ଡକ୍ଟର ସତ୍ୟନାରାୟଣ ରାଜଗୁରୁଙ୍କ ମତରେ ୧୨୨୩ ଖ୍ରୀଷ୍ଟାବ୍ଦର ପରବର୍ତ୍ତୀ କାଳରେ ରଥଯାତ୍ରାର ପ୍ରଚଳନ ହୋଇଥିଲା। ତାଙ୍କ ମତରେ, ୧୨୨୩ ଖ୍ରୀଷ୍ଟାବ୍ଦ ପରେ କୌଣସି ସମୟରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଦାରୁରେ ନିର୍ମିତ ହେବାରେ ଏବଂ ଆଦିବାସୀ ‘ଦଇତାମାନେ ଶ୍ରୀଜଗନ୍ନାଥଙ୍କ ସେବକ ରୂପେ ନିଯୁକ୍ତ ହେବାରେ, ରଥଯାତ୍ରାର ସୃଷ୍ଟି ହୋଇଛି। ସେହିପରି ଐତିହାସିକ କେଦାରନାଥ ମହାପାତ୍ର ରଥଯାତ୍ରାର କାଳ ନିରୂପଣ କରି ଏହାକୁ ଦ୍ୱାଦଶ ଶତାବ୍ଦୀ ବା ତାହାର ପୂର୍ବବର୍ତ୍ତୀ ବୋଲି ଚିହ୍ନିତ କରିଛନ୍ତି।

ଶ୍ରୀ ମହାପାତ୍ରଙ୍କ ମତାନୁସାରେ, ଗଙ୍ଗ ସାମ୍ରାଜ୍ୟର ପ୍ରତିଷ୍ଠାତା ଅନନ୍ତବର୍ମା ଚୋଡ଼ଗଙ୍ଗ ଦେବଙ୍କ ପଟ୍ଟମହାଦେବୀ ଗୋଣ୍ଡଚୋଡ଼ ନିଜର ନାମକୁ ପ୍ରସିଦ୍ଧ କରିବାପାଇଁ ଗୁଣ୍ଡିଚା ମନ୍ଦିର ନିର୍ମାଣ କରାଇଥିଲେ। ଓଡ଼ିଆ ଭାଷାରେ ଗୋଣ୍ଡଚୋଡ଼ ଗୁଣ୍ଡିଚା ନାମରେ ପରିଚିତ ହୋଇଥିବାରୁ ଏହି ମଣ୍ଡପର ନାମ ଗୁଣ୍ଡିଚାମଣ୍ଡପ ଏବଂ ଏହି ମଣ୍ଡପ ସହ ସଂଯୁକ୍ତ ରଥଯାତ୍ରା ଗୁଣ୍ଡିଚା ନାମରେ ଆଖ୍ୟାତ। ପଟ୍ଟମହାଦେବୀ ଗୋଣ୍ଡଚୋଡ଼ଙ୍କ ନାମ ୧୦୫୦ ଶକାବ୍ଦ (୧୨୨୮ ଖ୍ରୀଷ୍ଟାବ୍ଦ)ରେ ଦ୍ରାକ୍ଷାରାମ ମନ୍ଦିରରେ ପ୍ରବର୍ତ୍ତିତ ଅଭିଲେଖରୁ ପ୍ରାପ୍ତ ହୋଇଥାଏ। ଶ୍ରୀ ମହାପାତ୍ରଙ୍କ ବଳିଷ୍ଠ ଯୁକ୍ତି ଅନୁଯାୟୀ, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମ୍ରାଟ ଚୋଡ଼ଗଙ୍ଗ ଦେବଙ୍କ ସମୟରେ ପ୍ରବର୍ତ୍ତିତ ହୋଇଥିଲା ଅଥବା ତାଙ୍କ ସମୟକୁ ରଥଯାତ୍ରା ପ୍ରବର୍ତ୍ତିତ ହୋଇସାରିଥିଲା। ବହୁ ଐତିହାସିକ ଓ ଗବେଷକମାନଙ୍କର ମଧ୍ୟ ମତ ଯେ ଖ୍ରୀଷ୍ଟୀୟ ଦ୍ୱାଦଶ/ତ୍ରୟୋଦଶ ଶତାବ୍ଦୀ ବେଳକୁ \‘ସ୍କନ୍ଦ ପୁରାଣ-ଉତ୍କଳଖଣ୍ଡ\’ ରଚିତ ହୋଇଥିଲା। ସେତେବେଳକୁ ଶ୍ରୀକ୍ଷେତ୍ରସ୍ଥିତ ରଥଯାତ୍ରାର ପ୍ରସିଦ୍ଧି ଭାରତବର୍ଷରେ ବ୍ୟାପୀ ଯାଇଥିଲା। ସୁତରାଂ ଗଙ୍ଗବଂଶୀ ରାଜାମାନଙ୍କର ୩୩୪ ବର୍ଷର ରାଜତ୍ୱକାଳ ମଧ୍ୟରେ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଅତ୍ୟନ୍ତ ଆଡ଼ମ୍ୱରପୂର୍ଣ୍ଣ ଭାବେ ପାଳନ ହେଉଥିଲା। ସେହିପରି ସୂର୍ଯ୍ୟବଂଶୀ ରାଜାମାନଙ୍କର ପ୍ରାୟ ୧୦୦ବର୍ଷର ରାଜତ୍ୱକାଳ ମଧ୍ୟରେ, ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରା ଆହୁରି ବର୍ଣ୍ଣାଢ଼୍ୟ ଭାବେ ଅନୁଷ୍ଠିତ ହେଉଥିବା ଜଣାଯାଏ। ଏପରିକି ରଥ ଉପରେ ସୂର୍ଯ୍ୟବଂଶୀ ରାଜାମାନଙ୍କ ଛେରା ପହଁରା ସେବାର ପ୍ରବର୍ତ୍ତନ ସଂପର୍କରେ ଆଭାସ ମିଳେ। ସୁତରାଂ ଗଙ୍ଗବଂଶୀ ଓ ସୂର୍ଯ୍ୟବଂଶୀ ରାଜାମାନଙ୍କ ସମୟରେ, ପ୍ରାୟ ୪୦୦ରୁ ଊର୍ଧ୍ବ ବର୍ଷ ଧରି ଶ୍ରୀକ୍ଷେତ୍ରରେ ରଥଯାତ୍ରା ଆଡ଼ମ୍ୱରପୂର୍ଣ୍ଣ ଭାବେ ପାଳିତ ହୋଇ ଆସୁଥିବାର ପ୍ରମାଣ ମିଳେ।

