ଶତାବ୍ଦୀର କ୍ୟାଲେଣ୍ଡର୍ରୁ ଗୋଟିଏ ବର୍ଷ ସରି ସରି ଆସୁଛି। ନୂତନ ବର୍ଷର ସୂର୍ଯ୍ୟୋଦୟ ପାଇଁ ସିନ୍ଦୁରାଫାଟିବା ଆରମ୍ଭ କଲାଣି। ୨୦୨୧ ମସିହାର ଦୁଃଖ , ଯନ୍ତ୍ରଣାର ସ୍ତୁପ ଉପରେ ୨୦୨୨ର ବିଜୟ ପତାକା ଫରଫର ହୋଇ ଉଡ଼ିବା ପାଇଁ ପ୍ରସ୍ତୁତ। ତେବେ କୋଟି ଓଡ଼ିଆଙ୍କ ହୃଦୟର ଦେବତା ଶ୍ରୀଜଗନ୍ନାଥଙ୍କୁ ନେଇ ଲୋକେ ଯେମିତି ଭାବପ୍ରବଣ, ଠିକ୍ ସେମିତି ଶ୍ରୀକ୍ଷେତ୍ରକୁ ନେଇ ମଧ୍ୟ । ତେଣୁ ରାଜ୍ୟ ସରକାର ଶ୍ରୀକ୍ଷେତ୍ରର ବିକାଶକୁ ବିଦାୟୀ ବର୍ଷରେ ଯଥେଷ୍ଟ ଗୁରୁତ୍ବ ଦେଇଛନ୍ତି। ଶ୍ରୀକ୍ଷେତ୍ର ପାଇଁ ଦେଖାଯାଇଥିବା ସ୍ବପ୍ନମାନେ ଧୀରେଧୀରେ ବାସ୍ତବ ରୂପ ନେଉଛନ୍ତି। ଏହାକୁ ନେଇ ଆମର ସ୍ବତନ୍ତ୍ର ପ୍ରତିବେଦନ ।
ବଦଳିବ ଶ୍ରୀକ୍ଷେତ୍ରର ରୂପରେଖ। ଶ୍ରୀମନ୍ଦିର ୭୫ ମିଟର ପରିଧିରେ ନିର୍ମାଣ ହେବ ଅଭେଦ୍ୟ ସୁରକ୍ଷା କରିଡର। ସବୁଜ ବଳୟ ସାଙ୍ଗକୁ କଳିଙ୍ଗ ସ୍ଥାପତ୍ୟରେ ଝଟକିବ ଶ୍ରୀମନ୍ଦିର। ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହେବ ଆଉ ଏକ ନୂଆ ଅଧ୍ୟାୟ। ଏଭଳି ଏକ ନିଆରା ପରିକଳ୍ପନାକୁ ସାକାର ରୂପ ଦେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ମହାଯଜ୍ଞର ଆୟୋଜନ ପୂର୍ବକ ଗତ ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିବା ବେଳେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶିଳା ସ୍ଥାପନ କରିଛନ୍ତି।
ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ପାଇଁ ଅବଢ଼ା (ଅଗମେଣ୍ଟେସନ ବେସିକ୍ ଏମିନିଟିଜ୍ ଆଣ୍ଡ୍ ଡେଭଲପମେଣ୍ଟ୍ ଅଫ୍ ହେରିଟେଜ୍ ଆଣ୍ଡ୍ ଆର୍କିଟେକ୍ଚର୍) ଯୋଜନାରେ ୨୨ଟି ପ୍ରକଳ୍ପ ପାଇଁ ୩୨ଶହ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ କେବଳ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ପାଇଁ ୩୩୧ କୋଟି ୩୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ୧୮ ମାସ ମଧ୍ୟରେ କାମ ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର ଚାରି ପାଖ ମେଘନାଦ ପାଚେରିଠାରୁ ୭୫ ମିଟର ମଧ୍ୟରେ ପ୍ରତିଷ୍ଠା ହେବ ପରିକ୍ରମା ମାର୍ଗ।
