ବିଶ୍ୱ ବିଖ୍ୟାତ ଘୋଷଯାତ୍ରା, ରତ୍ନବେଦିରୁ ଜନ୍ମବେଦି। ଏହି ଆକାଂକ୍ଷିତ ପବିତ୍ର ଲଗ୍ନକୁ କେନ୍ଦ୍ର କରି ଅନେକ ମହାନ୍ ଲେଖକ, କବି, ସମାଲୋଚକ ଓ ସମୀକ୍ଷକ ନିଜ ନିଜର ଅଲିଭା ଆଲେଖ୍ୟ ରଖି ଯାଇଛନ୍ତି। ବିଶ୍ୱକବିି ରବୀନ୍ଦ୍ର ନାଥଙ୍କ ଭାଷାରେ-
‘‘ରଥଯାତ୍ରା ଲୋକାରଣ୍ୟ ମହାଧୁମଧାମ- ଭକ୍ତେରା ଲୁଟାଏ ପଥେ କରିତେ ପ୍ରଣାମ- ରଥ ବଲେ ଆମି ଦେବ ପଥ ବଲେ ଆମି- ମୂର୍ତ୍ତି ବଲେ ଆମି ଦେବ- ହାସେ ଅନ୍ତର୍ଯ୍ୟାମୀ।’’
ଆମେ ବି ଓଡ଼ିଆମାନେ କହୁ ‘‘ରଥ କହେ ମୁଁ ଦେବତା- ପଥ କହେ ମୁଁ ଦେବତା- ରଥ ପଥ କିଛି ନାହିଁ ସବୁ ସେ ଜଗତ ସାଇଁ।’’
ଯୁଗେ ଯୁଗେ ଭଗବାନ ଭକ୍ତର। ସେ ଗୀତଗୋବିନ୍ଦ ଶୁଣନ୍ତି ବାଇଗଣ କିଆରିରେ ତ, ମାଣିକ ଗଉଡୁଣୀକୁ ନିଜ ହସ୍ତମୁଦି ବନ୍ଧା ଦେଇ ଦହି ଖାଆନ୍ତି। ତାକୁ ପୁଣି କହିଯାଆନ୍ତି ଗଜପତି ପୁରୁଷୋତ୍ତମ ଆସୁଛନ୍ତି- ତାକୁ ଏ ମୁଦି ଦେଖାଇଲେ ସେ ତୋ ଦହିର ମୂଲ୍ୟ ଦେବେ। ଅନ୍ୟ ପାଖରେ ଗଜପତି ଜାଣନ୍ତି ସ୍ୱୟଂ ପ୍ରଭୁ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥ ଧଳା ଓ କଳା ଘୋଡ଼ାରେ ଭକ୍ତର ମାନ ରକ୍ଷା ପାଇଁ କାଞ୍ଚି ଅଭିଯାନରେ ସୈନିକ ସାଜିଛନ୍ତି।
ଜନ୍ମବେଦିକୁ ବିଜେ ହେବେ ମହାବାହୁ। ପହଣ୍ଡିରେ ରତ୍ନବେଦିରୁ ଓହ୍ଲାଇ ଆସୁଛନ୍ତି। ସିଂହଦ୍ୱାରରେ ଜନ ସମୁଦ୍ର ଉଦ୍ବେଳିତ ହୋଇଉଠୁଛି। ତାଙ୍କର ଦର୍ଶନ କରି ଜୀବନର ଦୁଃଖ ନିବେଦନ କରିବେ। ଭକ୍ତ କବି ଗୌର ଚରଣ ଏହି ଉଦ୍ବେଳନକୁ ରୂପାୟିତ କରି ଗାଇଛନ୍ତି-
‘‘କାଳିଆ କାହ୍ନ ଆଉ ବିଳମ୍ବ କର କାହିଁକି- ବରଷକେ ଥରେ ବିଜୟ ରଥରେ ପତିତ ତାରଣ ପାଇଁ କି।
ଚଉଦ ବ୍ରହ୍ମାଣ୍ଡ ରୁଣ୍ଡ ହୋଇଛନ୍ତି ଦୁଃଖ ଜଣାଇବା ପାଇଁ- ଜୀବନ ଯାକର ଦୁଃଖ ଉପେକ୍ଷିବେ କଳା ଶ୍ରୀମୁଖକୁ ଚାହିଁକି।’’
ସେହିପରି କ୍ଳାନ୍ତ, ଶ୍ରାନ୍ତ ମଣିଷ ଧାଇଁ ଆସିଛି କାହିଁ କେତେ ଦୂରରୁ। ଭକ୍ତ କବି ବନମାଳୀ ତାକୁ ରୂପଦାନ କରି ଗାଇଛନ୍ତି-
‘‘ଥକାମନ ଚାଲଯିବା- ଚକା ନୟନ ଦେଖିବା- ପହଞ୍ଚିବା ବଡ଼ଦାଣ୍ଡେ ସେ ରେଣୁ ପାଇବା ତୁଣ୍ଡେ- ଛତା ତଳେ ରହି ଦଣ୍ଡେ ସାଧୁଙ୍କ ସେବା କରିବା।’’
ଏହା ହିଁ ସେ ନିତ୍ୟ ବୈକୁଣ୍ଠ ବଡ଼ଦାଣ୍ଡ ଧୂଳିର ମହିମା। ସେଥିରେ ସ୍ପନ୍ଦିତ ହେଉଛି ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ମହିମାମୟ ଗରିମା।
ଅନୁରୂପ ଭାବରେ ଶଙ୍କରାଚାର୍ଯ୍ୟ ମଧ୍ୟ ଲୀଳାମୟଙ୍କ ମହିମା ତାଙ୍କ ଜଣାଣରେ ବିଶ୍ୱକୁ ଜଣାଇଛନ୍ତି-
‘‘ଜଗନ୍ନାଥ ସ୍ୱାମୀ ନୟନପଥ ଗାମୀ ଭବ ତୁମେ’’। ଯାହା ତାତ୍ପର୍ଯ୍ୟପୂର୍ଣ୍ଣ ତାହା ହେଉଛି କେହି ମହାନ ଭକ୍ତମାନେ ପ୍ରଭୁଙ୍କୁ ସ୍ପର୍ଶ କରିବାକୁ କଳି କନ୍ଦଳ କରି ନାହାନ୍ତି ଯାହା ଆଜି କୋଟ୍ର୍-କଚେରି ବିଚାରାଳୟରେ ଅଧୀନ। କି ବିସ୍ମୟକର ବିଡ଼ମ୍ବନା ସତେ!
ସ୍ୱୟଂ ପ୍ରଭୁଙ୍କର ପ୍ରଥମ ସେବକ ଗଜପତିଙ୍କ ଠାରୁ ଅସ୍ପୃଶ୍ୟ ଦାସିଆ ବାଉରି- ଏପରିକି ସାମାନ୍ୟ ଭରତିଆ ପକ୍ଷୀ ଅବା ଗଜରାଜଙ୍କ ଡାକରେ ପ୍ରଭୁ ଭକ୍ତର ମାନ ରକ୍ଷା କରିଛନ୍ତି। ସେହି ପରି ରୁକ୍ମିଣୀ ହୁଅନ୍ତୁ ଅବା ଯାଜ୍ଞସେନୀ; ସବୁରି ଆକୁଳ ପ୍ରାର୍ଥନା ସେ ଶୁଣିଛନ୍ତି। ସାତଶହ ପଚାଶ କୋଶ ଦୂରରୁ କାତର ପ୍ରାର୍ଥନା କରିଛନ୍ତି ଜବନ କବି ସାଲବେଗ। ସେ ବଡ଼ଦାଣ୍ଡରେ ଉପନୀତ ହେବା ପର୍ଯ୍ୟନ୍ତ ପ୍ରଭୁଙ୍କ ରଥ ଅଟକି ରହିଛି। ଭକ୍ତ କବି ବଳରାମ ଅନ୍ୟତମ ଉଦାହରଣ। ତାଙ୍କୁ ଶରଧାବାଲିରୁ ସ୍ୱୟଂ ଗଜପତି ସମ୍ମାନର ସହ ରଥକୁ ଆଣିବା ପରେ ରଥଯାତ୍ରା ଆରମ୍ଭ କରିଛି। ଏହି ସବୁ କିଂବଦନ୍ତି ବହନ କରିଛି ଆଜିର ବିଶ୍ୱବିଦିତ ରଥଯାତ୍ରା।
ଜୟ ଜଗନ୍ନାଥ।
ବିମଳ ପ୍ରସନ୍ନ ଦାସ, ମୋ: ୯୪୩୮୧୮୬୨୨୬
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Puri-Yatra-PTI.jpg)