କିନ୍ତୁ ସୂର୍ଯ୍ୟବଂଶୀ ରାଜାମାନଙ୍କ ରାଜତ୍ୱ କାଳର ଶେଷ ସମୟରେ ଶ୍ରୀମନ୍ଦିର ଉପରେ ବଙ୍ଗର ଆଫଗାନ୍‍ ଶାସକମାନଙ୍କର ଆକ୍ରମଣ ଘଟିଲା। ଶାସନତନ୍ତ୍ର ଦୁର୍ବଳ ହେବା ସହ ଏହି ରାଜବଂଶର ଲୋପ ଘଟିଲା ଏବଂ ଯଦୁବଂଶର ସ୍ୱଳ୍ପକାଳୀନ ରାଜତ୍ୱ ସମୟରେ, ୧୫୬୮ ଖ୍ରୀଷ୍ଟାବ୍ଦରେ ଦୁର୍ଦ୍ଧର୍ଷ କଳାପାହାଡ଼ର ଆକ୍ରମଣ ଦ୍ୱାରା ଶ୍ରୀବିଗ୍ରହମାନଙ୍କ କ୍ଷତି ଘଟିଲା। ଶ୍ରୀମନ୍ଦିରର ରତ୍ନଭଠାର ଲୁଣ୍ଠିତ ହେବା ଫଳରେ ଏହି ସୁପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାରେ ଅନ୍ତରାୟ ସୃଷ୍ଟି ହେଲା। ବିଶେଷ କରି ୧୫୬୮ରୁ ୧୭୩୫ ଖ୍ରୀଷ୍ଟାବ୍ଦ ମଧ୍ୟରେ କଳାପାହାଡ଼, କଲ୍ୟାଣମଲ୍ଲ, ଅହମ୍ମଦ ବେଗ୍‍, ହାସିମ୍‍ ଖାଁ, ମିର୍ଜା ଖୁରୁମ୍‍, ଏକରାମ୍‍ ଖାଁ, ମହମ୍ମଦ ତକି ଖାଁ, କେଶୋଦାସ ମାରୁ ପ୍ରଭୃତି ଯବନ ସେନାପତି ଓ ସୁବେଦାରମାନଙ୍କ ଦ୍ୱାରା ଶ୍ରୀମନ୍ଦିର ଓ ଶ୍ରୀବିଗ୍ରହଙ୍କ ଉପରେ ବାରମ୍ୱାର ଆକ୍ରମଣ ହେବା ଫଳରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଗଡ଼କୋକଲ, କପିଳେଶ୍ୱରପୁର ଶାସନ, ଚିଲିକାର କାଙ୍କଣଶିଖରୀ କୁଦ, ନଈରୀର ହରିହରେଶ୍ୱର ମଠପ, ପୋଲସରାର ମାରଦା, ଚିକିଲି, ଖୋର୍ଦ୍ଧାଗଡ଼ର ଗୋପାଳ ମନ୍ଦିର, ଚିଲିକାର ମହିଷାନାସି/ଚକାନାସି, ଗୁରୁବାଇଗଡ଼, ବାଣପୁରର ଗବପଦର, ବଡ଼ହନ୍ତୁଆଡ଼, ଅନ୍ଧାରିମହିମ, ଖୋର୍ଦ୍ଧାର ଗଡ଼ମାଣିତିରି ଇତ୍ୟାଦି ଅଞ୍ଚଳରେ ଅତ୍ୟନ୍ତ ଗୋପନୀୟ ଭାବେ ଅଧିଷ୍ଠିତ କରାଯାଇ ଦୈନନ୍ଦିନ ସେବାପୂଜା ହେଉଥିଲା। ଏହି ଆକ୍ରମଣ ସମୟରେ ପ୍ରାୟ ୪୫୨ ବର୍ଷର ଇତିହାସରେ ୩୨ବର୍ଷ ମହାପ୍ରଭୁଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇପାରି ନଥିଲା।

ବ୍ରିଟିଶ୍‍ ଶାସନ କାଳରେ ରଥଯାତ୍ରା ନିରନ୍ତର ଭାବେ ପାଳିତ ହୋଇ ଆସୁଥିଲେ ହେଁ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲାଗିବାକୁ ଦୁଇ ଦିନରୁ ଚାରିଦିନ ପର୍ଯ୍ୟନ୍ତ ଲାଗି ଯାଉଥିଲା। ଏପରିକି ସିଂହଦ୍ୱାରଠାରୁ ଶ୍ରୀଗୁଣ୍ଡିଚା ଦିନ ରଥମାନ ଟଣା ହୋଇ ନଥିବାର ପ୍ରମାଣ ମିଳୁଛି। ଏତଦ୍‍ବ୍ୟତୀତ ସେ ସମୟରେ ବିଭିନ୍ନ ଅଞ୍ଚଳରୁ ଯାତ୍ରୀମାନଙ୍କ ଆଗମନ ଯୋଗୁଁ ପୁରୀ ସହରରେ ହଇଜା ରୋଗର ପ୍ରାଦୁର୍ଭାବ ଦେଖାଯାଉଥିଲା। ରଥଟଣା ସମୟରେ ମଧ୍ୟ କଳାବେଠିଆ, ତୀର୍ଥଯାତ୍ରୀମାନେ ଚକତଳେ ପଡ଼ିଯାଇ ତାଙ୍କର ମୃତ୍ୟୁ ହେଉଥିଲା।

ଇଂରେଜ ଶାସନର ଅନ୍ତ ଘଟି, ଦେଶ ସ୍ୱାଧୀନ ହେବା ପରେ ୧୯୪୭ ମସିହାରୁ ୧୯୬୦ ମସିହା ପର୍ଯ୍ୟନ୍ତ ପୁରୀ ଗଜପତି ମହାରାଜା ସୁପରିନ୍‌ଟେ‌ଣ୍ଡେଣ୍ଟ ଭାବେ ରଥଯାତ୍ରାର ପରିଚାଳନା କରି ଆସୁଥିଲେ। ୧୯୬୦ମସିହାରୁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ ବଳରେ ଏକ କମିଟି ଗଠନ କରିଛନ୍ତି ଏବଂ ସେହି କମିଟି ମାଧ୍ୟମରେ ଶ୍ରୀମନ୍ଦିରର ଯାବତୀୟ ନୀତି, ଉତ୍ସବାଦି ପରିଚାଳିତ ହୋଇ ଆସୁଛି।

ବିଶେଷ କରି ବିଗତ ୩୦ ବର୍ଷ ମଧ୍ୟରେ ରଥଯାତ୍ରାର ସୁପରିଚାଳନା ନିମନ୍ତେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। କେବଳ ୧୯୭୭ ଓ ୧୯୯୧ ମସିହାକୁ ବାଦ୍‍ ଦେଲେ ମୋଟାମୋଟି ଭାବରେ ରଥଯାତ୍ରା ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଥିବା ଜଣାଯାଏ। ସଂପ୍ରତି ଅଧିକାଂଶ ବର୍ଷରେ ଶ୍ରୀଗୁଣ୍ଡିଚା ଦିନ ତିନି ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବାର ପ୍ରମାଣ ରହିଛି। ସେହିପରି କେତେକ ବର୍ଷ ରଥଯାତ୍ରାରେ ରଥ ପହଞ୍ଚିବାକୁ ଦୁଇଦିନ ସମୟ ଲାଗୁଛି। ତେବେ ପ୍ରତିବର୍ଷ ବାହୁଡ଼ା ଯାତ୍ରା ପୂର୍ବରୁ ତିନିରଥ ଦକ୍ଷିଣ ମୋଡ଼ ହୋଇ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରଠାରେ ରହିପାରୁଛି।

ମୋଟାମୋଟି ଭାବରେ ବିଗତ ୩୦ବର୍ଷ ଧରି ରଥଯାତ୍ରାରେ ଅନେକ ଶୃଙ୍ଖଳାରକ୍ଷା ସମ୍ଭବ ହୋଇପାରିଛି। ତେବେ ଶ୍ରୀମନ୍ଦିରର ଅନ୍ୟାନ୍ୟ ଯାତ୍ରା, ଉତ୍ସବ ଅପେକ୍ଷା ଏହି ବିଶ୍ୱପ୍ରସିଦ୍ଧ ଯାତ୍ରା ଏବେ ଅତ୍ୟନ୍ତ ବ୍ୟୟବହୁଳ ହୋଇଯାଇଛି।

ସମ୍ବନ୍ଧିତ ଖବର