୧୮ଟି ମଠର ମହନ୍ତ ଓ ୧୦୮ ଜଣ ବ୍ୟକ୍ତିଗତ ଜମିଦାତା ଏଥିପାଇଁ ମଠ ଓ ନିଜର ଜମି ଉତ୍ସର୍ଗ କରିଛନ୍ତି। ଜମି ଉତ୍ସର୍ଗ କରିଥିବା ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ସହାୟତା ସହ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରି ସାଧୁବାଦ ଜଣାଇଥିଲେ। ୨୦୧୯ ମସିହା ଅକ୍ଟୋବର ୧୯ରେ ରାଜ୍ୟ କ୍ୟାବିନେଟ୍ରେ ଅବଢ଼ା ଯୋଜନାରେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଅନୁମୋଦନ ଲାଭ କରିଥିଲା। ସେହି ବର୍ଷ ନଭେମ୍ବରରେ ସରକାର ଜମି ଅଧିଗ୍ରହଣ ପାଇଁ ପ୍ୟାକେଜ ଘୋଷଣା କରିଥିଲେ। ଡିସେମ୍ବର ୩୦ରେ ଚିଠା ପ୍ରସ୍ତାବ ଆଗତ ସହ ମତାମତ ଆହ୍ବାନ କରାଯାଇଥିଲା। ୨୦୨୧ ଜାନୁଆରି ୨୧ରେ ସାଂସ୍କୃତିକ ପରାମର୍ଶ କମିଟି ଶ୍ରୀମନ୍ଦିର ଐତିହ୍ୟ କରିଡରର ଚୂଡ଼ାନ୍ତ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଥିଲା। ଏହା ପରିଚାଳନା କମିଟି ଅନୁମୋଦନ ଲାଭ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନୀଳନକ୍ସା ପ୍ରସ୍ତୁତ ହୋଇଥିଲା।
୯ ଭାଗରେ ହେବ ଐତିହ୍ୟ କରିଡର
ମେଘନାଦ ପାଚେରିଠାରୁ ୭ ମିଟର ବଫର ଜୋନ୍ ହେବ। ଏହା ମଧ୍ୟରୁ ୨ ମିଟର ମେଘନାଦ ପାଚେରିର ରକ୍ଷଣା ବେକ୍ଷଣ, ୫ ମିଟର ୧ ଫୁଟ ଉଚ୍ଚ ବିଶିଷ୍ଟ ପିଣ୍ଡି ଓ ସବୁଜ ବଳୟ ସୃଷ୍ଟି କରାଯିବ। ପରବର୍ତ୍ତୀ ୧୦ ମିଟରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପରିକ୍ରମା ଉଦ୍ଦେଶ୍ୟର ଖୋଲା ରଖାଯିବ। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଏଇ ନିର୍ଦ୍ଦିଷ୍ଟ ମାର୍ଗ ଦେଇ ଯିବାର ବ୍ୟବସ୍ଥା ହୋଇଛି। ୧୦ ମିଟରରୁ ୧୪ ମିଟର ମଧ୍ୟରେ ଲ୍ୟାଣ୍ଡ୍ ସ୍କେପ୍ ଜୋନ୍ ରହିବ। ଏହା ମଧ୍ୟରେ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ ବୃକ୍ଷରାଜି ରୋପଣ କରାଯିବ। ପରବର୍ତ୍ତୀ ୮ ମିଟର ବାହ୍ୟ ପରିକ୍ରମା ମାର୍ଗ ଭାବେ ବ୍ୟବହୃତ ହେବ। ଏହାର ଦୁଇ ପାର୍ଶ୍ବରେ ଗଛ ଲଗାଯିବ। ଭକ୍ତ ଓ ପର୍ଯ୍ୟଟକଙ୍କୁ ଛାଇ ପ୍ରଦାନ କରିବାରେ ସହାୟ ହେବ। ଏହା ପରବର୍ତ୍ତୀ ୧୦ ମିଟର ଜନସାଧାରଣଙ୍କ ସୁବିଧା ନିମନ୍ତେ ବ୍ୟବସ୍ଥା ରହିବ। ଏହି ଅଞ୍ଚଳରେ ବିଶ୍ରାମ ଗୃହ, ପାନୀୟ ଜଳ, ଦାନ ଗ୍ରହଣ କେନ୍ଦ୍ର, ସୂଚନା କେନ୍ଦ୍ର ଆଦି ରହିବ। ପରବର୍ତ୍ତୀ ୫ ମିଟରରେ କରିଡରର ରକ୍ଷଣାବେକ୍ଷଣ ବ୍ୟବସ୍ଥା କରାଯିବ। ୪.୫ ମିଟର ମଧ୍ୟରେ ଜୁରୁରିକାଳୀନ ସେବା ସୁବିଧା ରହିବ। ୭.୫ ମିଟର ମଧ୍ୟରେ ଟ୍ରାଫିକ୍ ଲେନ୍ ରହିବ। ଏହା ଯାନବାହନ ପ୍ରସ୍ଥାନ ସହ କରିଡର ସଂଲଗ୍ନ ସାହିକୁ ସଂଯୋଗ କରିବ। ୭ ମିଟର ମଧ୍ୟରେ ପାର୍ଶ୍ବବର୍ତ୍ତୀ ବାସିନ୍ଦାଙ୍କ ସୁବିଧା ପାଇଁ ବ୍ୟବହୃତ ହେବ। ଏଥିସହ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ଗାଡ଼ି ପାର୍କିଂ, ଆବର୍ଜନା କୁଣ୍ଡ, ଭକ୍ତଙ୍କ ବସିବା ବ୍ୟବସ୍ଥା ରହିବ। କରିଡରର ରୂପରେଖ: ମିନି କ୍ଲକ୍ରୁମ୍: ୩ଟିଳ ସୂଚନା ଓ ଦାନ କିଓସ୍କୋ: ୩ଟି, ଆଶ୍ରୟ ଘର: ୫ଟି, ପୁରୁଷ ଓ ମହିଳାଙ୍କ ପାଇଁ ଶୌଚାଳୟ: ୬ଟି, ସେବାୟତଙ୍କ ଶୌଚାଳୟ: ୨ଟି, ପୁଲିସ୍ ସେବା କେନ୍ଦ୍ର: ଗୋଟିଏ, ଏଟିଏମ୍ କିଓସ୍କୋ: ଗୋଟିଏ, ୧୦୦ ଜଣଙ୍କ ବସିବା ପାଇଁ ଭଜନ ମଣ୍ଡପ: ଗୋଟିଏ, ୫ଶହ ଜଣଙ୍କ ନିମନ୍ତେ ସଂସ୍କୃତ ମଣ୍ଡପ-ଗୋଟିଏ।
କଳିଙ୍ଗ କଳା ସ୍ଥାପତ୍ୟର ସ୍ପର୍ଶ;୯୦ ପ୍ରତିଶତ ସ୍ଥାନ ସବୁଜ ବଳୟ, ୮ ହଜାର ଭକ୍ତଙ୍କ ପାଇଁ ଅଭ୍ୟର୍ଥନା କେନ୍ଦ୍ର
ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ଓ ପାର୍ଶ୍ବବର୍ତ୍ତୀ ମଠ ମନ୍ଦିରର ବିକାଶ କରାଯିବ। ଯୋଜନା ମୁତାବକ ଏହା ମଧ୍ୟରେ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବିଲ୍ଡିଂ, ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର, ରଘୁନାଥ ପାଠାଗାର, ସମନ୍ବିତ ନିୟନ୍ତ୍ରଣ କେନ୍ଦ୍ର ନିର୍ମିତ ହେବ। ଏହି ପରିସରରେ ଆସୁଥିବା ସମସ୍ତ ମଠକୁ କଳିଙ୍ଗ କଳା ସ୍ଥାପତ୍ୟ ଶୈଳୀରେ ବିକାଶ କରାଯିବ। ବିକାଶ କାର୍ଯ୍ୟ ତ୍ବରାନ୍ବିତ ହେବା ବେଳେ ସେମାନଙ୍କର ପରମ୍ପରା ଯେପରି ଉଜ୍ଜୀବୀତ ରହିବ ତା’ ଉପରେ ଗୁରୁତ୍ବ ଦିଆଯିବ। ଐତିହ୍ୟ କରିଡର ମଧ୍ୟରେ ପ୍ରାୟ ୨୦ ଏକର ଅଞ୍ଚଳ ଅଧିଗ୍ରହଣ ହୋଇଛି। ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ବଳୟ ପାଇଁ ୧୫.