ଦ୍ୱାପର ଯୁଗର କଥା। ଶ୍ରୀକୃଷ୍ଣ ଦ୍ୱାରିକାକୁ ରାଜା ହୋଇ ସାରିଥାନ୍ତି। ରାଣୀ, ପାଟରାଣୀମାନଙ୍କ ସହ ବେଶ୍ ହସଖୁସିରେ ଥାଆନ୍ତି। ଶ୍ରୀକୃଷ୍ଣଙ୍କୁ ନିଜର ଏକାନ୍ତ କରିବା ନେଇ ସବୁ ରାଣୀଙ୍କ ଭିତରେ ଚାଲିଥାଏ ଶୀତଳଯୁଦ୍ଧ। ସମସ୍ତେ ମନେ ମନେ ନିଜକୁ କୃଷ୍ଣଙ୍କ ପ୍ରିୟ ବୋଲି ଭାବି ଗର୍ବ କରୁଥାନ୍ତି। ଭଗବାନ ଶ୍ରୀକୃଷ୍ଣ ଏକଥା ଜାଣିପାରିଲେ। ସେ ସେମାନଙ୍କ ଗର୍ବ ଭାଙ୍ଗିବା ପାଇଁ ଏକ ଯୋଜନା ପାଞ୍ଚିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ହଠାତ ଦିନେ କୃଷ୍ଣଙ୍କର ଭୟଙ୍କର ଭାବେ ଦେହ ଖରାପ ହେଲା। ଜ୍ୱରରେ ଦେହରେ ଖଇ ଫୁଟିବା ଅବସ୍ଥା ହୋଇଥାଏ। ଯେତେ ବୈଦ ଆସି ଦେଖି ଚେରମୂଳି ଦେଲେ ବି ତାଙ୍କ ଅବସ୍ଥାରେ ପରିବର୍ତ୍ତନ ଆସୁନଥାଏ। ସମସ୍ତେ ଚିନ୍ତାରେ ପଡ଼ିଗଲେ। ସେତିିକି ବେଳେ ଜଣେ ପଣ୍ଡିତ ଆସି ତାଙ୍କ ରାଜପ୍ରସାଦରେ ପହଞ୍ଚିଲେ। ସେ ଯାହା ପରାମର୍ଶ ଦେଲେ ସେଥିରେ ସମସ୍ତେ ଚିକିତ ହୋଇ ପଡ଼ିଲେ। ପଣ୍ଡିତ କହିଲେ ଯେ କୃଷ୍ଣଙ୍କୁ ଶ୍ରଦ୍ଧା କରୁଥିବା ଜଣେ ନାରୀ ଆସି କୃଷ୍ଣଙ୍କୁ ଗୋଇଠା ମାରିଲେ ହିଁ ତାଙ୍କ ଦେହରୁ ଜ୍ୱର ଉତୁରିବ।
ଜଣ ଜଣ କରି ସମସ୍ତ ରାଣୀଙ୍କୁ ଡାକି ସମସ୍ୟା କୁହାଗଲା। ରାଣୀମାନେ ଶ୍ରୀକୃଷ୍ଣଙ୍କୁ ଅନେକ ଶ୍ରଦ୍ଧା କରୁଥିଲେ। ଗୋଇଠା ମାରି ପାପ ନେବାକୁ କେହି ଚାହିଁଲେ ନାହିଁ। ବାଧ୍ୟ ହୋଇ ଶ୍ରୀକୃଷ୍ଣଙ୍କୁ ଶ୍ରଦ୍ଧା କରୁଥିବା ସମସ୍ତ ଗୋପ ନାରୀଙ୍କୁ ଡକରା ପଠାଗଲା। ସେମାନଙ୍କ ସହ ରାଧା ବି ଆସି ସେଠାରେ ପହଞ୍ଚିଲେ।
କେହି ବି ହେଲେ ତାଙ୍କୁ ଗୋଇଠା ମାରିବାକୁ ମଙ୍ଗିଲେ ନାହିଁ। ମାତ୍ର ଠିକ୍ ସେହି ସମୟରେ ରାଧା ଆସି ନିଜ ପାପକୁ ଭୟ ନ କରି ଶ୍ରକୃଷ୍ଣଙ୍କୁ ଗୋଇଠା ମାରିଲେ ଓ ତତ୍କ୍ଷଣାତ ତାଙ୍କ ଜ୍ୱର ଭଲ ହୋଇଗଲା। ସେହି ସମୟରେ ସବୁ ରାଣୀ ଓ ପାଟରାଣୀ ଲାଜରେ ମୁଣ୍ଡ ତଳକୁ କରି ସାରିଥିଲେ। ସମସ୍ତେ ପାପ ଓ ପୁଣ୍ୟର ବିଚାର କରୁଥିବା ବେଳେ ଏକମାତ୍ର ଶ୍ରୀରାଧା ହିଁ କୃଷ୍ଣଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଥିଲେ। ସେଇଥି ପାଇଁ ସମସ୍ତଙ୍କଠାରୁ ରାଧାଙ୍କ ସ୍ଥାନ ସଦା ଉପରେ।