‘ରାମାୟଣ’ର କିସ୍କିନ୍ଧ୍ୟାକାଣ୍ଡର ଶେଷ ପର୍ଯ୍ୟାୟରେ ଏକ ବିଚିତ୍ର ଘଟଣାର ବର୍ଣ୍ଣନା ଦେଖିବାକୁ ମିଳେ। ତାହା ହେଉଛି ସଂପାତ୍ତି ନାମକ ଏକ ଗୃଧ୍ରର କାହାଣୀ। ଯେଉଁ ବାନରମାନେ ସୀତାଙ୍କ ସନ୍ଧାନରେ ଦକ୍ଷିଣ ଦିଗକୁ ଯାତ୍ରା କରିଥିଲେ, ରାବଣର କୌଣସି ସନ୍ଧାନ ନପାଇ ସେମାନେ ବ୍ୟର୍ଥ ମନୋରଥ ହୋଇ ସମୁଦ୍ର ତୀରସ୍ଥ ଏକ ପର୍ବତ ଚଟାଣ ଉପରେ କିଂକର୍ତ୍ତବ୍ୟ ବିମୂଢ଼ ହୋଇ ବସି ରହିଥିଲେ। ଏହି ସମୟରେ ଏକ ବିଶାଳ ଗୃଧ୍ର ପକ୍ଷୀ ସେଠାକୁ ଆସି ଆନନ୍ଦରେ ସେମାନଙ୍କୁ ଭୋଜନ କରିବା ପାଇଁ ଉଦ୍ୟତ ହେଲା। ବାନରମାନେ କୁହାକୁହି ହେଲେ, ଗୃଧ୍ର ମହାତ୍ମା ଜଟାୟୁ ମା ସୀତାଙ୍କୁ ରକ୍ଷା କରିବାକୁ ଯାଇ ପ୍ରାଣ ଦେଇ ଦେଲେ; ଅଥଚ ସେହିପରି ଆଉ ଜଣେ ଗୃଧ୍ର ପ୍ରଭୁ ରାମଚନ୍ଦ୍ରଙ୍କ ଦୂତମାନଙ୍କୁ ଭକ୍ଷଣ କରିବାକୁ ଆସୁଛି। ଜଟାୟୁ ଓ ରାମଚନ୍ଦ୍ରଙ୍କର ନାମ ଶୁଣି ଗୃଧ୍ରଟି ସେମାନଙ୍କ ପାଖକୁ ଆସି ଜଟାୟୁର ସମାଚାର ଜାଣିବାକୁ ଚାହିଁଲା ଏବଂ ନିଜର ପରିଚୟ ବାନରମାନଙ୍କୁ ଦେଲା। ସେହି ବୃଦ୍ଧ ଗୃଧ୍ରପକ୍ଷୀ ଆଉ କେହି ନୁହନ୍ତି, କାଶ୍ୟପେୟ ଅରୁଣ ଓ ତାଙ୍କ ପତ୍ନୀ ଶେୟନୀଙ୍କ ଗର୍ଭରୁ ଜାତ ପୁତ୍ର। ସେମାନଙ୍କର ଦୁଇପୁତ୍ର ଜଟାୟୁ ଓ ସଂପାତ୍ତିଙ୍କ ମଧ୍ୟରୁ ସମ୍ପାତ୍ତି ଜ୍ୟେଷ୍ଠ।
ଗୃଧ୍ରକୂଟ ପର୍ବତ ଥିଲା ସେମାନଙ୍କର ଜନ୍ମଭୂମି ଏବଂ ଦଣ୍ଡକାରଣ୍ୟ ଥିଲା ସେମାନଙ୍କର ଚାରଣଭୂମି। ସେମାନେ ଥିଲେ ଗରୁଡ଼ ଓ ଅରୁଣଙ୍କ ତୁଲ୍ୟ ଅତ୍ୟନ୍ତ ବଳଶାଳୀ। ଏହି ବଳ ହେତୁ, ବାଳସୁଲଭ ଚପଳତାବଶତଃ ଏକଦା ଦୁଇଭାଇ ସୂର୍ଯ୍ୟଲୋକକୁ ସ୍ପର୍ଶ କରିବା ନିମିତ୍ତ ଉଡ଼ିଚାଲିଲେ। ଜଟାୟୁ ସୂର୍ଯ୍ୟଙ୍କ ତେଜରେ ପୀଡ଼ିତ ହୋଇ ରହିଗଲେ, କିନ୍ତୁ ସଂପାତ୍ତି ତୀବ୍ର ଗତିରେ ଉଡ଼ିଯାଇ ସୂର୍ଯ୍ୟମଣ୍ଡଳରେ ପ୍ରବେଶ କରିଗଲେ। ଫଳରେ ତାଙ୍କର ଦୁଇ ଡେଣା ସୂର୍ଯ୍ୟତାପରେ ନଷ୍ଟ ହୋଇଗଲା ଏବଂ ସେ ଲବଣ ସମୁଦ୍ର ନିକଟସ୍ଥ ମହେନ୍ଦ୍ର ପର୍ବତର ଚଟାଣ ଉପରେ ଖସିପଡ଼ିଲେ। ସେଠାରେ ବାସ କରୁଥିବା ଚନ୍ଦ୍ରମା ନାମକ ଜଣେ ଋଷି ତାଙ୍କର ଉପଚାର କରି ତାଙ୍କୁ ଅନେକ ନୀତି ଉପଦେଶ ଦେଲେ। ସଂପାତ୍ତିଙ୍କର ଐଶ୍ୱରୀୟ ଶକ୍ତି ଫେରି ଆସିଲା। ସେତେବେଳେ ଚନ୍ଦ୍ରମା ତାଙ୍କୁ କହିଥିଲେ, ତ୍ରେତୟାଯୁଗରେ ଭଗବାନ ରାମ ଅବତାର ନେଇ ମର୍ତ୍ତ୍ୟାବତରଣ କରିବେ। ସେହି ସମୟରେ ଶ୍ରୀରାମଙ୍କ ଦୂତମାନଙ୍କ ସହିତ ତୁମର ସାକ୍ଷାତ ହେବ। ରାମ ନାମ ତୁମର କର୍ଣ୍ଣଗୋଚର ହେବା ମାତ୍ରେ ତୁମର ନଷ୍ଟ ଡେଣା ପୁଣି ପୁନଃସ୍ଥାପିତ ହୋଇଯିବ। ତୁମେ ତୁମର ଦିବ୍ୟଦୃଷ୍ଟି ଫେରି ପାଇବ।
ସଂପାତ୍ତି ତାଙ୍କର ଦିବ୍ୟଦୃଷ୍ଟି ଓ ଦଗ୍ଧ ପକ୍ଷ ଫେରି ପାଇବା ପରେ ବାନର ମାନଙ୍କୁ ରାବଣପୁରୀରେ ସୀତା କେଉଁଠାରେ ଅଛନ୍ତି ତାର ସଂପୂର୍ଣ୍ଣ ବିବରଣୀ ପ୍ରଦାନ କଲେ। ହତୋତ୍ସାହ ବାନରମାନେ ସଂପାତ୍ତିଙ୍କ ପ୍ରେରଣାରେ ନୂତନ ଜୀବନ ଫେରିପାଇଲେ ଏବଂ ବ୍ୟାପକ ବିଚାରବିମର୍ଶ ପରେ ହନୁମାନ ସେହି ପର୍ବତ ଉପରୁ ଲମ୍ଫ ପ୍ରଦାନ କରି, ସମୁଦ୍ର ଲଂଘନ କରି, ଲଙ୍କାରେ ପହଞ୍ଚି ସୀତାଙ୍କୁ ଖୋଜି ପାଇଲେ।
ଅତଏବ ଜଟାୟୁ ଓ ସଂପାତ୍ତି ଉଭୟ ସୀତାଙ୍କ ଅନ୍ୱେଷଣରେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
-ଡକ୍ଟର ତୁଳସୀ ଓଝା