୬୫ ଏକର ଜମି ଆବଶ୍ୟକ ଥିବା ବେଳେ ଏ ଭିତରେ ୯୮ ପ୍ରତିଶତ ଜମି ଅଧିଗ୍ରହଣ କାମ ଶେଷ ହୋଇଛି। ୧୧୩ଜଣଙ୍କ ବ୍ୟକ୍ତିଗତ ଜମି, ୧୮ଟି ମଠର ଜମି ଅଧିଗ୍ରହଣ ସରିଛି। ବାକି ଅଧିଗ୍ରହଣ କାମ ଜାରି ରହିଛି। ଆବଶ୍ୟକ ଜମି ମଧ୍ୟରେ ୪.୪୬ ଏକର ବେସରକାରୀ ଜମି, ୮.୪୭୨୫ ଏକର ଶ୍ରୀଜଗନ୍ନାଥ ଜମି, ୦.୧୫୧ ଏକର ମଠ ଜମି ଓ ୨.୫୬୬ ଏକର ସରକାରୀ ଜମି ରହିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ଉଚ୍ଛେଦକ୍ରମରେ ବାସେଳିସାହି ମୌଜାରେ ୩.୨୮ ଏକର ବେସରକାରୀ ଓ ୬୪ ଡେସିମିଲ୍ ସରକାରୀ, ମଣିକର୍ଣ୍ଣିକା ସାହି ମୌଜାର ୩.୬୨ ଏକର ବେସରକାରୀ ଓ ୧୩ ଡେସିମିଲ ସରକାରୀ ଜାଗା, କାଳିକାଦେବୀ ସାହି ମୌଜାର ୧.୯୫ ଏକର ବେସରକାରୀ ଓ ୫୨ ଡେସିମିଲ୍ ସରକାରୀ ଜାଗା, ଦୋଳମଣ୍ଡପ ସାହି ମୌଜାରେ ବେସରକାରୀ ୭.୭ ଡେସିମିଲ ଓ ୭.୪ ଡେସିମିଲ ସରକାରୀ ଜାଗା, ଚୁଡ଼ଙ୍ଗ ସାହି ମୌଜାରେ ୩.୮୬ ଏକର ବେସରକାରୀ ଓ ୧.୨୮ ଏକର ସରକାରୀ ଜାଗା ଅଧିଗ୍ରହଣ ଲକ୍ଷ୍ୟ ରଖାଯାଇଥିଲା। ଅଧିଗ୍ରହଣ ହେବାକୁ ଥିବା ୨୯୦ଟି ପ୍ଲଟ୍ ସାମାଜିକ ପ୍ରଭାବ ନିର୍ଦ୍ଧାରଣ ସର୍ଭେ କାର୍ଯ୍ୟ ମଧ୍ୟ କରାଯାଇଥିଲା।
ଏହା ମଧ୍ୟରେ ୯୦ ପ୍ରତିଶତ ଅଞ୍ଚଳକୁ ସବୁଜ ବଳୟ ଦ୍ବାରା ଆଚ୍ଛାଦିତ ହେବ। ଐତିହ୍ୟ କରିଡରର ପୂର୍ବ ପାର୍ଶ୍ବରେ ବିଶାଳ ଖୋଲା ସ୍ଥାନ ରହିବ। ଏହା ମଧ୍ୟରେ ମହାପ୍ରଭୁଙ୍କ ରଥଯାତ୍ରାଠୁ ନେଇ ବିଭିନ୍ନ ପର୍ବପର୍ବାଣୀ ସ୍ବଚ୍ଛନ୍ଦରେ ଆୟୋଜନ କରାଯାଇପାରିବ। ଫଳ ସ୍ବରୂପ ବହୁ ସଂଖ୍ୟାରେ ଭକ୍ତ ଏହା ମଧ୍ୟରେ ଉପସ୍ଥିତ ରହି ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ଉତ୍ସବ ଓ ଯାତ୍ରା ସୁବିଧାରେ ଦେଖିପାରିବେ। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏକ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ହେବ। ୮ ହଜାର ବ୍ୟକ୍ତିଙ୍କ ସୁବିଧା ନିମନ୍ତେ ଏହା ଉପଲବ୍ଧ ହେବ। ଏହା ମଧ୍ୟରେ ଶ୍ରୀଜଗନ୍ନାଥ ଐତିହ୍ୟ କରିଡରର ଦକ୍ଷିଣ-ପୂର୍ବ ପାର୍ଶ୍ବରେ ପ୍ରାୟ ୮୫ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ଏହି କେନ୍ଦ୍ର ନିର୍ମିତ ହେବ। ଏହା ମଧ୍ୟରେ ନିରାପତ୍ତା ବ୍ୟବସ୍ଥା ପାଇଁ ବ୍ୟାଗ୍ ସ୍କାନିଂ ସୁବିଧା ରହିବ। ୪ ହଜାର ପରିବାରର ଜିନିଷ ରଖିବା ପାଇଁ ମୁଖ୍ୟ କ୍ଲକ୍ରୁମ୍ ରହିବ।