ଯୋଦ୍ଧାବେଶରେ ଶ୍ରୀଜଗନ୍ନାଥ

ବେଶର ନାମ ନାଗାର୍ଜୁନ-୩ / ଅସିତ ମହାନ୍ତି

ନାଗାର୍ଜୁନ ବେଶ ଏକ ଯୋଦ୍ଧାବେଶ । ଶ୍ରୀଜଗନ୍ନାଥ କାହିଁକି ଏହି ଯୋଦ୍ଧାବେଶ ହୁଅନ୍ତି, ତାହାର ମଧ୍ୟ ତାତ୍ପର୍ଯ୍ୟ ରହିଛି । ଏହା ପଛରେ ଅଛି ନିର୍ଦ୍ଦିଷ୍ଟ ପୌରାଣିକ ଉପାଖ୍ୟାନ । କିନ୍ତୁ ସେ ଉପାଖ୍ୟାନକୁ ଯିବା ଆଗରୁ, ଶ୍ରୀଜଗନ୍ନାଥ ଆଉ କେବେ କେବେ ଯୋଦ୍ଧାବେଶ ହୁଅନ୍ତି, ତାହାର ଆଲୋଚନା ଆବଶ୍ୟକ ।

ମାଣିକ ଗଉଡ଼ୁଣୀ କିଂବଦନ୍ତି କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଭାରତବର୍ଷରେ ଲୋକପ୍ରିୟ । ଏହା ଗଜପତି ପୁରୁଷୋତ୍ତମ ଦେବଙ୍କ ସହିତ ସଂପର୍କିତ । ଏହାର ଐତିହାସିକ ଭିତ୍ତି ମଧ୍ୟ ରହିଛି । ଇତିହାସ ହେଉଛି- କପିଳେନ୍ଦ୍ର ଦେବ ଥିଲେ ସୂର୍ଯ୍ୟବଂଶର ପ୍ରତିଷ୍ଠାତା । ତାଙ୍କଠାରୁ ‘ଗଜପତି’ ଶାସନର ଆରମ୍ଭ ହୋଇଥିଲା । ସେ ଥିଲେ ଜଣେ ଦୁଃସାହସିକ ଦିଗ୍‌ବିଜୟୀ । ତାଙ୍କ ସମୟରେ ଗଙ୍ଗାଠାରୁ ଗୋଦାବରୀ ଓ କାବେରୀ ପର୍ଯ୍ୟନ୍ତ ଉତ୍କଳ ମହାରାଜ୍ୟର ସୀମା ବିସ୍ତାରିତ ହୋଇଥିଲା । ତାଙ୍କ ପରେ ଗଜପତି ରାଜା ହୋଇଥିଲେ ପୁରୁଷୋତ୍ତମ ଦେବ ।

କିଂବଦନ୍ତି ଅନୁସାରେ, କାଞ୍ଚି (କର୍ଣ୍ଣାଟକର ଉଦୟଗିରି) ଆକ୍ରମଣ କରି ପୁରୁଷୋତ୍ତମଦେବ ପ୍ରଥମେ ତାହାର ରାଜା ସାଲ୍ୱ ନରସିଂହଙ୍କ ଦ୍ୱାରା ପରାସ୍ତ ହୋଇଥିଲେ । ପରେ ଦ୍ୱିତୀୟବାର କାଞ୍ଚି ଅଭିଯାନ କଲାବେଳେ, ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ଯଥାକ୍ରମେ କଳା ଓ ଧଳା ଘୋଡ଼ାରେ ଚଢ଼ି ତାଙ୍କ ପାଇଁ ଯୁଦ୍ଧ କରିବାକୁ ବାହାରିଥିଲେ । ସେହି ଯୁଦ୍ଧଯାତ୍ରା ବେଳେ ଦୁଇଠାକୁର ମାଣିକ ଗଉଡ଼ୁଣୀଠାରୁ ଦହି ଖାଇଥିଲେ । ତାହା ଜାଣି ଗଜପତି ପୁରୁଷୋତ୍ତମ ଦେବ ମାଣିକ ନାମରେ ସେହି ସ୍ଥାନର ନାମ ରଖିଥିଲେ ମାଣିକ ପାଟଣା । ଓଡ଼ିଶାର ପଟ୍ଟଚିତ୍ରରେ ବଳଭଦ୍ର ଓ ଜଗନ୍ନାଥ ପାଇକ ବେଶରେ ସେହି ଯୁଦ୍ଧଯାତ୍ରା କରିବାର ଅନେକ ନିଦର୍ଶନ ଅଛି । ସେହି ଯୁଦ୍ଧରେ ବିଜୟୀ ହୋଇ ପୁରୁଷୋତ୍ତମ ଦେବ କାଞ୍ଚି ରାଜଜେମା ରୂପାମ୍ବିକା (ପଦ୍ମାବତୀ)ଙ୍କୁ ଉତ୍କଳକୁ ନେଇ ଆସିଥିଲେ । ପରେ ରୂପାମ୍ବିକାଙ୍କ ସହିତ ତାଙ୍କର ବିବାହ ମଧ୍ୟ ହୋଇଥିଲା ।

ଯୋଦ୍ଧାବେଶରେ ମଦନମୋହନ

କିନ୍ତୁ ଶ୍ରୀମନ୍ଦିରର ରୀତିନୀତିରେ, ଶ୍ରୀଜଗନ୍ନାଥଙ୍କର ଆଉ ଏକ ଯୁଦ୍ଧବେଶ ଅଛି । ସେହି ନୀତିଟି ହେଉଛି ରୁକ୍ମିଣୀ ହରଣ । ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ଶ୍ରୀମନ୍ଦିରରେ ଏହି ରୁକ୍ମିଣୀହରଣ ଓ ବିବାହ ନୀତି ଅନୁଷ୍ଠିତ ହୋଇଥାଏ ।

ପୌରାଣିକ ଉପାଖ୍ୟାନ ଅନୁସାରେ, ଦ୍ୱାପର ଯୁଗରେ ବିଦର୍ଭ ଦେଶର ଅଧିପତି ବା ମହାରାଜା ଥିଲେ ଭୀଷ୍ମକ । ତାଙ୍କର ଥିଲେ ପାଞ୍ଚପୁତ୍ର ଓ ଏକମାତ୍ର କନ୍ୟା । କନ୍ୟାର ନାମ ରୁକ୍ମିଣୀ । ସେ ଥିଲେ ପରମା ସୁନ୍ଦରୀ ଓ ବୁଦ୍ଧିମତୀ । ଶ୍ରୀକୃଷ୍ଣ ତାଙ୍କୁ ଓ ସେ ଶ୍ରୀକୃଷ୍ଣଙ୍କୁ ବିବାହ କରିବାକୁ ଚାହୁଥିଲେ ମଧ୍ୟ, ରୁକ୍ମିଣୀଙ୍କ ବଡ଼ଭାଇ ରୁକ୍ମି ଚାହୁଥିଲେ, ଚେଦୀରାଜ ଶିଶୁପାଳଙ୍କ ସହ ତାଙ୍କର ବିବାହ ହେଉ ।

ରୁକ୍ମିଣୀ ଯେତେବେଳେ ଜାଣିଲେ ଯେ ରୁକ୍ମି ଶିଶୁପାଳଙ୍କ ସହିତ ତାଙ୍କର ବିବାହ କରାଇଦେବାକୁ ସ୍ଥିର କରିଛନ୍ତି, ସେ ଶ୍ରୀକୃଷ୍ଣଙ୍କୁ ଗୋଟିଏ ପତ୍ର ଲେଖିଲେ । ସେହି ପତ୍ର ପାଇ ଶ୍ରୀକୃଷ୍ଣ ଆସି ରୁକ୍ମିଣୀଙ୍କୁ ହରଣ କରିନେଲେ । ସେତେବେଳେ, ତାଙ୍କୁ ବିବାହ କରିବାକୁ ଆସିଥିବା ଶିଶୁପାଳ ସହ ଶ୍ରୀକୃଷ୍ଣଙ୍କର ଯୁଦ୍ଧ ହୋଇଥିଲା ଏବଂ ଶିଶୁପାଳ ପରାସ୍ତ ଓ ବନ୍ଦୀ ହୋଇଥିଲେ । ସେହି ରାତିରେ ରୁକ୍ମିଣୀଙ୍କ ସହ ତାଙ୍କର ବିବାହ ହେଲା ।
ଏହି ଯୁଦ୍ଧନୀତି ଶ୍ରୀମନ୍ଦିରରେ ଲୀଳାଭିନୟ ଭାବରେ ପାଳିତ ହୋଇଥାଏ । ଏଥିରେ ଶ୍ରୀଜଗନ୍ନାଥଙ୍କ ‘ବିଜେ ପ୍ରତିମା’ ବା ପ୍ରତିନିଧି ମଦନମୋହନ ଯୁଦ୍ଧବେଶ ହୋଇଥାଆନ୍ତି ।

କିନ୍ତୁ ଶ୍ରୀଜଗନ୍ନାଥଙ୍କର ଏକ ପ୍ରମୁଖ ଯୁଦ୍ଧବେଶ ହେଉଛି ‘ନାଗାର୍ଜୁନ ବେଶ’ । ଏହି ବେଶର ବିଶେଷତ୍ୱ ହେଉଛି, ଏଥିରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ଉଭୟେ ‘ନାଗାର୍ଜୁନ’ ରୂପରେ ଦର୍ଶନ ଦିଅନ୍ତି । ଶ୍ରୀମନ୍ଦିରର ରତ୍ନବେଦୀରେ ହିଁ ଏହି ବେଶ ହୋଇଥାଏ ।

ସମ୍ବନ୍ଧିତ ଖବର