ଶ୍ରୀରାମଙ୍କ କର୍ମଭୂମି ଦଣ୍ଡକାରଣ୍ୟ

ମଧ୍ୟଭାରତର ଏକ ବିସ୍ତୃତ ଅରଣ୍ୟାନି ପରିଶୋଭିତ ଅଞ୍ଚଳର ନାମ ଥିଲା ଦଣ୍ଡକାରଣ୍ୟ। ‘ବାମନ ପୁରାଣ’ର ବର୍ଣ୍ଣନା ଅନୁସାରେ, ବୈବସ୍ୱତ ମନୁଙ୍କ ପୁତ୍ର ଇକ୍ଷ୍ୱାକୁ ଦଣ୍ଡର ସୁଚାରୁ ବିନିଯୋଗ କରି ରାଜ୍ୟ ଶାସନ କରୁଥିଲେ। ସେ ନିଜର ସର୍ବଗୁଣସଂପନ୍ନ କନିଷ୍ଠ ପୁତ୍ରର ନାମ ରଖିଥିଲେ ଦଣ୍ଡକ। ବିନ୍ଧ୍ୟଗିରିର ଦୁଇ ଶିଖର ମଧ୍ୟରେ ମଧୁମତ ନାମରେ ଏକ ସୁନ୍ଦର ନଗରୀ ଥିଲା। ରାଜା ସେହି ରାଜ୍ୟରେ ଦଣ୍ଡକକୁ ରାଜା କରାଇଲେ। ଦଣ୍ଡକ ସ୍ୱଧର୍ମ ପାଳନ ପୂର୍ବକ ଅନେକ ବର୍ଷ ଧରି ସେହି ରାଜ୍ୟ ଶାସନ କଲେ।
ଏକଦା ଚୈତ୍ରର ଏକ ମନୋରମ ଅପରାହ୍‌ଣରେ ଦଣ୍ଡକ ନିଜର ଗୁରୁ ଶୁକ୍ରାଚାର୍ଯ୍ୟଙ୍କୁ ଦର୍ଶନ କରିବାକୁ ଯାଇ ଭାର୍ଗବଙ୍କ ଆଶ୍ରମରେ ପହଞ୍ଚିଲେ। ସେଠାରେ ଶୁକ୍ରାଚାର୍ଯ୍ୟଙ୍କର ସୁନ୍ଦରୀ କନ୍ୟା ଅରଜାଙ୍କୁ ଦେଖି ତାଙ୍କ ମନରେ କାମ ବିକାର ଜାତ ହେଲା। ଅରଜାଙ୍କର ସମସ୍ତ ପ୍ରତିରୋଧ ସତ୍ତ୍ୱେ ଦଣ୍ଡକ ଅସହାୟା ଅରଜାଙ୍କୁ ବଳପୂର୍ବକ ସଂଭୋଗ କଲେ। ଶୁକ୍ରାଚାର୍ଯ୍ୟ ଏହା ଜାଣି କ୍ରୋଧରେ ଦଣ୍ଡକଙ୍କ ସହିତ ତାଙ୍କର ସଂପୂର୍ଣ୍ଣ ସାମ୍ରାଜ୍ୟ ଭସ୍ମ ହେଉ ବୋଲି ଅଭିଶାପ ଦେଇଦେଲେ। ସେହି ରାଜ୍ୟ ଭସ୍ମ ହୋଇଗଲା ଏବଂ ପରିତ୍ୟକ୍ତ ରାଜ୍ୟ ହେଲା ଦଣ୍ଡକାରଣ୍ୟ। କ୍ରମଶଃ ତାହା ଦେବତାମାନଙ୍କର ବର୍ଜ୍ୟଭୂମି ହୋଇପଡ଼ିଲା। ଫଳରେ ପରବର୍ତ୍ତୀ କାଳରେ ତାହା ରାକ୍ଷସମାନଙ୍କର ଅଧ୍ୟୁଷିତ ଭୂମି ହୋଇଗଲା।
ସେହି ଅରଣ୍ୟ ମଧ୍ୟରେ ଗୋଦାବରୀ ନଦୀ ତୀରରେ ପଞ୍ଚବଟୀ (ପାଞ୍ଚଟି ବଟ ବୃକ୍ଷର ସମାହାର) ନାମକ ଏକ ସୁରମ୍ୟ ସ୍ଥାନ ଥିଲା ଏବଂ ସର୍ବକାମପ୍ରଦ ଶ୍ୟାମବଟ ରହିଥିଲା। ଅଗସ୍ତିଙ୍କ ନିର୍ଦ୍ଦେଶରେ ଶ୍ରୀରାମଚନ୍ଦ୍ର, ସୀତା ଓ ଲକ୍ଷ୍ମଣଙ୍କ ସହିତ ଶ୍ୟାମବଟ ପରିକ୍ରମା କରି ପଞ୍ଚବଟୀରେ ଆଶ୍ରମ ନିର୍ମାଣ କରି ବନବାସ କାଳରେ ଦୀର୍ଘ ସମୟ ସେଠାରେ ଅବସ୍ଥାନ କରିଥିଲେ। ଏହି ସମୟରେ ଅନେକ ରାକ୍ଷସଙ୍କୁ ମାରି ରାମଚନ୍ଦ୍ର ଦଣ୍ଡକାରଣ୍ୟକୁ ପୁନଶ୍ଚ ଋଷିମାନଙ୍କର ତପସ୍ୟା କ୍ଷେତ୍ରରେ ପରିଣତ କରିଦେଇଥିଲେ। ଶ୍ରୀରାମଙ୍କର ପଦପାତ ହେତୁ ସେ ଭୂମି ପୁନଶ୍ଚ ଦେବଭୂମିରେ ପରିଣତ ହୋଇଗଲା।
ଶ୍ରୀରାମଙ୍କ ଜୀବନର ଅଧିଂକାଶ ମହତ୍ତ୍ୱପୂର୍ଣ୍ଣ ଘଟଣା ସେହିଠାରେ ସଂଘଟିତ ହୋଇଥିଲା- ଯଥା ସୁବାହୁ ରାକ୍ଷସ ବଧ, ସୁପର୍ଣଖାର ନାସିକା ଛେଦନ, ମାରିଚ ସ୍ୱର୍ଣ୍ଣମୃଗ ରୂପ ଧାରଣ କରି ସୀତାଙ୍କୁ ପ୍ରଲୁବ୍ଧ କରିବା, ରାବଣଦ୍ୱାରା ସୀତାଙ୍କର ହରଣ ଇତ୍ୟାଦି।
ସଂପ୍ରତି ଛତିଶଗଡ଼, ଓଡ଼ିଶା, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ବିସ୍ତୃତ ଅଞ୍ଚଳକୁ ବ୍ୟାପିଥିବା ଏହି ଅଞ୍ଚଳରେ ଶ୍ରୀରାମଙ୍କ ସ୍ମୃତିରେ ଅସଂଖ୍ୟ ଦିବ୍ୟଧାମ ପ୍ରତିଷ୍ଠିତ ହୋଇ ଏହି ଭୂମିକୁ ପବିତ୍ରଭୂମିର ମର୍ଯ୍ୟାଦା ଦେଉଛି। ସେସବୁ ମଧ୍ୟରେ ରହିଛି ଚନ୍ଦ୍ରାଦିତ୍ୟ ମନ୍ଦିର, ସୀତାଦେବୀ ମନ୍ଦିର, ପଞ୍ଚବଟୀ, ଶବରୀଧାମ ଓ କାଲାରାମ ଇତ୍ୟାଦି।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର