ସୂର୍ପଣଖାଠାରୁ ରାମପତ୍ନୀ ସୀତାଙ୍କର ରୂପଗୁଣର ପ୍ରଶଂସା ଶୁଣି ରାବଣ ଏତେ ମୋହମୁଗ୍‌ଧ ହୋଇଗଲା ଯେ ସେ ସୀତାଙ୍କୁ ଅପହରଣ କରିନେଇ ଲଙ୍କାର ପାଟରାଣୀ କରିବାର କଳ୍ପନା କରିବାକୁ ଲାଗିଲା। ତାହା ଏକ ଅନୈତିକ କାର୍ଯ୍ୟ ବୋଲି ମନ୍ଦୋଦରୀ ସହିତ ରାବଣର ପାତ୍ରମନ୍ତ୍ରୀମାନେ ସେହି କାର୍ଯ୍ୟରୁ ରାବଣକୁ ନିବୃତ୍ତ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସେ କାହାରି କଥା ନଶୁଣି ସୀତାହରଣ କରିବାପାଇଁ ଏକ ଭୟଙ୍କର ଯୋଜନା ପ୍ରସ୍ତୁତ କଲା। ଏଥିପାଇଁ ଲଙ୍କାର ଅନତି ଦୂରରେ ଏକ ଆଶ୍ରମକରି ନିବାସ କରୁଥିବା ମାୟାବୀ ରାକ୍ଷସ ମାରୀଚର ସହଯୋଗ କାମନା କରିବାକୁ ତା’ ପାଖରେ ପହଞ୍ଚିଲା।

Advertisment

ମାରୀଚ ‘ରାମାୟଣ’ର ଏକ ବହୁବର୍ଣ୍ଣିତ ମହତ୍ତ୍ୱପୂର୍ଣ୍ଣ ଚରିତ୍ର। ଏକଦା ସୁକେତୁ ନାମକ ଜଣେ ଯକ୍ଷ ଥିଲେ। ସେ ଅତ୍ୟନ୍ତ ଧର୍ମାତ୍ମା। କିନ୍ତୁ ତାଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ। ତେଣୁ ଏକ କଷ୍ଟସାଧ୍ୟ ଯଜ୍ଞ କରି ସେ ଏକ ପରମାସୁନ୍ଦରୀ କନ୍ୟା ଲାଭ କଲେ। ଏହି କନ୍ୟା ଯେପରି ସୁନ୍ଦରୀ ସେହିପରି ଶକ୍ତିମତୀ ଥିଲା। ଏହି କନ୍ୟାକୁ ସୁକେତୁ ଦୈତ୍ୟରାଜ ସୁନ୍ଦକୁ ପ୍ରଦାନ କରିଥିଲେ। ଏକଦା ସୁନ୍ଦ ନିଶାସକ୍ତ ହୋଇ ମହାମୁନି ଅଗସ୍ତ୍ୟଙ୍କୁ ତାଙ୍କର ଖର୍ବତା ନିମିତ୍ତ ଉପହାସ କରିବାରୁ ତାଙ୍କର ଅଭିଶାପରେ ବିନଷ୍ଟ ହୋଇଗଲା। ସୁକେତୁକନ୍ୟା ତାଡ଼କା ପତିର ମୃତ୍ୟୁ ଦେଖି ତା’ର ପୁତ୍ର ମାରୀଚ ସହିତ ଆସି ଅଗସ୍ତ୍ୟଙ୍କ ଆଶ୍ରମରେ ବହୁ ଉତ୍ପାତ କରିବାକୁ ଲାଗିଲା। ଏଥିରେ ବିବ୍ରତ ହୋଇ ଅଗସ୍ତ୍ୟ ସୁନ୍ଦରୀ ତାଡ଼କାକୁ କୁରୂପା ରାକ୍ଷସୀ ଏବଂ ତାର ପୁତ୍ର ମାରୀଚକୁ ରାକ୍ଷସତ୍ୱ ପ୍ରାପ୍ତି ନିମିତ୍ତ ଅଭିଶାପ ଦେଲେ। ଏଥିରେ ତାଡ଼କା ଆହୁରି ଭୟଙ୍କର ହୋଇ ଉଠିଲା। ଇନ୍ଦ୍ରଙ୍କ କୃପାରୁ ନନ୍ଦନକାନନ ସଦୃଶ ଏକ ବନଭୂମି ଥିଲା। ସେଠାରେ ମୁନିଋଷିମାନେ ତପସ୍ୟା କରୁଥିଲେ। ତାଡ଼କା ସେଠାକୁ ଆସି ଉତ୍ପାତ କଲା। କ୍ରମଶଃ ସେହି ସୁଶୀତଳ ବନଭୂମି ‘ତାଡ଼କା ବନ’ ଭାବରେ ପରିଚିତ ହେଲା।

ତାଡ଼କାର ଅତ୍ୟାଚାରରେ ଅତିଷ୍ଠ ହୋଇ ବିଶ୍ୱାମିତ୍ର ଅଯୋଧ୍ୟ ଯାଇ ରାମଙ୍କୁ ଅଣାଇ ତାଡ଼କା ବଧ କଲେ। ତାଡ଼କାର ମୃତ୍ୟୁରେ ଉତ୍‌କ୍ଷିପ୍ତ ହୋଇ ମାରୀଚ ନିଜର ଭାଇ ସୁବାହୁକୁ ସଙ୍ଗରେ ଧରି ବିଶ୍ୱାମିତ୍ରଙ୍କ ଯଜ୍ଞଶାଳାରେ ପହଞ୍ଚି ରାମଙ୍କ ସହିତ ଯୁଦ୍ଧ କଲା। ରାମଙ୍କ ବାଣରେ ସୁବାହୁ ସହିତ ଅନେକ ରାକ୍ଷସ ମୃତାହତ ହେଲେ। କିନ୍ତୁ ରାମଙ୍କ ବାଣରେ ମାରୀଚ ମୂର୍ଚ୍ଛିତ ହୋଇ ଶତ ସହସ୍ର କ୍ରୋଶ ଦୂରବର୍ତ୍ତୀ ସମୁଦ୍ରଗର୍ଭରେ ନିପତିତ ହେଲା। ଚେତନା ପାଇ ଖଳବୁଦ୍ଧି ହେତୁ ମାରୀଚ ପୁନଶ୍ଚ ଏକ ମାୟାମୃଗ ରୂପ ଧାରଣ କରି ମୁନିଋଷିମାନଙ୍କୁ ପୀଡ଼ନ କରିବାରୁ, ରାମ ଏକ ତୀକ୍ଷ୍‌ଣ ଶର ପ୍ରୟୋଗ କରି ତାକୁ କ୍ଷତାକ୍ତ କଲେ। ମାତ୍ର ଜୀବନରୁ ନ ମାରି ତାକୁ ଛାଡ଼ିଦେବାରୁ ମାରୀଚର ଚେତନାର ଉଦ୍ରେକ ହେଲା। ସେ ସମସ୍ତ ଦୁଷ୍ଟଭାବନା ପରିତ୍ୟାଗ କରି, ସମୁଦ୍ର ତୀରରେ ଏକ ଆଶ୍ରମ ନିର୍ମାଣ କରି ରହିଲା ଏବଂ ରାମ ନାମ ଜପ କରି ଋଷି ସଦୃଶ ଜୀବନ ଅତିବାହିତ କଲା।
-ଡକ୍ଟର ତୁଳସୀ ଓଝା