ବେଦକାଳରେ ବର୍ଣ୍ଣିତ ସପ୍ତର୍ଷି- ଯଥା ବଶିଷ୍ଠ,ବିଶ୍ୱାମିତ୍ର, ଗୌତମ, କାଶ୍ୟପ, ଅତ୍ରି ଓ ଜମଦଗ୍ନିଙ୍କ ମଧ୍ୟରେ ମହର୍ଷି ଭରଦ୍ୱାଜ ଅନ୍ୟତମ। ପ୍ରଜାପିତା ବ୍ରହ୍ମାଙ୍କର ପୁତ୍ର ଥିଲେ ଅଙ୍ଗୀରସ। ତାଙ୍କର ପୁତ୍ର ଥିଲେ ବୃହସ୍ପତି ଏବଂ ବୃହସ୍ପତିଙ୍କର ପୁତ୍ର ଥିଲେ ଭରଦ୍ୱାଜ। ସତ୍ୟ, ତ୍ରେତୟା ଓ ଦ୍ୱାପର- ଏହି ତିନିଯୁଗରେ ଭରଦ୍ୱାଜ ଜୀବିତ ଥିବାରୁ, ଚରକ ମୁନି ତାଙ୍କୁ ଅପରିମିତ ଆୟୁସମ୍ପନ୍ନ ଭାବରେ ଉଲ୍ଲେଖ କରିଛନ୍ତି। ଋଗ୍ବେଦର ଅନେକ ଋଚାର ରଚୟିତା ଥିଲେ ମହାମୁନି ଭରଦ୍ୱାଜ। ମାନବ ସମାଜର କଲ୍ୟାଣ ନିମିତ୍ତ, ରୋଗ ବ୍ୟାଧିର ଉପଚାର ନିମିତ୍ତ, ସେ ଇନ୍ଦ୍ରପୁର ଯାଇ ଦେବରାଜ ଇନ୍ଦ୍ରଙ୍କଠାରୁ ଆୟୁର୍ବେଦ ଶିକ୍ଷା କରିଥିଲେ। ମର୍ତ୍ତ୍ୟଲୋକକୁ ଆସି ସେ ଏହା ମୁନିମାନଙ୍କୁ ଶିକ୍ଷା ଦେଇଥିଲେ।
ପ୍ରଜାପିତା ବ୍ରହ୍ମାଙ୍କର ପୁତ୍ର ଥିଲେ ଅଙ୍ଗୀରସ। ତାଙ୍କର ପୁତ୍ର ଥିଲେ ବୃହସ୍ପତି ଏବଂ ବୃହସ୍ପତିଙ୍କର ପୁତ୍ର ଥିଲେ ଭରଦ୍ୱାଜ। ସତ୍ୟ, ତ୍ରେତୟା ଓ ଦ୍ୱାପର- ଏହି ତିନିଯୁଗରେ ଭରଦ୍ୱାଜ ଜୀବିତ ଥିବାରୁ, ଚରକ ମୁନି ତାଙ୍କୁ ଅପରିମିତ ଆୟୁସମ୍ପନ୍ନ ଭାବରେ ଉଲ୍ଲେଖ କରିଛନ୍ତି।
ଆଜିଠୁ ପ୍ରାୟ ଅଢ଼େଇ ହଜାର ବର୍ଷ ପୂର୍ବେ, ଭରଦ୍ୱାଜ ବାୟୁଯାନ ସଂପର୍କରେ ବିମାନଶାସ୍ତ୍ର ରଚନା କରିଥିଲେ। ଏଥିରେ ସେ ଯାତ୍ରୀବାହୀ ବିମାନ, ଯୁଦ୍ଧବିମାନ ଓ ଅନ୍ତରୀକ୍ଷଯାନମାନଙ୍କ ସଂପର୍କରେ ମଧ୍ୟ ସୂଚନା ପ୍ରଦାନ କରିଥିଲେ। ଅମିତ ଜ୍ଞାନର ଅଧିକାରୀ ହେବା ସତ୍ତ୍ୱେ, ଭରଦ୍ୱାଜ ଥିଲେ ଅତ୍ୟନ୍ତ ନମ୍ର ଏବଂ ଏକାଗ୍ର ବିଷ୍ଣୁଭକ୍ତ। ଶୃଙ୍ଗବେରପୁରଠାରୁ ୪୫ କିଲୋମିଟର ଦୂର ଗଙ୍ଗା, ଯମୁନା ଓ ସରସ୍ୱତୀର ମିଳନ ସ୍ଥଳ ପ୍ରୟାଗଠାରେ ତାଙ୍କର ଆଶ୍ରମ ଥିଲା। ଗଙ୍ଗାରେ ଶୃଙ୍ଗବେରପୁରରୁ ବାହାରି, ରାମଚନ୍ଦ୍ର ପ୍ରଥମେ ଯାଇ ମହର୍ଷି ଭରଦ୍ୱାଜଙ୍କ ଆଶ୍ରମରେ ପହଞ୍ଚିଥିଲେ। ରାମଭକ୍ତ ଭରଦ୍ୱାଜ ଶ୍ରୀରାମଙ୍କୁ ଦେଖି କୃତକୃତ୍ୟ ହୋଇପଡ଼ିଲେ। ଏହି ତ୍ରିକାଳଦର୍ଶୀ ମୁନି ଲୀଳାବତାର ଶ୍ରୀବିଷ୍ଣୁଙ୍କର ରାମ ବନବାସର ଉଦ୍ଦେଶ୍ୟ ସଂପର୍କରେ ସଂପୂର୍ଣ୍ଣ ଅବଗତ ଥିଲେ। ତଥାପି ରାମଚନ୍ଦ୍ର ଯେତେବେଳେ ତାଙ୍କୁ ବନବାସ କାଳରେ ସେ କେଉଁଠି ରହିବେ ବୋଲି ପଚାରିଲେ, ଭରଦ୍ୱାଜ ବିନୀତ ଭାବରେ କହିଲେ, “ଆପଣଙ୍କୁ କେଉଁ ମାର୍ଗ ଅଗମ୍ୟ ଯେ ମୁଁ ଆପଣଙ୍କୁ ମାର୍ଗଦର୍ଶନ କରାଇବି? ତଥାପି ଏ ଅକିଞ୍ଚନ ଆପଣଙ୍କୁ ବନପଥ ସୁଗମ କରାଇବାରେ ସାହାଯ୍ୟ କରିବ।” ଏହା କହି, କେତେକ ବ୍ରହ୍ମଚାରୀଙ୍କୁ ସେ ରାମଚନ୍ଦ୍ରଙ୍କ ସହିତ ପଠାଇଥିଲେ।
ରାମଚନ୍ଦ୍ରଙ୍କ ଅନ୍ୱେଷଣରେ ଯାଇ ଭରତ ମଧ୍ୟ ଏହି ଭରଦ୍ୱାଜ ମୁନିଙ୍କ ଆଶ୍ରମରେ ପହଞ୍ଚିଥିଲେ। ଭରତଙ୍କର ଭ୍ରାତୃପ୍ରେମ ଦେଖି ଭରଦ୍ୱାଜ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ। ପ୍ରତ୍ୟାବର୍ତ୍ତନ କାଳରେ ରାମଚନ୍ଦ୍ର ପୁନଶ୍ଚ ଭରଦ୍ୱାଜ ମୁନିଙ୍କ ଆଶ୍ରମକୁ ଯାଇଥିଲେ। ଭରଦ୍ୱାଜ ରାମଙ୍କୁ କିଛି ଉପହାର ଦେବାକୁ ଇଚ୍ଛା କରନ୍ତେ, ରାମଚନ୍ଦ୍ର ତାଙ୍କୁ ଏପରି ଏକ ବର ମାଗିଥିଲେ, ଯାହା ସୁନ୍ଦର ଓ ଆଶ୍ଚର୍ଯ୍ୟଜନକ। ରାମ ବର ମାଗିଲେ- ଆପଣଙ୍କ ଆଶ୍ରମରୁ ଅଯୋଧ୍ୟା ଯିବା ବାଟରେ ଯେତେ ବୃକ୍ଷଲତା ଅଛି, ସେମାନେ ଫଳପୁଷ୍ପରେ ପରିପୂର୍ଣ୍ଣ ହୋଇଯାଆନ୍ତୁ; ଯାହା ଫଳରେ ଯେଉଁ ବାନରମାନେ ମୋ ସହିତ ଆସିଛନ୍ତି, ସେମାନେ ସୁମିଷ୍ଟ ଭୋଜନ ପାଇ ପାରିବେ। ରାମଚନ୍ଦ୍ରଙ୍କର ଏହି ଇଚ୍ଛା ଭରଦ୍ୱାଜ ପୂରଣ କରିିିଥିଲେ। ଆଜି ପ୍ରୟାଗ, ମହର୍ଷି ଭରଦ୍ୱାଜଙ୍କର ତପସ୍ୟାର କ୍ଷେତ୍ର ହେତୁ ପ୍ରୟାଗରାଜ ହୋଇଛି।
-ଡକ୍ଟର ତୁଳସୀ ଓଝା